Home ଜିଲ୍ଲା ପରିକ୍ରମା ଜିଲାରେ ସ୍ୱାସ୍ଥ୍ୟବୀମା ଯୋଜନା ବାଟବଣା : ୨୯ ଜିଲାରେ ଚାଲିଛି, ଭଦ୍ରକ ବାଦ୍‌

ଜିଲାରେ ସ୍ୱାସ୍ଥ୍ୟବୀମା ଯୋଜନା ବାଟବଣା : ୨୯ ଜିଲାରେ ଚାଲିଛି, ଭଦ୍ରକ ବାଦ୍‌

158

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୋକେ କାହାକୁ କହିବେ ଶୁଣିବ କିଏ? ସମସ୍ତେ ଘୋଷଣାରେ ବ୍ୟସ୍ତ । କିନ୍ତୁ କାର୍ଯ୍ୟକାରୀ ହେଉନି ସରକାରଙ୍କ ଗରିବ ଯୋଜନା । ଯେଉଁଥିପାଇଁ ଭଦ୍ରକ ଜିଲାରେ ସ୍ୱାସ୍ଥ୍ୟ ବୀମା ଯୋଜନା ବାଟମଣା ହୋଇଯାଇଛି । ଲୋକମାନଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ହଜିଗଲେ ଜିଲା ମୁଖ୍ୟ ଚିକିତ୍ସାଳୟରେ ମିଳିବା କଥା । କିନ୍ତୁ ଦୁର୍ଭାଗ୍ୟର ବିଷୟ, ତାହା କାହାକୁ ମିଳୁନି । ସରକାରଙ୍କର ଭଦ୍ରକ ଜିଲା ପ୍ରତି ପାତର ଅନ୍ତର କଣ ପାଇଁ । କାରଣ ରାଜ୍ୟରେ ୩୦ଟି ଜିଲାରୁ ୨୯ଟି ଜିଲାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିଲା ବେଳେ ଭଦ୍ରକ କାହିଁକି ନୁହେଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଗ୍ରିମେଣ୍ଟ ଅନୁସାରେ ରୋଗୀ ଚିକିତ୍ସା ହୋଇ ସାରିବାର ୩୦ ଦିନରେ ଚିକିତ୍ସାଳୟକୁ ତାର ପ୍ରାପ୍ୟ ମିଳିବା କଥା । ବିଡମ୍ବନା ହେଲା ଭଦ୍ରକ ଜିଲାରେ ୨୦୧୯ ଜୁଲାଇରୁ ବାକି ପଇସା ଗଡି ଗଡି ଚାଲିଛି । ଅନ୍ୟପକ୍ଷରେ ରେଫର ଓ ରିଜର୍ଭ ନୋଟିସ୍‌କୁ ନେଇ ଦ୍ୱନ୍ଦ୍ୱ ରୋଗୀମାନଙ୍କ ମଧ୍ୟରେ ରହିଛି ଯେ ତାହା ଏଯାଏଁ ଖୁଲାସା ହେଉନି । ରାଜ୍ୟ ହେଲ୍‌ଥ ଇନ୍ସ୍ୟୁରାନ୍ସ ସୋସାଇଟି ଦାୟିତ୍ୱ ନେବା ପରେ ବିନା କାରଣରେ ବେସରକାରୀ ଚିକିତ୍ସା ଅନୁଷ୍ଠାନର ବହୁ କ୍ୱେମ୍ କାଟି ଦିଆଯାହଇଛି । ଯାହା ପାଇଁ ବେସରକାରୀ ଚିକିତ୍ସା