Home ଜିଲ୍ଲା ପରିକ୍ରମା ବିକାଶ ନାମରେ ବିନାଶ; ଉଜୁଡୁଛି ଗଛ; ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ସତ୍ତ୍ୱେ ସୃଷ୍ଟି ହେଉନି...

ବିକାଶ ନାମରେ ବିନାଶ; ଉଜୁଡୁଛି ଗଛ; ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ସତ୍ତ୍ୱେ ସୃଷ୍ଟି ହେଉନି ବିକଳ୍ପ ଜଙ୍ଗଲ

49

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିକାଶ ନାମରେ ବିନାଶ ହେଉଛି ପରିବେଶ । ଉଜୁଡୁଛି ହଜାର ହଜାର ଗଛ । ଏହା ସହ ବିଭିନ୍ନ ସମୟରେ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବହୁ ସଂଖ୍ୟକ ଗଛ ଉପୁଡି ପଡୁଛି । ହେଲେ ନଷ୍ଟ ହେଉଥିବା ଅତିକାୟ ଅମ୍ଳଜାନ ପ୍ରଦାନକାରୀ ଗଛର ବିକଳ୍ପ ଭାବେ ସୃଷ୍ଟି ହେଉନି ଜଙ୍ଗଲ । ସାମାଜିକ ବନୀକରଣ ପାଇଁ ବିଭିନ୍ନ ବିଭାଗ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିଲେ ବି ପରିବେଶର ସୁରକ୍ଷା ପାଇଁ କଟାଯାଇଥିବା ଗଛର ସଂଖ୍ୟା ଓ ଉତ୍ପନ୍ନ ଅମ୍ଳଜାନ ଭରଣା କରାଯାଇ ପାରୁନାହିଁ । ୧୬ ନଂ ଜାତୀୟ ରାଜପଥକୁ ୨୦୦୦ ମସିହାରେ ଚାରିଥାକିଆ କରାଯାଇଥିବା ବେଳେ ହଜାର ହଜାର ଗଛ କଟାଯାଇଥିଲା । ନୂତନ ଗଛ ରୋପଣ କରାଯିବା ପରିବର୍ତ୍ତେ ଚାରିଥାକିଆ ରାସ୍ତାର ଡିଭାଇଡରରେ କେବଳ ଫୁଲଗଛ ଲଗାଯାଇଥିଲା । ହେଲେ ସ୍ୱତଃପ୍ରବୃତ୍ତ ଭାବେ ଜାତୀୟ ରାଜପଥରର ଉଭୟ ପାଶ୍ୱର୍ରେ ବହୁ ଗଛ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥିଲା । ଏବେ ଛଅଥାକିଆ ରାସ୍ତା ନିର୍ମାଣ କରାଯିବା ସମୟରେ ଆଖୁଆପଦା ଠାରୁ ଆଦମପୁର ପର୍ଯ୍ୟନ୍ତ ବାଇଶହଜାର ଗଛ କାଟି ଦିଆଯାଇଛି । ଏହି ପରିବେଶ ଜନିତ କ୍ଷତିକୁ ଭରଣା କରିବା ପାଇଁ ରାଜ୍ୟ ବନଉନ୍ନୟନ ନିଗମକୁ ଦାଇତ୍ୱ ରାଜ୍ୟ ସରକାର ସମର୍ପଣ କରିଥିବା ନେଇ ବନବିଭାଗ ସୂଚନା ଦେଇଥିଲା । ମାତ୍ର ଦୁଇ ବର୍ଷ ବିତିଯାଇଥିଲେ ବି ଗୋଟିଏ ବି ଗଛ ଲଗାଯାଇ ନାହିଁ । ସେହିପରି ବୈତରଣୀ ନଦୀର ବଳିପୁର ଠାରୁ ରଘୁନାଥପୁର ପର୍ଯ୍ୟନ୍ତ ନଦୀବନ୍ଧ ସଦୃଢୀକରଣ କରାଯିବା ସମୟରେ ବହୁ ଗଛ କାଟି ଦିଆଯାଇଛି ।

