Home Coronavirus Outbreak ଲୋକଙ୍କ ଜୀବନ ରକ୍ଷା ପାଇଁ ସମ୍ବଳର ଅଭାବ ରହିବ ନାହିଁ : କୋଭିଡ ଯୋଦ୍ଧା ଦରମା...

ଲୋକଙ୍କ ଜୀବନ ରକ୍ଷା ପାଇଁ ସମ୍ବଳର ଅଭାବ ରହିବ ନାହିଁ : କୋଭିଡ ଯୋଦ୍ଧା ଦରମା ପାଇଁ ନୁହେଁ, ଲୋକଙ୍କ ଜୀବନ ରକ୍ଷା ପାଇଁ ମିଶନ ଭଳି ସେବା କରିଚାଲିଛନ୍ତି – ମୁଖ୍ୟମନ୍ତ୍ରୀ

223

ଭୁବନେଶ୍ୱର, ୨୯-୭ (ଓଡ଼ିଆ ପୁଅ) ଲୋକଙ୍କ ଜୀବନ ରକ୍ଷା ହେଉଛି ଆମର ପ୍ରାଥମିକତା। ତେଣୁ ଲୋକଙ୍କ ଜୀବନ ରକ୍ଷାରେ ସମ୍ବଳ କେବେ ବି ବାଧକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦୃଢତାର ସହ ଘୋଷଣା କରିଛନ୍ତି। କୋଭିଡ -୧୯ ସଂପର୍କରେ ବିଧାୟକମାନଙ୍କ ଏକ ସଚେତନତା କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସମ୍ବଳର କେବେ ବି ଅଭାବ ରହିବ ନାହିଁ।

କୋଭିଡ ଯୋଦ୍ଧା ମାନଙ୍କର ନିଷ୍ଠା ଓ ତ୍ୟାଗର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ କୋଭିଡ ଯୋଦ୍ଧା ଭାବରେ କାମ କରୁଥିବା ଓଡ଼ିଆ ଭାଇଭଉଣୀ ମାନେ ଦରମା ପାଇଁ ନୁହେଁ, ଏହି ଲଢେଇକୁ ଏକ ମିଶନ ଭାବରେ ଗ୍ରହଣ କରି ଲୋକଙ୍କ ଜୀବନ ରକ୍ଷା ପାଇଁ ଦିନରାତି ସେବା ଯୋଗାଇ ଚାଲିଛନ୍ତି। ସେମାନଙ୍କ ତ୍ୟାଗ ଓ ନିଷ୍ଠା ସାରା ଓଡିଶା ପାଇଁ ପ୍ରେରଣା। ସେମାନଙ୍କ ଭିତରେ, ସେମାନଙ୍କ ତ୍ୟାଗରେ ଜଣେ ଜଣେ ଗୋପବନ୍ଧୁ ଦାସ, ମଧୁବାବୁ, ମା ରମାଦେବୀ ଓ ପାର୍ବତୀ ଗିରି ଭଳି ମହାନ୍ ଦେଶସେବକ ରହିଛନ୍ତି। ସେହି ଯୋଦ୍ଧା ମାନଙ୍କ ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ପାଇଁ ମନେ ରଖିବ ଏବଂ ଏହା ଭବିଷ୍ୟତ ପୀଢିକୁ ପ୍ରେରଣା ଦେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବାପାଇଁ ସେ ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ କଥା ହେଉଛନ୍ତି। ଏହି କଷ୍ଟସାଧ୍ୟ ଲଢେଇରେ ସେମାନଙ୍କ ମନୋବଳକୁ ଉଚ୍ଚ ରଖିବା ପାଇଁ ସେମାନଙ୍କ ତ୍ୟାଗକୁ ଆମେ ସମସ୍ତେ ସମ୍ମାନ ଜଣାଇବା ସହିତ ପୁରା ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିବେଦନ କରିଥିଲେ। ଓଡିଶା ଆଜି ଏହି ଆହ୍ବାନକୁ ଦୃଢତାର ସହ ମୁକାବିଲା କରୁଛି। ଏହି ଲଢେଇରେ ସାମିଲ ହୋଇ ଆଗ ଧାଡିରେ ରହି ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ ଜାରି ରଖିଥିବା କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର କୃତଜ୍ଞତା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ କଠିର ପରିଶ୍ରମ, ତ୍ୟାଗ ଯୋଗୁ ଆଜି ଆମ ରାଜ୍ୟର ୧୮ ହଜାର ଲୋକ କୋଭିଡରୁ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଆମେ ଅଧିକ ଲୋକଙ୍କ ଜୀବନ ରକ୍ଷା କରିପାରିଛୁ। ଏକ ଅନିଶ୍ଚିତ ପରିବେଶ ଭିତରେ ନିରନ୍ତର ଭାବରେ କାମ କରିବା ସହଜ କଥା ନୁହେଁ। କିନ୍ତୁ ନିଜେ ସଂକ୍ରମିତ ହେବା ସଙ୍ଗେ ନିଜ ପରିବାର ଲୋକମାନେ ସଂକ୍ରମିତ ହେବା ସଙ୍ଗେ ଏବଂ ଅନେକ କ୍ଷେତ୍ରରେ ନିଜେ ମୃତ୍ୟୁବରଣ କରୁଥିଲେ ମଧ୍ୟ, ଆମର କୋଭିଡ ଯୋଦ୍ଧା ମାନେ ଯେଭଳି ବୀରତ୍ବର ସହ ଗତ ୧୫୦ ଦିନ ହେଲା କାମ କରିଚାଲିଛନ୍ତି, ତାର ପଟାନ୍ତର ନାହିଁ।

