Home ଜିଲ୍ଲା ପରିକ୍ରମା ପୂର୍ବାନୁମାନ ସତ ହେଲା, ବର୍ଷାଧିକ କାଳ ଜଳ ନିଷ୍କାସନ ପଥ ମରାମତି ଅଭାବରୁ ବନ୍ୟାରେ ଧାମନଗର...

ପୂର୍ବାନୁମାନ ସତ ହେଲା, ବର୍ଷାଧିକ କାଳ ଜଳ ନିଷ୍କାସନ ପଥ ମରାମତି ଅଭାବରୁ ବନ୍ୟାରେ ଧାମନଗର ଉବୁଟୁବୁ

36

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ୟା ପ୍ଲାବିତ ନିର୍ବାଚନ ମଣ୍ଡଳୀ ଭାବେ ଜଣାଶୁଣା ଧାମନଗର ଏବେ ଚଳିତ ବନ୍ୟାରେ ବେହାଲ ହୋଇପଡିଛି । ଯଦିଓ ପ୍ରତିବର୍ଷ ବନ୍ୟା ଆସିଲେ ଏହାର ଅଧିକାଂଶ ଅଂଚଳ ବାସୀ ବିପନ୍ନ ହୋଇପଡନ୍ତି, ତେବେ ଏହି ବନ୍ୟା ପାଇଁ ମୁଖ୍ୟତଃ ଯେଉଁ ୫ଟି ଜଳ ନିଷ୍କାସନ ପଥ (ଏସ୍‌କେପ୍‌) ଦାୟୀ, ତାହାର ମରାମତି ଅଭାବରୁ ଚଳିତ ବନ୍ୟା ଏହି ନିର୍ବାଚନ ମଣ୍ଡଳୀକୁ କରିଛି ଅଧିକ କ୍ଷତିଗ୍ରସ୍ତ ବୈତରଣୀ ନଦୀର ଦୁଇଟି ଓ ଗେଙ୍ଗୁଟି ନଦୀର ୩ଟି ଜଳ ନିଷ୍କାସନ ପଥ ଦେଇ ବନ୍ୟା ଜଳ ନଦୀରୁ ଆସି ଧାମନଗର ଅଂଚଳକୁ ବନ୍ୟା ପ୍ଲାବିତ କରିଆସୁଛି । ମାତ୍ର ବିଭାଗୀୟ ଅଧିକାରୀ, ପ୍ରଶାସନ ଓ ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବ ସହ ଅପରାଗତା ପଣିଆ ଯୋଗୁଁ ଚଳିତବର୍ଷ ପ୍ରଥମ ବନ୍ୟାରେ ଧାମନଗର ଅଂଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏସ୍‌କେପ୍ ମରାମତି ଓ ସୁଦୃଢୀକରଣ ପାଇଁ ସରକାର ଅର୍ଥ ବ୍ୟୟ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ହେଲାନାହିଁ । ଯେଉଁଥିପାଇଁ ଏହି ବ୍ଲକ୍‌ର ୨୬ ପଂଚାୟତର ପ୍ରାୟ ଦେଢଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଚଳିତ ପ୍ରଥମ ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବାବେଳେ ଘରଦ୍ୱାର ଚାଷଜମି ରାସ୍ତାଘାଟ ନଷ୍ଟ ହୋଇଛି । ଏଥିସହିତ ୨ ଜଣଙ୍କର ଜୀବନ ମଧ୍ୟ ଯାଇଛି । ତେବେ ଏଥିପାଇଁ ଦାୟୀ କିଏ ତାହା ନେଇ ରାଜନୈତିକ ବ୍ୟକ୍ତିଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଚାଲିଛି । ଏଠାରେ ସୂଚନାଯୋଗ୍ୟ ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ହେଲେ ଧାମନଗର ଅଂଚଳ ଜଳାର୍ଣ୍ଣବ ହୁଏ । ଲୋକେ ଭୟଭୀତ ହୋଇପଡନ୍ତି ।

