Home Top News ସମ୍ବିଧାନର ୮ମ ଅନୁଚ୍ଛେଦରେ ହୋ ଏବଂ ମୁଣ୍ଡାରୀ ଭାଷା ସାମିଲ ଜରୁରୀ: ବିଜେଡି

ସମ୍ବିଧାନର ୮ମ ଅନୁଚ୍ଛେଦରେ ହୋ ଏବଂ ମୁଣ୍ଡାରୀ ଭାଷା ସାମିଲ ଜରୁରୀ: ବିଜେଡି

137

ଭୁବନେଶ୍ୱର, ୨୦/୦୩ (ଓଡ଼ିଆ ପୁଅ) : ଆଦିବାସୀମାନଙ୍କ ଦ୍ୱାରା ବହୁଳ ବ୍ୟବହାର ହେଉଥିବା ଭାଷା ହୋ ଏବଂ ମୁଣ୍ଡାରୀକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି। ଏହି ଭାଷାଗୁଡିକୁ ସମ୍ବିଧାନରେ ସାମିଲ୍‌ ବହୁଳ ଆବଶ୍ୟକତା ରହିଥିବା ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେଡି ବିଧାୟିକା ବାସନ୍ତୀ ହେମ୍ବ୍ରମ ଏବଂ ବିଜେଡିର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର।

ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଏହି ତିନି ନେତା ଦର୍ଶାଇଛନ୍ତି ଯେ ଗୋଟିଏ ଜାତିର ପରିଚୟ ପାଇଁ ଭାଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଓଡିଶା ଜନସଂଖ୍ୟାର ୨୨.୮୫ ପ୍ରତିଶତ ଅନୁସୂଚିତ ଜନଜାତି ହୋଇଥିବାବେଳେ ୧୩ ପ୍ରକାରର ବିଲୁପ୍ତପ୍ରାୟ ଜନଜାତିଙ୍କ ସହିତ ମୋଟ୍୬୨ ପ୍ରକାର ଜନଜାତି ଏଠାରେ ବସବାସ କରୁଛନ୍ତି। ହୋ ଏବଂ ମୁଣ୍ଡାରୀ ଭାଷାକୁ ସମ୍ବିଧାନରେ ସାମିଲ ପାଇଁ ଦୀର୍ଘଦିନରୁ ରାଜ୍ୟର ଆଦିବାସୀମାନେ ଦାବିକରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଦୁଇଟି ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ କହିଛନ୍ତି। ଓଡିଶା ଓ ଝାଡଖଣ୍ଡରେ ବସବାସ କରୁଥିବା ପ୍ରାୟ ୧୦ଲକ୍ଷ ବ୍ୟକ୍ତି ହୋ ଭାଷା ବ୍ୟବହାର କରନ୍ତି। ସମ୍ବିଧାନରେ ସାମିଲ ହୋଇଥିବା ସାନ୍ତାଳି ପରେ ହୋ ହେଉଛି ଓଡିଶାର ଆଦିବାସୀଙ୍କ ପ୍ରଚଳିତ ଦ୍ୱିତୀୟ ବୃହତ୍ଭାଷା। ସେହିଭଳି ମୁଣ୍ଡା ଏବଂ ମୁଣ୍ଡାରୀ ଆଦିବାସୀ ସମ୍ପ୍ରଦାୟର ୬ଲକ୍ଷରୁ ଅଧିକ ଲୋକ ମୁଣ୍ଡାରୀ ଭାଷା ବ୍ୟବହାର କରନ୍ତି। ଓଡିଶାରେ ବ୍ୟବହୃତ କେତେକ ଆଦିବାସୀ ଭାଷା ରହିଛି ଯାହା ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ଯୋଗ୍ୟ। ତେଣୁ ଏହି ଦୁଇ ଭାଷା ହୋ ଏବଂ ମୁଣ୍ଡାରୀକୁ ସମ୍ବିଧାନରେ ସାମିଲ ପାଇଁ ବିଜେଡି ପକ୍ଷରୁ ଦୃଢ ଦାବି କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଇଂରେଜ ସମୟରୁ ଭାଷା ପାଇଁ ସଂଗ୍ରାମ ଜାରି ରହିଛି। ସାଢେ ୪ କୋଟିରୁ ୧ କୋଟି ମାତୃଭାଷାକୁ ଅଲଗା ଭାବେ ବ୍ୟବହାର କରନ୍ତି। ସେ କୋଶଳୀ, ହୋ, ମୁଣ୍ଡାରୀ, ଭୂମିଜ ପରି ଭାଷା। ରାଜନୈତିକ ଦଳ ର୍ନିବାଚନ ଇସ୍ତାହାରରେ ଏହାକୁ ଉଲ୍ଲେଖ କରିଥିଲେ, ହେଲେ କଲେନି। ଏଥିପାଇଁ ଏକ ବିଶେଷଜ୍ଞ କମିଟି ହୋଇଥିଲା ଓ କମିଟି ତାହାର ରିପୋର୍ଟ ଦେଇଛି। ଆମେ ସବୁ ସାମ୍ବିଧାନିକ ପ୍ରକ୍ରିୟା ସାରିଛୁ। ଏ ସଂକ୍ରାନ୍ତରେ ଆମେ ରାଷ୍ଟ୍ରପତିଙ୍କୁ ଭେଟିବୁ। ତାଙ୍କର ଏହି କ୍ଷମତା ଅଛି ବୋଲି ସେ କହିଛନ୍ତି। ସେହିଭଳି ବିଧାୟିକା ଶ୍ରୀମତୀ ହେମ୍ବ୍ରମ କହିଛନ୍ତି ଯେ ଭାରତରେ ୩୦ ଲକ୍ଷ ଓ ଓଡ଼ିଶାରେ ୧୦ ଲକ୍ଷ ହୋ ଭାଷା ବ୍ୟବହାର କରନ୍ତି। ଏହାକୁ ମାନ୍ୟତା ନ ମିଳିଲେ, ଆଗାମୀ ଦିନରେ ଏହା ଲୋପ ପାଇଯିବ।

