Home ଓଡ଼ିଶା ଲୋକପ୍ରିୟତା ହରାଇଥିବା ଜନ ପ୍ରତିନିଧି ଯିବେ ବିଧାନ ପରିଷଦକୁ

ଲୋକପ୍ରିୟତା ହରାଇଥିବା ଜନ ପ୍ରତିନିଧି ଯିବେ ବିଧାନ ପରିଷଦକୁ

136

ଭୁବନେଶ୍ୱର ୬-୮ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ବିଧାନପରିଷଦ ଗଠନ ନେଇ ରାଜ୍ୟ ସରକାର ବେଶ୍ ତତ୍ପରତା ପ୍ରକାଶ କରିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହାର ପୂର୍ଣ୍ଣାଙ୍ଗ ରୂପରେଖ ପରିପ୍ରକାଶ କରିବା ପାଇଁ ବିଜେଡି ସରକାର ଜୋର୍ସୋର୍ରେ ଲାଗିପଡିଛି। ସରକାରଙ୍କ ଏହି ପ୍ରୟାସକୁ ବିରୋଧି ସମାଲୋଚନା କରୁଛନ୍ତି। ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ନବୀନ ସରକାରର ଏହା ଏକ ସୁଚିନ୍ତିତ ଯୋଜନା ବୋଲି ମତବ୍ୟକ୍ତ କରୁଛନ୍ତି। ଟିକେଟ୍ ଆଶାୟୀ ତଥା ଅନ୍ୟ ଦଳରୁ ଆମଦାନୀ ହୋଇଥିବା ନେତାଙ୍କୁ ଥଇଥାନ କରିବା ପାଇଁ ବିଜେଡି ସରକାର ବିଧାନ ପରିଷଦର ପରିକଳ୍ପନା କରିଛି ବୋଲି ବିରୋଧି ମତ ଦେଉଛନ୍ତି।

