Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ବାସନ୍ତି ଦୁର୍ଗାପୂଜା

ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ବାସନ୍ତି ଦୁର୍ଗାପୂଜା

29

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ ବାସନ୍ତୀ ଦୁର୍ଗାଙ୍କ ଚଇତି ପୂଜା ଅନୁଷ୍ଠିତ ହେଉଛି। ଗୁରୁବାର ବିଲ୍ୱ ବରଣ ସହ ଅଧିବାସ, ଶୁକ୍ରବାର ମହାସପ୍ତମୀ ଓ ଆଜି ମା’ଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ଭଣ୍ଡାରିପୋଖରୀ ବସ୍‌ଷ୍ଟାଣ୍ଡ ମଣ୍ଡପରେ କାରିଗର ମହେନ୍ଦ୍ର ସାହୁଙ୍କ ଦ୍ୱାରା ଗଢାଯାଇଥିବା ମା’ ଙ୍କ ମୃଣ୍ମୟ ମୁର୍ତ୍ତିକୁ ପୂଜକ ନରନାରୟଣ ମିଶ୍ର ଓ ସାଥୀ ବିଧିମତେ ପୂଜାକରୁଛନ୍ତି। ସଂପୃକ୍ତ ମା’ବାସନ୍ତି ଦୁର୍ଗା କମିଟି ପକ୍ଷରୁ ଅଖିଳ ବିହାରୀ ସାହୁ, ସଦସ୍ୟ ଗଗନ ବିହାରୀ ନାୟକ, ସୁଶାନ୍ତ ବିଶ୍ୱାଳ, ପ୍ରଦୀପ ସେନାପତି ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନାରେ ସହାୟତା କରୁଛନ୍ତି। ସେହିପରି ବାରିକପୁର ମା’ ବାସନ୍ତୀ ଦୁର୍ଗା ଶାନ୍ତି କମିଟି ପରିଚାଳନାରେ କଲେଜପଡିଆ ସ୍ଥାୟୀ ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ପୂଜା ପୂଜକ ପୀତବାସ ପଣ୍ଡା ଓ ସାଥିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି। ବିଗତ ୧୯୬୮ ମସିହାରୁ ପ୍ରତିବର୍ଷ ଏହି ମଣ୍ଡପରେ ମା’ ଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି। ସ୍ଥାନୀୟ ବଜାରର ବ୍ୟବସାୟୀ, ଆଖପାଖ ଗ୍ରାମବାସୀ, ଶ୍ରଦ୍ଧାଳୁଙ୍କ ସହଯୋଗରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ।

ହଶହରା ପାଳନ ପରେ ମୃଣ୍ମୟୀ ମୂର୍ତ୍ତିକୁ ରେବ ନଦୀରେ ବିସର୍ଜନ ଦିଆଯିବ ବୋଲି କମିଟି ସୂତ୍ରରୁ ପ୍ରକାଶ। ଅନୁରୁପ ଭାବେ ଭଣ୍ଡାରିପୋଖରୀର ଆଦ୍ୟ ବାସନ୍ତୀ ଦୁର୍ଗା ଭାବେ ପରିଚିତ କହରାପୋଖରୀଠାରେ ଦୀର୍ଘ ୭୮ ବର୍ଷ ହେବ ମା’ ଙ୍କ ପୂଜା ପାଳିତ ହେଉଛି। କାରିଗର ମହେନ୍ଦ୍ର ସାହୁଙ୍କ ନିର୍ମିତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜକ କାର୍ତ୍ତିକ ଚନ୍ଦ୍ର ପଣ୍ଡା ଓ ଗୋବର୍ଦ୍ଧନ ପଣ୍ଡାଙ୍କ ପୂଜା କରୁଛନ୍ତି। ଏହି ମଣ୍ଡପରେ ପ୍ରତ୍ୟହ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ଚାଲୁରହିଛି। ଏଠାରେ ମା’ଙ୍କ ପୂଜା ପାଇଁ ଚାନ୍ଦା ଆଦାୟ ନିଷିଦ୍ଧ କରାଯାଇ ମା’ଙ୍କ ନିଜସ୍ୱ ଆୟରୁ ପୂଜା କାର୍ଯ୍ୟ ସମ୍ପାଦନ କରାଯାଇଥାଏ ବୋଲି ସଂପୃକ୍ତ କମିଟି ପକ୍ଷରୁ ପ୍ରକାଶ। ଭରତ ଚନ୍ଦ୍ର ନାୟକ, କାହ୍ନୁଚରଣ ବେହେରା, ହରିହର ପାତ୍ର, ନାରାୟଣ ଚନ୍ଦ୍ର ପାତ୍ର, ପ୍ରମୁଖ ଗ୍ରାମବାସୀ ଏହି ପୂଜାକାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି। ମଞ୍ଜୁରୀଠାରେ ମା’ଙ୍କ ପୂଜା ପ୍ରାୟ ୪୭ବର୍ଷ ଧରି ଅନୁଷ୍ଠିତ ହେଉଛି। କମିଟିର ସଭାପତି ଅକ୍ଷୟ କୁମାର ସେଠୀ, ଗଦାଧର ମିଶ୍ର, ଶରତ ଚନ୍ଦ୍ର ମହାନ୍ତି, ଘନଶ୍ୟାମ ବେଉରିଆ ପ୍ରମୁଖଙ୍କ ସଂଚାଳନାରେ ପୂଜାବିଧି ଚାଲୁ ରହିଛି। ପରମାନନ୍ଦପୁରରେ ପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ୫୧ ତମ ପୂଜାକୁ ପୂଜକ ଗଜେନ୍ଦ୍ର ମିଶ୍ର, ପରମାନନ୍ଦ ମିଶ୍ର ପ୍ରମୁଖ ପୂଜା କରୁଛନ୍ତି। ଜଗନ୍ନାଥପ୍ରସାଦ ଗ୍ରାମରେ ୧୯୫୮ ମସିହାରେ ସ୍ଥାନୀୟ ପୋଷ୍ଟମାଷ୍ଟର ଶେଖ୍ ସନାଓଲ୍ଲା ଖାଁଙ୍କ ଦ୍ୱାରା ପ୍ରତିଷ୍ଠିତ ଚଇତି ଦୁର୍ଗାଙ୍କୁ ପୂଜକ ଅଚ୍ୟୁତାନନ୍ଦ ମିଶ୍ର ବିଧିମତେ ପୂଜା କାର୍ଯ୍ୟ ତୁଲାଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.