Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଶ୍ୱ କର୍ତ୍ତବ୍ୟ ଦିବସ ପାଳିତ

ଭଦ୍ରକରେ ବିଶ୍ୱ କର୍ତ୍ତବ୍ୟ ଦିବସ ପାଳିତ

45

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନ୍ୟର ମାନବାଧିକାର, ଦେଶ ଏବଂ ବିଶ୍ୱବାସୀଙ୍କ ପ୍ରତି କର୍ତ୍ତବ୍ୟ ତଥା ପରିବେଶ ସୁରକ୍ଷା ପାଇଁ ନିଜର ଦାୟିତ୍ୱବୋଧ ଏବଂ ଅଙ୍ଗୀକାରବଦ୍ଧତା ସହିତ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଦିନଟିଏ ଉତ୍ସର୍ଗ କରିବା ପାଇଁ ସମାଜସେବୀ ତଥା ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ଶ୍ରୀ ରାଧାକାନ୍ତ ତ୍ରିପାଠୀ ଜୁନ୍ ୩୦ ତାରିଖକୁ ବିଶ୍ୱରେ ସର୍ବପ୍ରଥମ “ବିଶ୍ୱ କର୍ତ୍ତବ୍ୟ ଦିବସ”ର ପରିକଳ୍ପନା କରି ତା’ର ଗତବର୍ଷ ସଫଳ ରୂପାୟନ ଭଦ୍ରକ ଜିଲ୍ଲାରେ କରିଥିବାବେଳେ ଚଳିତବର୍ଷ ଦ୍ୱିତୀୟଥର ଏହା ଭଦ୍ରକ ଜିଲ୍ଲାରେ କିଛି ସ୍ୱେଚ୍ଛାସେବୀଙ୍କ ସହିତ ପାଳନ କରିଛନ୍ତି । ନିଜ ଅଧିକାର ପାଇଁ ତ’ ସମସ୍ତେ ଆଗଭର । କିନ୍ତୁ କର୍ତ୍ତବ୍ୟ କଥା କହିଲେ ଅଧିକାଂଶ ଲୋକ ପଛଘୁଞ୍ଚା ଦିଅନ୍ତି । “କର୍ତ୍ତବ୍ୟ” ବିନା “ଅଧିକାର” ଏକ ଅପରାଧ ବୋଲି ମତବ୍ୟକ୍ତ କରିଛନ୍ତି ଶ୍ରୀ ତ୍ରିପାଠୀ । ଦ୍ୱିତୀୟବାର ଭଦ୍ରକ ସହରାଞ୍ଚଳ ଡଗମୁଣ୍ଡ କୁଷ୍ଠ କଲୋନୀ ଠାରେ କର୍ତ୍ତବ୍ୟ ଦିବସ ଅବସରରେ କରୋନା ସଚେତନତା ସୃଷ୍ଟି କରି କୁନି କୁନି ପିଲାମାନଙ୍କୁ ସ୍ୱଚ୍ଛତା ତଥା ଶିକ୍ଷା ବିଷୟରେ ବୁଝାଇଥିଲେ । ତା’ଛଡ଼ା ପରସ୍ପର ସ୍ନେହସ୍ରଦ୍ଧାରେ ବଞ୍ôଚବା ତଥା ଉକ୍ତ କଲୋନୀରେ ଥିବା ପୀଡ଼ିତା “କାନ୍ଦୁରୀ” ର ସ୍ୱାସ୍ଥ୍ୟ ଅତି ଖରାପ ଥିବାରୁ ତା’ର ଚିକିତ୍ସା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଚେଷ୍ଟା କରିବାକୁ ପ୍ରତିଶୃତି ଦିଆଯାଇଥିଲା । ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ ପରେ ତିଆରି ହୋଇଥିବା ବିଦ୍ୟାଳୟ ତଥା ଅଙ୍ଗନୱାଡ଼ି ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି ଦିବସ ପାଳନରେ ସୁନୀତା ମହନ୍ତ, ସଜନୀ, ବଳିଆ ମୁଣ୍ଡା ଆଦି ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ଆଜିକାଲି ସମସ୍ତେ ସ୍ୱପ୍ନରେ ଦୁନିଆରେ ମତୁଆଲାରେ ହୋଇ ଜୀବନକୁ ବିଳାସମୟ ଭାବେ ଜୀଇଁବାକୁ ଚାହାନ୍ତି । ଯାହାଫଳରେ ନିଜର ଅଧିକାର ଜାହିର କରିବା ସମୟରେ ଅନ୍ୟମାନଙ୍କ ପ୍ରତି ନିଜର କର୍ତ୍ତବ୍ୟ ପ୍ରତି ଆଖିବୁଜି ଦେବା ପରିତାପର ବିଷୟ । ସମାଜ ପାରସ୍ପରିକ ସମ୍ପର୍କରୁ ଆରମ୍ଭ ହୋଇଥାଏ ଏବଂ ପିଲାଦିନରୁ ଏ ପର୍ଯ୍ୟନ୍ତ ନିଜର ପରିବାର, ଗାଁ, ସହର, ଜିଲ୍ଲା, ରାଜ୍ୟ, ଦେଶ ଓ ସର୍ବୋପରି ମାଟି ମା ପ୍ରତି ଥିବା ମାୟା-ମମତାରୁ ହିଁ କର୍ତ୍ତବ୍ୟବୋଧ ଆରମ୍ଭ । ସମସ୍ତେ ଅଧିକାର ଜାହିର କରୁଥିବାବେଳେ କର୍ତ୍ତବ୍ୟବୋଧ ଭୁଲିଯାଉଛନ୍ତି । “କର୍ତ୍ତବ୍ୟ ପାଇଁ ଦିନଟିଏ” ଏହି ପ୍ରକାର ମହନୀୟ ଚିନ୍ତାଧାରାକୁ ଚରିତାର୍ଥ କରିବା ପାଇଁ ଶ୍ରୀ ତ୍ରିପାଠୀ ଆରମ୍ଭ କରିଛନ୍ତି “ବିଶ୍ୱ କର୍ତ୍ତବ୍ୟ ଦିବସ” ।

