Home Coronavirus Outbreak କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ସଫଳତା ହାର ବଢୁଛି

କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ସଫଳତା ହାର ବଢୁଛି

45

ନୂଆ ଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) କୋଭିଡ ପ୍ରତିଷେଧକ ଟିକାଦାନ କ୍ଷେତ୍ରରେ ଥିବା ୯ଟି ପରିଚୟ ସମ୍ବଳିତ ଦସ୍ତାବିଜ୍ କିମ୍ବା ମୋବାଇଲ ଫୋନ ନ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଟିକା ଦିଆଯାଉଛି। ଏଭଳି ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ଭାବରେ ସାମୂହିକ ଟିକାକରଣ କାର୍ଯ୍ୟ ମାଧ୍ୟମରେ ଅନ୍ତର୍ଭୁକ୍ତ କରାଯାଇଛି। ବୟୋଜ୍ୟେଷ୍ଠ ନାଗରିକ ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ମଧ୍ୟ ଘର ନିକଟରେ ଟିକାଦାନ ବ୍ୟବସ୍ଥା ହୋଇଛି। ଗ୍ରାମାଞ୍ଚଳ ଏବଂ ଜନଜାତି ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଟିକାଦାନ ହାର ଜାତୀୟ ହାରଠାରୁ ଅଧିକ ଅଛି।

କେତେକ ଗଣମାଧ୍ୟମରେ ମୋବାଇଲ ଫୋନ ନ ଥିବା ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ନ ଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ସମ୍ବାଦ ପ୍ରକାଶ ପାଇଥିବା ଦେଖାଯାଇଛି। ଗୃହହୀନ ବ୍ୟକ୍ତିମାନେ କୋଭିଡ-୧୯ ଟିକାଦାନ କାର୍ଯକ୍ରମରୁ ବାଦ ପଡିଯାଇଥିବା ଏହି ସମ୍ବାଦରେ ପ୍ରକାଶ ପାଇଛି। ସମାଜରେ ବହୁ ସଂଖ୍ୟାରେ ଏଭଳି ବ୍ୟକ୍ତି ଅଛନ୍ତି। ଟିକାକରଣ କ୍ଷେତ୍ରରେ ବୈଷୟିକ ଆବଶ୍ୟକତା ନିମନ୍ତେ ସେମାନଙ୍କ ନିକଟରେ ପ୍ରମାଣପତ୍ର ନାହିଁ। ଏମାନେ ଇଂରାଜୀ ଭାଷା ଜାଣିନାହାନ୍ତି, କମ୍ପ୍ୟୁଟର କିମ୍ବା ସ୍ମାଟଫୋନଜନିତ ଜ୍ଞାନ ଏମାନଙ୍କର ନାହିଁ, ତେଣୁ ସେମାନଙ୍କୁ ଟିକାଦାନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି। କେନ୍ଦ୍ର ସରକାରେ ଏଭଳି ଅଭିଯୋଗଗୁଡିକୁ ଭିତ୍ତିହୀନ ବୋଲି ଏକ ସ୍ପଷ୍ଟୀକରଣରେ ପ୍ରକାଶ କରିଛନ୍ତି।

କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ମୋବାଇଲ ଫୋନ ଏକ ଅପରିହାର୍ଯ୍ୟ ଆବଶ୍ୟକତା ନୁହେଁ। ଏପରିକି କୋୱିନ ପ୍ଲାଟଫର୍ମରେ ଅନଲାଇନ ଯୋଗେ ପ୍ରାକ୍ ପଞ୍ଜୀକରଣ ଜରୁରୀ ନୁହେଁ କିମ୍ବା ଠିକଣା ସମ୍ପର୍କୀତ ପ୍ରମାଣପତ୍ର ଦର୍ଶାଇବା ଜରୁରୀ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି। ଓଡିଆ, ହିନ୍ଦୀ, ମାଲାୟାଲମ୍, କନ୍ନଡ, ତେଲୁଗୁ, ତାମିଲ, ପଞ୍ଜାବୀ, ବଙ୍ଗଳା, ଆସାମୀ, ମରାଠୀ, ଗୁଜୁରାତି ଏବଂ ଇଂରାଜୀ ଭାଷାରେ କୋୱିନ ପ୍ଲାଟଫର୍ମ ବ୍ୟବହାର ପାଇଁ ବ୍ୟବସ୍ଥା ହୋଇଛି। ଏହି ପ୍ଲାଟଫର୍ମ ବ୍ୟବହାର କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି କୌଶଳକୁ ସରଳ କରାଯାଇ ଦେଶର ଗ୍ରାମାଞ୍ଚଳରେ ଲୋକମାନେ ବ୍ୟବହାର କରିବା ତଥା କରୋନା ସଂକ୍ରମଣ ପ୍ରତି ସମ୍ବେଦନଶୀଳ ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଇପାରିବାର ବ୍ୟବସ୍ଥା କରାଯାଇଛି। ଟିକା ନେବା କ୍ଷେତ୍ରରେ କୌଣସି ଫଟୋ ପରିଚୟପତ୍ର, ଆଧାରକାର, ରେସନକାର୍ଡ, ଭିନ୍ନକ୍ଷମ ପ୍ରମାଣପତ୍ର ଆଦି ୯ଟି ପ୍ରମାଣ ମଧ୍ୟରୁ କୌଣସି ଗୋଟିକର ଆବଶ୍ୟକତା ରହିଥିଲେ ମଧ୍ୟ ଏସବୁ ନ ଥିବା ଲୋକଙ୍କ ପାଇଁ ଟିକାଦାନର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସାମୂହିକ ଭାବରେ ଟିକାଦାନ ବ୍ୟବସ୍ଥାରେ କୌଣସି ପ୍ରକାରର ପରିଚୟ ପତ୍ର ନଥିବା କିମ୍ବା ମୋବାଇଲ ଫୋନ ନ ଥିବା ଲୋକମାନଙ୍କୁ ମଧ୍ୟ ଟିକାଦିଆଯିବା ବ୍ୟବସ୍ଥା ହୋଇଛି। ଏପର୍ଯ୍ୟନ୍ତ ଏଭଳି ଗୋଷ୍ଠୀରେ ଆସୁଥିବା ୨ଲକ୍ଷ ବ୍ୟକ୍ତିଙ୍କୁ ଟିକା ଦିଆଗଲାଣି। ଘର ନିକଟରେ ଟିକାଦାନ କେନ୍ଦ୍ର ଖୋଲି ବୟସ୍କ ନାଗରିକ ଏବଂ ଭିନ୍ନକ୍ଷମମାନଙ୍କୁ ମଧ୍ୟ ଟିକା ଦିଆଯାଉଛି। ଏଭଳି କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ଗତ ମେ’ ମାସ ୨୭ତାରିଖ ଦିନ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ମାର୍ଗଦର୍ଶିକା ଅନୁଯାୟୀ ଇଣ୍ଟରନେଟ ବ୍ୟବହାର କିମ୍ବା ସ୍ମାର୍ଟଫୋନ ଆଦି ନ ଥିବା ଲୋକମାନେ ସରକାରୀ ଟିକାଦାନ କେନ୍ଦ୍ରମାନଙ୍କରେ ତତ୍କାଳ ଆସି ଟିକା ନେଇପାରିବେ। ୮୦ଶତାଂଶ ଟିକା ଏହିଭଳିଭାବରେ ଦିଆଗଲାଣି। ଟିକା ନେଉଥିବା ବ୍ୟକ୍ତିଙ୍କୁ ତାଙ୍କ ସମ୍ପର୍କରେ ସର୍ବନିମ୍ନ ତଥ୍ୟ ଦିଆଯିବା ପରେ ତାଙ୍କୁ ଟିକା ଦିଆଯାଇ ପ୍ରମାଣପତ୍ର ମଧ୍ୟ ଦିଆଯାଉଛି। ଜନଜାତି ଅଧ୍ୟୁଷିତ ଜିଲ୍ଲାଗୁଡିକରେ ଅଧିକ ସଂଖ୍ୟାରେ ଟିକାକରଣ ହୋଇଥିବା ଲକ୍ଷ୍ୟ କରାଯାଇଛି। ୨୬ହଜାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୨୬ହଜାର ଉପ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ଶତକଡା ୭୦ଭାଗ ଗ୍ରାମାଞ୍ଚଳରେ ରହିଛି ଏବଂ ଏଠାରେ ସମସ୍ତଙ୍କ ପାଇଁ ଟିକାଦିଆଯିବା ବ୍ୟବସ୍ଥା ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.