Home Coronavirus Outbreak ଫେସବୁକ ଲାଇଭରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଫେସବୁକ ଲାଇଭରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

61

ନୂଆ ଦିଲ୍ଲୀ ୪-୫ (ଓଡ଼ିଆ ପୁଅ) କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଫେସବୁକ୍‍ ଲାଇଭ ଯୋଗେ ଦେଶବାସୀ ତଥା ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ଆଲୋଚନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ଲୋକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି। ଦେଶରେ ଦେଖା ଦେଇଥିବା ବୈଶ୍ୱିକ ମହାମାରୀ କୋଭିଡ଼-୧୯ ପରିପ୍ରେକ୍ଷୀରେ ସବୁଆଡ଼େ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ମହାମାରୀ ବିରୋଧରେ ସଂଯମ ଓ ସଂକଳ୍ପର ସହ ଲଢ଼େଇ କରିବାକୁ ସେ ଦେଶ ତଥା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ଆଜି ପୂର୍ବାହ୍ଣ ୧୧ଟା ବେଳେ ଫେସବୁକ୍‍ ଜରିଆରେ ରାଜ୍ୟବାସୀଙ୍କ ସହ ଭାବ ବିନିମୟ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶର ୧୩୦ କୋଟି ଜନସାଧାରଣ ମହାମାରୀ କରୋନା ବିରୋଧରେ ସେମାନଙ୍କର ସଂଗ୍ରାମ ଜାରି ରଖିଛନ୍ତି। ଉତ୍ପନ୍ନ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜିଠାରୁ ତୃତୀୟ ପର୍ଯ୍ୟାୟ ଲକଡାଉନ୍‍ ଆରମ୍ଭ ହୋଇଛି। ତାହା ମେ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଲକଡାଉନର ସମସ୍ତ ନୀତି ନିୟମ ତଥା କଟକଣାକୁ ନିଷ୍ଠାର ସହ ପାଳନ କରିବା ନିମନ୍ତେ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ଲକଡାଉନ୍‍ ଦ୍ୱାରା ଲୋକମାନଙ୍କୁ କିଛି ମାତ୍ରାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କିନ୍ତୁ ତାହା ସେମାନଙ୍କର ତଥା ଦେଶର ହିତ ପାଇଁ ଏକାନ୍ତ ଜରୁରି। ତେଣୁ ସେମାନେ ସକାରାତ୍ମକ ମନୋଭାବର ସହ ଏଭଳି ନିଷେଧାଦେଶକୁ ପାଳନ କରିବା ଆବଶ୍ୟକ। ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରମାନେ ଏକ ମନରେ ଏବେ କରୋନା ବିରୋଧରେ ସେମାନଙ୍କର ସଂଗ୍ରାମ ଜାରି ରଖିଛନ୍ତି। କେବଳ କେନ୍ଦ୍ର ଓ ରାଜ୍ୟ ସରକାର ନୁହନ୍ତି, ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ ହିଁ ଏପର୍ଯ୍ୟନ୍ତ ଏଭଳି ମହାମାରୀକୁ ନିୟନ୍ତ୍ରଣରେ ରଖିଛି। ବିଶ୍ୱର ଅଧିକାଂଶ ସମ୍ପନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର ଆକାର ଧାରଣ କରିଥିବା ବେଳେ ଭାରତରେ ସେ ତୁଳନାରେ ସ୍ଥିତି ବେଶ ନିୟନ୍ତ୍ରଣାଧୀନ ରହିଛି। ଏପରିକି ଆମେରିକା ଭଳି ସମୃଦ୍ଧ ରାଷ୍ଟ୍ରରେ ସର୍ବାଧିକ ଲୋକ କରୋନା ପ୍ରଭାବରେ ମୃତ୍ୟୁବରଣ କରିଥିବା ସେ ସୂଚାଇଥିଲେ।

