Home Top News କେନ୍ଦ୍ର ସରକାର ତୁରନ୍ତ ପିଏମଜିକେଏୱାଇକୁ ଆରମ୍ଭ କରନ୍ତୁ: ବିଜେଡି

କେନ୍ଦ୍ର ସରକାର ତୁରନ୍ତ ପିଏମଜିକେଏୱାଇକୁ ଆରମ୍ଭ କରନ୍ତୁ: ବିଜେଡି

71

– କେନ୍ଦ୍ର ଦ୍ୱାରା ପିଏମଜିକେଏୱାଇ ବନ୍ଦ ହେବା ଗରିବଙ୍କ ଖାଦ୍ୟ ସୁରକ୍ଷା ଏବଂ ଚାଷୀଙ୍କ ଧାନ କ୍ରୟ ଏବଂ ଏମଏସପି ଉପରେ ଗୁରୁତର ପ୍ରଭାବ ପକାଇବ।
କେତେକ ପରିବାର ଯେମିତି କି ମାଲକାନଗିରିର ଶ୍ରୀମତୀ ସଞ୍ଜୁକ୍ତା ମଣ୍ଡଳଙ୍କ ୫ ଜଣିଆ ପରିବାର ପ୍ରତି ମାସରେ ୫୦ କିଲୋଗ୍ରାମ ଚାଉଳ ପାଉଥିବାବେଳେ ବର୍ତ୍ତମାନ ମାସକୁ ମାତ୍ର ୨୫ କିଲୋଗ୍ରାମ ପାଇବେ, ଯାହା ତାଙ୍କ ପରିବାର ଉପରେ ଗୁରୁତର ପ୍ରଭାବ ପକାଇବ।
ଗରିବ ଲୋକେ ବିଶେଷ ଭାବରେ କୋଭିଡ଼ ପରବର୍ତ୍ତୀ ସମୟରେ ପରିବାରଗୁଡିକ ପିଏମଜିକେଏୱାଇ ସହାୟତା ଆବଶ୍ୟକ କରୁଛନ୍ତି।
ଓଡ଼ିଶାର ଅନେକ ଯୋଗ୍ୟ ପରିବାର ଏଥିରୁ ବଞ୍ଚିତ ହୋଇଛନ୍ତି ଏବଂ ଏହି ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯିବା ଉଚିତ।
ଭୁବନେଶ୍ୱର, ୦୬/୦୧ (ଓଡ଼ିଆ ପୁଅ) ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ ଓଡିଶାର ୩.୨୫ କୋଟି ଲୋକଙ୍କୁ ପ୍ରତି ମାସରେ ମୁଣ୍ଡ ପିଛା ୧୦ କିଲୋ ଚାଉଳ ମିଳୁଥିଲା। ଏଥି ମଧ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ (ଏନଏଫ୍‍ଏସ୍‍ଏ)ରେ ୫ କିଲୋ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଅଧୀନରେ ୫ କିଲୋଗ୍ରାମ ମିଳୁଥିଲା। ତେବେ କେନ୍ଦ୍ର ବର୍ତ୍ତମାନ ପିଏମଜିକେଏୱାଇକୁ ବନ୍ଦ କରିଦେଇଛି। ପିଏମଜିକେଏୱାଇ ଅଧୀନରେ ମାସକୁ ମୁଣ୍ଡପିଛା ମିଳୁଥିବା ୫ କିଲୋଗ୍ରାମ ମାଗଣା ଚାଉଳ ବନ୍ଦ ହେବା ଯୋଗୁଁ ଏହା ଗରିବ ଏବଂ ଚାଷୀଙ୍କୁ ପ୍ରଭାବିତ କରିବ। ଏହା ଲୋକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ।

ଡକ୍ଟର ପାତ୍ର ଉଦାହରଣ ଦେଇ କହିଛନ୍ତି ଯେ ବଲାଙ୍ଗିର ଜିଲ୍ଲା ତୁଷରାର ଶ୍ରୀ ବସନ୍ତ ଧରୁଆଙ୍କ ୬ ଜଣିଆ ପରିବାର ପ୍ରତି ମାସରେ ୬୦ କିଲୋଗ୍ରାମ ଚାଉଳ ପାଉଥିଲେ; ବର୍ତ୍ତମାନ କେବଳ ୩୦ କିଲୋ ପାଇବେ। ଏହା ତାଙ୍କ ପରିବାରକୁ ଆବଶ୍ୟକ କରୁଥିବା ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ କରିବ ନାହିଁ କି ? ବଜାର ଦରରେ ୩୦ କିଲୋଗ୍ରାମ ଚାଉଳ କିଣିବା ତାଙ୍କ ପରିବାର ଉପରେ ବୋଝ ହେବ ନାହିଁ କି? ସେ କିପରି ପରିବାରର ବୃଦ୍ଧ ଓ ପିଲାମାନଙ୍କର ଯତ୍ନ ନେବେ? କେନ୍ଦ୍ର ଶ୍ରୀ ବସନ୍ତ ଧରୁଆ ଏବଂ ତାଙ୍କ ପରିବାର ବିଷୟରେ ଚିନ୍ତା କରୁଛି କି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