ଓଡିଶା ବିଧାନସଭାର ସଦସ୍ୟ ସଂଖ୍ୟା ହେଉଛି ୧୪୭। ଏହାର ଏକ ତୃତୀୟାଂଶ ୪୯ ଆସନ ବିଶିଷ୍ଠ ହେବ ବିଧାନ ପରିଷଦ। ଏଥିରେ ସଦସ୍ୟଙ୍କ କାର୍ଯ୍ୟକାଳ ରହିବ ୬ ବର୍ଷ। ଏହାର ଏକ ତୃତୀୟାଂଶ ସଦସ୍ୟଙ୍କୁ ୨ବର୍ଷ ଓ ୪ ବର୍ଷ ପରେ ପରେ ବଦଳାଯାଇ ନୂତନ ସଦସ୍ୟଙ୍କୁ ଦଳ ନେଇ ପାରିବ। ଅନେକ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ସେନା ଅଧିକାରୀ, ଯୁବ ନେତୃମଣ୍ଡଳୀ, ଆଶାୟୀ ବିଧାୟକ ପ୍ରାର୍ଥୀ, ଅନ୍ୟ ଦଳରୁ ଯୋଗ ଦେଇଥିବା ନେତାଙ୍କୁ ଏହି ବିଧାନ ପରିଷଦକୁ ନେବା ପାଇଁ ସରକାରଙ୍କ ଏହା ଯୋଜନା। ଏହି ସଦସ୍ୟମାନେ ବିଧାୟକଙ୍କ ପରି ସମସ୍ତ ସରକାରୀ ସୁଯୋଗ ସୁବିଧା ହାସଲ କରିବେ। ଏହି ୪୯ ସଦସ୍ୟଙ୍କ ଭିତରୁ ୧୧ ଜଣ ରହିବେ ରାଜ୍ୟସରକାରଙ୍କ ପୂର୍ବତନ ପ୍ରଶାସନିକ ଅଧିକାରୀ। ୪ ଜଣ ମହିଳାଙ୍କୁ ଚୟନ କରାଯିବ। ବାକି ୩୪ ଜଣଙ୍କୁ ଦଳରୁ ବଛା ଯିବ। ଏମାନେ ହେଲେ କିଛି ବରିଷ୍ଠ ନେତା, କିଛି ପୂର୍ବତନ ବିଧାୟକ, କିଛି ଯୁବ ନେତା, କିଛି ବର୍ତ୍ତମାନର ବିଧାୟକ। ଏପରି ଏକ ପରିକଳ୍ପନାକୁ ନେଇ ବିିଜେଡି ସରକାର ପ୍ରସ୍ତୁତ କରୁଛି ନୂତନ ବିଧାନ ପରିଷଦ ବୋଲି ରାଜ୍ୟବାସୀଙ୍କ ଧାରଣା। ମାତ୍ର ତୃତୀୟ ମହଲାରରେ ପ୍ରସ୍ତୁତ ହେଉଛି ଭିନ୍ନ ଏକ ରୋଡମ୍ୟାପ୍। ବିଜେଡିରେ ଅନେକ ବିଧାୟକ ଓ ସାଂସଦ ଅଛନ୍ତି ଯେଉଁମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଲୋକପ୍ରିୟତା ହରାଇ ସାରିଛନ୍ତି। ଗୁଇନ୍ଦା ତଥ୍ୟ ଓ ଘରୋଇ ସଂସ୍ଥା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତଥ୍ୟକୁ ଆଧାର କରି ଏହାର ଏକ ତାଲିକା ପ୍ରସ୍ତୁତ ହୋଇ ସାରିଲାଣି। ଏହି ନେତାମାନଙ୍କୁ ଏଥର ଦଳୀୟ ଟିକେଟ୍ ପ୍ରଦାନ କରାଯିବ ନାହିଁ। ମାତ୍ର ଏମାନଙ୍କୁ ଅସନ୍ତୁଷ୍ଟ କରିବା ପାଇଁ ମଧ୍ୟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଚାହୁଁ ନାହାଁନ୍ତି। ଯେଉଁ ବିଧାୟକ ଓ ସାଂସଦ ତିନି ଥରରୁ ଅଧିକ ସମୟ ଧରି ନିର୍ବାଚନ ଲଢି ସାରିଲେଣି ସେମାନଙ୍କ ମଧ୍ୟରୁ ବଛା ଯାଇ ଏକ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ ହୋଇଛି। ବିଶେଷ କରି ଉପକୂଳ ଅଞ୍ଚଳର ଅନେକ ବିଧାୟକ ଓ ସାଂସଦ ଏଥିରେ ଅନ୍ତର୍ଭୁକ୍ତ। ୨୧ ଗୋଟି ସଂସଦୀୟ କ୍ଷେତ୍ରରୁ ଅର୍ଦ୍ଧାଧିକ ସାଂସଦ ଏଥର ଟିକେଟ୍ ପାଇଲେ ହାରିବା ଥୟ। ଏମାନଙ୍କ ମଧ୍ୟରୁ ଯେଉଁମାନେ ଭବିଷ୍ୟତରେ ଦଳୀୟ କାର୍ଯ୍ୟକ୍ରମ ପାଇଁ ଉପଯୋଗୀ ହୋଇ ପାରିବେ ସେମାନଙ୍କୁ ବିଧାନ ପରିଷଦରେ ସ୍ଥାନ ମିଳିବ। ଭୁବନେଶ୍ୱର, ବ୍ରହ୍ମପୁର, ଆସ୍କା, ଭଦ୍ରକ, ଯାଜପୁର, ଜଗତସିଂପୁର, କେନ୍ଦୁଝର, ନବରଙ୍ଗପୁର, ସମ୍ବଲପୁର ଆଦି ସାଂସଦମାନେ ଏହି ତାଲିକାରେ ସାମିଲ ବୋଲି ନିର୍ଭରଯୋଗ୍ୟ ସୁତ୍ରରୁ ପ୍ରକାଶ। ୧୧୯ ବିଜେଡି ବିଧାୟକଙ୍କ ଭିତରୁ ଏକ ତୃତୀୟାଂଶ ବିଧାୟକ ଲୋକପ୍ରିୟତା ହରାଇ ସାରିଛନ୍ତି। ସେମାନଙ୍କ ନିର୍ବାଚନମଣ୍ଡଳୀରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଲୋକ ଚାହୁଁଛନ୍ତି। ମାତ୍ର ସେଠାକାର ପ୍ରତିନିଧିଙ୍କ ଉପରେ ଲୋକ କ୍ଷୁବ୍ଧ। ଚତୁର୍ଥ ପାଳି ସରକାର ପରେ ନବୀନ ପଟ୍ଟନାୟକ ଆଉ ରିସ୍କ ନେବାକୁ ଚାହୁଁ ନାହାଁନ୍ତି। ଏହା ଛଡା ଅନେକ ବିଧାୟକ ଏବେ ବିଭିନ୍ନ ଦୁର୍ନୀତିରେ ଲିପ୍ତ। ଏମାନେ ନା ବିଧାନସଭା ଟିକେଟ୍ ପାଇବେ ନା ବିଧାନ ପରିଷଦକୁ ଯିବେ। ବାକି ଯେଉଁମାନେ ଲୋକପ୍ରିୟତା ହରାଇଥିଲେ ବି ଦଳ ପାଇଁ ଆସେଟ୍ ସେମାନଙ୍କ ମଧ୍ୟରୁ ବଛା ବଛା ନେତାଙ୍କୁ ବିଧାନ ପରିଷଦରେ ନବୀନ ବାବୁ ସୁଯୋଗ ଦେବେ ବୋଲି ଜଣା ପଡିଛି। ଏହି ତାଲିକାରେ ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂପୁର, ଢେଙ୍କାନାଳ, ଯାଜପୁର, ବରଗଡ, କେନ୍ଦୁଝର ଆଦି ଜିଲ୍ଲାର ଅଧିକାଂଶ ବିଧାୟକ ସାମିଲ। ଏମାନେ ଦୀର୍ଘ ବର୍ଷ ଧରି ବିଧାୟକ ରହି ଆସିଛନ୍ତି। ମାତ୍ର ଏବେ ସ୍ଥାନୀୟ ଜନସାଧାରଣ ଏମାନଙ୍କୁ ଘୋର ବିରୋଧ କରୁଛନ୍ତି। କିଛି ବୟସ୍କ ବିଧାୟକ ଓ ମନ୍ତ୍ରୀ ମଧ୍ୟ ଏହି ତାଲିକାରେ ଅଛନ୍ତି। ଏମାନଙ୍କୁ ଟିକେଟ୍ ମିଳିବାର ଆଶା କ୍ଷୀଣ। ଯଦି ସେପରି ପରିସ୍ଥିତି ଉପୁଜେ ତେବେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ବିଧାନ ପରିଷଦକୁ ପଠାଇବା କଥା ଚିନ୍ତା କରାଯାଉଛି।

ତେଣୁ ଆସନ୍ତା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ଏକ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତୀର ତାଲିକା ଧରି ନିର୍ବାଚନ ମଇଦାନକୁ ଓହ୍ଲାଇବେ ଏଥିରେ ସନ୍ଦେହ ନାହିଁ। ଏଥର ରାଜ୍ୟରେ ତ୍ରୀମୁଖି ପ୍ରତିଦ୍ୱନ୍ଦିତା ହେବାର ସମ୍ବାବନା ସୃଷ୍ଟି ହୋଇଛି। ତେଣୁ ତାକୁ ସାମନା କରି ନିର୍ବାଚନ ବୈତରଣୀ ଅନାୟସରେ ପାର୍ କରିବା ପାଇଁ ଏକ ସୁଚିନ୍ତିତି ରୋଡ୍ ମ୍ୟାପ ପ୍ରସ୍ତୁତ କରୁଛି ତୃତୀୟ ମହଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.