ଲକଡାଉନ ଯୋଗୁ ଲୋକମାନଙ୍କୁ ଅନେକ ଆହ୍ୱାନର ସାମନା କରିବାକୁ ପଡ଼ୁଛି। କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ସବୁ କ୍ଷେତ୍ରରେ ତାହା ପ୍ରତିଫଳିତ ହୋଇଛି। ଦେଶର ଆର୍ଥିକ କାର୍ଯ୍ୟକଳାପ ମଧ୍ୟ ଧୀର ମନ୍ଥର ହୋଇପଡ଼ିଛି। ସରକାର ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ଏହାର ମୁକାବିଲା କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଗତ ଦୁଇ ତିନିଦିନ ମଧ୍ୟରେ କିଛି ପ୍ରଶ୍ନ ଲୋକମାନଙ୍କ ମନରେ ସୃଷ୍ଟି ହୋଇଥିବା ସାମାଜିକ ଗଣମାଧ୍ୟମ ଆଦିରେ ଦେଖିବାକୁ ମିଳିବା ସଂପର୍କରେ ଅବତାରଣା କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ଏକ ବିଷମ ପରିସ୍ଥିତି ଦେଇ ସମସ୍ତେ ଗତି କରୁଛନ୍ତି। ତେଣୁ ଏଥିରେ କଷ୍ଟ ଓ ସମସ୍ୟା ରହିବା ସ୍ୱାଭାବିକ। ସେଥିପାଇଁ ସମସ୍ତଙ୍କୁ ସହଯୋଗର ମାନସିକତା ପ୍ରଦର୍ଶନ କରିବାକୁ ପଡ଼ିବ। କାରଣ ସର୍ବୋପରି ନାଗରିକଙ୍କ ଜୀବନ ରକ୍ଷା ଜରୁରି। ତେଣୁ ଏଭଳି ଏକ ମନ ଏକ ପ୍ରାଣ ହୋଇ ସଂଗ୍ରାମ ଜାରି ରଖିଲେ ଆମେ କୋଭିଡ଼ -୧୯କୁ ଅବଶ୍ୟ ଜିଣି ପାରିବା ବୋଲି ସେ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ।

ସେହିଭଳି ରାଜ୍ୟ ବାହାରେ ରହିଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଓଡ଼ିଶାକୁ ଫେରାଇ ଅଣାଯିବା ଉଚିତ କି ନୁହେଁ ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ଦୁର୍ଗତ ଲୋକମାନେ ଘରକୁ ଫେରିବାର ଆବଶ୍ୟକତା ରହିଛି। ସେମାନଙ୍କ ଫେରିବା ତଥା ସେମାନଙ୍କ ସ୍ୱାସ୍ଥ୍ୟର ସ୍ଥିତି ସଂପର୍କରେ ସରକାର ସଂପୂର୍ଣ୍ଣ ଅବଗତ ଅଛନ୍ତି। ଏହି ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ପୂର୍ଣ୍ଣ ସହଯୋଗରେ କାର୍ଯ୍ୟ କରୁଛନ୍ତି। ନିଜର ପ୍ରିୟଜନମାନଙ୍କ ପ୍ରତି କୌଣସି ପ୍ରକାର ଅସୂୟା ଭାବ ପ୍ରଦର୍ଶନ କରିବା ଉଚିତ ନୁହେଁ ବୋଲି ସେ କହିଥିଲେ। ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଧୈର୍ଯ୍ୟଧରି ସରକାରଙ୍କ ସହଯୋଗ କରିବା ପାଇଁ ସେ ନିବେଦନ କରିଥିଲେ।