ନଦୀର ଉପର ମୁଣ୍ଡ କେନ୍ଦୁଝର ଜିଲାରେ ବର୍ଷା ହେଲେ ସର୍ବାଧିକ ୯୦ ପ୍ରତିଶତ ବର୍ଷାଜଳ ବୈତରଣୀ ନଦୀରେ ପ୍ରବାହିତ ହୋଇଥାଏ । ଫଳରେ ଏହି ନଦୀ ଫୁଲିବା ଆରମ୍ଭ କରି ବନ୍ୟା ପରିସ୍ଥିତି ସୃଷ୍ଟି ହଏ । ଧାମନଗର ଅଂଚଳରେ ଥିବା ୫ଟି ଜଳ ନିଷ୍କାସନ ପଥ (ଏସ୍‌କେପ୍‌) ଆଜିବି ମୁକୁଳା ପଡିଛି । ବୈତରଣୀ ନଦୀର ଉତ୍ତେଇପୁର ଠାରେ ମଲ୍ଲିମାହାରା ଓ ଷୋହଡା ପଂଚାୟତର ଗୌରାଙ୍ଗପୁରରେ ଜଳା ନିଷ୍କାସନ ପଥ ଥିବାବେଳେ ଗେଙ୍ଗୁଟି ନଦୀର କନକେଇ, ମଠମାହାରା ଓ ଗାଇଛନ୍ଦା ଭଳି ୫ଟି ଜଳ ନିଷ୍କାସନ ପଥ ରହିଛି । ପ୍ରତିବର୍ଷ ବନ୍ୟାରେ ଏହି ଜଳ ନିଷ୍କାସନ ପଥ ନଷ୍ଟଭ୍ରଷ୍ଟ ହେବା ପରେ ବିଭାଗ ପକ୍ଷରୁ ବାରମ୍ବାର ମରାମତି କାର୍ଯ୍ୟ କରାଯାଏ । ହେଲେ ଏସବୁ ଏସ୍‌କେପ୍‌ରେ ସ୍ଥାୟୀ କାର୍ଯ୍ୟ ନହେବାରୁ ଗତବର୍ଷ ବନ୍ୟାରେ ପଥର ଭାସିଯିବା ସହିତ ପ୍ରଖର ସ୍ରୋତରେ ନିଷ୍କାସନ ପଥ ଖୋଳିହୋଇ ନଷ୍ଟ ହୋଇଛି । ସମସ୍ତ ଏସ୍‌କେପ୍ ଗୁଡିକର ଉଚ୍ଚତା ବୃଦ୍ଧି ସହିତ ତା ଉପର ଫୁଟ୍ ବ୍ରିଜ୍ ପାଇଁ ସ୍ଥାନୀୟ ଲୋକେ ଦାବି କରୁଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ତାହା କରାଯାଇନାହିଁ । ଏହି ବ୍ଲକ୍‌ର ପଧାନୀ, ସୋହଡା, କରଦା, ଦଳାଙ୍ଗ, ଆନନ୍ଦପୁର, ଖଡିପଦା, ଦୋବଲ, ମୁସ୍ତାଫାପୁର, ହସନାବାଦ, ନଦୀଗାଁ, ଧୁଷୁରୀ, ଭଟ୍ଟସାହି, କୋଠାର, ବୟାଙ୍ଗଡିହ, ସାହାସପୁର, ପାଳସାହି, ରଇପୁର, ଅର୍ଜୁନପୁର, ବମକୁରା, ଅସୁରାଳି, ଗଢିଆଳି, ପାଳସାହି ଭଳି ଅଂଚଳବାସୀ ୪/୫ଦିନ ଧରି ଜଳବନ୍ଦୀ ଅବସ୍ଥାରେ ରୁହନ୍ତି । ଏସବୁ ନଦୀବନ୍ଧ ସୁଦୃଢୀକରଣ ଓ ଏସ୍‌କେପ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କାର୍ଯ୍ୟ ନିମ୍ନମାନର ଯୋଗୁଁ ବର୍ଷେ ମଧ୍ୟରେ ନଷ୍ଟ ହେଉଛି । କିଛିମାସ ତଳେ ଗୌରାଙ୍ଗପୁର ଓ ମଲ୍ଲିମାହାରା ଜଳ ନିଷ୍କାସନ ପଥର ମରାମତି ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ କାର୍ଯ୍ୟ କରାଯାଇଥିଲା । ହେଲେ କାମ ନିମ୍ନମାନର ଯୋଗୁଁ ଗତବନ୍ୟାରେ ତାହା ନଷ୍ଟ ହୋଇଯାଇଛି ।

