Home ଜିଲ୍ଲା ପରିକ୍ରମା ରିକ୍ସା ଚାଳକ ଜଗତ୍‌ଜ୍ୟୋତିଙ୍କ ଚିତ୍ରାଙ୍କନ ନିଶା : କରୋନା ମାଡ଼ରେ ଧରାଶାୟୀ ଉଭୟ ପେଶା ଓ...

ରିକ୍ସା ଚାଳକ ଜଗତ୍‌ଜ୍ୟୋତିଙ୍କ ଚିତ୍ରାଙ୍କନ ନିଶା : କରୋନା ମାଡ଼ରେ ଧରାଶାୟୀ ଉଭୟ ପେଶା ଓ ନିଶା

195

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲକଡାଉନ ପାଇଁ ଶନିବାର ସବୁଆଡ଼େ ଶୂନଶାନ । ରାସ୍ତାରେ କାଁ ଭାଁ ଲୋକ । ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ସମାନ ଅବସ୍ଥା । ଏପରି ସମୟରେ ଭଦ୍ରକ ଜିଲାର ତିହିଡ଼ି ବ୍ଲକ ଅଧୀନ ଗୁଆମାଳ ଛକରେ ଏକ ଗଛ ତଳେ ଜଣେ ରିକ୍ସାଚାଳକ ନିଜ ରିକ୍ସା ଉପରେ ବସି ଏକ ଲୟରେ ଆଙ୍କି ଚାଲିଥିଲେ ଚିତ୍ର । ପାଖରେ ଏକ ଜରି ବ୍ୟାଗରେ ଥିଲା କାଗଜ, ପେନ୍‌ସିଲ ଓ ବିଭିନ୍ନ ରଂଗ କାଳି ଥିବା ସ୍କେଚପେନ । ଯଦି ଭଡ଼ାଟିଏ ମିଳିଗଲା ଭଲ । ନହେଲେ ଚିତ୍ରଟିଏ ତ ତିଆରି ହୋଇଯିବ । ସଂପୃକ୍ତ ରିକ୍ସା ଚାଳକ ହେଉଛନ୍ତି ଗୁଆମାଳ ଗ୍ରାମର ଜଗତଜ୍ୟୋତି ଜେନା । ୪୫ରେ ପହଞ୍ôଚଲାଣି ବୟସ । ରିକ୍ସା ଉପରେ ବସି ତାଙ୍କର ଏହି ଚିତ୍ର ଆଙ୍କିବା ସ୍ଥାନୀୟ ଲୋକଙ୍କ ପାଇଁ କିଛି ବିଶେଷତ୍ୱ ବହନ କରେନା । ସେମାନଙ୍କ ପାଇଁ କିଛି ନୂତନତ୍ୱ ନାହିଁ । କିନ୍ତୁ ବାହାରୁ ଆସିଥିôôବା କେହି ଲୋକ ପ୍ରଥମ ଥର ଏପରି ଚିତ୍ର ଅଂକନ ଦେଖିଲେ ଆଶ୍ଚର୍ଯ୍ୟ ହିଁ ହୋଇଥାଏ । ଜୀବନ୍ତ ଚିତ୍ର । ଜଗତଜ୍ୟୋତିଙ୍କୁ ସମସ୍ତେ ଟେରୁ ବୋଲି ଡାକିଥା’ନ୍ତି । ସେଥିପାଇଁ ସେ ନିଜ ପ୍ରତ୍ୟେକ ଚିତ୍ର ତଳେ ‘ଟେରୁ ଆର୍ଟସ’ ବୋଲି ଲେଖିଦିଅନ୍ତି । ତାଙ୍କ ସହ ଆଲୋଚନା ସମୟରେ ମିଳିଥିବା ସୂଚନା ଅନୁଯାୟୀ, କୌଣସି ଠାରୁ ସେ ବିଧିବଦ୍ଧ ଭାବରେ ଚିତ୍ର ଶିକ୍ଷା କରିନାହାନ୍ତି । ସାମାନ୍ୟ କିଛି ପାଠ ପଢ଼ିନଥିଲେ ବି ଚିତ୍ର କରିବା ଯେପରି ତାଙ୍କ ରକ୍ତର ଏକ ଉପାଦାନ । ଏକଲବ୍ୟଙ୍କ ପରି ସେ କାହାରି ଠାରୁ ପ୍ରତ୍ୟେକ୍ଷ ଶିକ୍ଷା ନେଇନାହାନ୍ତି । ଚିତ୍ରକରମାନେ ଚିତ୍ର କରୁଥିବା ବେଳେ ସେ ସେଠାରେ ଛିଡ଼ା ହୋଇ ଚିତ୍ର କରିବାର କାଇଦା କୌଶଳକୁ ଶିଖିନେଇଥା’ନ୍ତି ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୈନିକ ଡ୍ରେସ ପିନ୍ଧା ଫଟୋ ସେ ଆଙ୍କିଛନ୍ତି । ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ମଧ୍ୟ ଆଙ୍କିଛନ୍ତି । ପ୍ରକୃତିର ବିଭିନ୍ନ ଉପାଦାନକୁ ସେ କାଗଜ ଓ ସ୍କେଚ ପେନରେ ଅବିକଳ ଆଙ୍କି ପାରନ୍ତି । ‘ପିଲାଟି ବେଳରୁ ମୋର ଚିତ୍ର ଅଙ୍କନ ପ୍ରତି ଆଗ୍ରହ ରହିଥିଲା । ଏହାକୁ ମୁଁ ନିଶା ଭାବେ ଗ୍ରହଣ କରିଛି । ଚିତ୍ର ହିଁ ମୋ ଜୀବନ ।’ ବୋଲି କହନ୍ତି ଜଗତଜ୍ୟୋତି । ସେ ଜଣେ ଭଲ ଚିତ୍ରକର ହୋଇଥିବାରୁ ବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପ ପାଇଁ ଚିତ୍ର କରିବାକୁ ଛାତ୍ରଛାତ୍ରୀଙ୍କ ବାପା ମା ମାନେ ତାଙ୍କୁ ଖୋଜିଥା’ନ୍ତି । ସେହିପରି କେତେକ ବ୍ୟକ୍ତି ମଧ୍ୟ ପରିବାରର ମୃତବ୍ୟକ୍ତିଙ୍କ ଫଟୋ ଆଙ୍କିବା ପାଇଁ ତାଙ୍କର ସହାୟତା ଲୋଡ଼ିଥା’ନ୍ତି । ରିକ୍ସା ଉପରେ ବସି ଆଙ୍କୁଥିବା ଚିତ୍ରକୁ ସ୍ଥାନୀୟ ପିଲାମାନେ ତାଙ୍କ ପାଖରୁ କିଣି ନେଇଥା’ନ୍ତି । ଚିତ୍ରରୁ ଅବଶ୍ୟ କିଛି ରୋଜଗାର କରନ୍ତି ବୋଲି ସେ ସ୍ୱୀକାର କରନ୍ତି । ଚିତ୍ର ଆଙ୍କିବା ପଛରେ ଅର୍ଥର ଆକର୍ଷଣ ଯେତେ ନଥାଏ, ତା ଠାରୁ ଅଧିକ ଥାଏ ତାଙ୍କର ସହଜାତ ନିଶା । ଦୁଇ ପୁଅ ମଧ୍ୟରୁ ଅଷ୍ଟମରେ ପଢ଼ୁଥିବା ସାନପୁଅ ମଧ୍ୟ ଖୁବ ଭଲ ଚିତ୍ର କରେ ବୋଲି ଗର୍ବ କରନ୍ତି ସେ । ଜଣେ କଳାକାର ଭାବରେ ତାଙ୍କୁ ସ୍ୱୀକୃତି ମିଳିନାହିଁ ବୋଲି ସେ ଦୁଃଖ ପ୍ରକାଶ କରନ୍ତି । କଳାକାର ଭତ୍ତା ଟିଏ କରିଦେବାକୁ ଆକୁଳ ନିବେଦନ କରନ୍ତି । କରୋନା କିପରି ତାଙ୍କ ଆୟର ପନ୍ଥାକୁ ଛଡ଼ାଇ ନେଇଛି ତାହାକୁ ନେଇ ମଧ୍ୟ ଦୁଃଖ ପ୍ରକାଶ କରନ୍ତି । ରିକ୍ସାରେ ଯିବାକୁ ଓ ଚିତ୍ର କିଣିବାକୁ ଲୋକ ଏବେ ଆସୁନଥିବାରୁ ପରିବାର ଭରଣ ପୋଷଣ କରିବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଛି ବୋଲି ସେ କହନ୍ତି । ଏହି ବଣ ମଲ୍ଲୀକୁ ସ୍ୱୀକୃତି ମିଳୁ ବୋଲି ଦାବି କରିଛନ୍ତି ଗୁଆମାଳ ସରପଞ୍ଚ ପ୍ରଦୀପ କୁମାର ପଣ୍ଡା, ସମାଜସେବୀ ଅଶୋକ କୁମାର ସାହୁ, ନିରଞ୍ଜନ ମିଶ୍ର, ମଧୁସୂଦନ ନାୟକ ଓ ଅନ୍ୟ ବୁଦ୍ଧିଜୀବୀମାନେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.