ଅନୁଷ୍ଠାନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଦେଖିଲେ ଚିକିତ୍ସା କରିବାକୁ ପଛଘୁଞ୍ଚା ଦେଉଛନ୍ତି । ରାଜ୍ୟ ଭିତରେ ଅବସ୍ଥା ଯଦି ଏହିପରି ତେବେ ରାଜ୍ୟ ବାହାରେ ସରକାର ଅନୁବନ୍ଧିତ କରିଥିବା ବେସରକାରୀ ଚିକିତ୍ସା ଅନୁଷ୍ଠାନ କି ସେବା ଯୋଗାଇ ଦେଉଛନ୍ତି, ତାହା ବି ସନ୍ଦେହ । ଭଦ୍ରକ ଜିଲାରେ ରୋଗୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଥିଲେ ମଦ୍‌ୟ ଚିକିତ୍ସା ପାଇଁ ହାତରୁ ଖର୍ଚ୍ଚାନ୍ତ ହେଉଛନ୍ତି । ତଥ୍ୟ ଅନୁସାରେ ୨୦୨୦ ମାର୍ଚ୍ଚ ମାସ ଠାରୁ ବୀମା ଠପ୍ ହୋଇଯାଇଛି । ଏହି ସୁବିଧା ବେସରକାରୀ ଡାକ୍ତରଖାନା ମାନଙ୍କରେ ଚିକିତ୍ସିତ ହେଉଥିବା ଗରିବ ରୋଗୀଙ୍କ ପାଇଁ ଉପଲବ୍ଧ ଥିବାରୁ ସରକାରଙ୍କ ଚିଠି ମୁତାବକ ଭଦ୍ରକ ଜିଲାରେ ୧୨ଟି ବେସରକାରୀ ଡାକ୍ତରଖାନାକୁ ଚିକିତ୍ସା ସୁବିଧା ଦେବା ପାଇଁ ଅନୁମତି ମିଳିଥିଲା । ୨୦୨୦ ରେ ସେଥିରୁ ଚାନ୍ଦବାଲିରେ ଥିବା ବିନାୟକ ନର୍ସିଂ ହୋମ୍‌କୁ ବାଦ ଦେଇ ବାକି ୧୧ଟି ବେସରକାରୀ ଡାକ୍ତରଖାନାକୁ ଅନୁମତି ଦେବାକୁ ରାଜ୍ୟରୁ ନିର୍ଦ୍ଦେଶ ହେଲା । କିନ୍ତୁ କେବଳ ସାଇ ନର୍ସିଂହୋମ୍‌କୁ ଛାଡି ବାକି ୧୦ଟିକୁ ଆଜିଯାଏଁ ଅନୁମତି କି ସୁବିଧା ମିଳୁନି । ସରକାରଙ୍କ ଘୋଷଣା ଅନୁଯାୟୀ ଚିକିତ୍ସା ସୁବିଧା ଯୋଗାଉଥିବା ବେସରକାରୀ ଡାକ୍ତରଖାନା ଗୁଡିକୁ ୨୦୧୯ ଜୁଲାଇରୁ ପାଉଣା ମିଳୁନି । ସୂଚନାଯୋଗ୍ୟ ଯେ ୨୦୧୮ ଅକ୍ଟୋବର ୩୧ ତାରିଖ ସୁଦ୍ଧା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ଶେଷ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିବା ପରେ ଏହାର ସମୟସୀମା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

