Home ଓଡ଼ିଶା କରୋନା ଯୋଗୁଁ ବେସରକାରୀ ବିଦ୍ୟାଳୟର ଫି’ ଛାଡ଼ ପ୍ରସଙ୍ଗ ସରକାର ଦ୍ୱାରା ନ୍ୟାୟାଳୟରେ ପ୍ରଦତ୍ତ...

କରୋନା ଯୋଗୁଁ ବେସରକାରୀ ବିଦ୍ୟାଳୟର ଫି’ ଛାଡ଼ ପ୍ରସଙ୍ଗ ସରକାର ଦ୍ୱାରା ନ୍ୟାୟାଳୟରେ ପ୍ରଦତ୍ତ ଏମ୍‌ଓୟୁକୁ “ଓସା’ ଓ “ଓପାପ’ର ମିଳିତ ବିରୋଧ

58

ଭୁବନେଶ୍ୱର, ୫-୧୦-(ଓଡ଼ିଆ ପୁଅ): ଅର୍ଗାନାଇଜେସନ୍ ଅଫ୍ ପ୍ୟାରେଣ୍ଟସ୍ ଆସୋସିଏସନନ୍ ଫୋରମ୍ “ଓପାପ’ ଓ ଓଡ଼ିଶା ସୂଚନା ଅଧିକାର ଅଭିଯାନ “ଓସା’ ମିଳିତ ଆନୁକୂଲ୍ୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ଜଣାଇଛନ୍ତି ଯେ, ଗତ ତା ୦୧-୦୯-୨୦୨୦ରିଖରେ ହାଇକୋର୍ଟ (WPC No. 11299, 11263, 11514/2020) ର ଶୁଣାଣି କରି ଏକ କମିଟି ଗଠନ କରି ବିଦ୍ୟାଳୟର ଫି’ ବାବଦରେ ମତ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ଏହିକି ଯେ ସରକାର ସର୍ବପ୍ରଥମେ ଜନସ୍ୱାର୍ଥ ମାମଲା ଦାୟର କରିଥିବା ପ୍ରଥମ ପିଟିସନର୍‌ଙ୍କୁ ଗୁରୁତ୍ୱ ନଦେଇ ଅନ୍ୟମାନଙ୍କ ସହିତ ଭିତିରି ବୁଝାମଣା କରି ଯେଉଁ ଏମ୍‌ଓୟୁଟିକୁ ତା ୨୪-୦୯-୨୦୨୦ରିଖରେ କୋର୍ଟରେ ଦାଖଲ କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କାରଣ –

୧) ଏମ୍‌-ଓ-ୟୁ-ରେ ବିଭିନ୍ନ ବର୍ଗର ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କ ପାଇଁ ଫି’ ଛାଡ଼ ଧାର୍ଯ୍ୟ କେବେଠାରୁ କିପରି ହିସାବରେ ଲାଗୁ ହେବ ଏବଂ କେଉଁ ଆଧାରରେ ଏହା ଲାଗୁ କରାଯିବ, ଏହାର କୌଣସି ସ୍ପଷ୍ଟ ଚିତ୍ର ରାଜ୍ୟ ସରକାର ଉଲ୍ଲେଖ କରିନାହାନ୍ତି। ଉଦାହରଣ ସ୍ୱରୂପ, ଏ ବର୍ଷର (୨୦୨୦-୨୧) ଏପ୍ରିଲ ମାସରୁ ସ୍କୁଲ ଗୁଡ଼ିକ ବର୍ଦ୍ଧିକ ଫି’ ଲାଗୁ କରିବା ସହ ଜବରଦସ୍ତ ଆଦାୟ କରି ଚାଲିଛନ୍ତି। ତେଣୁ ଫି’ ଛାଡ଼ ପ୍ରସଙ୍ଗ ୨୦୧୯-୨୦ ବର୍ଷ ଆଧାରରେ ହେବ ନା ୨୦୨୦-୨୧ ବର୍ଦ୍ଧିତ ଫି’ ଆଧାରରେ ହେବ, ଏହାର କୌଣସି ସ୍ପଷ୍ଟତା ନାହିଁ। ଯେହେତୁ ଏମ୍‌ଓୟୁରେ ଏପରି ବ୍ୟବସ୍ଥା ନାହିଁ, ତେଣୁ ସ୍କୁଲ କର୍ତ୍ତୃପକ୍ଷମାନେ ସେମାନଙ୍କ ବ୍ୟବସାୟ ମନୋବୃତ୍ତି ନେଇ ଏ ବର୍ଷର ବର୍ଦ୍ଧିତ ଫି’ ଉପରେ ଛାଡ଼ କରାଗଲା ବୋଲି କହିବେ। ୨୦୨୦-୨୧ ପାଇଁ ଏପ୍ରିଲ ମାସରୁ ଫି’ ବୃଦ୍ଧି କରି ତା’ ଉପରେ ରିହାତି ଦେଲେ କ’ଣ ଅଧିକ ଅଭିଭାବକମାନେ ଲାଭ ପାଇବେ ବୋଲି ସେମାନେ ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ।

