Home ଜିଲ୍ଲା ପରିକ୍ରମା ଶିଳ୍ପ ଓ ମତ୍ସ୍ୟ ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ, ଏସଏଚ୍‌ଜି ଗ୍ରୁପ୍‌କୁ ମତ୍ସ୍ୟ ଚାଷରେ ସାମିଲ କରିବା...

ଶିଳ୍ପ ଓ ମତ୍ସ୍ୟ ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ, ଏସଏଚ୍‌ଜି ଗ୍ରୁପ୍‌କୁ ମତ୍ସ୍ୟ ଚାଷରେ ସାମିଲ କରିବା ଉପରେ ଗୁରୁତ୍ୱ

10

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ମତ୍ସ୍ୟ ଚାଷ ସଂପର୍କିତ ବିଭିନ୍ନ ଯୋଜନାର ଜିଲାରେ ସଫଳ ରୂପାୟନ ପାଇଁ ଶିଳ୍ପ ଓ ମତ୍ସ୍ୟ ନିର୍ଦ୍ଦେଶକ ସିଦ୍ଦିକ୍ ଆଲାମ୍ ଗତକାଲି ଦୁଇ ବିଭାଗର ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ଜିଲା ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ନିର୍ଦ୍ଦେଶକ ଆଇଏଏସ୍ ଆଲାମ୍ ଜିଲାର ମତ୍ସ୍ୟ ଚାଷ ଓ ଶିଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ମତ୍ସ୍ୟ ଚାଷ ଯୋଜନାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ସଫଳତାକୁ ନେଇ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଗୁରୁତ୍ୱ ଦେବା ପାଇଁ କହିଥିଲେ । ସେ କହିଥିଲେ ଯେ ମତ୍ସ୍ୟ ଚାଷ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଦେଇ ଅଧିକାରୀମାନେ ହାତବାନ୍ଧି ବସନ୍ତୁ ନାହିଁ । କ୍ଷେତ୍ର ପରିଦର୍ଶନ କରି ଯୋଜନାର ଅଗ୍ରଗତିକୁ ବାରମ୍ବାର ତଦାରଖ କରନ୍ତୁ । ବିଶେଷକରି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଏହି ଯୋଜନା ଗୁଡିକରେ ଅଧିକରୁ ଅଧିକ କିପରି ସାମିଲ ହେବେ, ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଅନୁଷ୍ଠିତ ବୈଠକରେ ମତ୍ସ୍ୟ ପୋଖରୀ, ଜୈବକୁଣ୍ଡ ମାଛଚାଷ, ଖାରିପାଣି ଚିଙ୍ଗୁଡି ଚାଷ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା, ନେଟ୍‌ୱାକର୍ସ ଅଫ୍ ସିଡ ଗ୍ରୋୟର, ଗ୍ରାମାଞ୍ଚଳ ପୋଖରୀ, ଏସଏଚ୍‌ଜିଙ୍କ ଦ୍ୱାରା ମାଛଚାଷ ଓ ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଜୈବକୁଣ୍ଡ ମାଛଚାଷ ଓ ଫିସରି ମେସିନାରୀର କାର୍ଯ୍ୟକାରିତାକୁ ନେଇ ସମୀକ୍ଷା କରିଥିଲେ । ୨୦୨୩ ମତ୍ସ୍ୟ ପୋଖରୀ ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ୫୮ ହେକ୍ଟର ଜମିରେ ମାଛଚାଷ ପାଇଁ ଲକ୍ଷଧାର୍ଯ୍ୟ ଥିବାବେଳେ ୪୭.୫ ହେକ୍ଟର ଜମିରେ ଚାଷ ହେବାପାଇଁ କାର୍ଯ୍ୟାଦେଶ ଦିଆଯାଇଛି । ସେହିପରି ଖାରି ଜଳ ଚିଙ୍ଗୁଡି ଚାଷରେ ୧୮୦ ହେକ୍ଟର ଜମିର ଲକ୍ଷ୍ୟ ଥିବାବେଳେ ୮୬ ହେକ୍ଟର ଜମିରେ ଚାଷ ପାଇଁ ଜିଲାପାଳ ଅନୁମୋଦନ କରିଛନ୍ତି ।

