Home ଜିଲ୍ଲା ପରିକ୍ରମା ଆମେ ଶିଶୁ ବନ୍ଧୁ ହେଲେ ଶିଶୁ ସୁରକ୍ଷା ଅଭିଯାନ ସଫଳ ହୋଇପାରିବ, କିଶୋର ନ୍ୟାୟ ଓ...

ଆମେ ଶିଶୁ ବନ୍ଧୁ ହେଲେ ଶିଶୁ ସୁରକ୍ଷା ଅଭିଯାନ ସଫଳ ହୋଇପାରିବ, କିଶୋର ନ୍ୟାୟ ଓ ପୋକସୋ ଆଇନ ପ୍ରଶିକ୍ଷଣ ପାଇଁ ଦୁଇଦିନଆ କର୍ମଶାଳା

19

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କିଶୋର ନ୍ୟାୟ ଶିଶୁମାନଙ୍କର (ଯତ୍ନ ଓ ସୁରକ୍ଷା) ଆଇନ୍‌, ଅନୁମୋଦିତ ଆଇନ୍ ଓ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ୍ ର ଭୂମିକା ଓ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଆଇନ୍ ଓ ଅନ୍ୟାନ୍ୟ ଆଇନ୍ ସହ ଅଂଶୀଦାର ମାନଙ୍କ ଭୂମିକା ଉପରେ ପ୍ରଶିକ୍ଷଣ ପାଇଁ ଦୁଇଦିନିଆ କର୍ମଶାଳା ଆଜି ଆରମ୍ଭ ହୋଇଛି। ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତଥା ଜିଲ୍ଲା ପୋଲିସ୍ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ କର୍ମଶାଳାକୁ ଏସ୍‌.ପି. ଚରଣ ସିଂ ମୀନା ମୁଖ୍ୟ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ଼. ସୁଦର୍ଶର୍ନ ବାରିକ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏଥିରେ ଅତିରିକ୍ତ ଏସ୍‌.ପି. ଯତୀନ କୁମାର ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଆବାହକ ଡ଼ି.ସି.ପି.ଓ ବିଜୟକେତନ ସାହୁ ସ୍ୱାଗତ ଭାଷଣ ସହ କର୍ମଶାଳାର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଶିଶୁ ସୁରକ୍ଷା ନେଇ କିଶୋର ନ୍ୟାୟ, ପୋକସୋ ଆଇନ୍‌ର ପ୍ରାବଧାନ ଓ ସଂଶୋଧିତ ନିୟମାବଳୀ ସମ୍ବନ୍ଧରେ ସଂପୃକ୍ତ ଅଧିକାରୀମାନଙ୍କ ମନରେ ଯାହା ସନ୍ଦେହ ଅଛି ଏହି କର୍ମଶାଳାରୁ ବୁଝିପାରିବେ ଏବଂ ଏ ଆଇନ୍ ସବୁ ବାବଦରେ ଯଥେଷ୍ଟ ସଚେତନତା ବୃଦ୍ଧି କରାଯିବାର ଆବଶ୍ୟକ ଅଛି ବୋଲି ଏସ୍‌.ପି ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ।