ଜୁନ୍ ୩୦ ତାରିଖ, ଗୋଟିଏ ବର୍ଷର ଠିକ୍ ଅଧା ବୟସ । ତେଣୁ ଏହି ଦିବସଟିକୁ ସମଗ୍ର ବିଶ୍ୱବାସୀ କର୍ତ୍ତବ୍ୟ ଦିବସ ହିସାବରେ ପାଳନ କଲେ ଏହାର ପ୍ରାସଙ୍ଗିକତା ରହିବ । ଭଦ୍ରକ-ରାନ୍ଦିଆ ପଞ୍ଚାୟତସ୍ଥ ଡଗମୁଣ୍ଡ କୁଷ୍ଠ କଲୋନୀରେ ସାମାଜିକ ଦାୟିତ୍ୱବୋଧ ପାଇଁ ସରକାରୀ ସ୍ତରରୁ ବେସରକାରୀ ସ୍ତରର ଅନୁଷ୍ଠାନମାନେ କିପରି ଅନ୍ତର୍ଭୁକ୍ତ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ଏବଂ ଉକ୍ତ କଲୋନୀ ବାସୀ ଶ୍ରୀ ତ୍ରିପାଠୀଙ୍କ ଉଦ୍ୟମକୁ ପ୍ରଶଂସାକୁ କରିଥିଲେ । ରାଧାକାନ୍ତଙ୍କର ଉକ୍ତ ପ୍ରୟାସ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ଦୀର୍ଘଦିନଧରି ଆଇନ ସେବା ବ୍ୟତୀତ ସାମାଜିକ ନ୍ୟାୟ, ପରିବେଶ ତଥା ମାନବାଧିକାରର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ଭିତରେ ଶ୍ରୀଯୁକ୍ତ ତ୍ରିପାଠୀ ପ୍ରତ୍ୟକ୍ଷ ଭାବେ ସମ୍ମୁଖୀନ ହୋଇଥିବା ବଡ଼ ସମସ୍ୟାଟି ହେଉଛି ମଣିଷ ଭିତରେ କର୍ତ୍ତବ୍ୟ ସମ୍ପାଦନ ପାଇଁ ଦେଖାଯାଉଥିବା ଅନିଚ୍ଛା ଏବଂ ଅଜ୍ଞତା । କର୍ତ୍ତବ୍ୟକୁ ଅବହେଳା କରି ଆଡ଼େଇ ଯାଇ ଅଧିକାରକୁ ଉପଭୋଗ କରିବା ଦ୍ୱାରା ଜଣେ ମଣିଷ କେବଳ ପାଇ ଚାଲେ ମାତ୍ର କିଛି ଦିଏ ନାହିଁ ଏବଂ ସ୍ୱାର୍ଥନ୍ୱେଷୀ ମନୋଭାବ ସମାଜର ସକଳ ଦୁଃଖ, ଦୁର୍ଦ୍ଦଶା ତଥା ଅପରାଧିକ ତତ୍ତ୍ୱର ମଧ୍ୟ ମୂଳ କାରଣ । ତେଣୁ ମଣିଷ ନଜକୁ ଶ୍ରେଷ୍ଠ, ସଭ୍ୟ ଓ ଶିକ୍ଷିତ ପ୍ରମାଣ କରିବାକୁ ହେଲେ କେବଳ ଅଧିକାରରକୁ ଉପଭୋଗ କରିବାର ମାନସିକତାରୁ ନିଜକୁ ମୁକ୍ତ କରି କର୍ତ୍ତବ୍ୟ ସମ୍ପାଦନର ମାନସିକତାକୁ ଆପଣେଇବାକୁ ପଡ଼ିବ । ଏହାହିଁ ଏହି ଦିବସର ପ୍ରତିଷ୍ଠାତା ଶ୍ରୀ ତ୍ରିପାଠୀଙ୍କର କ୍ରାନ୍ତିକାରୀ ଉଦ୍ଦେଶ୍ୟ । ମାନବ କର୍ତ୍ତବ୍ୟ ଆଇନକୁ ସଫଳ ରୂପାୟନ କରିବାର ଏ ଦିବସ ପାଳନର ଅନ୍ୟ ଏକ ଦିଗନ୍ତ । ତେବେ ସମଗ୍ର ବିଶ୍ୱ ସ୍ତରରେ ଜାତିସଂଘ ଦ୍ୱାରା ଆନ୍ତର୍ଜାତୀୟ ମାନବ କର୍ତ୍ତବ୍ୟ ଘୋଷଣାନାମା ପ୍ରସ୍ତୁତ କରି ସବୁ ସଦସ୍ୟ ରାଷ୍ଟ୍ରମାନଙ୍କୁ ଅନୁରୂପ ଆଇନ ପ୍ରଣୟନ କରାଇବାକୁ ଶ୍ରୀ ତ୍ରିପାଠୀ ସ୍ୱପ୍ନ ଦେଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.