Home ଜିଲ୍ଲା ପରିକ୍ରମା ନଟରାଜ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ

ନଟରାଜ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ

57

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନଟରାଜ ତରଫରୁ ଭଦ୍ରକ ଜିଲ୍ଲା ସଂସ୍କୃତି ତଥା ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧାନ ଜ୍ଞାପନ କରାଯାଇଅଛି । ବରିଷ୍ଠ ପ୍ରାଧ୍ୟାପକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରୁସ୍କାର ପ୍ରାପ୍ତ ନାଟ୍ୟକାର ଡ଼. ସୁଧାଂଶୁ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମାରୋହରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବେହେରାଙ୍କୁ ମାନପତ୍ର, ଉପଢୌକନ, ଉପହାର ସାମଗ୍ରୀ ଏବଂ ପୁଷ୍ପଗୁଛ ପ୍ରଦାନ କରାଯାଇ ବିଦାୟ କାଳୀନ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ବେହେରା ଯୋଗଦେଇ ଭଦ୍ରକ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ସଂସ୍କୃତି ଅଧିକାରୀ ରହିବା ସମୟରେ କଳାକାରମାନଙ୍କ ପ୍ରତି ଉଲ୍ଲେଖନୀୟ ଅବଦାନ ଓ କଳାକାରମାନଙ୍କର ତାଙ୍କ ପ୍ରତି ଅହେତୁକ ଅନୁରକ୍ତି ଫଳରେ ୨୦୧୯ ମସିହାରେ ରାଜ୍ୟ ସ୍ତରୀୟ ଲୋକକଳା ସମାରୋହ ଭୁବନେଶ୍ୱର ଠାରେ ଅନୁଷ୍ଠିତ ମହୋତ୍ସବରେ ଭଦ୍ରକ ଜିଲ୍ଲାକୁ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ଫଳରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଭଦ୍ରକ ଜିଲ୍ଲାପାଳ ପ୍ରଥମ ପୁରଷ୍କାର ଗ୍ରହଣ କରିବାକୁ ସକ୍ଷମ ହୋଇପାରିଥିଲେ । ଉକ୍ତ ଉତ୍ସବରେ ବରେଣ୍ୟ ଅତିଥି ଭାବେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ଆଇନ୍‌ଜୀବୀ ଶିବପ୍ରସାଦ ମହାନ୍ତି ଯୋଗଦେଇଥିବା ବେଳେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ତଥା ସଂପାଦକ ବରିଷ୍ଠ କଳାକାର ନରେନ୍ଦ୍ର ପ୍ରସାଦ ପରିଡ଼ା ଯୋଗଦେଇ ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ବେହେରାଙ୍କ ଅମାୟିକ ବ୍ୟବହାର , କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତ୍ତିତା ଏବଂ ସମଦର୍ଶୀ ଭାବ ଉପରେ ଆଲୋକ ପାତ କରି ଅଭିନନ୍ଦନ ଜଣାଇଥିଲେ ।

ଅନ୍ୟତମ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଅମର ନାୟକ,ସଂଗୀତ ନିର୍ଦ୍ଦେଶକ ତଥା ମନମୋହନ ସଂଗୀତ ପରିଷଦର ଅଧ୍ୟକ୍ଷ ଡ଼. କେଶବ ଚନ୍ଦ୍ର ଜେନା, ଆକାଶବାଣୀ ସମ୍ବାଦଦାତା ଅଶୋକ କୁମାର ନାୟକ ଯୋଗଦେଇ ଶ୍ରୀଯୁକ୍ତ ବେହେରାଙ୍କର କାର୍ଯ୍ୟବଳୀ ଉପରେ ଆଲୋକପାତ କରି ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ବେଦମନ୍ତ୍ର ଉଚ୍ଚାରଣ ସହିତ ମଞ୍ଚରେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ମଞ୍ଚ କଳାକାର କାଳନ୍ଦୀ ମଲ୍ଲିକ୍ । ବିଶିଷ୍ଟ ସଂଗୀତଶିଳ୍ପୀ ସୁମତୀ ପଣ୍ଡା, ଅଭିନେତ୍ରୀ ସୀତାରାଣୀ ସାହୁ, ଅଭିନେତ୍ରୀ ରଞ୍ଜିତା ଦାସ, ସଂଗୀତଜ୍ଞ ପ୍ରଶାନ୍ତ କୁମାର ନାୟକ,ଯନ୍ତ୍ରଶିଳ୍ପୀ ରାମନାରାୟଣ ପଣ୍ଡା, ଅନୁଷ୍ଠାନର କଳାକାର ନିର୍ମଳ ଚନ୍ଦ୍ର ପରିଡ଼ା ପ୍ରମୁଖ ସଂଗୀତ ପରିବେଷଣ କରିବା ସହିତ ସଂଳାପ ଉଚ୍ଚାରଣ କରିଥିଲେ । ମହାତ୍ମାଗାନ୍ଧୀଙ୍କର ଓଡ଼ିଶା ଆଗମନର ଏକଶତବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ତରଫରୁ ଆୟୋଜନ କରାଯାଇଥିବା ନାଟକ ମହୋତ୍ସବ ଅବସରରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ରଚିତ ଏବଂ ଡ଼. ସୁଧାଂଶୁ ନାୟକଙ୍କ ନିର୍ଦ୍ଦେଶିତ “ଗାନ୍ଧୀଙ୍କ ଓଡ଼ିଶା” ନାଟକରେ ଅଭିନୟ କରିଥିବା ଭଦ୍ରକର କଳାକାରମାନଙ୍କୁ ସଂସ୍କୃତି ଅଧିକାରୀ ଶ୍ରୀବେହେରା ସଂଗୀତନାଟକ ଏକାଡ଼େମୀର ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଳାକାର ସର୍ବଶ୍ରୀ ଗଜେନ୍ଦ୍ର ପାତ୍ର, ଦେବବ୍ରତ ମହାନ୍ତି, ବୃନ୍ଦାବନ ସାହୁ, ଭବେଶ ସାହୁ, ସରୋଜ କୁମାର ସିଂ, ସନ୍ତୋଷ କର, ପ୍ରଦୀପ କୁମାର ବାରିକ, ଜଗନ୍ନାଥ ମହାରାଜ, ତେଜସ୍ ମହାନ୍ତି, ଦେବକଲ୍ୟାଣ ସାହୁ, ରାଜେନ୍ଦ୍ର ପତି, ଅଜୟ ନାୟକ, ରାଧାକାନ୍ତ ସାହୁ, ରମାକାନ୍ତ ବାରିକ୍‌, ଉମେଶ ସାହୁ, ଜ୍ୟୋତି ରଞ୍ଜନ ବେହେରା, କମଳଲୋଚନ ପଣ୍ଡା ଯୋଗଦାନ କରି ସଂସ୍କୃତି ଅଧିକାରୀଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ସ୍ୱାଇଁ, ରଙ୍ଗାଧର ଜେନା ପରିଚାଳନା କରିଥିବା ବେଳେ ଅଭିନେତ୍ରୀ ସୁମତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.