ଗତ ମାର୍ଚ୍ଚ ୧୩ ତାରିଖରେ ରାଜ୍ୟ ବିଧାନସଭାରେ ତାଙ୍କ ସମ୍ବୋଧନ ବିଷୟରେ ସ୍ମରଣ କରାଇ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ପୃଥିବୀ ଇତିହାସରେ ବହୁତ କମ୍ ସମୟ ମାନବଜାତି ତା କଳ୍ପନା ବାହାରେ ଏଭଳି ଏକ ଆହ୍ବାନର ସମ୍ମୁଖୀନ ହେଇଛି। ପ୍ରାୟ ଗତ ୫ ମାସ ହେଲା ସାରା ବିଶ୍ବର ବିଭିନ୍ନ ଦେଶକୁ ଏହି ମହାମାରୀ ପ୍ରଭାବିତ କରିଛି। ଏପରିକି ଯେଉଁ ଦେଶମାନେ ମହାମାରୀରୁ ମୁକ୍ତ ହୋଇସାରିଥିଲେ, ସେମାନେ ମଧ୍ୟ ପୁଣି ଥରେ ତା କବଳକୁ ଆସିଯାଇଛନ୍ତି। ଭାରତର ପ୍ରତ୍ୟେକ ରାଜ୍ୟ ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ପ୍ରତି ଦୁଇ ଦିନରେ ଏକ ଲକ୍ଷ ନୂଆ ସଂକ୍ରମିତ ସୃଷ୍ଟି ହେଉଛନ୍ତି। ଭାରତ ଆଜି ବିଶ୍ବର ତୃତୀୟ ସ୍ଥାନରେ ଅଛି।