୨) ଏମ୍‌ଓୟୁରେ ଆନ୍‌ସିଲାରି ଫି’ ଉପରେ କୌଣସି ଡେଫିନେସନ୍ ନ ଦେଇ କେବଳ କିଛିଟା ନାମ ବ୍ୟବହାର କରାଯାଇଛି। ଯେଉଁ ଛଅଟି ଅତିରିକ୍ତ ଫି’ର ନାମ ଏମ୍‌ଓୟୁରେ ଉଲ୍ଲେଖ କରାଯାଇଛି, ତାକୁ ଛାଡ଼ିଦେଲେ ଆହୁରି ଅନେକ ଫି ଅଛି। ତେଣୁ ଯେଉଁ ଫି’ର ନାମ ଏଠି ଉଲ୍ଲେଖ କରାଯାଇଛି, ତାହା ବଦଳରେ ଆଉ ଗୋଟେ ନାମ ଦେଇ ବେସରକାରୀ ବିଦ୍ୟାଳୟମାନେ ଫି’ ଆଦାୟ କରିବେ। ଉଦାହରଣ ସ୍ୱରୂପ, ଡେଭଲପ୍‌ମେଣ୍ଟ୍ ଫି’ ଜାଗାରେ ସେମାନେ ସେସନ୍ ଫି’ ବା ରିନୋଭେସନ୍ ଫି’ ବୋଲି ଉଲ୍ଲେଖ କରି କହିବେ, ସରକାରଙ୍କ ଆଦେଶ ମୁତାବକ ଆମେ ଡେଭଲପ୍‌ମେଣ୍ଟ୍ ଫି’ ଆଦାୟ କରୁନାହୁଁ। ତେଣୁ ଏଠାରେ ସରକାର ଟିଉସନ୍ ଫି’ ଓ ଆନ୍‌ସିଲାରି ଫି’ର ଡେଫିନେସନ୍ ଦେବା ନିହାତି ଜରୁରୀ।

୩) ଶିକ୍ଷା ଅଧିକାର ଆଇନ ଓ ସୁପ୍ରିମ କୋର୍ଟ (SLP No. 31659/2011) ଙ୍କ ଅର୍ଡ଼ର ମୁତାବକ ଯେତେବେଳେ କୌଣସି ବିଦ୍ୟାଳୟ ୱାନ ଟାଇମ୍ ଆଡମିସନ୍ ଫି’ ଛଡ଼ା ରିଆଡ଼ମିଶନ୍ ଫି’, କ୍ୟାପିଟେସନ୍ ଫି’ ଆଦାୟ କରିପାରିବେ ନାହିଁ, ସେତେବେଳେ ଏହି ଫି’ ଛାଡ଼ର ପ୍ରଶ୍ନ ଉଠୁଛି କେଉଁଠୁ। ଯେଉଁ ସ୍କୁଲ ଏହା ଆଦାୟ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

