Home ଜିଲ୍ଲା ପରିକ୍ରମା ଭଦ୍ରକ – ଡଗରାସାହି ଠାରେ ଫ୍ଲାଏ ଓଭର ପାଇଁ ଟେଣ୍ଡର ଆହ୍ୱାନ

ଭଦ୍ରକ – ଡଗରାସାହି ଠାରେ ଫ୍ଲାଏ ଓଭର ପାଇଁ ଟେଣ୍ଡର ଆହ୍ୱାନ

26

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଷ୍ଟେସନ ସଂଲଗ୍ନ ଡଗରାସାହି ଲେବୁଲ କ୍ରସିଂ ଠାରେ ନିର୍ମାଣ ହେବ ଫ୍ଲାଏ ଓଭର ବ୍ରିଜ୍। ଫଳରେ ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି। ସ୍ଥାନୀୟ ଜନସାଧାରଣଙ୍କ ଦାବି ବାସ୍ତବ ରୂପ ନେବାକୁ ଯାଉଛି। ଫ୍ଲାଏ ଓଭର ନିର୍ମାଣ ପାଇଁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଟେଣ୍ଡର ଆହ୍ୱାନ କରିଛନ୍ତି। ଟେଣ୍ଡର ପକାଇବାର ଶେଷ ତାରିଖ ରହିଛି ଜୁଲାଇ ମାସ ୨୧ ତାରିଖ। ୧୫କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିମୟରେ ଏହା ନିର୍ମାଣ ହେବ। ଦେଢ଼ ବର୍ଷ ମଧ୍ୟରେ ଉକ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଜଣାପଡ଼ିଛି। ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଚରମ୍ପା ଅଞ୍ଚଳର ୩ଟି ପୌରାଞ୍ଚଳ ୱାର୍ଡ଼ ସମେତ ଭଦ୍ରକ ବ୍ଳକର ୫ଟି ପଞ୍ଚାୟତ, ବାଲେଶ୍ୱର ଜିଲ୍ଲାର କେତେକ ପଞ୍ଚାୟତର ଜନ ସାଧାରଣ ଉପକୃତ ହେବେ। ବିଶେଷକରି ଜରୁରୀକାଳୀନ ସେବାରେ ଥିବା ଆମ୍ବୁଲାନ୍ସ ଓ ଅଗ୍ନିଶମବାହିନୀ ଗାଡ଼ିଙ୍କୁ ଆଉ ପୂର୍ବ ପରି ଲେବୁଲ କ୍ରସିଂରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଟେଣ୍ଡର ଆହ୍ୱାନ ପରେ ଭଦ୍ରକର ପ୍ରାକ୍ତନ ବିଧାୟକ ନରେନ ପଲେଇ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ଉକ୍ତ ଦାବି ନେଇ ଦୀର୍ଘ ଦିନ ଧରି ଚାଲି ଆସିଥିବା ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ମଡେଲ ଷ୍ଟେସନର ଉଭୟ ପାଶ୍ୱର୍ରେ ରହିଛି ୧୧୮ ଓ ୧୧୯ ନଂ ଲେବୁଲ କ୍ରସିଂ। ଷ୍ଟେସନ ଖୁବ ନିକଟବର୍ତ୍ତୀ ହୋଇଥିବାରୁ, ଏହି ଦୁଇ ଲେବୁଲ କ୍ରସିଂରେ ବହୁ ସମୟରେ ଫାଟକ ଦୀର୍ଘ ସମୟ ପଡ଼ି ରହିଥାଏ। ତେବେ ବହୁବାର ଦାବି ପରେ ରେଳବାଇ କର୍ତ୍ତୃପକ୍ଷ ବିଳମ୍ବରେ ହେଲେ ମଧ୍ୟ ୧୧୯ ନଂ ଲେବୁଲ କ୍ରସିଂ ଠାରେ ଏକ ଉଡ଼ନ୍ତା ପୋଲ ନିର୍ମାଣ ପାଇଁ ସୁବଜ ସଂକେତ ଦେଇଥିଲେ। ଓ ଏବେ ଏହି କାର୍ଯ୍ୟ ନିର୍ମାଣାଧିନ ଅବସ୍ଥାରେ ରହିଛି। ସେହିପରି୧୧୮ ନଂ ଲେବୁଲ କ୍ରସିଂ ଠାରେ ମଧ୍ୟ ଏକ ଫ୍ଲାଏ ଓଭରର ଆବଶ୍ୟକତା ରହିଛି। ତେଣୁ ସେଠାରେ ଏକ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଦାବି ନେଇ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ଦାବି କରି ଆସୁଥିଲେ। ଦୀର୍ଘ ୧୩ ମାସ ଧରି ପ୍ରତ୍ୟେକ ମାସ ୭ ତାରିଖ ପୂର୍ବତଟ ରେଳବାଇ ଡିଆରଏମଙ୍କୁ ଏବାବଦରେ ସ୍ମାରକପତ୍ର ଦେଇ ଆସୁଥିଲେ। ତେବେ ଗତ ବର୍ଷ ଅଗଷ୍ଟ ମାସରେ ଫ୍ଲାଏ ଓଭର ପାଇଁ ବିଭାଗୀୟ ସର୍ଭେ ସରିଥିବାବେଳେ, ଗତକାଲି ବିଭାଗ ପକ୍ଷରୁ ଏନେଇ ଟେଣ୍ଡର ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.