Home ଜିଲ୍ଲା ପରିକ୍ରମା ଖାଦ୍ୟ ନିରାପତ୍ତା ଲାଇସେନ୍ସ, ପଞ୍ଜିକରଣ ଓ ଧରପଗଡ଼ ଉପରେ ଗୁରୁତ୍ୱାରୋପ, ଜିଲ୍ଲା ସ୍ତରୀୟ ଆଡ଼ଭାଇଜରୀ କମିଟି...

ଖାଦ୍ୟ ନିରାପତ୍ତା ଲାଇସେନ୍ସ, ପଞ୍ଜିକରଣ ଓ ଧରପଗଡ଼ ଉପରେ ଗୁରୁତ୍ୱାରୋପ, ଜିଲ୍ଲା ସ୍ତରୀୟ ଆଡ଼ଭାଇଜରୀ କମିଟି ବୈଠକ

11

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ସହରାଞ୍ଚଳ, ଗ୍ରାମାଞ୍ଚଳ ମାନଙ୍କରେ ଥିବା ଛୋଟ ମଧ୍ୟମ, ବଡ଼ ହେଟେଲ, ରେଷ୍ଟୁରାଣ୍ଟ, ହାଟ, ବଜାର, ରାସ୍ତାପାଶ୍ୱର୍, ମେଳାମଉଚ୍ଛୁକ ଆଦିରେ ଖାଦ୍ୟ ବ୍ୟବସାୟ ହେଉଥିବା ସ୍ଥାନରେ ଖାଦ୍ୟ ନିରାପତ୍ତା ସୁରକ୍ଷା ପାଇଁ ଜିଲ୍ଲାସ୍ତରୀୟ ଆଡ଼ାଭାଇଜରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଜୁମ୍ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ଖାଦ୍ୟ ନିରାପତ୍ତା ପାଇଁ ବାସିଖାଦ୍ୟ, ଅପମିଶ୍ରଣଯୁକ୍ତ ତଥା କୃତ୍ରିମ ନିଷିଦ୍ଧ ରଙ୍ଗଯୁକ୍ତ ଖାଦ୍ୟ ଧରପଗଡ଼ ସହ ଖାଦ୍ୟ ନିରାପତ୍ତା ଲାଇସେନସ୍ ଓ ପଞ୍ଜିକରଣ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଆସନ୍ତା ପାର୍ବଣ ଋତୁରେ ଏହି ଧରପଗଡ଼, ଜୋରିମାନା ଆଦାୟ ଆଦି ଦିଗରେ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ଅଧିକ ସକ୍ରିୟ ହେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଖାଦ୍ୟ ଉତ୍ପାଦନକାରୀ ଓ ବ୍ୟବସାୟୀମାନଙ୍କୁ ଏ ଦିଗରେ ସଚେତନ କରାଯିବାପାଇଁ ମଧ୍ୟ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ କି ସରକାରଙ୍କ ଖାଦ୍ୟ ନିରାପତ୍ତା ଏବଂ ମାନକ ଅଧିନିୟମ ୨୦୦୬ ଓ ତତ୍ ସଂକ୍ରାନ୍ତୀୟ ନିୟମ ୨୦୧୧ ଅନୁସାରେ ଯେଉଁ ଖାଦ୍ୟ ବ୍ୟବସାୟୀ ଯଥା ମହଜୁଦ୍‌, ବିତରଣ, ପାଇକାରୀ, ଖୁଚୁରା, ଦୁଗ୍ଧଶାଳା, ରେସ୍ତୋରାଁ ୪ ତାରକା ପର୍ଯ୍ୟନ୍ତ ହୋଟେଲ ବ୍ୟବସାୟ କରୁଥିବା କିମ୍ବା ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହୀ ଥିବା ଲୋକ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଖାଦ୍ୟ ନିରାପତ୍ତା ଅଫିସ୍‌ରେ ଲାଇସେନ୍‌ସ ଓ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ । ପ୍ରକାଶ ଥାଉକି ବାର୍ଷିକ ୧୨ଲକ୍ଷ ଟଙ୍କା କାରବାରରୁ କମ୍ ଥିବା ଖାଦ୍ୟ ବ୍ୟବସାୟୀ, ବୁଲାବିକାଳି, ଉଠାଦୋକାନୀ, ଦୈନିକ ୫୦୦ ଲିଟରରୁ କମ୍ କିମ୍ବା ବାର୍ଷିକ ୨.୫ ମେଟ୍ରିକଟନ୍ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ, ସଂଗ୍ରହ କିମ୍ବା ଆମଦାନି କରୁଥିବା ବ୍ୟବସାୟୀ, ବାର୍ଷିକ ୧୨ ଲକ୍ଷଟଙ୍କାରୁ କମ୍ ଖାଇବା ତେଲ ପ୍ରସ୍ତୁତିକାରୀ, ୨ଟି ପର୍ଯ୍ୟନ୍ତ ବଡ଼ପଶୁ, ୧୦ଟି ପର୍ଯ୍ୟନ୍ତ ସାନ ପଶୁ ୫୦ ଟି ପର୍ଯ୍ୟନ୍ତ ଗୃହପାଳିତ ପକ୍ଷୀ ଦୈନିକ ବ୍ୟବସାୟ କରୁଥିବା କଂସେଇଖାନା ପାଇଁ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ, । ସେହିପରି ୪ ତାରକା ପର୍ଯ୍ୟନ୍ତ ହୋଟେଲ, ଖାଦ୍ୟ ବ୍ୟବସାୟ ୧୨ ଲକ୍ଷରୁ ଅଧିକ ୨୦ କୋଟି ଟଙ୍କାରୁ କମ୍‌, ୧୨ ଲକ୍ଷ ଟଙ୍କାରୁ ଅଧିକ ଖାଦ୍ୟ ବ୍ୟବସାୟ ଥିବା କ୍ୟାଣ୍ଟିନ୍‌, ରେସ୍ତୋରାଁ, କ୍ୟାଟେରିଙ୍ଗ, ଢାବା, ବ୍ଲକ, ଖାଦ୍ୟଷ୍ଟଲ ଆବାସିକ ଭୋଜନାଳୟ, ଦୈନିକ ଉତ୍ପାଦନ, ସଂଗ୍ରହ କିମ୍ବା ଆମଦାନୀ କରୁଥିବା ୫୦୧ ଲିଟରରୁ ଅଧିକ ୫୦,୦୦୦ ଲିଟରରୁ କମ୍ କିମ୍ବା ବାର୍ଷିକ ୨.୫ ରୁ ୨୫୦୦ ମ୍ୟାଟ୍ରିକଟନ୍ କାରକାର ହେଉଥିବା ଦୁଗ୍‌ଧଶାଳା, ବାର୍ଷିକ ୧୨ ଲକ୍ଷ ଟଙ୍କାରୁ ଅଧିକ କାରବାର ଥିବା ଖାଇବା ତେଲ ପ୍ରସ୍ତୁତିକାରୀ ବା ୨ ମ୍ୟାଟ୍ରିକ ଟନ୍ ଉତ୍ପାଦନ କ୍ଷମତାଧାରୀ, ୨ଟିରୁ ଅଧିକ ୫୦ଟି ପର୍ଯ୍ୟନ୍ତ ବଡ଼ ପଶୁ, ୧୦ଟିରୁ ଅଧିକ ୧୫୦ ଟି ପର୍ଯ୍ୟନ୍ତ ସାନ ପଶୁ, ୫୦ରୁ ଅଧିକ ୧୦୦ ଟି ପର୍ଯ୍ୟନ୍ତ ଗୃହପାଳିତ ପକ୍ଷୀ ନେଇ ଦୈନିକ କ୍ଷମତାଥିବା କଂସେଇଖାନା ପାଇଁ ଲାଇସେନ୍‌ସ ବାଧ୍ୟତାମୂଳକ ଅଟେ ।

