Home Top News ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଫର୍ମପୂରଣ ସରିଲା, ୧୫, ୧୫୫ ପିଲାଙ୍କ ଆବେଦନ

ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଫର୍ମପୂରଣ ସରିଲା, ୧୫, ୧୫୫ ପିଲାଙ୍କ ଆବେଦନ

85

ଭୁବନେଶ୍ୱର ୧୫ ଜୁଲାଇ (ଓଡ଼ିଆ ପୁଅ) ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆନୁକୂଲ୍ୟରେ ପରିଚାଳିତ ଅଫଲାଇନ ମାଟ୍ରିକ ପରୀକ୍ଷା ଆସନ୍ତା ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ସୋମବାରଠାରୁ ଫର୍ମପୂରଣ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ତାହା ଏବେ ଶେଷ ହୋଇଛି। ଚଳିତଥର ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏବଂ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି।

ଆବେଦନ ତାରିଖ ଶେଷ ସୁଦ୍ଧା ମୋଟ ୧୫, ୧୫୫ ପିଲାଙ୍କ ଆବେଦନ କରିଛନ୍ତି। ସେଥିମଧ୍ୟରୁ HSC ଅଫଲାଇନ ପରୀକ୍ଷା ଦେବାକୁ ୬୫୯୬ ପିଲାଙ୍କ ଆବେଦନ କରିଥିବା ବେଳେ ରାଜ୍ୟ ଓପନ ସ୍କୁଲ ଲାଗି ୮୪୯୩ ପିଲାଙ୍କ ଆବେଦନ କରିଛନ୍ତି ଏବଂ ଅଫ୍ ଲାଇନ୍‌ରେ ମଧ୍ୟମା ପରୀକ୍ଷା ଦେବାକୁ ୬୬ ପିଲାଙ୍କ ଆବେଦନ କରିଥିବା ଜଣାପଡ଼ିଛି।

ଫର୍ମ ପୂରଣ ଅବଧି ଶେଷ ହେବା ପରେ ୧୮ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏଥିଲାଗି ବୋର୍ଡ ପକ୍ଷରୁ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି।

ଗାଇଡ୍‌ଲାଇନ୍‌ ଆଧାରରେ ଜିଲ୍ଲା ଶିକ୍ଷାଧିକାରୀମାନେ ଜିଲ୍ଲାସ୍ତରରେ ସେଣ୍ଟର ଚୟନ କରି ତାଲିକା ବୋର୍ଡ କାର୍ଯ୍ୟାଳୟକୁ ପଠାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଅତିକମ୍‌ରେ ୧୦୦ ଜଣ ପରୀକ୍ଷାର୍ଥୀଙ୍କୁ ନେଇ ଗୋଟିଏ ସେଣ୍ଟର କରାଯିବ। ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ ଥିଲେ ଶହେରୁ ଅଧିକ ପରୀକ୍ଷାର୍ଥୀଙ୍କୁ ନେଇ ମଧ୍ୟ ସେଣ୍ଟର୍‌ ହୋଇପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ୧୮ ତାରିଖ ସୁଦ୍ଧା ସେଣ୍ଟର ଚୟନ ପ୍ରକ୍ରିୟା ଶେଷ ହେବା ପରେ ଉକ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଆସନ୍ତା ୨୮ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ଏବଂ ଓଏମ୍‌ଆର ସିଟ୍‌ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ପହଞ୍ଚାଇ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ସୂଚନାଯୋଗ୍ୟ, ମାଟ୍ରିକ୍‌ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ଲାଗି ଅଫ୍‌ଲାଇନ୍‌ରେ ପରୀକ୍ଷା ଆସନ୍ତା ୩୦ରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହେବ। ପରୀକ୍ଷା ଫଳ ନେଇ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ ମଧ୍ୟ ଫର୍ମପୂରଣ ଅଧିକ ହୋଇନଥିବା ସୂଚନା ମିଳିଛି।

ପୂର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଅଫଲାଇନ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯିବ।

ଅଫ୍‌ଲାଇନ୍‌ ପରୀକ୍ଷାର ମାର୍କ ଚୂଡାନ୍ତ ମାର୍କ ହେବ।

ସୂଚନାଯୋଗ୍ୟଯେ, ଚଳିତ ବର୍ଷ କୋରୋନା ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ମାଟ୍ରିକ୍‌ ପରୀକ୍ଷା ଫଳ। ଜୁନ୍ ୨୫ରେ ପ୍ରକାଶ ପାଇଥିଲା ମାଟ୍ରିକ୍‌ ପରୀକ୍ଷା ଫଳ। ବୋର୍ଡ ଇତିହାସରେ ଏହା ରେକର୍ଡ ସୃଷ୍ଟି କରିଥିଲା। ଚଳିତ ବର୍ଷ ପାସ ହାର ୯୭.୮୯ ପ୍ରତିଶତ ରହିଥିଲା ବେଳେ ଏକ୍ସରେଗୁଲାର୍‌ ଫଳାଫଳ ମଧ୍ୟ ୮୮ ପ୍ରତିଶତ ରହିଥିଲା। କିନ୍ତୁ ଅସନ୍ତୁଷ ହୋଇଥିଲେ କିଛି ଛାତ୍ରଛାତ୍ରୀ ଓ ଅଭିଭାବକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.