Home କେନ୍ଦ୍ରାପଡ଼ା ତୈଳ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି ପ୍ରତିବାଦରେ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ...

ତୈଳ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି ପ୍ରତିବାଦରେ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଧାରଣା

178

କେନ୍ଦ୍ରାପଡା ୩/୭( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନବିରୋଧୀ ଆଇନ ଏବଂ ତୈଳ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦରଦାମ ବୃଦ୍ଧିର ପ୍ରତିବାଦରେ ଦେଶବ୍ୟାପି ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଧାରଣା ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଆଇଏନଟିୟୁସି, ଏଆଇସିଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁର ମିଳିତ ଧାରଣା ଅନୁଷ୍ଠିତ ହୋଇଯାଇଛି। କୋଭିଡ-୧୯ ବିଶ୍ୱ ବ୍ୟାପି କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପରିଣାମଦର୍ଶି ନିଷ୍ପତି ପାଇଁ ସମଗ୍ର ଭାରତ ବର୍ଷର ଜନସାଧାରଣ କରୋନା ମହାମାରିରେ ଆକ୍ରାନ୍ତ ହୋଇ ସାରିଲେଣି, ଦେଶର କୋଟି କୋଟି ଜନତା କରୋନା କବଳରୁ ମୁକ୍ତି ପାଇବା ପାଇଁ ଆର୍ତ ଚିତ୍କାର କରୁଥିବା ବେଳେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରବରିଆ, ଏକତରଫା, ଅହଙ୍କାରି ନିଷ୍ପତି ଯୋଗୁ ଦେଶର କରୋନା ବିରୋଧରେ ଲଢେଇ କରୁଥିବା କେତେକ ଡାକ୍ତର, ନର୍ସ, ପୋଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ ଏପରିକି ସୀମାନ୍ତରେ ଦେଶ ରକ୍ଷା ପାଇଁ ଜାଗ୍ରତ ପ୍ରହରି ଭଳି କାର୍ଯ୍ୟ କରୁଥିବା ସେନାବାହିନୀ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇ ଅକାଳରେ ପ୍ରାଣ ହରାଇ ସାରିଲେଣି। ବାରମ୍ବାର ଲଗାତର ଭାବରେ ଲକ ଡାଉନ ଓ ସଟଡାଉନ ମାସ ମାସ ଧରି ଜାରି ରହିବା ଫଳରେ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ଦୀର୍ଘ ଅବଧିର ଲକଡାଉନ ଓ ସଟଡାଉନ ଯୋଗୁ ବିଭିନ୍ନ ସାମଗ୍ରୀର ଉତ୍ପାଦନ ବନ୍ଦ ହୋଇଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର, ପନିପରିବା, ମାଛ, ମାଂସ ଓ ଅଣ୍ଡାର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଲୋକ ତ୍ରାହି ତ୍ରାହି ଡାକ ଛାଡିଲେଣି। ଗତ ମାସକ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ବୃଦ୍ଧି କରିବାରୁ ମାଲ ପରିବହନ ଓ ଯାତ୍ରୀ ପରିବହନରେ ଘୋର ବାଧାପ୍ରାପ୍ତ ହେବା ସହିତ ଜିନିଷପତ୍ର ଆମଦାନି ଓ ରତ୍ପାନୀ ହ୍ରାସ ପାଇ ପ୍ରତ୍ୟେକ ଜିନିଷପତ୍ରର ଦର ଅତ୍ୟଧିକ ବୃଦ୍ଧି ପାଇ ସାଧାରଣଜନତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ଯନ୍ତ୍ରଣା ଦାୟକ ହୋଇଛି। ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଶ୍ରମ ସଂଗଠନ ଓ ସ୍ୱାଧୀନ ଫେଡେରେସନ ଗୁଡିକ ସମସ୍ୟାର ଆଶୁ ପ୍ରତିକାର ନିମନ୍ତେ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରିଥିଲେ। ଦାବି ଗୁଡିକ ମଧ୍ୟରେ ୧୯୪୮ମସିହାରେ ଆନ୍ତର୍ଜାତୀୟ ଶ୍ରମ ଆଇନ ସମ୍ମତ ଦୈନିକ ଶ୍ରମ ସମୟ ନିର୍ଘଂଟ ୮ଘଂଟାକୁ ପରିବର୍ତ୍ତନ କରି ୧୨ଘଂଟା କରିବା କଳା ଆଇନକୁ ପ୍ରତ୍ୟାହାର କରାଯିବା, ଏକମାସ ମଧ୍ୟରେ ହୁ ହୁ ହୋଇ ବଢୁଥିବା ପେଟ୍ରୋଲ ଓ ଡିଜେଲ ଦର ତୁରନ୍ତ ହ୍ରାସ କରାଯିବା, ଆୟକର ପରିସରଭୁକ୍ତ ହୋଇନଥିବା ପ୍ରତ୍ୟେକ ପରିବାରକୁ ମାସକୁ ୭ହଜାର ୫ଶହ ଟଙ୍କା ଲେଖାଁଏ ସହାୟତା ରାଶି ଅନୁନ୍ୟ ୬ମାସ ପାଇଁ ଯୋଗାଇ ଦିଆଯିବା, ୪ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୮ଲକ୍ଷ ରାଜ୍ୟ ପେନସନଧାରୀଙ୍କ ମହଙ୍ଗା ଭତ୍ତା ତୁରନ୍ତ ପ୍ରଦାନ କରାଯିବା, ବନ୍ଦ ହୋଇଥିବା ଓ ରୁଗଣ ଅବସ୍ଥାରେ ଥିବା କ୍ଷୁଦ୍ର ଲଘୁ ଓ ମଧ୍ୟମ ଉଦ୍ୟୋଗ ଗୁଡିକର ପୁର୍ନଉଦ୍ଧାର କରାଯାଇ ଜୀବିକା ହରାଇଥିବା ଶ୍ରମିକ କର୍ମଚାରୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବା, ଶ୍ରମିକମାନଙ୍କ ସ୍ୱାର୍ଥକୁ ବଳି ପକାଇ କର୍ପୋରେଟ ସ୍ୱାର୍ଥ ରକ୍ଷା ପାଇଁ ସଂଶୋଧିତ ଆଇନକୁ ବାତିଲ କରାଯିବା, ସମସ୍ତ ଶ୍ରମିକମାନଙ୍କୁ ମନରେଗା ଯୋଜନାରେ ବର୍ଷକୁ ୨ଶହଦିନର କାର୍ଯ୍ୟ ଦିବସ ଯୋଗାଇ ଦେବାର ଗ୍ୟାରେଂଟି ଦିଆଯିବା, ସମସ୍ତ ସ୍କିମ କର୍ମଚାରୀମାନଙ୍କୁ ମାସିକ ଦରମା ଓ ଚାକିରୀରେ ସର୍ତ ପ୍ରଦାନ କରାଯିବା, ଜିଲ୍ଲାର ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ କରୋନା ଆର୍ଥିକ ସହାୟତା ଯୋଗାଇ ଦିଆଯିବା, କୋଭିଡ-୧୯ ସମୟ ମଧ୍ୟରେ ମୃତ୍ୟୁବରଣ କରୁଥିବା ପ୍ରବାସୀଶ୍ରମିକ ଓ କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୁରଣ ଦିଆଯିବା। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି ଶ୍ରମିକ, କୃଷକ ଜନ ବିରୋଧୀ ଓ ଦେଶ ବିରୋଧୀ ନୀତି ପ୍ରତ୍ୟାହାର ବା ସଂଶୋଧନ ନକଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଗଠନ ଗୁଡିକ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏହି ଧାରଣା କାର୍ଯ୍ୟକ୍ରମରେ ବରିଷ୍ଠ ଶ୍ରମିକ ନେତା ଫକିର ଚରଣ ଖଟୁଆ, ଉମେଶ ଚନ୍ଦ୍ର ସିଂ, କୃଷ୍ଣ ଚନ୍ଦ୍ର ରାଉତ, ବାବାଜୀ ଧଳ, ବସନ୍ତ କୁମାର ସେଠୀ, ଜଗତଜୀବନ ଦାଶ, ବିଧୁଭୂଷଣ ମହାପାତ୍ର, ରମଣୀରଞ୍ଜନ ରାଉତରାୟ, ମହେନ୍ଦ୍ର କୁମାର ପରିଡା, ଗଦାଧର ମଳିକ, ପରମେଶ୍ୱର ପାତ୍ର, ଧନେଶ୍ୱର ରାଉତ, ପ୍ରକାଶ ପରିଜା, ଅଶୋକ ଲେଙ୍କା, ପୂର୍ଣ୍ଣଚନ୍ଦ୍ର ଭଦ୍ର, ମାନସ କୁମାର ଜେନା, ଗୟାଧର ଧଳ, ସୁହାନା ବେଗମ, ମାଧବ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.