Home ଜିଲ୍ଲା ପରିକ୍ରମା ପୂର୍ବତଟ ରେଳବାଇର ଭଦ୍ରକ ଠାରେ ନୂତନ ରେଳ ଡିଭିଜନ କାର୍ଯ୍ୟାଳୟ ସ୍ଥାପନ ଓ ବିଭିନ୍ନ ରେଳଷ୍ଟେସନର...

ପୂର୍ବତଟ ରେଳବାଇର ଭଦ୍ରକ ଠାରେ ନୂତନ ରେଳ ଡିଭିଜନ କାର୍ଯ୍ୟାଳୟ ସ୍ଥାପନ ଓ ବିଭିନ୍ନ ରେଳଷ୍ଟେସନର ଉନ୍ନତି ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଠାରେ ଦାବି ରଖିଲେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ

51

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦକ୍ଷିଣ-ପୂର୍ବ ରେଳବାଇର ଭଦ୍ରକ ଠାରେ ନୂତନ ରେଳବାଇ ଡିଭିଜନର କାର୍ଯ୍ୟାଳୟ ସ୍ଥାପନ ପାଇଁ ସଂସଦ ଭବନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଲିଖିତ ପତ୍ର ମାଧ୍ୟମରେ ଦୃଢ ଦାବି ରଖିଛନ୍ତି ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ । ଏହି ଲିଖିତ ପତ୍ରରେ ସ୍ଥାନିତ ତଥ୍ୟ ଅନୁସାରେ ସ୍ୱାଧୀନତା ପୂର୍ବରୁ ୧୯୦୩ ମସିହାରୁ ସ୍ଥାପିତ ହୋଇଛି ଭଦ୍ରକର ପୁରାତନ ରେଳଷ୍ଟେସନ । ଜାତିର ପିତା ମହାତ୍ମାଗାନ୍ଧି ୧୯୨୧ ମସିହା ମାର୍ଚ୍ଚ ୨୫ ତାରିଖରେ ରେଳ ଯୋଗେ ଏହି ଷ୍ଟେସନରେ ଓହ୍ଲାଇ ଭଦ୍ରକ ସହରର ବିଭିନ୍ନ ଅଂଚଳ ଗସ୍ତକରି ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ମଧ୍ୟ ଦୁଇଥର ରେଳଯୋଗେ ଭଦ୍ରକ ଆସି ଏହି ଷ୍ଟେସନରେ ଓହ୍ଲାଇଥିଲେ । ଯେଉଁଥିପାଇଁ ଗାନ୍ଧିଙ୍କ ଭଦ୍ରକର ଆଗମନର ଶତ ବାର୍ଷିକୀ ଚଳିତବର୍ଷ ମାର୍ଚ୍ଚ ୨୫ ରେ ଭଦ୍ରକରେ ପାଳନ କରାଯାଇଥିଲା । ନୂତନ ଜିଲା ସୃଷ୍ଟି ହେବା ପରେ ଭଦ୍ରକ ହେଉଛି ଭାରତୀୟ ରେଳବାଇର ଅଗ୍ରଗତି କ୍ଷେତ୍ରରେ ଏକ ପ୍ରକୃଷ୍ଟ ସ୍ଥାନ । ଆଜିର ଦିନରେ ପୂର୍ବତଟ ରେଳବାଇର ଖୋର୍ଦ୍ଧା ରେଳ ଡିଭିଜନର ଅଧୀନରେ ଭଦ୍ରକ ରେଳ ଷ୍ଟେସନ ପରିଚାଳିତ । ଯାହା ବହୁ ସମୟର ପ୍ରଶାସନିକ ଏବଂ ଆର୍ଥିକ କ୍ଷେତ୍ରରେ ରେଳବାଇର ଅନେକ କ୍ଷତି ଘଟୁଛି । ଅତୀତରେ ଦକ୍ଷିଣ-ପୂର୍ବ ରେଳବାଇ ଅଧୀନରେ ଥିବା ସମୟରେ ଭଦ୍ରକ ରେଳଷ୍ଟେସନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଯାହା ଏକ ଜଂକସନ ଭାବେ ପରିଣତ ହୋଇ ରେଳ କୋଇଲା ଇଂଜିନର ଏକ ଲୋକମୋଟିଭ୍ କାରଖାନା ମଧ୍ୟ ଥିଲା । ପ୍ରାୟ ୨ ଶହ ଏକର ପରିମିତ ଜମି ମଧ୍ୟରେ ଭଦ୍ରକ ରେଳଷ୍ଟେସନ ଅବସ୍ଥିତ । ବର୍ତ୍ତମାନ ଭଦ୍ରକ ରେଳଷ୍ଟେସନ ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର ଓ ବାଲେଶ୍ୱର ଭଳି ୪ଟି ଜିଲାର ପେଣ୍ଠସ୍ଥଳୀ ।