ପିଡ଼ିତା ଶିଶୁକୁ ନ୍ୟାୟ ଦେଲାବେଳେ ପୋଲିସ୍ ଅଫିସରମାନେ ଜଣେ ଦରଦୀ ହୃଦୟର ମଣିଷ ଭାବେ ବ୍ୟବହାର ପ୍ରଦର୍ଶନ କରିବାକୁ ଏ.ଏସ୍‌.ପି ଶ୍ରୀଯୁକ୍ତ ପଣ୍ଡା ପରାମର୍ଶ ଦେଇଥିଲେ। ସଭାପତିତ୍ୱ କରିଥିବା ଶ୍ରୀଯୁକ୍ତ ବାରିକ ଶିଶୁ ସୁରକ୍ଷା ଦିଗରେ ପ୍ରଣୀତ ସମସ୍ତ ବିଧି ବ୍ୟାବସ୍ଥାର କାର୍ଯ୍ୟକାରୀତା ନେଇ ଅଂଶୀଦାର ମାନଙ୍କ ପ୍ରମୁଖ ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବିଷୟ ବିଷାରଦ ଭାବେ ପ୍ରଶିକ୍ଷଣ ପ୍ରଦାନ ପାଇଁ ଆସିଥିବା ଭୁବନେଶ୍ୱର ର ସେଭ୍ ଦି ଚିଲ୍‌ଡ଼୍ରେନ୍ ର ବିରଜା ପ୍ରସାଦ ପତି ଖୁବ୍ ସୁନ୍ଦର ସାବଲୀଳ ଢ଼ଙ୍ଗରେ ଶିଶୁ ସୁରକ୍ଷା ଅଭିଯାନର ଅୟମାରମ୍ଭ ଠାରୁ ଅଦ୍ୟାବଧି ଆଇନ ଦିଗ ସହିତ ପଦକ୍ଷେପ, କାର୍ଯ୍ୟଧାରା, ଅଂଶୀଦାରମାନଙ୍କ ଭୂମିକା ଏଦିଗରେ ଆମ ଦେଶ ଓ ରାଜ୍ୟର ବ୍ୟବସ୍ଥା ଓ ପ୍ରଗତି ଆଦି ସମସ୍ତ ସୋପାନ ଉପରେ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିଶୁ ଅଧିକାର ନେଇ ସ୍ୱତନ୍ତ୍ର ଯୋଜନା ପାଇଁ ସର୍ବ ପ୍ରଥମେ ୧୯୭୮ରେ ପୋଲାଣ୍ଡ ଦେଶ ଦ୍ୱାରା ଆବେଦନର ୧୧ ବର୍ଷ ପରେ ୧୯୮୯ ରେ ମିଳିତ ଜାତିସଂଘ ଶିଶୁ ଅଧିକାର ଘୋଷଣା ନାମା ପରେ ୧୯୯୨ରେ ଭାରତୀୟ ସଂସଦରେ ପାରିତ ହୋଇ ଜାତୀୟ ଆକ୍ସନ୍ ପ୍ଲାନ ଓ ଓଡ଼ିଶା ସରକାରଙ୍କ ଦ୍ୱାରା ୧୯୯୪ରେ ରାଜ୍ୟ ଆକ୍ସ୍‌ନ ପ୍ଲାନ୍ ରୂପ ନେବା ସମ୍ବନ୍ଦରେ ଶ୍ରୀଯୁକ୍ତ ପତି ତଥ୍ୟ ମୂଳକ ଉପସ୍ଥାପନ ରଖିଥିଲେ।

ଆମେ ସମସ୍ତେ ଶିଶୁ ର ବନ୍ଧୁ ଭାବେ ଆଇନ୍ ଉପଯୋଗୀ ଶିଶୁମିତ୍ର ପରିବେଶ ସୃଷ୍ଟି କରି ପାରିଲେ ଯାଇ ଶିଶୁ ସୁରକ୍ଷା ଅଭିଯାନ ସଫଳ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଆଇନ୍ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ଅଣ ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ୍‌, ଶିଶୁ ମଙ୍ଗଳ କମିଟି ସଦସ୍ୟ ସଂଗୀତା ଗିରି, ପ୍ରଦୀପ୍ତ କର, ସତ୍ୟ ସୁନ୍ଦର ପୁହାଣ, ସେଭ୍ ଦି ଚିଲେଡ଼୍ରେନ ସଂଯୋଜକ ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମସ୍ତ ଥାନାର ପୋଲିସ ମଙ୍ଗଳ ଅଧିକାରୀ, ପ୍ୟାନେଲ ଆଇନଜୀବି, ଶିଶୁମଙ୍ଗଳ କମିଟି, ମହିଳା ଓ ଶିଶୁ ବିକାଶ, କିଶୋର ନ୍ୟାୟ ପରିଷଦ, ବିଭିନ୍ନ ଶିଶୁ ଅନୁଷ୍ଠାନର ପରାମର୍ଶଦାତା, ପ୍ରୋବେସନ୍ ଅଧିକାରୀ, ପାରାଲିଗାଲ, ଚାଇଲଡ଼୍ ଲାଇନ୍ କର୍ମୀ, ଶିଶୁ ଅନୁଷ୍ଠାନର ଅଧୀକ୍ଷକ, ସ୍ୱତନ୍ତ୍ର ବିଦ୍ୟାଳୟର ଅନୁବାଦକ ପ୍ରମୁଖ କର୍ମଶାଳାରେ ପ୍ରଶିକ୍ଷାର୍ଥୀ ଭାବେ ଅଂଶ ଗ୍ରହଣ କରିଥିଲେ। ପୋଲିସ୍ କାର୍ଯ୍ୟାଳୟ ତରଫରୁ ଦୁର୍ଗା ଚରଣ ମହାନ୍ତି, ମନ୍ଦାକିନୀ ମହାନ୍ତ, ଶିଶୁ ସୁରକ୍ଷା ଶାଖାର ଚିନ୍ମୟ ପଣ୍ଡା, ଶିଶୁ ଅନୁଷ୍ଠାନର ଲିପିକା ପଣ୍ଡା, ଜ୍ୟୋତି ପ୍ରକାଶ ପତି, ଧନଞ୍ଜୟ ଜେନା, ହୃଷିକେଶ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.