ଏସଏଚଜିଙ୍କୁ ୫୦ ଟି ବାୟୋଫ୍ଲକ୍ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଏହା ପୂରଣ ହୋଇଛି । ଗ୍ରାମପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ୮୪ ହେକ୍ଟର ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ୫୩ ହେକ୍ଟର ଜମିରେ ଏକବର୍ଷ ପାଇଁ ଚାଷ ପାଇଁ ଦିଆଯାଇଛି । ୧୬ ମେସିନାରୀ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ତାହା ସଂପୂର୍ଣ୍ଣ ପୂରଣ ହୋଇଛି । ତେବେ ପଞ୍ଚାୟତ ପୋଖରୀ ପାଇଁ ସରପଞ୍ଚ ମାତ୍ର ଗୋଟିଏ ବର୍ଷ ପାଇଁ ଲିଜ୍ ପ୍ରଦାନ କରୁଥିବାରୁ ମତ୍ସ୍ୟଚାଷ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଥିବାର ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାକୁ ୩ ବର୍ଷ କରିବା ପାଇଁ ଦୃଷ୍ଟି ଆକର୍ଷଣ ହୋଇଥିଲା । ସେହିପରି ଜିଲାରେ ଶିଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ନିର୍ଦ୍ଦେଶକ ସମୀକ୍ଷା ବୈଠକ ପରେ କ୍ଷେତ୍ର ପରିଦର୍ଶନରେ ବାହାରିଥିଲେ । ସେ ଭଣ୍ଡାରିପୋଖରୀ ବ୍ଲକ୍ ସରସଦା ଠାରେ ଶିଳ୍ପ ବିଭାଗର ଏସଏଫଆରୟୁଟି ଯୋଜନାରେ ସ୍ଥାପିତ ଅଗରବତୀ କ୍ଲଷ୍ଟର ଓ ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଟିଏମ୍‌ଇଜିଟି ଗେଲପୁର ନିକଟସ୍ଥ ରାଜେଶ ମିଶ୍ରଙ୍କର ଏମଏସ ମହାନଦୀ ଆଲମିରା ଇଣ୍ଡଷ୍ଟ୍ରି ଓ ଅନୁରାମ ମଲ୍ଲିକଙ୍କ ଶ୍ରୀଗଣେଶ ଏଣ୍ଟରପ୍ରାଇଜର୍ସ ପରିଦର୍ଶନ କରିଥିଲେ । ପରେ ଭଦ୍ରକର ଏକ ଇଗ୍ଲୋ ଆଇସକ୍ରିମ୍ ଶିଳ୍ପ ଓ ବାସୁଦେବପୁର ବ୍ଲକ୍‌ର ବିଦେଇପୁରସ୍ଥିତ କୃଷ୍ଣଚନ୍ଦ୍ର ଘଡାଇଙ୍କର ନିର୍ମାଣାଧୀନ ଚିଙ୍ଗୁଡି ଖାଦ୍ୟ ତିଆରି ପ୍ରକଳ୍ପ ପରିଦର୍ଶନ କରିଥିଲେ । ସେହିପରି ମତ୍ସ୍ୟ ବିଭାଗର ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ସରୁବଣ ଠାରେ ଟିଏସ୍ ମାହେଶ୍ୱରୀଙ୍କ ଜୈବକୁଣ୍ଡ ମାଛଚାଷ ଓ ମତ୍ସ୍ୟ ପୋଖରୀ ପରିଦର୍ଶନ କରିଥିଲେ । ଏହାବ୍ୟତୀତ ଅନୁଷ୍ଠିତ ବୈଠକରେ ଡେପୁଟି ଡାଇରେକ୍ଟର ଅଫ୍ ଫିସରୀ ଦୀପ୍ତି କୁମାର ମହାପାତ୍ର, ଜିଲା ମତ୍ସ୍ୟ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ, ଏପିଡି କୁଶଳ ଚନ୍ଦ୍ର ନାୟକ, ଜିଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସୂର୍ଯ୍ୟକାନ୍ତ ବେହେରା, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଜାନକୀ ବେହେରାଙ୍କ ସମେତ ଜିଲାର ୭ଟି ବ୍ଲକ୍‌ର ସହକାରୀ ମତ୍ସ୍ୟ ଅଧିକାରୀ, ଜିଲାର ସମସ୍ତ ଶିଳ୍ପ ବିକାଶ ଅଧିକାରୀ, ଶିଳ୍ପ ପର୍ଯ୍ୟବେକ୍ଷକ, ଉନ୍ନୟନ ଅଧିକାରୀ, ଗ୍ରାମଦ୍ୟୋଗ ବୋର୍ଡ , ଡିଆଇପିଏ, ବିୟରର ସମସ୍ତ ଅଧିକାରୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.