୪) ଯେଉଁ ବିଦ୍ୟାଳୟର ଫି’ ବାର୍ଷିକ ୬, ୦୦୦ ଟଙ୍କାରୁ ଅଧିକ, ସେମାନଙ୍କୁ ୭-୫% ରିହାତି ମିଳିଲା ବେଳେ ଟ-୧, ୦୦, ୦୦୦/- ଦେଉଥିବା ଅଭିଭାବକଙ୍କୁ ୨୬% ରିହାତି ଦେଇଛନ୍ତି। ଏହା କେଉଁ ଆଧାରରେ ସ୍ଥିର କରାଗଲା, ତାହା ଜାଣି ହେଉନାହିଁ। ମାସକୁ ୫୦୦ ଟଙ୍କା ଫି’ ଦେଉଥିବା ଏବଂ ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା ନ ପାଇପାରି ବେସରକାରୀ ବିଦ୍ୟାଳୟକୁ ଆପଣେଇଥିବା ଅଭିଭାବକଙ୍କ ଉପରେ ଏହା ବୋଝ ଉପରେ ଲଳିତା ବିଡ଼ା ସଦୃଶ ନୁହେଁ କି।

୫) କରୋନା ଯୋଗୁଁ ଯେତେବେଳେ ପିଲାଟି ଘରେ ଅଛି, ସେତେବେଳେ ହଷ୍ଟେଲ ବାବଦକୁ ୭୦% ଆଦାୟ କରିବା କେତେଦୂର ଯୁକ୍ତିଯୁକ୍ତ। ଠିକ୍ ସେହିଭଳି ପରିବହନ ବାବଦରେ ଫି’ ଆଦାୟ ନିଷ୍ପତ୍ତିକୁ ଅଭିଭାବକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏ ବର୍ଷର ଯେଉଁ ଫି’ ଛାଡ଼ କରାଯିବ, ତାହା ଯେପରି ଆସନ୍ତା ବର୍ଷ ସୁଧ ମୂଳ ସହିତ ସ୍କୁଲ କର୍ତ୍ତୃପକ୍ଷ ଆଦାୟ ନ କରିବେ, ତାକୁ ଧ୍ୟାନରେ ରଖି ତୁରନ୍ତ ବେସରକାରୀ ବିଦ୍ୟାଳୟକୁ ନିୟନ୍ତ୍ରଣ କରିବା ପାଇଁ ଏକ ରେଗୁଲେସନ୍ ଆକ୍ଟ ପ୍ରଣୟନ କରିବାକୁ ସେମାନେ ଦାବି କରିଛନ୍ତି। ତା’ସହିତ ମାନ୍ୟବର କୋର୍ଟ ଏ ବାବଦରେ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି।

ଯଦି ସରକାର ଏହି ତୃଟିଗୁଡ଼ିକୁ ନ ସୁଧାରି ଏହି ଦାବି ପୂରଣରେ ଅସମର୍ଥ ପ୍ରକାଶ କରନ୍ତି, ତେବେ ଏହା ଜନମଙ୍ଗଳକାରୀ ସରକାରରେ ପଦବାଚ୍ୟ ହେବନାହିଁ ଏବଂ ବର୍ତ୍ତମାନ ସରକାର ଦେଇଥିବା ଏମ୍‌ଓୟୁକୁ ସଂଶୋଧନ ନ କରି ଅଦାଲତ ଯଦି ଏହାକୁ ଅନୁମୋଦନ କରନ୍ତି, ତେବେ ଏହା ନ୍ୟାୟପାଳିକା, ସରକାର ଓ ବେସରକାରୀ ବିଦ୍ୟାଳୟର ମାଲିକ ତଥା କିଛି ସ୍ୱାର୍ଥପର ଅଭିଭାବକଙ୍କ ସଲାସୁତୁରାର ଫଳ ବୋଲି ବୁଝାପଡ଼ିବ, ଯାହା ସାଧାରଣ ଅଭିଭାବକଙ୍କ ନ୍ୟାୟ ବ୍ୟବସ୍ଥା ଉପରେ ଥିବା ଆସ୍ଥା ହରାଇବ, ଏଥିରେ ସନ୍ଦେହ ନାହିଁ ବୋଲି ମିଳିତ ଭାବରେ “ଓସା’ ଓ “ଓପାପ’ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ଅର୍ଗାନାଇଜେସନ୍ ଅଫ୍ ପ୍ୟାରେଣ୍ଟସ୍ ଆସୋସିଏସନନ୍ ଫୋରମ୍‌ର ସମ୍ପାଦିକା ରୀତାରାଣୀ ସାହୁ ଏବଂ ଉପସଭାପତି ମଧୁସୂଦନ ବିଶ୍ୱାଳ, ଆଡଭୋକେଟ ସୁଧୀର ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.