Home ଓଡ଼ିଶା ଏକାମ୍ର ଯୋଜନାର ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଏକାମ୍ର ଯୋଜନାର ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

347

ଅଧୀଗୃହୀତ ସମସ୍ତ ଜମି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ
ଜମି ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଞ୍ଚଳ ଫଳକରେ ରଖାଯିବ
ଭୁବନେଶ୍ୱର, ୨୭.୦୧ (ଓଡ଼ିଆ ପୁଅ) ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ଯୋଜନା ପାଇଁ ସ୍ଥାନାନ୍ତର ଆବଶ୍ୟକତା ଥିବା ବାସଗୃହ, ମଠ ଓ ଦୋକାନ ଘର ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଅଧିଗୃହୀତ ସମସ୍ତ ଜମି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ ଏବଂ ଜମି ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଞ୍ଚଳରେ ଫଳକରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏକାଦଶ ଶତାବ୍ଦୀର ଅନନ୍ୟ କୀର୍ତ୍ତି ଶ୍ରୀ ଲିଙ୍ଗରାଜ ମନ୍ଦିରର ପାରିପାର୍ଶିକ ଅଞ୍ଚଳର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ନିମନ୍ତେ ମନ୍ଦିର ଚାରିପଟେ ଥିବା ଅଞ୍ଚଳର ବିକାଶ ଲକ୍ଷରେ ଏକାମ୍ର ଯୋଜନା କାର୍ଯ୍ୟକାରୀ କରାଯାଉଅଛି। ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ଅଞ୍ଚଳର ୬୫ ଏକର ପରିମିତ ଅଞ୍ଚଳରେ ଏହି ସୁବିଧା ସୁଯୋଗର ବିକାଶ କରାଯିବ। କ୍ଷତିଗ୍ରସ୍ତ ମାନଙ୍କୁ ନିମ୍ନୋକ୍ତ ବ୍ୟବସ୍ଥାରେ କ୍ଷତିପୂରଣ ପ୍ରଦାନ କରାଯିବ।
(୧) ଆବାସିକ ଅଞ୍ଚଳ – ସ୍ଥିତିବାନ ସତ୍ତ୍ୱରେ ନିର୍ମିତ ବାସଗୃହ ଗୁଡିକୁ ଓଡିଶା ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ।
(କ) Right to Fair Compensation and Transparency in Land Acquisition, Rehabilitation and Resettlement Act ୨୦୧୩ର ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ।

(ଖ) ଜମି ବଦଳରେ ଜମି – ଅଧିଗୃହୀତ ହେବାକୁ ଥିବା ଜମିର ବଜାର ଦର ତତୁଲ୍ୟ କ୍ଷତିପୂରଣ ଦିଆଯିବ। ଏହା ପରିବର୍ତ୍ତେ କୌଣସି ବ୍ୟକ୍ତି ଯଦି ଜମି ବଦଳରେ ଜମି ନେବାକୁ ଚାହିଁବେ, ତେବେ ସେମାନଙ୍କୁ ଜମି ଅନ୍ୟତ୍ର ଦିଆଯିବ। ଯଦି ଅନ୍ୟତ୍ର ଦିଆଯିବାକୁ ଥିବା ବିକଳ୍ପ ଜମିର ମୂଲ୍ୟ ଅଧିଗୃହୀତ ଜମିର ମୂଲ୍ୟ ଠାରୁ କମ୍ ହୁଏ, ତେବେ ନିୟମାନୁଯାୟୀ ଅବଶିଷ୍ଟ ପ୍ରାପ୍ୟ ଆର୍ଥିକ ସହାୟତା ଭାବରେ ଦିଆଯିବ।

(ଗ) ତୁରନ୍ତ ସହାୟତା – ସ୍ଥାନାନ୍ତର ସହାୟତା – ବିସ୍ଥାପିତ ହେବାକୁ ଥିବା ପରିବାର ଗୁଡ଼ିକୁ ପରିବହନ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ପ୍ରତି ପରିବାରରୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ।
ଘରଭଡା ସହାୟତା – ଜମି ଅଧିଗ୍ରହଣ ହେବା ଦିନ ଠାରୁ ୧୨ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୫ ହଜାର ଟଙ୍କା ଲେଖାଏଁ ମାସିକ ସହାୟତା ଯୋଗାଇ ଦିଆଯିବ।

