Home ଓଡ଼ିଶା ଧାନ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି ଓ ଏମଏସପିର ତୁରନ୍ତ ଆଇନଗତ ବ୍ୟବସ୍ଥା କରାଯାଉ...

ଧାନ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି ଓ ଏମଏସପିର ତୁରନ୍ତ ଆଇନଗତ ବ୍ୟବସ୍ଥା କରାଯାଉ : କଂଗ୍ରେସ

74

ଧାନ ଏମଏସପିରେ ୧୦୦ ଟଙ୍କା ବୃଦ୍ଧି ଚାଷୀଙ୍କ ପାଇଁ ଆଶ୍ୱସ୍ତି ନୁହେଁ
ଭୁବନେଶ୍ୱର, ୯/୬ (ଓଡ଼ିଆ ପୁଅ)- ଗତକାଲି କେନ୍ଦ୍ର ସରକାର ୨୦୨୨-୨୩ ଶସ୍ୟ ବିପଣନ ବର୍ଷ ପାଇଁ ୧୭ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିବା ବେଳେ ଏଥିରେ ଧାନ ଏମଏସପିରେ ଯେଉଁ ୧୦୦ଟଙ୍କା ବୃଦ୍ଧି କରିଛନ୍ତି, ତାହା ଚାଷୀଙ୍କ ପାଇଁ ଆଦୌ ଆଶ୍ୱସ୍ତିକର ନୁହେଁ। ଏଥିରେ ଓଡ଼ିଶା ଚାଷୀଙ୍କର କୌଣସି ଫାଇଦା ହେବ ନାହିଁ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। କାରଣ ଓଡ଼ିଶାର ଚାଷୀଙ୍କୁ ଏକ କ୍ୱିଣ୍ଟାଲ ଧାନ ଉତ୍ପାଦନ ପାଇଁ ୨୩୪୪ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ କେନ୍ଦ୍ର ସରକାର ଯେଉଁ ୨୦୪୦ ଟଙ୍କା ଏମଏସପି ରଖିଛନ୍ତି ଏଥିରେ ଚାଷୀର ପ୍ରତି କ୍ୱିଣ୍ଟାଲରେ ୩୦୪ଟଙ୍କା କ୍ଷତି ହେଉଛି। ଓଡ଼ିଶା ଧାନ ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟ। ଏଥି ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କା ରଖିବାକୁ ୨୦୧୭ ମାର୍ଚ୍ଚ-୨୫ରେ ବିଧାନସଭାରେ ଏକ ସଂକଳ୍ପ ପାରିତ କରାଯାଇଥିଲା। ଏମଏସ୍‌ପି ବଢ଼ାଇବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ବାରମ୍ବାର ଚିଠି ଲେଖିବା ସତ୍ତ୍ୱେ ଏ ଦିଗରେ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର କର୍ଣ୍ଣପାତ କଲେ ନାହିଁ। ୨୦୧୪ରେ ଖୋଦ୍ ପ୍ରଧାନମନ୍ତ୍ରୀ ସ୍ୱାମୀନାଥନ୍ କମିଟି ସୁପାରିଶ ଆଧାରରେ କୃଷିଜାତ ଦ୍ରବ୍ୟର ଦେଢ଼ଗୁଣା ବୃଦ୍ଧି କରାଯିବା ପାଇଁ ଘୋଷଣା କରିଥିବା ବେଳେ ବର୍ତ୍ତମାନ ଚାଷୀଙ୍କୁ ଲାଭ ଦେବା ତ ଦୂରର କଥା, ଚାଷରେ ବିନିଯୋଗ କରୁଥିବା ଖର୍ଚ୍ଚର ମୂଲ୍ୟ ମଧ୍ୟ ଦିଆଯାଉ ନାହିଁ। ଏପରିସ୍ଥଳେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣ ହେବ କିପରି? ପଡ଼ୋଶୀ ଛତିଶଗଡ଼ ସରକାର ଧାନରେ ପ୍ରତି କ୍ୱିଣ୍ଟାଲ ପିଚ୍ଛା ଚାଷୀଙ୍କୁ ୫୦୦ ଟଙ୍କା ବୋନସ ଦେଉଥିବା ବେଳେ ରାଜ୍ୟ ସରକାର ଚାଷୀର କ୍ଷତି ଭରଣା ପାଇଁ କାହିଁକି ସେହି ଅନୁପାତରେ ୫ଶହ ଟଙ୍କା ବୋନସ୍ ଦେଉନାହାନ୍ତି? ଖୋଦ୍ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହେଲା ଚାଷୀ ସମାବେଶରେ ଚାଷୀଙ୍କୁ କ୍ୱିଣ୍ଟାଲ ପିଚ୍ଛା ୧୦୦ ଟଙ୍କା ବୋନସ ଦେବା କହିଥିବା କଥା ଗଲା କୁଆଡ଼େ? ଚାଷୀମାନଙ୍କୁ ସବୁ ଫସଲରେ କିପରି ଏମଏସପି ମିଳିପାରିବ ସେ ନେଇ ରାଜ୍ୟ ସରକାର ପ୍ରସ୍ତାବ ରଖିବା କଥା। ଏବେ ମଧ୍ୟ ଓଡ଼ିଶାରେ ଚାଷୀ ଧାନରେ ନିର୍ଦ୍ଧାରିତ ଏମଏସପି ପାଉନାହାନ୍ତି। ଫଳରେ ୧୧ଶହ ୧୨ଶହ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ମୋଟାମୋଟି ଉପରେ ଚାଷୀଙ୍କ ଲାଭ ପାଇଁ କେନ୍ଦ୍ର ସରକାର ଏମଏସପିରେ ଆଇନଗତ ବ୍ୟବସ୍ଥା ଓ ଧାନ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ। ଅନ୍ୟ ପକ୍ଷରେ କେନ୍ଦ୍ର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ନ କରିବା ପର୍ଯ୍ୟନ୍ତ ଓଡ଼ିଶା ସରକାର କ୍ୱିଣ୍ଟାଲ ପିଚ୍ଛା ଧାନରେ ୫୦୦ଟଙ୍କା ବୋନସ ଦେବାକୁ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.