ଓଡିଶାରେ କୋଭିଡ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାତ୍ରାରୁ ସଂଗରୋଧ, ପରୀକ୍ଷା, Tracing, ଚିକିତ୍ସା ଖାଦ୍ୟ, ରହଣୀ ସବୁକିଛି ଏଠାରେ କୋଭିଡ ରୋଗୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି। ଯେତେବେଳେ ଅନ୍ୟ ରାଜ୍ୟର ଡାକ୍ତରଖାନା ଗୁଡିକ କୋଭିଡ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦାବି କରୁଛନ୍ତି, ଓଡିଶା ସରକାର ସବୁକିଛି ମାଗଣାରେ ଯୋଗାଉଛନ୍ତି। ସାରା ବିଶ୍ବରେ ଯେକୌଣସି ଅଞ୍ଚଳରେ କୋଭିଡ ରୋଗ ପାଇଁ ଶ୍ରେଷ୍ଠ ଚିକିତ୍ସା ମିଳୁଛି, ତାକୁ ଆମେ ଓଡ଼ିଶାରେ କାର୍ଯ୍ୟକାରୀ କରୁଛୁ ଏବଂ କେହି ଲୋକ ଯେପରି ଏହି ସୁବିଧାରୁ ବଞ୍ଚିତ ନ ହେବେ, ସେଥିପାଇଁ ମାଗଣାରେ ଯୋଗାଇ ଦେଉଛୁ।

ଏହି ଅବସରରେ ପ୍ଲାଜମା ଚିକିତ୍ସା ପଦ୍ଧତିର ଉତ୍ସାହଜନକ ସଫଳତା ଏବଂ କୋଭିଡ ଟୀକା ସଂପର୍କରେ Serum Instituteର CEଠଙ୍କ ସହ ତାଙ୍କ ଆଲୋଚନା ବିଷୟରେ ମୁଖ୍ୟମନ୍ତ୍ରୀ ଅବତାରଣା କରିଥିଲେ।

ମହାମାରୀର କୁପ୍ରଭାବ ସଂପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଏହି ମହାମାରୀ ଦ୍ଵାରା ପୃଥିବୀର ପ୍ରତ୍ୟେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସ୍ଥାନୀୟ, ଜାତୀୟ ଏବଂ ବିଶ୍ବସ୍ତରରେ ଅର୍ଥନୀତିକୁ ଏହା ବିପୁଳ ଭାବରେ କ୍ଷତିଗ୍ରସ୍ତ କରିଛି। ଆମ ରାଜ୍ୟ ଓଡିଶା ବିଭିନ୍ନ ଜୀବିକା କାର୍ଯ୍ୟକ୍ରମ ତଥା ଶିଳ୍ପ ପାଇଁ କିଛି ନୂଆ ଉଦ୍ୟମ ଜରିଆରେ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ଉଦ୍ୟମ କରିଛି। ଏହା ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଅତୀତରେ ଓଡିଶା ଅନେକ ବିପର୍ଯ୍ୟୟର ମୁକାବିଲା କରିଛି। ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଏବଂ ପୁଣିଥରେ ଦୃବ ଭାବରେ ପୂର୍ବ ସ୍ଥିତିକୁ ଫେରିଆସିବାର ଶକ୍ତି ପ୍ରତିଟି ଓଡ଼ିଆଙ୍କ ରକ୍ତରେ ରହିଛି। ମହାମାରୀ ଚାଲିଯିବା ପରେ ଓଡ଼ିଶା ଅଧିକ ଦୃଢ଼ ଓ ସମୃଦ୍ଧ ଭାବରେ ତାର ସ୍ଥିତି ଜାହିର କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶାପୋଷଣା କରିଥିଲେ।

ଏହି ଅବସରରେ ବିଧାନସଭାର ମାନ୍ୟବର ବିଧାୟକ ମାନେ ବ୍ୟକ୍ତିଗତଭାବେ ନିଜର ଯତ୍ନ ନେବା ସହିତ ସେମାନଙ୍କ ଅଞ୍ଚଳରେ ଏହି ପରିସ୍ଥିତିରେ ପ୍ରେରଣାଦାୟୀ ନେତୃତ୍ଵ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। କୋଭିଡରେ ସଂକ୍ରମିତ ହୋଇଥିବା ୩ ଜଣ ବିଧାୟକ ଆରୋଗ୍ୟ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦବ୍ୟକ୍ତ କରିଥିଲେ।