(ଘ) ଥଇଥାନ ଭତ୍ତା – ବାସଗୃହ ହରାଉଥିବା ପ୍ରତି ଘର ମାଲିକଙ୍କୁ ଏକକାଳୀନ ୨୦ ଲକ୍ଷ ଟଙ୍କା ଥଇଥାନ ଭତ୍ତା ଭାବରେ ଯୋଗାଇ ଦିଆଯିବ।
(୨) ବାଣିଜ୍ୟିକ ପ୍ରତିଷ୍ଠାନ –
ସ୍ଥିତିବାନ ସତ୍ତ୍ୱରେ ନିର୍ମିତ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକୁ ଓଡିଶା ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ।

(କ) Right to Fair Compensation and Transparency in Land Acquisition, Rehabilitation and Resettlement Act ୨୦୧୩ର ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ।

ତୁରନ୍ତ ସହାୟତା –

(କ) ସ୍ଥାନାନ୍ତର ସହାୟତା – ଦୋକାନ ଘର ମାଲିକ ମାନଙ୍କୁ ସେମାନଙ୍କର ପରିବହନ ଖର୍ଚ ଏବଂ ତୁରନ୍ତ ବ୍ୟବସ୍ଥା କରିବା ନିମନ୍ତେ ୧ ଲକ୍ଷ ଟଙ୍କା ଏକକାଳୀନ ସହାୟତା ଦିଆଯିବ।

(ଖ) ଘରଭଡା ସହାୟତା – ୨୦୦ ବର୍ଗମିଟର କିମ୍ବା ତାଠାରୁ କମ୍ Built up areaରେ ନିର୍ମିତ ଦୋକାନ ପାଇଁ ଜମି ଅଧିଗ୍ରହଣ ହେବା ଦିନ ଠାରୁ ଦୋକାନ ଘର ମିଳିବା ପର୍ଯ୍ୟନ୍ତ ମାସିକ ୧୫ ହଜାର ଟଙ୍କା ଘରଭଡା ସହାୟତା ଏବଂ ୨୦୦ ବର୍ଗମିଟର ବା ତଦୁର୍ଭ Built up areaରେ ନିର୍ମିତ ଦୋକାନ ପାଇଁ ମାସିକ ୨୦ ହଜାର ଟଙ୍କା ଘରଭଡା ସହାୟତା ଭାବରେ ଯୋଗାଇ ଦିଆଯିବ।

(ଗ) ଥଇଥାନ ଯୋଜନା –

ବିକଳ୍ପ-୧ – ସୁଲଭତା ଭିତ୍ତିରେ ବଜାର ଦରର ପଚାଶ ପ୍ରତିଶତ ମୂଲ୍ୟରେ ଦୋକାନ ଘର ଯୋଗାଇ ଦିଆଯିବ। ଦୋକାନ ଘରର ଅବଶିଷ୍ଟ ପଚାଶ ପ୍ରତିଶତ ମୂଲ୍ୟ ରାଜ୍ୟ ସରକାର ରିହାତି ଭାବରେ ବହନ କରିବେ।
ବିକଳ୍ପ-୨ – ଦୋକାନ ହରାଉଥିବା ପ୍ରତି ବ୍ୟକ୍ତି ନିର୍ମିତ ହେବାକୁ ଥିବା ମାର୍କେଟ କମ୍ପସରେ ନୂଆ ଦୋକାନ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ସେମାନ ଏହାକୁ ବଜାର ଦରର ପଚାଶ ପ୍ରତିଶତ ମୂଲ୍ୟରେ କ୍ରୟ କରିପାରିବେ।
ବିକଳ୍ପ-୩ – ଦୋକାନ ମାଲିକମାନେ ଚାହିଁଲେ ଏକକାଳୀନ ୨୦ ଲକ୍ଷ ଟଙ୍କା ସହାୟତା ଭାବରେ ନେଇପାରିବେ।

