Home Coronavirus Outbreak ନୋଭେଲ କରୋନା ଭୂତାଣୁ ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର...

ନୋଭେଲ କରୋନା ଭୂତାଣୁ ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

916

– ପୃଥକୀକରଣ କେନ୍ଦ୍ରରେ ନିୟମିତ ସ୍ଥିତି ଆକଳନ ଓ ନିରୀକ୍ଷଣ କରିବ ସ୍ୱତନ୍ତ୍ର ଦଳ

ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି ନୂଆଦିଲ୍ଲୀଠାରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ସଫଦରଜଙ୍ଗ ହସ୍ପିଟାଲ, ଡ. ଆରଏମଏଲ ହସ୍ପପିଟାଲ ତଥା ଏମ୍ସ ଭଳି କେନ୍ଦ୍ର ସରକାରଙ୍କ ହସ୍ପିଟାଲର ଚିକିତ୍ସା ଅଧିକ୍ଷକ ଓ ନିର୍ଦ୍ଦେଶକଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

ସର୍ବପ୍ରଥମେ କେନ୍ଦ୍ର ଏବଂ ରାଜ୍ୟସ୍ତରର ବିଭିନ୍ନ ମନ୍ତ୍ରଣାଳୟ ସହିତ ବିଦେଶରେ ଥିବା ଭାରତୀୟ ଦୂତାବାସ ମଧ୍ୟରେ ପାରସ୍ପରିକ ସମନ୍ୱୟ ରକ୍ଷା କରାଯାଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କରୋନା ଭୂତାଣୁ (କୋଭିଡ-୧୯)ର ନିୟନ୍ତ୍ରଣ ଲାଗି ଅତ୍ୟନ୍ତ୍ର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋଙ୍କୁ ପ୍ରଭାବୀ ଢଙ୍ଗରେ ଠାବ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଲାଗି ରାଜ୍ୟଗୁଡ଼ିକୁ ପ୍ରଶଂସା କରିଥିଲେ।

ଡାକ୍ତରଖାନାରେ ଉପଯୁକ୍ତ ବ୍ୟବସ୍ଥା ଯେପରିକି ଓପିଡି ବ୍ଲକ ବ୍ୟବସ୍ଥା, ଟେଷ୍ଟିଂ କିଟ, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), ଔଷଧ ଏବଂ ପର୍ଯ୍ୟାପ୍ତ ପରିମାଣରେ ଆଇସୋଲେସନ ୱାର୍ଡ ବ୍ୟବସ୍ଥା ସମ୍ବନ୍ଧରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ। ସମସ୍ତ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପର୍ଯ୍ୟାପ୍ତ ସଂଖ୍ୟାରେ ସୁରକ୍ଷା ସାମଗ୍ରୀ ଏବଂ ଉପକରଣ ଯୋଗାଇ ଦେବା ଲାଗି ସେ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଡ. ହର୍ଷବର୍ଦ୍ଧନଙ୍କୁ ଏହି ସୂଚନା ଦିଆଯାଇଥିଲା ଯେ ପର୍ଯ୍ୟାପ୍ତ ସଂଖ୍ୟାରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), ମାସ୍କ, ସାନିଟାଇଜର, ଥର୍ମୋମିଟର ଆଦି କ୍ରୟ କରାଯାଉଛି ଏବଂ ଚାହିଦା ମୁତାବକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯୋଗାଇ ଦିଆଯାଉଛି। ଏଥିସହିତ ଡ. ହର୍ଷବର୍ଦ୍ଧନଙ୍କୁ ଏହି ସୂଚନା ମଧ୍ୟ ଦିଆଯାଇଥିଲା ଯେ ଭବିଷ୍ୟତରେ କୌଣସି ପ୍ରକାରର ଚାହିଦା ପୂରଣ କରିବା ଲାଗି ଏସବୁ ଉପକରଣର ପର୍ଯ୍ୟାପ୍ତ ଷ୍ଟକ ସୁନିଶ୍ଚିତ କରାଯାଉଛି।

ବିମାନ ବନ୍ଦର, ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ଥାନ ମାର୍ଗରୁ ବାହାରକୁ ଆସୁଥିବା ସଂକ୍ରମିତ ଯାତ୍ରୀଙ୍କ ଲାଗି ପୃଥକୀକରଣ କେନ୍ଦ୍ର ବ୍ୟବସ୍ଥା ସହିତ ସେଠାକୁ ଏସବୁ ଯାତ୍ରୀଙ୍କୁ ନେବା ଲାଗି ବ୍ୟବସ୍ଥା, ସ୍ୱାସ୍ଥ୍ୟ ଯାଂଚ ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଏହି କାର୍ଯ୍ୟ ପାଇଁ ମୁତୟନ ଦଳଗୁଡ଼ିକୁ ପୃଥକୀକରଣ କେନ୍ଦ୍ରର ନିୟମିତ ନିରୀକ୍ଷଣ ଏବଂ ଅନୁଧ୍ୟାନ କରିବା ଲାଗି ନିର୍ଦ୍ଦେଶ ଦେଇଥବଲେ। ଯାହାଦ୍ୱାରା ଏଠାରେ ଆବଶ୍ୟକ ସୁବିଧା ସୁନିଶ୍ଚିତ କରାଯାଇପାରିବ। ଡ. ହର୍ଷବର୍ଦ୍ଧନ କହିଥିଲେ ଯେ ଆବଶ୍ୟକ ସୁବିଧାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ସେ ପ୍ରତିଦିନ ଏସବୁ ବ୍ୟବସ୍ଥାର ସମୀକ୍ଷା କରିବେ। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ସହିତ ସମ୍ପୂର୍ଣ୍ଣ ସ୍ଥିତିର ମଧ୍ୟ ସେ ସମୀକ୍ଷା କରୁଥିବା ସୂଚନା ଦେଇଥିଲେ।

ସଂକଟର ମୁକାବିଲା ଲାଗି ଉପଯୁକ୍ତ ସାଧନ କୁହାଯାଉଥିବା ପ୍ରଭାବୀ ସଂଚାର ବ୍ୟବସ୍ଥାର ସ୍ୱତନ୍ତ୍ର ମହତ୍ୱ ଉପରେ ଆଲୋକପାତ କରି ଡ. ହର୍ଷବର୍ଦ୍ଧନ ବିଭିନ୍ନ ଦିଗ ପ୍ରତି ଗୁରୁତ୍ୱାରୋପ କରୁଥିବା ମଲ୍ଟିମିଡିଆ ସଂଚାର ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ରୋଗ ନିରାକରଣ ଉପାୟ, ଗୁଜବକୁ ନିରାଧାର ପ୍ରମାଣିତ କରିବା, ଜନସାଧାରଣଙ୍କୁ ନିର୍ଦ୍ଦେଶାବାଳୀ, ମାର୍ଗଦର୍ଶିକା, ଟେଷ୍ଟିଂ ଲ୍ୟାବ ଆଦି ବିଷୟରେ ବିସ୍ତୃତ ସୂଚନା ଦେବା ଏସବୁ ଦିଗ ମଧ୍ୟରେ ସାମିଲ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.