ବିଧାୟକମାନେ ସେମାନଙ୍କ ଅଞ୍ଚଳରେ କୋଭିଡ ଯୋଦ୍ଧା ମାନଙ୍କର ଯତ୍ନ ନେବା ସହିତ ପ୍ଲାଜମା ଦାନକୁ ଉତ୍ସାହିତ କରିବା ଏବଂ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ହାତ ଧୋଇବା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ଅବସରରେ ରାଜ୍ୟର ସାଢେ ଚାରି କୋଟି ଓଡ଼ିଆ ଭାଇଭଉଣୀଙ୍କୁ କୋଭିଡ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ସେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ହେଉ, ବା ମହାମାରୀ ପ୍ରତ୍ୟେକଟି ମଣିଷର ଜୀବନ ରକ୍ଷା କରିବା ତାଙ୍କର ପ୍ରାଥମିକ ଦାୟିତ୍ବ। ସରକାର କୋଭିଡ ନିୟମାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ସବୁ ଘରେ ବା ସବୁ ରାସ୍ତାରେ ରହିବା ସମ୍ଭବ ନୁହେଁ। ସମସ୍ତେ ଏକାଠି ହୋଇ ଏହି ମହାମାରୀ ବିରୁଦ୍ଧରେ ଲଢେଇ କରିବା ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଦାୟିତ୍ବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଏହି ଅବସରରେ ବିଧାୟକମାନଙ୍କୁ ସମ୍ବୋଧନ କରି ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର କରୋନା ଯୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ମାର୍ଚ୍ଚ ୧୩ ତାରିଖରୁ କୋଭିଡ ରୋଗ ସଂପର୍କରେ ପ୍ରଥମେ ବିଧାନସଭାରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କୋଭିଡ ରୋଗ ସଂପର୍କରେ ସରକାରଙ୍କ ନିର୍ଦ୍ଦେଶାବଳୀର କଡାକଡି ଅନୁପାଳନ ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ।

ବିରୋଧୀଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ ତାଙ୍କର ଅଭିଭାଷଣରେ କୋଭିଡ ରୋଗର ନିୟନ୍ତ୍ରଣ ପାଇଁ ସମସ୍ତେ ମିଳିମିଶି କାମ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର କୋଭିଡ ସ୍ଥିତିର ଅନୁଧ୍ୟାନ ପାଇଁ ଏକ ହାଉସ କମିଟି ଗଠନ ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ରାଜ୍ୟରେ କରୋନା ପରିଚାଳନା ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ। ବିଶ୍ୱ ଦେଶ ଓ ରାଜ୍ୟରେ କରୋନା ପରିସ୍ଥିତି, ରାଜ୍ୟର କୋଭିଡ ରଣନୀତି, ଭିତ୍ତିଭୂମି, କୋଭିଡ ପରିଚାଳନାରେ ଟେକ୍‌ନୋଲୋଜିର ପ୍ରୟୋଗ, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ସରକାରୀ ସହାୟତା, ଅର୍ଥନୈତିକ ପ୍ରଭାବ, ଅର୍ଥନୀତିର ପୁନରୁଦ୍ଧାର ପାଇଁ ପଦକ୍ଷେପ ଆଦି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରି ବିଧାୟକ ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ। ଦୁଇ ଜଣ କରୋନା ଯୋଦ୍ଧା – ଜଣେ ଡାକ୍ତର ଓ ଜଣେ ଆଶାକର୍ମୀ – ସେମାନଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମ, କାର୍ଯ୍ୟକ୍ଷେତ୍ରରେ ସେମାନେ ଅନୁଭବ କରୁଥିବା ଦୈନନ୍ଦିନ ଆହ୍ବାନ ଓ ବ୍ୟକ୍ତିଗତ ଅନୁଭୂତି ସଂପର୍କରେ ବର୍ଣ୍ଣନା କରିଥିଲେ।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକବୃନ୍ଦ ଓ ରାଜ୍ୟସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.