ଶ୍ରୀମତୀ ମିଶ୍ର କହିଛନ୍ତି ଯେ କୋଶଳୀ ବହୁତ ମିଠା ଭାଷା। ୭୫ ଲକ୍ଷ ଲୋକ ଏହି ଭାଷା କହନ୍ତି। କୋଶଳୀରେ ରାମାୟଣ, ମହାଭାରତ ରଚନା କରାଯାଇଛି। ଏହି ଭାଷା ମନକୁ ପ୍ରଫୁଲିତ କରେ। ନୂଆଖାଇ ଭେଟଘାଟ ସାରା ଦେଶରେ ଆଦୃତ। ଲୋକ ଏହି ଭାଷାକୁ ଆଗେଇ ନେବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାର ଏହାକୁ ଅଷ୍ଟମ ଅନୁଛେଦରେ ସାମିଲ କରନ୍ତୁ। ଆମ ପଶ୍ଚିମ ଓଡ଼ିଶାରୁ ଅନେକ ବିଜେପି ସାଂସଦ ଅଛନ୍ତି। ସେମାନେ ଏହି କଥା ସଂସଦରେ ଉଠେଇଲେ, ରାଜ୍ୟବାସୀ ଧନ୍ୟ ହେବେ। ପଶ୍ଚିମ ଓଡିଶାରେ ନିୟମିତ ଭାବେ ଏହି ଭାଷାରେ ପ୍ରବନ୍ଧ, କର୍ମଶାଳା, ଗୋଷ୍ଠିଗତ ଆଲୋଚନା ଏବଂ କବିତା ପାଠ ଆଦି ଆୟୋଜିତ ହେଉଛି। ପଶ୍ଚିମ ଓଡିଶାରେ ପ୍ରାଥମିକ ଶ୍ରେଣୀରେ କୋଶଳୀ ଭାଷାରେ ପଢାଇବା ଲାଗି ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି। ତେଣୁ ଯେଉଁଠାରେ ପିଲା ଓଡିଆ ଭାଷା ବୁଝିପାରୁ ନାହାନ୍ତି ସେଠାରେ ଏହା ଅଧାରୁ ପାଠ ଛାଡିବା ହ୍ରାସ କରିବ। ତେଣୁ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ନିମୟିତ ଭାବେ ଦାବି ହୋଇ ଆସୁଥିବା ବିଜେଡି ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.