Home Coronavirus Outbreak ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମା – ପଞ୍ଜିକରଣ ବାଧ୍ୟତାମୂଳକ

ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମା – ପଞ୍ଜିକରଣ ବାଧ୍ୟତାମୂଳକ

391

କେନ୍ଦୁଝର, ୩ ମେ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କରୋନା ମହାମାରୀ (COVID-19)ର ସଠିକ୍ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ଆଶିଷ ଠାକରେ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଘୋଷଣା ପରେ ବିଳମ୍ବରେ ହେଲେ ବି ବାହାର ରାଜ୍ୟରୁ ଜିଲ୍ଲାକୁ ଆସୁଥିବା ବ୍ୟକ୍ତିମାନେ ନିଜ ଘରକୁ ଫେରିବା ପୂର୍ବରୁ ପଞ୍ଜିକରଣ କରିବା ବାଧ୍ୟତାମୂଳକ ବୋଲି କେନ୍ଦୁଝର ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ତାଲା ବନ୍ଦ ଯୋଗୁ ରାଜ୍ୟ ବାହାରେ ଫସି ରହିଥିବା ଶ୍ରମଜୀବୀ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ବର୍ଗର ବ୍ୟକ୍ତି କେନ୍ଦୁଝର ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ ଲାଗି ଆଗ୍ରହ ପ୍ରକାଶ କରଥିବା ବେଳେ ଏହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଫଳରେ ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ପ୍ରବାସୀ ବ୍ୟକ୍ତିମାନେ କିପରି ସୁରକ୍ଷିତ ଭାବେ ନିଜ ନିଜ ଗ୍ରାମରେ ପହଁଚିବା ସହ ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ ସୁରକ୍ଷିତ ରଖିବେ, ସେଥିପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଦ୍ୱାରା ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୂହାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ, କେନ୍ଦୁଝର ଜିଲ୍ଲାକୁ ଆସୁଥିବା ବ୍ୟକ୍ତିମାନେ ସରକାରୀ ପୋର୍ଟାଲ covid19.odisha.gov.inରେ ପଞ୍ଜିକରଣ କରିବା ଏକାନ୍ତ ଆବଶ୍ୟକ। ଏହି ପଞ୍ଜିକରଣ ଅନ୍‌ଲାଇନ୍‌/ ଅଫ୍‌ଲାଇନ୍‌ରେ ନିଜେ କିମ୍ବା ନିଜ ସମ୍ପର୍କୀୟ ମାନଙ୍କ ମାଧ୍ୟମରେ କରିପାରିବେ। ପଞ୍ଜିକରଣ କରିବା ସମୟରେ ଆବଶ୍ୟକୀୟ ତଥ୍ୟ ଯଥା- ଯାନବାହନ, ମୋବାଇଲ୍ ନମ୍ବର ଇତ୍ୟାଦି ସମ୍ପର୍କିତ ସମସ୍ତ ତଥ୍ୟ ନିର୍ଦ୍ଧାରିତ ଫର୍ମରେ ଦାଖଲ କରିବା ଏକାନ୍ତ ଆବଶ୍ୟକ। ଚେକ୍ ପଏଂଟରେ ଆସୁଥିବା ବ୍ୟକ୍ତିମାନଙ୍କର ପଞ୍ଜିକରଣ ସ୍ଥିତି ସମ୍ପର୍କରେ ଯାଂଚ କରାଯିବ ଏବଂ ସେମାନଙ୍କ ହାତରେ ଅଲିଭା କାଳିରେ ଚିହ୍ନ ଦିଆଯିବ। ଏବଂ ନିଜ ଅଂଚଳରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ସେମାନଙ୍କୁ ରହିବାକୁ ପଡ଼ିବ। ସହରାଂଚଳ ପାଇଁ ହୋମ୍ କ୍ୱାରାଂଟାଇନ୍‌, ହୋଟେଲ ଓ ଲଜ୍‌ମାନଙ୍କରେ ପେଡ୍ କ୍ୱାରାଂଟାଇନ୍ ଏବଂ ଯେଉଁମାନଙ୍କର ସୁବିଧା ନ ଥିବ ସେମାନଙ୍କ ପାଇଁ ଇନ୍‌ଷ୍ଟିଚ୍ୟୁସନାଲ କ୍ୱାରାଂଟାଇନ୍‌ର ବ୍ୟବସ୍ଥା କରାଯାଇଛି। ପୌରପାଳିକା /ଏନ୍‌.ଏ.ସି.ର ନିର୍ବାହୀ ଅଧିକାରୀମାନଙ୍କୁ ସହରାଂଚଳରେ କ୍ୱାରାଂଟାଇନ୍ ଅଥୋରିଟି ଭାବେ ନିଯୁକ୍ତ କରାଯାଇଛି। ସେହିପରି ଗ୍ରାମାଚଂଳମାନଙ୍କରେ ଇନ୍‌ଷ୍ଟିଚ୍ୟୁସନାଲ କ୍ୱାରାଂଟାଇନ ଏବଂ ହୋମ୍ କ୍ୱାରାଂଟାଇନର ବ୍ୟବସ୍ଥା କରାଯାଇଛି ଏବଂ ସ୍ଥାନୀୟ ସରପଂଚମାନଙ୍କୁ କ୍ୱାରାଂଟାଇନ୍ ଅଥୋରିଟି ଭାବେ ଦାୟିତ୍ୱ ଦିଆଯାଇଛି। ଯଦି ବିନା ପଞ୍ଜିକରଣରେ କୌଣସି ବ୍ୟକ୍ତି ଜିଲ୍ଲାରେ ପ୍ରବେଶ କରନ୍ତି କିମ୍ବା ୧୪ ଦିନର ବାଧ୍ୟତାମୂଳକ ସଙ୍ଗରୋଧ ନିର୍ଦ୍ଦେଶନାମାକୁ ଅବମାନନା କରନ୍ତି ତେବେ ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲାକୁ ଆସିବାକୁ ଚାହୁଁଥିବା ଏବଂ କେନ୍ଦୁଝର ଜିଲ୍ଲାରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଜିଲ୍ଲା ନିୟନ୍ତ୍ରଣ କକ୍ଷରେ ଲ୍ୟାଣ୍ଡ୍ ଲାଇନ୍ ଫୋନ୍ ନମ୍ବର-୦୬୭୬୬-୨୫୫୪୯୫ ଏବଂ ମୋବାଇଲ ନମ୍ବର-୭୬୫୭୦୬୬୦୯୯ (ହ୍ୱାଟ୍‌ସ୍‌ଅପ୍ ନମ୍ବର) ଉପଲବ୍ଧ କରାଯାଇଛି। ଏତଦ୍‌ବ୍ୟତୀତ କେନ୍ଦୁଝର ଜିଲ୍ଲାରେ ରହିଥିବା ବାହାର ରାଜ୍ୟର ଶ୍ରମଜୀବୀ/ ବ୍ୟକ୍ତିବିଶେଷ ନିଜ ନିଜ ରାଜ୍ୟକୁ ଯିବା ପାଇଁ ଚାହୁଁଥିଲେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା ସହାୟତା କେନ୍ଦ୍ରରେ ପୂର୍ବାହ୍ନ ୧୦ ଘଟିକା ସମୟରୁ ଅପରାହ୍ନ ୦୫ ଘଟିକା ମଧ୍ୟରେ ନିର୍ଦ୍ଧାରିତ ଫର୍ମରେ ଆବଶ୍ୟକୀୟ କାଗଜାତ୍ ସହ ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ସରକାରୀ ତଥା ପଞ୍ଝାୟତ ସ୍ତରରେ ହୋଇଥିବା କ୍ୟୁରେଟାଂଇନ ଗୁଡିକରେ ସରକାରୀ ନିର୍ଦ୍ଦେଶ ଅନୁଶାରେ ସମସ୍ତ ପ୍ରସ୍ତୁତି ତଥା ସୁବିଧା ଆଦି ଉପଲବ୍ଧ କରାଯିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.