ସୁରକ୍ଷିତ ଆହାର ସ୍ୱାସ୍ଥ୍ୟର ଆଧାର । ତେଣୁ ଏଦିଗରେ କଡ଼ାକଡ଼ି ଯାଞ୍ଚ କରାଯିବାର ଆବଶ୍ୟକତା ଅଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ଦ୍ୱାରା ଏସବୁ ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ପ୍ରଦତ୍ତ ସୂଚନା କ୍ରମେ ୧.୪.୨୦୨୨ ରୁ ୨୩.୦୩.୨୦୨୩ ପର୍ଯ୍ୟନ୍ତ ଧରପଗଡ଼ରେ ନମୂନା ସଂଗ୍ରହ ୩୯ ଟି ଏବଂ ୧.୪.୨୦୨୩ ରୁ ଅଦ୍ୟାବଧି ୩୧ଟି କରାଯାଇଛି । ସେହି କ୍ରମରେ ସର୍ଭେଲାନସ୍ ନମୂନା ୯୪ ଟି ଓ ୮୭ଟି, ତଦନ୍ତ ପରିଚାଳନା ୧୮୦ ଟି ଓ ୧୬୦ଟି, ଲାଇସେନ୍‌ସ ପ୍ରଦାନ ୩୭୦ ଟି ଏବଂ ୧୫୯ ଟି, ରେଜିଷ୍ଟ୍ରେସନ ପ୍ରମାଣପତ୍ର ପ୍ରଦାନ ୭୮୦ଟି ଓ ୬୪୯ ଟି, ଖାଦ୍ୟ ନିରାପତ୍ତା ନିୟମ ୬୯ ଧାରା ଅବମାନନାରେ ମୋକଦ୍ଦମା ୪୭ ଟି ଓ ଜୋରିମାନା ୫୧,୪୦୦/- ଟଙ୍କା ଏବଂ ୩୪ଟି ଜୋରିମାନା ୨୫,୨୦୦ ଟଙ୍କା ଆଦାୟ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଜୁମ୍ ଜରିଆରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଧର ଦାଶ, ଏ.ଏସ୍‌.ପି. ବିଜୟ ରଞ୍ଜନ କେରେକେଟା, ଡେଜିଗ୍‌ନେଟେଡ଼୍ ଖାଦ୍ୟ ନିରାପତ୍ତା ଅଧିକାରୀ, ଏ.ଡ଼ି.ପି.ଏଚ୍ ଓ ଡା. ଭାରତୀ ରାଉତ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସ, ଜି.ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଡ଼ି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.