ଗୌରାଙ୍ଗପୁର ମଲ୍ଲିମାହାରା ଜଳ ନିଷ୍କାସନ ପନଥରୁ ସବୁ ପଥର ବାହାରି ଯାଇଛି । ଗୌରାଙ୍ଗପୁର ଏସ୍‌କେପ ପାଶ୍ୱର୍ ପକ୍କା ପାଚେରୀ ମଧ୍ୟ ଚଳିତ ବନ୍ୟାରେ ଭୁଶୁଡି ପଡିଛି । ସେଥିରେ ବଡ ବଡ ଖାଲ ମଧ୍ୟ ସୃଷ୍ଟି ହୋଇଛି । ଏହି ପଥ ଦେଇ ବନ୍ୟା ଜଳ ଆସି ପ୍ରତିବର୍ଷ ଏହି ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ ମଧ୍ୟ ସମସ୍ତ ଏସ୍‌କେପ୍ ଗତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲେ ବି ମରାମତି ହୋଇନାହିଁ । ଗୌରାଙ୍ଗପୁର ଏସ୍‌କେପ୍ ଉପରେ ଫୁଟ୍‌ବ୍ରିଜ୍ ଓ ମରାମତି କାର୍ଯ୍ୟ ପାଇଁ ପ୍ରାୟ ୪ କୋଟି ୨୦ ଲକ୍ଷ ଓ ମଲ୍ଲିମାହରା ଏସ୍‌କେପ୍ ଉପରେ ଫୁଟ୍‌ବ୍ରିଜ୍ ଓ ସୁଦୃଢୀକରଣ ପାଇଁ ୬ କୋଟି ୮୫ ଲକ୍ଷ ଟଙ୍କା ସରକାରୀ ବ୍ୟୟବରଦ ହୋଇଛି । ଚଳିତ ବର୍ଷାଋତୁ ପରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଳସେଚନ ବିଭାଗ ଯନ୍ତ୍ରୀ ପ୍ରଦାନ କୁମାର ଦାସ ପ୍ରକାଶ କରିଛନ୍ତି । ଯାଜପୁର ଜିଲା ପାଶ୍ୱର୍ରେ ଗୋଟିଏ ବି ଏସ୍‌କେପ୍ ନଥିବାବେଳେ ଭଦ୍ରକ ଜିଲାରେ ୭ଟି ରହିଛି । ପଡୋଶୀ ଭଣ୍ଡାରିପୋଖରୀ ବ୍ଲକ୍‌ରେ ୨ଟି ଓ ଧାମନଗର ବ୍ଲକ୍‌ରେ ୫ଟି ଏସ୍‌କେପ୍ ଅଛି । ଯାଜପୁର ଜିଲାର ବିକାଶ ଓ ସୁରକ୍ଷା ଦେବାକୁ ଆମେ ବିରୋଧ କରୁନାହୁଁ, ମାତ୍ର ଭଦ୍ରକ ଜିଲାବାସୀ ସେଥିପାଇଁ ଯେଉଁ ବୃହତ୍ ଅସୁବିଧାର ସମ୍ମୁଖୀନ ହେବେ, ତାହା କଦାପି ବରାଦାସ୍ତ କରାଯିବ ନାହିଁ ବୋଲି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସାଧାରଣରେ ଏହିସବୁ ଏସ୍‌କେପକୁ ସରକାରୀ ଘାଇ ବୋଲି ଲୋକେ କହିଲେଣି । ଗତବର୍ଷ ବନ୍ୟା ପରେ ଏହାର ମରାମତି କାର୍ଯ୍ୟ ହେଲାନାହିଁ । ଏହି ଏସ୍‌କେପ ଗୁଡିକୁ ବନ୍ଦ କରିବା, ନଚେତ୍ ତାର ଉଚ୍ଚତା ବୃଦ୍ଧି ସହିତ ଫୁଟ୍‌ବ୍ରିଜ୍ ନିର୍ମାଣ ପାଇଁ ସେ ବିଧାନସଭାରେ ବହୁବାର ଦାବି କରିଛନ୍ତି । ମାତ୍ର ସରକାର ଭଦ୍ରକ ଜିଲାବାସୀଙ୍କ ପାଇଁ ଆନ୍ତରିକତା ଦେଖାଉନାହାଁନ୍ତି ବିଧାୟକ ଶ୍ରୀ ସୁରଜ କହିଛନ୍ତି । ବନ୍ୟା ଛାଡିବା ପରେ ମନ୍ତ୍ରୀ, ନେତା, ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଧାମନଗର ବନ୍ୟାଞ୍ଚଳକୁ ତୋଫାନି ଗସ୍ତ କରି ତାହାର ସମାଧାନ ଶୀଘ୍ର ହେବ ବୋଲି କହନ୍ତି । ମାତ୍ର ବାସ୍ତବରେ ତାର ଚିତ୍ର ଓଲଟା ଦେଖାଯାଇଥାଏ । ଏ ସମସ୍ତ ଏସ୍‌କେପ୍ ବନ୍ଦ ହେଲେ ଧାମନଗର ବନ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଆନନ୍ଦପୁର ପଂଚାୟତର ପୂର୍ବତନ ସରପଞ୍ଚ ବିଜୟ ଦାସ କହିଛନ୍ତି । ଏସ୍‌କେପର ସ୍ଥାୟୀ ସମାଧାନ ପାଇଁ ବିଭାଗ ଓ ସରକାର ଜାଣିଶୁଣି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାବେଳେ ପ୍ରତିବର୍ଷ ବନ୍ୟା ପରେ କେବଳ ମରାମତି ପାଇଁ କୋଟି କୋଟି ଟଙ୍କା ସରକାରୀ ଅର୍ଥ ଲୁଟିବା ପାଇଁ ଯୋଜନା ସିନା ତିଆରି ହୁଏ, ମାତ୍ର ଲୋକଙ୍କ ଦୁର୍ଦ୍ଦଶା ପ୍ରତି ସେମାନେ ଆଖି ବୁଜିଦେଇଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.