Home ଜିଲ୍ଲା ପରିକ୍ରମା ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ, ଭଦ୍ରକରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପାଇଁ ଦାୟୀ...

ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ, ଭଦ୍ରକରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପାଇଁ ଦାୟୀ କିଏ !

26

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଆବାହକ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗତକାଲି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ରଙ୍କ ସହିତ ଜିଲାର ସ୍ୱାସ୍ଥ୍ୟ ସେବା ସଂପର୍କରେ ଦୀର୍ଘକାଳ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଡାକ୍ତର ହରେକୃଷ୍ଣ ନାୟକ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଶାନ୍ତନୁ ରାଉତ, ରାଧାରାଣୀ ମହାପାତ୍ର, ସୁଧାକର ରାଉତ, ଶ୍ରୀହର୍ଷ ସ୍ୱାଇଁ ,ସୀତାକାନ୍ତ ଦାସ ଏବଂ ଡାକ୍ତର ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆଲୋଚନାର ନିଷ୍କର୍ଷ ଯେତିକି ଦୁଃଖଦାୟକ, ବହୁ ଅଧିକ ମର୍ମନ୍ତୁଦ । ସବୁ କିଛି ହାତ ପାଆନ୍ତାରେ ଥାଇ ମଧ୍ୟ ଭଦ୍ରକ ଜିଲା ସବୁ କ୍ଷେତ୍ରରେ ପଛ ଧାଡିରେ ରହିଯାଇଛି । ଦୁଇ ଦିନ ତଳେ ସରକାର ରାଜ୍ୟରେ ଦଶଟି ନର୍ସିଂ କଲେଜ ଘୋଷଣା କରିଥିଲେ ମଧ୍ୟ ସେଥିରେ ଭଦ୍ରକର ସ୍ଥାନ ନାହିଁ । ୨୦୧୭ ମସିହାରେ ଭଦ୍ରକରେ ଏକ ନର୍ସିଂ ସ୍କୁଲ ପ୍ରତିଷ୍ଠା ନିମନ୍ତେ ସରକାରଙ୍କ ତରଫରୁ ଏକ ପ୍ରସ୍ତାବ ଆସିଥିଲା । ନିଜସ୍ୱ ଗୃହ ନ ଥିଲେ ମଧ୍ୟ ଭଡା ଘରେ ଏହା ଚାଲୁ କରିବା ପାଇଁ ପ୍ରସ୍ତାବରେ ଉଲ୍ଲେଖ ଥିଲା । ସେହି ସମୟରେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତରଫରୁ ଏ ସଂପର୍କରେ ତତ୍କାଳୀନ ଜିଲା ମୁଖ୍ୟ ଚିକିତ୍ସାଧାରୀଙ୍କ ସହ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରି ନ ଥିଲା । ପରେ ଜଣା ପଡିଲା, ଦୁଇ ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେବାରୁ ଏଭଳି ପରିସ୍ଥିତି ଉପୁଜିଥିଲା । ଗତକାଲିର ଆଲୋଚନାରେ ନର୍ସିଂ ସ୍କୁଲ ପ୍ରସଙ୍ଗ ଉଠିବାରୁ ଜିଲା ମୁଖ୍ୟ ଚିକିତ୍ସାଧୀକାରୀ ସେଭଳି କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଖୋଳତାଡରୁ ଜଣା ପଡିଲା, ସେହି ପୁରୁଣା ପ୍ରସ୍ତାବର ଅବଧି ସମାପ୍ତ ହୋଇଯାଇଛି ।