ଏହାର ଦୁଇବର୍ଷ ଅତିକ୍ରାନ୍ତ ହୋଇଥିଲେ ବି ସମ ପରିମାଣର ଗଛ ରୋପଣ କରାଯାଇ ନାହିଁ । ବୃକ୍ଷରୋପଣ ପାଇଁ ବନବିଭାଗ, ମନରେଗା ଯୋଜନାରେ ବ୍ଳକ ଓ ଉଦ୍ୟାନକୃଷି ବିଭାଗ ଓ ସ୍ୱତନ୍ତ୍ର ଭାବେ ମୃତ୍ତିକା ସଂରକ୍ଷଣ ବିଭାଗ ନିୟୋଜିତ ଅଛନ୍ତି । ବନବିଭାଗ ପକ୍ଷରୁ ପ୍ରତିବର୍ଷ ବନମହୋତ୍ସବ ପାଳନ କରାଯାଉଛି । ବହୁ ଆଡମ୍ବରେ ଲଘୁ କ୍ରିୟା ଭଳି ଗଛ ସଂଖ୍ୟାରେ ବୃଦ୍ଧି ହେଉ ନାହିଁ । କୃଷି ଉଦ୍ୟାନ ବିଭାଗ ପକ୍ଷରୁ ସମନ୍ୱିତ ବନୀକରଣ ରାଜନୈତିକ ଭାବେ କରାଯାଇଛି । ମାତ୍ର ଏହି ବିଭାଗର ଗଛ କେଉଁଠି ନାହିଁ । ବ୍ଲକ ପକ୍ଷରୁ ପାଚେରୀ ଘେରା ସ୍କୁଲ, ଅଙ୍ଗନୱାଡି, ସରକାରୀ କାର୍ଯ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ ଗତ ଦୁଇବର୍ଷ ହେବ କରାଯାଉଛି । ଅନୁରୂପ ଭାବେ ପଞ୍ଚାୟତ ପକ୍ଷରୁ ବିଭିନ୍ନ ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ କରାଯାଉଛି । ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରୁ ପ୍ରତ୍ୟେକ ପଞ୍ଚାୟତକୁ ଗତଆର୍ଥୀକ ବର୍ଷରେ ଛଅ ଲକ୍ଷ ଅଶୀହଜାର ଟଙ୍କା ଖର୍ଚ୍ଚ କରିବାକୁ ବ୍ୟୟ ବରାଦ କରାଯାଇ ଅଟକଳ ଅନୁମୋଦନ ମଧ୍ୟ କରାଯାଇଥିଲା । ହେଲେ ଏହାର କାର୍ଯ୍ୟକାରିତା ସମ୍ପୁର୍ଣ୍ଣ ହୋଇପାରିନଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ସରକାର ତିନିବର୍ଷ ଅବଧି ଧାର୍ଯ୍ୟ କରି ରୋପଣ ସହ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଥିବାରୁ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଯେତିକି ଚାରାଗଛ ଲଗାଯିବ ତାହାର ସଫଳ ଉତାରିବା ଦାଇତ୍ୱ ମଧ୍ୟ ପ୍ରଶାସନର । ଏଥିପାଇଁ ବନବିଭାଗ ସହ ପରାମର୍ଶ କରାଯାଇ ବ୍ଲକ ପ୍ରଶାସନ ପକ୍ଷରୁ ଶିଘ୍ର ବଢ଼ିବାର ସାମର୍ଥ ଥିବା ଆକାଶୀ, କୃଷ୍ଣଚୁଡା, ଶିରିସା ଆଦି ଚାରାଗଛକୁ ବଛାଯାଇଥିଲା । କେବଳ କାଗଜକଲମରେ ବୃକ୍ଷରୋପଣ ଓ ଚାରାଗଛର ସଫଳ ଅଭିବୃଦ୍ଧି ରହିଯାଉଥିôବା ନେଇ ବହୁ ଅଭିଯୋଗ ହୋଇଥିଲା । ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଥଇଳା ଓ ମାହାମାଲିଆ ଗ୍ରାମରେ ଏକାଧିକ ଆମ୍ବ ଉଦ୍ୟାନ ପ୍ରାୟ ପଚିଶ ଲକ୍ଷ ଟଙ୍କା ବ୍ୟୟରେ ସୃଷ୍ଟି କରାଯାଉଛି । ଏହାର ସଫଳତା ନେଇ ମଧ୍ୟ ସଂଶୟ ସୃଷ୍ଟି ହୋଇଛି । ବହୁ ସମୟରେ ବୃକ୍ଷରୋପଣ ଖବର ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଛି । ହେଲେ ଏହାର ସୁରକ୍ଷା ଓ ସଫଳ ଅଭିବୃଦ୍ଧି ନେଇ ଧ୍ୟାନ ଦିଆଯାଉ ନାହିଁ । କାଗଜପତ୍ରରେ ହେଉଥିବା ବୃକ୍ଷରୋପଣ ବାସ୍ତବରେ ପ୍ରତିଫଳିତ ହେବା ଜରୁରୀ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.