Home ଜିଲ୍ଲା ପରିକ୍ରମା ଭଦ୍ରକରେ ତ୍ରୟୋଦଶ ଶ୍ରଦ୍ଧାଞ୍ଜଳି ସମାରୋହ, ଗାନ୍ଧୀବାଦୀ କପିଳ ଚରଣ ସର୍ବଦା ବନ୍ଦନୀୟ

ଭଦ୍ରକରେ ତ୍ରୟୋଦଶ ଶ୍ରଦ୍ଧାଞ୍ଜଳି ସମାରୋହ, ଗାନ୍ଧୀବାଦୀ କପିଳ ଚରଣ ସର୍ବଦା ବନ୍ଦନୀୟ

36

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ କପିଳ ଚରଣ ଦାସଙ୍କ ୧୩ତମ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଗାନ୍ଧୀ ବାଳାଶ୍ରମ ପରିସରରେ ଅନୁଷ୍ଠିତ ହୋଇଛି। କପିଳ ଚରଣ ଦାସ ସ୍ମୃତି ସମିତି ଓ ଗାନ୍ଧୀ ବାଳାଶ୍ରମ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତ୍ୟାଗଭୂମିର ସଭାପତି ଅଜୟ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିିଥି ଭାବରେ ଶିକ୍ଷାବିତ୍ ଝରଣା ପଟ୍ଟନାୟକ, ମୁଖ୍ୟବକ୍ତା ଭାବରେ ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବରେ କବୟତ୍ରୀ ଶାନ୍ତିଲତା ନାଗ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ସ୍ୱାଧୀନତା ସଂଗ୍ରାମର ଯୋଗଦାନ, ଦେଶପ୍ରେମ, ସମାଜସେବା ଓ ତ୍ୟାଗପୂତ ଜୀବନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସ୍ୱର୍ଗତ ଦାସ ଗାନ୍ଧୀଙ୍କ ଜୀବନ ଦର୍ଶନ, ନୀତି ଆଦର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କରି ରାସ୍ତାକଡ଼ର ଅନାଥ, ଅସହାୟ ଶିଶୁଙ୍କୁ କୋଳେଇ ଆଣି ଆଶ୍ରମରେ ପାରିବାରିକ ସ୍ନେହ ଶ୍ରଦ୍ଧା ପରିବେଶରେ ଲାଳନପାଳନ କରି ସେମାନଙ୍କୁ ଯେଉଁଭଳି ଭାବରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିଥିଲେ ତାହା ଯୁଗଯୁ୍‌ଗକୁ ସ୍ମୃତି ହୋଇରହିବ। ଯଥାର୍ଥରେ ସେ ଥିଲେ ସାର୍ଥକ ରଚନାତ୍ମକ କର୍ମୀ ଓ କିମ୍ବଦନ୍ତୀ ସମାଜସେବୀ।

ତାଙ୍କର ବହୁବିଧ ପ୍ରତିଭା ଆଜିର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ପ୍ରତ୍ୟୁଷରେ ସର୍ବଧର୍ମ, ପ୍ରାର୍ଥନା, ତିଳତର୍ପଣ, ସମାଧୀପୀଠରେ ପୁଷ୍ପମାର୍ଲ୍ୟ ଅର୍ପଣ କରିଯିବା ପରେ ସହିଦ୍ ସ୍ମୃତି ତୀର୍ଥ ସହିଦନଗରକୁ ଗାନ୍ଧୀବାଳାଶ୍ରମ ଓ ତ୍ୟାଗଭୂମି ପକ୍ଷରୁ କ୍ରାନ୍ତିଯାତ୍ରା କରାଯାଇ ଅମର ସହିଦ୍‌ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ସଭାପ୍ରାରମ୍ଭରେ ବିଧାୟକ ବିଷ୍ଣୁ ସେଠୀ ଓ ଚିତ୍ରଶିଳ୍ପୀ ଅଶୋକ ମହାନ୍ତିଙ୍କ ବିୟୋଗ ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଅଧିବକ୍ତା ବିଶ୍ୱରଞ୍ଜନ ଦାସ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିବା ପରେ ସ୍ମୃତି କମିଟିର ସଭାପତି ପରମାନନ୍ଦ ଦାସ ସ୍ୱାଗତ ଭାଷଣ ଓ କଳାକାର କାଳନ୍ଦୀ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସଙ୍କ ସଂଯୋଜିତ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଶାନ୍ତନୁ ରାଉତ, ସମାଜସେବୀ ସୁଧାକର ରାଉତ, ଅଧିବକ୍ତା ମନୋରଞ୍ଜନ ମହାନ୍ତି, ପ୍ରାକ୍ତନ ବିଚାରପତି ବାସୁଦେବ ଦାସ, ଶିକ୍ଷାବିତ୍ କମଳାକାନ୍ତ ସ୍ୱାଇଁ, ଉର୍ଦ୍ଦୁକବି ମୁସ୍ତାକ ଗହ୍ୱର, ବିଷ୍ଣୁପ୍ରିୟା ବାଳାଶ୍ରମର ସମ୍ପାଦକ ପ୍ରେମାନନ୍ଦ ଦାସ, ସଂଚାଳିକା କନକଲତା ଦାସ, ପୁରୁବାଇ କନ୍ୟାଶ୍ରମର ସମ୍ପାଦିକା ସୁମତି ମହାନ୍ତି, ଶିକ୍ଷାବିତ୍ ନରୋତମ ମହାପାତ୍ର, ଲକ୍ଷ୍ମୀକାନ୍ତ ବାରିକ, ଗୌରାଙ୍ଗ ବାରିକ ଓ ମନୋଜ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ବାଳାଶ୍ରମର ଅଧିକ୍ଷକ ହୃଷିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.