ଫଳରେ ତାହା ଆଉ କାର୍ଯ୍ୟକାରୀ ହୋଇପାରିବ ନାହିଁ । ତଥାପି ସେ ଏକ ଏଏନ୍‌ଏମ୍ କଲେଜ ପ୍ରତିଷ୍ଠା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ପ୍ରକାଶ କରିଥିଲେ । ପ୍ରଶ୍ନ ଉଠୁଛି, ସରକାର ପଠାଇଥିବା ସେହି ଚାରି ବର୍ଷର ପୁରୁଣା ପ୍ରସ୍ତାବ କାହିଁକି କାର୍ଯ୍ୟକାରୀ ହେଲା ନାହିଁ ? ଭଦ୍ରକବାସୀ ଏଥି ନିମନ୍ତେ କାହାକୁ ଦାୟୀ କରିବେ ? ସିଡିଏମ୍‌ଓ ପ୍ରସ୍ତାବ ପଠାଇଦେଲେ, ତାହା କ’ଣ ସରକାର ଗ୍ରହଣ କରି ନେବେ କି? ସେ ପ୍ରସ୍ତାବ ସେଇମିତି ହୁଏତ ଫାଇଲ ଭିତରେ ପଡି ରହିପାରେ । ଏଥି ନିମନ୍ତେ ସ୍ଥାନୀୟ ନେତୃବୃନ୍ଦଙ୍କର ଯେଉଁ ରାଜନୈତିକ ଇଛାଶକ୍ତିର ଆବଶ୍ୟକତା ରହିଛି, ତାହା ସ୍ପଷ୍ଟ ନ ହେଲେ ସବୁ କିଛି ହାତରୁ ଚାଲିଯିବ । ଆମର ତିନୋଟି ପଡୋଶୀ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ସହିତ ସେଠାକାର ସଦର ମହକୁମା ଚିକିତ୍ସାଳୟରେ ସମସ୍ତ ବିଭାଗ ଏବଂ ସୁବିଧା ଥିବାବେଳେ, ଆମ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀ ଦୀର୍ଘ ବର୍ଷ ଧରି କେବଳ ଦାବୀରେ ରହିଛି କାହିଁକି ? ଏ ସଂପର୍କରେ ଜିଲା ଚିକିତ୍ସାଧିକାରୀ ନିଜର ଅସହାୟତା ପ୍ରକାଶ କରିଥିଲେ । ଆଲୋଚନାକାଳରେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ବ୍ଳକରେ ଥିବା ଡାକ୍ତରଖାନାଗୁଡିକରେ ଡାକ୍ତର ଏବଂ ପାରା ମେଡିକାଲ ପୋଷ୍ଟ ଯେଉଁ ସଂଖ୍ୟାରେ ଅଭାବ ରହିଛି, ସେ ପ୍ରସଙ୍ଗ ଉଠିଥିଲା । ତାହାର ନିର୍ଯ୍ୟାସ ସମସ୍ତଙ୍କୁ ଚକିତ କରିଦେବ । ଜିଲାରେ ସମୁଦାୟ ଅନୁମୋଦିତ ଡାକ୍ତରଙ୍କ ସଂଖ୍ୟା ୨୨୩ ଥିବାବେଳେ, ଡାକ୍ତର ଅଛନ୍ତି ମାତ୍ର ୧୦୬ ଜଣ । ପ୍ରାୟ ଅଧାଅଧି ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ସ୍‌ôାସ୍ଥ୍ୟ ସେବା ବିପର୍ଯ୍ୟୟ ହେବା ସ୍ୱାଭାବିକ । ସେହିଭଳି ପାରା ମେଡିକାଲ ପଦବୀ ମଧ୍ୟ ଅଧାରୁ ଅଧିକ ଖାଲି ପଡିଛି, ଯାହା ଭଦ୍ରକବାସୀଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏହି ମର୍ମରେ ଭଦ୍ରକବାସୀ କାହାକୁ ପ୍ରଶ୍ନ କରିବେ ? ବିପର୍ଯ୍ୟୟ ସ୍ୱାସ୍ଥ୍ୟ ସେବା ନିମନ୍ତେ କିଏ ଉତ୍ତରଦାୟୀ ରହିବେ – ସରକାର, ନା ସ୍ଥାନୀୟ ବିଧାୟକ , ନା ଜିଲାପାଳ , ନା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ? ଭଦ୍ରକବାସୀ ଦୀର୍ଘ ବର୍ଷ ଧରି ଦାବୀ କରୁଥିବା ମେଡିକାଲ କଲେଜ ପ୍ରତିଷ୍ଠା ହୋଇ ପାରିଲେ, ସେଥିରେ ସ୍ୱାଭାବିକ ଭାବେ ସମସ୍ତ ବିଭାଗ ଅନ୍ତର୍ଭୁକ୍ତ ହେବା ସହ ଡାକ୍ତରଙ୍କ ସଂଖ୍ୟା ମଧ୍ୟ ଆଶାନୁରୂପ ରହି ପାରନ୍ତା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.