 

 

୨୦୧୮ ଡିସେମ୍ବର ୩୧ ତାରିଖ ପରେ ଏହାର ଅବଧି ସରିଯାଇଥିବାରୁ ଏହି କାର୍ଡ ସାମୟିକ ସମୟ ପାଇଁ ଅଚଳ ଥିଲା ପରେ ରିନ୍ୟୁ ହେଲା । ଜଣାଯାଏ ଯେ ରାଜ୍ୟ ସରକାର ବିଜୁ କୃଷକ କଲ୍ୟାଣ ଯୋଜନା ଏସ-୧ କାର୍ଡ ପ୍ରଚଳନ କଲେ । ଏହି କାର୍ଡ ପିଛା ବାର୍ଷିକ ପ୍ରିମିୟମ୍ ସରକାର ୨୮୧ ଟଙ୍କା ଲେଖାଏଁ ଡିପୋଜିଟ୍ କରୁଥିଲେ । ଭଦ୍ରକ ଜିଲାରେ ଏହି କାର୍ଡର ସଂଖ୍ୟା ୧ ଲକ୍ଷ ୬ ହଜାର ୨୧୦ ଗୋଟି । ଏହି କାର୍ଡ ବଳରେ ରୋଗୀ ୧ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ କରାଗଲା ୨୦୧୩ ଡିସେମ୍ବର ୧ ତାରିଖରେ । ଏହାର ଅବଧି ୧ ବର୍ଷ ରହିଥିଲା । କିନ୍ତୁ ୨୦୧୪ ରେ ନୂଆ ସରକାର କେନ୍ଦ୍ରରେ ଆସିବା ପରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାକୁ ଦୁଇ ମାସିଆ ଓ ତିନି ମାସିଆ ଏକ୍ସଟେନସନ୍ ପ୍ୟାଚ୍ ପକା କାମରେ ସମୟ ଗଡାଗଲା । ବାରମ୍ବାର ପ୍ୟାଚ୍ ପକାଯାଇ ୨୦୧୮ ଡିସେମ୍ବର ୩୧ ରେ ସଂପୂର୍ଣ୍ଣ ବନ୍ଦ ହୋଇଗଲା । ଭଦ୍ରକ ଜିଲାର ୧୧ଟି ଘରୋଇ ଓ ୭ଟି ସରକାରୀ ଡାକ୍ତରଖାନା ସମେତ ରାଜ୍ୟରେ ଏହି ଯୋଜନା ପାଇଁ ପଂଜିକୃତ ସମସ୍ତ ଘରୋଇ ଓ ସରକାରୀ ଡାକ୍ତରଖାନାରେ ଏବେ ଏହି ଯୋଜନା ଠପ୍ ହୋଇଯାଇଛି । ଅନ୍ୟପକ୍ଷରେ ଏହି ସମସ୍ୟାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ୨୦୧୯ ଜାନୁଆରୀ ୧ ତାରିଖ ଠାରୁ ବିଜୁ କୃଷକ କଲ୍ୟାଣ ଯୋଜନା ଏସ-୨ କାର୍ଡ ପ୍ରଚଳନ କଲେ । କାରଣ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାରେ କେନ୍ଦ୍ର ଦେଉଥିଲେ ୩୦ ହଜାର ଟଙ୍କା ଓ ରାଜ୍ୟ ଦେଉଥିଲେ ୭୦ ହଜାର ଟଙ୍କା । ଡିସେମ୍ବର ୩୧ ରୁ କେନ୍ଦ୍ର ଏହାକୁ ବନ୍ଦ କରିଦେବା ପରେ ରାଜ୍ୟ ସରକାର ଏହାକୁ ଏସ-୨ କାର୍ଡ ନାମରେ ନାମିତ କରି ସଂପୂର୍ଣ୍ଣ ୧ ଲକ୍ଷ ଟଙ୍କା ଦେବାକୁ ଘୋଷଣା ଓ ନିର୍ଦ୍ଦେଶ ଦେଲେ । ବିଡମ୍ବନା ହେଲା ୨୦୧୯ ଜୁଲାଇ ଠାରୁ ଭଦ୍ରକ ଜିଲାରେ ବେସରକାରୀ ଡାକ୍ତରଖାନା ପାଉଣା ପାଇନଥିବାବେଳେ ଏବେ ଏହା ସଂପୂର୍ଣ୍ଣ ଠପ୍ ହେବାକୁ ବସିଛି । ଭଦ୍ରକ ଜିଲାରେ ଭୂମିକା ହସ୍‌ପିଟାଲ, ବିନାୟକ ନର୍ସିଂହୋମ୍‌, ଚିରାଗ ହସ୍‌ପିଟାଲ, ଓମସାଇ ହସ୍‌ପିଟାଲ, ପାଢୀ ହେଲଥ୍ କେୟାର, ସାଇ ଭରଦ୍ୱାଜ ହସ୍‌ପିଟାଲ, ସାଇ ନର୍ସିଂହୋମ୍‌, ଶ୍ରୀରାମ ହସ୍‌ପିଟାଲ, ଶୁଭମ୍ ହେଲଥ୍ କେୟାର, ଉମାଶଙ୍କର ହେଲଥ୍ କେୟାର, ସାଳନ୍ଦୀ ନର୍ସିଂହୋମ୍ ଓ ପାଣିଗ୍ରାହୀ ହେଲଥ୍ କେୟାର ପ୍ରମୁଖ ଥିଲା । ଏବେ କେବଳ ସାଇ ନର୍ସିଂହୋମ୍ କାମ କରୁଛି । ବୀମା କଂପାନୀ ଠକାଇ ଚାଲିଛି । ସରକାର ଓ ପ୍ରଶାସନ ବୁଝିବ ବୁଝିବ କିଛି ବୁଝୁନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.