୩. ଉଠାଦୋକାନୀମାନଙ୍କ ଥଇଥାନ – ପ୍ରକଳ୍ପ ଅଞ୍ଚଳରେ ଥିବା ସମସ୍ତ ଉଠା ଦୋକାନୀ ମାନେ ନିମ୍ନୋକ୍ତ ବ୍ୟବସ୍ଥା ଅନୁଯାୟୀ ସହାୟତା ପାଇବେ।

(କ) ତାଲିକାଭୁକ୍ତ ସବୁ ଉଠାଦୋକାନୀ ମାନଙ୍କୁ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଭାବରେ ଯୋଗାଇ ଦିଆଯିବ। ଦୁଇଟି କିସ୍ତିରେ ସେମାନେ ଏହି ସହାୟତା ପାଇପାରିବେ।

(ଖ) Street Vending Plan – ଆବଶ୍ୟକ ନିୟମ ଅନୁଯାୟୀ Vending Plan କରାଯାଇ ଉଠାଦୋକାନୀଙ୍କୁ ବ୍ୟବସାୟ ପାଇଁ ଆବଶ୍ୟକ ସ୍ଥାନ ଆବଣ୍ଟନ କରାଯିବ।

୪. ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ପାଇଁ ସହାୟତା – ଏକାମ୍ର ଯୋଜନା ପାଇଁ ସ୍ଥାନାନ୍ତରିତ ହେବାକୁ ଥିବା ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ଗୁଡିକ ନିମନ୍ତେ ସହାୟତା ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସ୍ଥିର କରିବ।

୫. ମଠ – (କ) ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରି ବିସ୍ଥାପିତ ହେବାକୁ ଥିବା ମଠ ଗୁଡିକୁ ଜମି ଆବଣ୍ଟନ, ସଂରକ୍ଷଣ ଆଦି କାର୍ଯ୍ୟ ସଂପର୍କରେ ଭୁବନେଶ୍ବର ମହାନଗର ନିଗମ କମିଶନର ସ୍ଥିର କରିବ।
(ଖ) ପ୍ରତି ମଠର ପୁନର୍ବିନ୍ୟାସରେ ସମୟରେ ଏହାର ପୂର୍ବ ଢ଼ାଞ୍ଚାକୁ ଗୁରୁତ୍ବ ଦିଆଯିବ।
(ଗ) ଏହି ଥଇଥାନ ଓ ପୁନର୍ବାସ ନୀତି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ଆଲୋଚନାକ୍ରମେ ଭୁବନେଶ୍ବର ମହାନଗର ନିଗମର କମିଶନର କାର୍ଯ୍ୟକାରୀ କରିବେ।
(ଘ) ଯେହେତୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପାରସ୍ପରିକ ଆଲୋଚନା ଭିତ୍ତରେ ସଂପନ୍ନ କରାଯିବ, ଭୁବନେଶ୍ବର ମହାନଗର ନିଗମ କମିଶନର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସହାୟତା ରାଶିରେ ହ୍ରାସ ବା ପରିବର୍ତ୍ତନ କରିପାରିବେ। ଏଥିପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ଅନୁମୋଦନ ଆବଶ୍ୟକ ହେବ।
(ଙ) ଏହି ଯୋଜନା ନିମନ୍ତେ ପାଣ୍ଡି ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କ ତତ୍ବାବଧାନରେ ରହିବ।
(ଚ) ଯେହେତୁ ୬ ମାସ ମଧ୍ୟରେ ପ୍ରକଳ୍ପକୁ ଶେଷ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତେଣୁ ଅଧିଗ୍ରହଣ ଅଧିସୂଚନା ପ୍ରକାଶିତ ହେବାର ୩୦ ଦିନ ମଧ୍ୟରେ ଯଦି କ୍ଷତିଗ୍ରସ୍ତ ବ୍ୟକ୍ତି ସ୍ୱେଚ୍ଛାରେ ତାଙ୍କର ଜମି ପ୍ରଦାନ କରନ୍ତି, ତେବେ ତାଙ୍କୁ ଅତିରିକ୍ତ ୧୦ ପ୍ରତିଶତ ଅର୍ଥ ପ୍ରୋତ୍ସାହନ ଭାବରେ ପ୍ରଦାନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.