ସେହିଭଳି ମାଲକାନଗିରିର ଶ୍ରୀମତୀ ସଞ୍ଜୁକ୍ତା ମଣ୍ଡଳଙ୍କ ୫ ଜଣିଆ ପରିବାରର ଉଦାହରଣ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ସଞ୍ଜୁକ୍ତାଙ୍କ ପରିବାର ପ୍ରତି ମାସରେ ୫୦ କିଲୋ ଚାଉଳ ପାଉଥିଲେ। କିନ୍ତୁ ବର୍ତ୍ତମାନ କେନ୍ଦ୍ର ୨୫ କିଲୋ ଦେବା ବନ୍ଦ କରି ଦେଇଛି ଏବଂ କେବଳ ତାଙ୍କ ପରିବାରକୁ ୨୫ କିଲୋ ମିଳିବ। ସେ କିପରି ତାଙ୍କର ଖାଦ୍ୟ ଆବଶ୍ୟକତା ପୂରଣ କରିବେ? ସେ କିପରି ନିଜ ପିଲାମାନଙ୍କର ଶିକ୍ଷା ଏବଂ ପରିବାରର ଔଷଧ ଆବଶ୍ୟକତା ପୂରଣ କରିବେ? ଶ୍ରୀମତୀ ସଞ୍ଜୁକ୍ତା ମଣ୍ଡଳ ଏବଂ ତାଙ୍କ ପରିବାର ଉପରେ ଯେଉଁ ବିପଦ ସୃଷ୍ଟି ହେବାକୁ ଯାଉଛି ସେ ବିଷୟରେ କେନ୍ଦ୍ର ଅବଗତ କି?

ଆଉ ଗୋଟିଏ ଉଦାହରଣ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଭଦ୍ରକର ଶ୍ରୀମତୀ କୈସାରୀ ବେଗମ୍‌ଙ୍କର ତିନି ଜଣିଆ ପରିବାର। ତାଙ୍କ ପରିବାର ମାସକୁ ୩୦ କିଲୋ ଚାଉଳ ପାଉଥିବା ବେଳେ ଏବେ କେନ୍ଦ୍ରର ପିଏମଜିକେଏୱାଇ ଯୋଜନା ବନ୍ଦ ନିଷ୍ପତ୍ତି ଯୋଗୁଁ ୧୫ କିଲୋ ଚାଉଳ ପାଇବେ। ୩୦ କିଲୋଗ୍ରାମରୁ କେନ୍ଦ୍ର ତାଙ୍କ ଚାଉଳକୁ ମାତ୍ର ୧୫ କିଲୋଗ୍ରାମକୁ ଖସାଇ ଦେଇଛି; ସେ ଯେଉଁ ମାନସିକ ଚାପ ଦେଇ ଗତି କରୁଛନ୍ତି ଆମେ ତାହା ଅନୁଭବ କରିପାରିବା କି? ପିଏମଜିକେଏୱାଇ ଚାଉଳ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ଛଡ଼ାଇ ନିଆଯିବା କାରଣରୁ ଯେଉଁ ସ୍ଥିତି ଉପୁଜିଛି କେନ୍ଦ୍ର ତାଙ୍କର ଏବଂ ତାଙ୍କ ପରିବାରର ସେହି ଦୁଃଖ ଶୁଣୁଛି କି? କେନ୍ଦ୍ର ଦ୍ୱାରା ପିଏମଜିକେଏୱାଇ ବନ୍ଦ ହେବା ଯୋଗୁଁ ପରିବାରଗୁଡିକ ଚାଉଳ ପାଇବାରୁ ବଞ୍ଚିତ ହେବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଦୁର୍ଭାଗ୍ୟଜନକ ବୋଲି ଡକ୍ଟର ପାତ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ ମହାମାରୀ ଏବଂ ସମସ୍ତ ସଞ୍ଚୟ ଶେଷ ହେବା ପରେ ଗରିବ ଲୋକେ ଅଧିକ ସମୟ ପାଇଁ ପିଏମଜିକେଏୱାଇ ସହାୟତା ଆବଶ୍ୟକ କରୁଛନ୍ତି। ଏହା ବନ୍ଦ ହେବା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ବହୁ ପରିମାଣରେ କ୍ଷତିଗ୍ରସ୍ତ କରିବ। କେନ୍ଦ୍ର ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତାକୁ କାହିଁକି ଉଚ୍ଛେଦ କରୁଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