ଆଦାନୀ ବନ୍ଦର, ଧାମରା, କଳିଙ୍ଗ ନଗର ଶିଳ୍ପାଞ୍ଚଳ, ଧାମନଗର ଛକଠାରେ ପ୍ରସ୍ତାବିତ ଟେକ୍ସଟାଇଲ୍ ପାର୍କ ଏବଂ ଧାମରା ଠାରେ ପ୍ରତିରକ୍ଷା ପ୍ରତିଷ୍ଠାନ ଓ ପୂର୍ବ ଭାରତର ଏଲ୍‌ଏଏନ୍‌ଜି ଟର୍ମିନାଲ ଯାହା ଭଦ୍ରକ ରେଳଷ୍ଟେସନକୁ ରେଳବାଇ କ୍ଷେତ୍ରରେ ସଂଯୋଗୀକରଣ କରିବାର ମୁଖ୍ୟ ଭୂମିକା ଗ୍ରହଣ କରିଛି । ରେଳବାଇର ରାଜସ୍ୱ ଆୟ କ୍ଷେତ୍ରରେ ଖୋର୍ଦ୍ଧା ଡିଭିଜନ ଅଧୀନରେ ଏହା ଦ୍ୱିତୀୟ ସ୍ଥାନରେ ଅଛି । ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ବୁଦ୍ଧିଜୀବୀ, ଓକିଲ ସଂଘ, ବ୍ୟବସାୟୀ ସଂଘ ଓ ଜନସାଧାରଣ ଦୃଢ ଭାବେ ଭଦ୍ରକ ଠାରେ ନୂତନ ଡିଭିଜନର କାର୍ଯ୍ୟାଳୟ ସ୍ଥାପନ ପାଇଁ ଦାବି ରଖିଆସୁଛନ୍ତି । ଏଣୁ ଭଦ୍ରକ ହେଉଛି ପୂର୍ବତଟ ରେଳବାଇ ଜୋନ୍‌ର ଦ୍ୱିତୀୟ ରେଳବାଇ ଡିଭିଜନର କାର୍ଯ୍ୟାଳୟ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ସାଂସଦ ଶ୍ରୀମତୀ ମଣ୍ଡଳ ମନ୍ତ୍ରୀଙ୍କୁ ବୁଝାଇଛନ୍ତି । ଏଥିସହିତ ଭଦ୍ରକ ସଂସଦୀୟ କ୍ଷେତ୍ର ଭଦ୍ରକ ଓ ବାଲେଶ୍ୱର ଜିଲାର ବିଭିନ୍ନ ରେଳଷ୍ଟେସନ ମଧ୍ୟରେ ସବିରା, ବାହାନଗା, ସେରୋ, ମାର୍କୋଣା, ରାଣୀତାଲ, କେନ୍ଦୁଆପଦା, ମଂଜୁରୀରୋଡ ଓ ଭଦ୍ରକ ରେଳଷ୍ଟେସନର ରେଳ ଓଭରବ୍ରିଜ୍ ନିର୍ମାଣ ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହ ଧାମରାକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ସେ ଆଲୋଚନା କରିଥିଲେ । ଏବଂ ଓଡ଼ିଶାରୁ ପୁରୀ-ଶିରିଡି-ସାଇନଗର ସାପ୍ତାହିକ ଯାତ୍ରୀବାହୀ ରେଳକୁ ସପ୍ତାହକୁ ୩ ଦିନ ଚାଲିବା ପାଇଁ ଲିଖିତ ଭାବେ ପ୍ରସ୍ତାବ ଦେଇ ଆଲୋଚନା କରିଥିଲେ । ଏବଂ ବାଉଦପୁର ରେଳଷ୍ଟେସନ ରାନ୍ଦିଆ ଠାରେ ଅବସ୍ଥିତ ଥିବାରୁ ତାହାକୁ ରାନ୍ଦିଆ-ବାଉଦପୁର ରେଳଷ୍ଟେସନ ନାମକରଣ ପାଇଁ ଜିଲା ପ୍ରଶାସନର ସୁପାରିଶ ଅନୁସାରେ କେନ୍ଦ୍ରମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ । ଏହି ପ୍ରସ୍ତାବଗୁଡିକରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ସାଂସଦଙ୍କୁ ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.