କେଶବ କୁମାର ରାଉତରାୟ ନାମକ ଜନୈକ ସଫ୍ଟୱେୟର ଇଂଜିନିୟର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କୋଭିଡ଼ ପରବର୍ତ୍ତୀ ସମୟରେ ସେମାନଙ୍କ ଭଳି ଆଇଟି ପ୍ରଫେସନାଲମାନଙ୍କ ପାଇଁ କି ପ୍ରକାର ସୁଯୋଗ ରହିଛି ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଯେକୌଣସି ସମସ୍ୟା ସହ କିଛି ସୁଯୋଗ ଆସେ। ତାହାକୁ ଚିହ୍ନିବାକୁ ପଡ଼ିବ। କୋଭିଡ଼ ସାରା ଦୁନିଆରେ ଢ଼େର ପରିବର୍ତ୍ତନ ଆଣିବ। ବିଶ୍ୱର ଚିତ୍ର ବଦଳିଯିବ। ମଣିଷ ପ୍ରଯୁକ୍ତି ସହ ଅଧିକ ମାତ୍ରାରେ ଯୋଡ଼ି ହୋଇଯିବ। ଏହି ପରିପ୍ରେକ୍ଷୀରେ ସେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଅଞ୍ଚଳର ଗୋଟିଏ ଝିଅ କିଭଳି ତାର କମ୍ପ୍ୟୁଟରରେ ଏବେ ଅନ୍ୟମାନଙ୍କ ପାଇଁ ବ୍ୟାଙ୍କ କାରବାର ପାଇଁ ସୁବିଧା ସୃଷ୍ଟି କରିପାରିଛିି ତାହାର ଉଦାହରଣ ଦେଇଥିଲେ। ତେଣୁ ଇଞ୍ଜିନିୟରିଂ, ଆଇଟି ଏବଂ କମ୍ପ୍ୟୁଟରରେ ପାରଙ୍ଗମ ଥିବା ଯୁବକଯୁବତୀମାନଙ୍କ ପାଇଁ ପର୍ଯ୍ୟପ୍ତ ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ। ତାହା କୃଷି ଠାରୁ ନେଇ ବଜାର ପର୍ଯ୍ୟନ୍ତ ସର୍ବତ୍ର ଅନୁଭୂତ ହେବ।

ସୁକାନ୍ତ କୁମାର ମିଶ୍ର ନାମକ ଜନୈକ ପୋଷ୍ଟ ମାଷ୍ଟର, ଭାରତ ଏବଂ ଓଡ଼ିଶା ସରକାରଙ୍କର କୋଭିଡ଼ ମହାମାରୀ ନିୟନ୍ତ୍ରଣରେ କି ଭୂମିକା ନେଇଛନ୍ତି ବୋଲି ଜାଣିବାକୁ ଚାହିଁବାରୁ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସହଭାଗୀତାରେ କରୋନା ମହାମାରୀ ବିରୋଧରେ ଲଢ଼ୁଛନ୍ତି। ପ୍ରଥମ ଦିନରୁ ହିଁ ଏହି ଧାରା ଜାରି ରହିଛି। ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ବିଶ୍ୱାସକୁ ନେଇଛନ୍ତି। ତାଙ୍କ ଶକ୍ତି ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସାଢ଼େ ଚାରିକୋଟି ଓଡ଼ିଆଙ୍କ ସହଯୋଗ ଏ ଦିଗରେ ପ୍ରଶଂସନୀୟ ବୋଲି କହି ସେ ସମସ୍ତଙ୍କ ନିକଟରେ ଏଭଳି ସହଯୋଗ ସକାଶେ କୃତଜ୍ଞତା ଜ୍ଞାପନ କରିଥିଲେ।

ଭୁବନେଶ୍ୱରର କୁଶେଶ୍ୱର ବେଉରା ଅଭିଯୋଗ ବାଢ଼ିଥିଲେ ଯେ କ୍ୱାରେଌକ୍ଷଗ୍ଧ;ାଇନ ସେଌକ୍ଷଗ୍ଧ;ର ଠିକ ଭାବେ କାର୍ଯ୍ୟ କରୁନାହିଁ। ତାହାର ଉତ୍ତରରେ ଶ୍ରୀ ପ୍ରଧାନ କହିଲେ ଯେ ଆମ ପରିବାରରେ ମଧ୍ୟ ସବୁ କାମ ଠିକ ଭାବେ ଚାଲି ନଥାଏ। କେଉଁଠି କେମିତି ଭୁଲ ଭଟକାକୁ ଧରିବାର ଏହା ଅବସର ନୁହେଁ। ବରଂ ସକାରାତ୍ମକ ମନୋଭାବ ଓ ସହଯୋଗର ସହ ଏଭଳି ବିପଦକୁ ସାମନା କରିବାରେ ହିଁ ସମସ୍ତଙ୍କର ମଙ୍ଗଳ। ଏଥିପାଇଁ ଆମ ଚିନ୍ତାଧାରାକୁ ସକାରାତ୍ମକ କରିବାକୁ ହେବ ବୋଲି ସେ ପରାମର୍ଶ ଦେଇଥିଲେ।

ଯାଜପୁରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ବୋଲି ଅନ୍ୟ ଜଣେ ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଲେ ଯେ ଏବେ ଯାଜପୁର ରେଡ଼ ଜୋନରେ ରହିଛି। ସରକାର ସମସ୍ତଙ୍କ ପ୍ରତି ସମାନ ଦୃଷ୍ଟି ଦେଇ କାର୍ଯ୍ୟ କରୁଛନ୍ତି। ଲକ୍‍ ଡାଉନ କଟକଣାକୁ ଉଚିତ ଭାବେ ଅନୁପାଳନ ଏବଂ ସରକାରଙ୍କ ସହ ସହଯୋଗ ଦ୍ୱାରା ହିଁ ରୋଗୀମାନଙ୍କୁ ଚିହ୍ନଟ ଓ ଚିକିତ୍ସା କରାଯାଇ ଆରୋଗ୍ୟ କରିହେବ।

ସୋନପୁରର ଅଶୋକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏଭଳି ଲକଡାଉନ୍‍ ସମୟରେ ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି। ଗରିବ ଲୋକମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡପିଛା ମାସିକ ୫ କେଜି ଚାଉଳ ଓ ୧ କେଜି ଡାଲି ତିନିମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି। ଜନଧନ ଖାତାଧାରୀ ମହିଳାମାନଙ୍କ ଜମାଖାତାରେ ପ୍ରତିମାସରେ ୫୦୦ ଟଙ୍କା ଲେଖାଏଁ ଭରାଯାଉଛି। ସେହିଭଳି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗରିବ ଲୋକମାନଙ୍କୁ ୩ଟି ସିଲିଣ୍ଡର ମାଗଣାରେ ଦିଆଯାଉଛି। ଏହା ବ୍ୟତୀତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାଧାରୀମାନଙ୍କୁ ମଧ୍ୟ ୧୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯାଉଛି। ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ସରକାର ଦେଉଥିବା ସେ ସୂଚାଇଥିଲେ।

କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ତୈଳ ସଂକଟ ଉତ୍ପନ୍ନ ହୋଇଛି ବୋଲି ଅବତାରଣା କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ସେହି ପରିସ୍ଥିତିରୁ କିଭଳି ଫାଇଦା ନିଆଯାଇପାରିବ ସେ ଦିଗରେ ତାଙ୍କ ମନ୍ତ୍ରଣାଳୟ କାର୍ଯ୍ୟ କରୁଛନ୍ତି। ତେବେ ଭାରତ ସମେତ ସାରା ବିଶ୍ୱରେ ଏବେ ତୈଳ ଚାହିଦା ହ୍ରାସ ପାଇଛି। ଭାରତରେ ତୈଳ ଚାହିଦାରେ ୭୦% ହ୍ରାସ ଘଟିଛି। ତେଣୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନେ ସେମାନଙ୍କର ଉତ୍ପାଦନ କମାଇଛନ୍ତି। ଆମଦାନିକାରୀ ରାଷ୍ଟ୍ରମାନେ ମଧ୍ୟ ଆମଦାନି କରୁନାହାନ୍ତି। ଭାରତ ଏଭଳି ତୈଳଦର ହ୍ରାସ ବେଳେ ଷ୍ଟ୍ରାଟେଜିକ୍‍ ରିଜର୍ଭରେ ଅଧିକ ତୈଳ ମହଜୁଦ ରଖୁଛି। ଏପର୍ଯ୍ୟନ୍ତ ୭ ନିୟୁତ ମେଟ୍ରିକ ଟନ ଅଶୋଧିତ ତୈଳ କମ୍‍ ମୂଲ୍ୟରେ ଭାରତ କିଣି ସାରିଛି। ଏପରିକି ସମୁଦ୍ରରେ ଥିବା ଟ୍ୟାଙ୍କରରେ ସୁଦ୍ଧା ତୈଳ କିଣି ଭାରତ ରଖିଛି। ସେହିଭଳି କରୋନା ଜନିତ ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୮ କୋଟି ଲାଭାର୍ଥୀଙ୍କ ମଧ୍ୟରୁ ଏପ୍ରିଲ ମାସରେ ୪ କୋଟି ୫୦ ଲକ୍ଷଙ୍କୁ ମାଗଣା ସିଲିଣ୍ଡର ଯୋଗାଇ ଦିଆଯାଇଥିବା ସେ କହିଥିଲେ। ଦୈନିକ ଦେଶରେ ପ୍ରାୟ ୫୦ରୁ ୬୦ ଲକ୍ଷ ପର୍ଯ୍ୟନ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ବିଭିନ୍ନ ତୈଳ ବିତରକ କମ୍ପାନୀମାନଙ୍କ କର୍ମଚାରୀମାନେ ପହଞ୍ଚାଉଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ‘ଜାନ ହୈ ତୋ ଜହାନ ହୈ’ ଏବଂ ‘ଜାନ୍‍ ଭି ହୈ, ଔର ଜହାନ ଭି ହୈ’ର ଅବତାରଣା କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ସମଗ୍ର ପୃଥିବୀ ଏବେ ବଦଳୁଛି। ଦେଶ ବଦଳୁଛି, ରାଜ୍ୟ ମଧ୍ୟ ବଦଳୁଛି। ଅର୍ଥନୀତି, ବ୍ୟବସାୟ, ଲୋକ ସ୍ୱଭାବ ଓ ଚରିତ୍ର ତଥା ସମ୍ବେଦନଶୀଳତାରେ ଢ଼େର ପରିବର୍ତ୍ତନ ଆସିଛି। ତେଣୁ ଆମକୁ ସେହି ଅନୁସାରେ ଖାପ ଖୁଆଇ ପରିବର୍ତ୍ତନ କରିବା ଦ୍ୱାରା ହିଁ ସମୟର ଆହ୍ୱାନକୁ ସାମନା କରାଯାଇପାରିବ ବୋଲି ସେ କହିଥିଲେ।

ଓଡ଼ିଆ ଭାଇ ଭଉଣୀମାନେ ସେମାନଙ୍କର ସହଯୋଗ, ଶୃଙ୍ଖଳା ଏବଂ ଆଦର୍ଶ ଦ୍ୱାରା ସାରା ଦେଶ ଏବଂ ଦୁନିଆ ପାଇଁ ଏକ ନୂଆ ମାର୍ଗ ପ୍ରଦର୍ଶନ କରିବେ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶା ପୋଷଣ କରିଥିଲେ।

ରାଜ୍ୟ ବାହାରୁ ଆସୁଥିବା ଓଡ଼ିଆ ଭାଇ ଭଉଣୀଙ୍କ ସଂପର୍କରେ ପ୍ରତିକୂଳ ମନ୍ତବ୍ୟ ଦେବାରୁ ବିରତ ରହିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇ କହିଥିଲେ ଯେ ସେମାନେ ଆମର ଆତ୍ମୀୟସ୍ୱଜନ। ସେମାନଙ୍କ ଉପାର୍ଜନରେ ଆମ ରାଜ୍ୟର ଅର୍ଥନୀତି ସମୃଦ୍ଧ ହେଉଛି। ରାଜ୍ୟ ବାହାରୁ ଆସୁଥିବା ସବୁ ଓଡ଼ିଆ କରୋନା ସଂକ୍ରମିତ ନୁହନ୍ତି। ତେଣୁ ସେମାନଙ୍କର ଫେରିବା, ସ୍ୱାସ୍ଥ୍ୟ ପରୀକ୍ଷା କରିବା ଓ କ୍ୱାରେଌକ୍ଷଗ୍ଧ;ାଇନରେ ରଖିବାର ସବୁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଜନ ସହଯୋଗ ଆବଶ୍ୟକ ବୋଲି ସେ ନିବେଦନ କରିଥିଲେ।

ପରିଶେଷରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରିବା, ଲକଡାଉନର ନୀତି ନିୟମ ପାଳନ କରିବା, ମାସ୍କ ପିନ୍ଧିବା ଓ ତାହାକୁ ସାଇତି ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.