ପିଏମଜିକେଏୱାଇ ଯୋଗୁଁ ଚାଷୀମାନେ ଉପକୃତ ହେଉଥିଲେ। ପ୍ରତି ବ୍ୟକ୍ତିଙ୍କ ପାଇଁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଦେବା ଯୋଗୁଁ କେନ୍ଦ୍ର ଦ୍ୱାରା ସେହି ଚାଉଳ କ୍ରୟ ହେଉଥିଲା; ଏହା ଦ୍ୱାରା କୃଷକମାନେ ସେମାନଙ୍କର ଅତିରିକ୍ତ ଚାଉଳ ବିକ୍ରୟ କରିପାରୁଥିଲେ ଏବଂ ସେମାନଙ୍କୁ ଦିଆଯାଇଥିବା ଏମ୍‌ଏସ୍‌ପିରୁ ଲାଭ ପାଉଥିଲେ। ବର୍ତ୍ତମାନ କେନ୍ଦ୍ର ପିଏମଜିକେଏୱାଇ ବନ୍ଦ କରିଥିବାରୁ ଓଡିଶାର କୃଷକମାନେ ଏକ ବଡ଼ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଚାଉଳର ଅତିରିକ୍ତ କ୍ରୟ ହେବ ନାହିଁ, ଚାଷୀଙ୍କୁ ଆଉ ଅଧିକ ଏମ୍‌ଏସ୍‌ପି ମିଳିବ ନାହିଁ। ସେମାନେ ନିଜର ଚାଉଳ କେଉଁଠାରେ ବିକ୍ରୟ କରିବେ ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

ଓଡିଶାର ଅନେକ ଯୋଗ୍ୟ ପରିବାର ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି ଏବଂ ସେମାନଙ୍କୁ ଏଥିରେ ସାମିଲ କରାଯିବା ଉଚିତ। କିନ୍ତୁ ଏତେ ବର୍ଷ ପରେ ମଧ୍ୟ କେନ୍ଦ୍ର ସେମାନଙ୍କ କଥା ବିଚାର କରିନାହିଁ।

ଡକ୍ଟର ପାତ୍ର ଗୁରୁତ୍ୱାରୋପ କରିଛନ୍ତି ଯେ ବିଜୁ ଜନତା ଦଳ ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଏହି ଗରିବ ବିରୋଧୀ, କୃଷକ ବିରୋଧୀ ତଥା ପରିବାର ବିରୋଧୀ ମନୋଭାବକୁ ଦୃଢ ନିନ୍ଦା କରୁଛି ଏବଂ ଓଡିଶାର ଲକ୍ଷ ଲକ୍ଷ ପରିବାରର ମାସିକ ଚାଉଳ ଆବଌକ୍ଷଗ୍ଧ;ନକୁ ଯେଭଳି ଅଧା ହ୍ରାସ କରିଛନ୍ତି, ବ୍ୟକ୍ତି ଏବଂ ପରିବାରର ସ୍ୱାସ୍ଥ୍ୟକୁ ନଜରରେ ରଖି ସେହି ନିଷ୍ପତ୍ତି ପ୍ରତ୍ୟାହାର ସହିତ ପିଏମଜିକେଏୱାଇ ଜାରି ରଖିବାକୁ ଡକ୍ଟର ପାତ୍ର ଦାବି କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ଯେଭଳି ଭାବେ ପିଏମଜିକେଏୱାଇକୁ ବନ୍ଦ କରିଛନ୍ତି ତାହା କୋଭିଡ ପରବର୍ତ୍ତୀ ସମୟରେ କେବଳ ଓଡିଶା ନୁହେଁ ସମଗ୍ର ଦେଶର କୋଟି କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ପ୍ରଭାବିତ କରିବାକୁ ଯାଉଛି। ତେଣୁ ତୁରନ୍ତ ଚଳିତ ମାସରୁ ପିଏମଜିକେଏୱାଇ ଯୋଜନାକୁ ପୁନଃ ଆରମ୍ଭ କରାଯାଉ। କେନ୍ଦ୍ର ଆମ ଦାବିରେ ରାଜି ନହେବା ପର୍ଯ୍ୟନ୍ତ ବିଜେଡି ସଂସଦ ଏବଂ ଅନ୍ୟାନ୍ୟ ଫୋରମରେ ପିଏମଜିକେଏୱାଇର ପୁନଃ ଆରମ୍ଭ ଲାଗି ଜୋରଦାର ଦାବି କରିବ। ଏହା ଚାଷୀଙ୍କୁ ସାହାଯ୍ୟ କରିବ ଏବଂ ସେମାନଙ୍କ ଚାଉଳ କ୍ରୟ ସହିତ ଏମ୍‌ଏସ୍‌ପି ନିଶ୍ଚିତ କରିବ ବୋଲି ଡକ୍ଟର ପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.