Home ଓଡ଼ିଶା ଆଦିବାସୀଙ୍କର ଜୀବନ ଜୀବିକାର ରାହା ପାଲଟିଛି ପାରମ୍ପାରିକ ଖାଦ୍ୟ ‘ହାଣ୍ଡିଆ’

ଆଦିବାସୀଙ୍କର ଜୀବନ ଜୀବିକାର ରାହା ପାଲଟିଛି ପାରମ୍ପାରିକ ଖାଦ୍ୟ ‘ହାଣ୍ଡିଆ’

653

କେନ୍ଦୁଝର, ୨୨ ମାର୍ଚ୍ଚ ୨୦୨୦ (ଓଡ଼ିଆ ପୁଅ/ବିଭୂତିଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ଆଦିବାସୀ ମାନଙ୍କର ଜୀବନ ଜୀବିକାରେ ଏକ ନିଆରା ସ୍ଥାନ ନେଇଛି ସେମାନଙ୍କର ପାରମ୍ପାରିକ ଖାଦ୍ୟ ‘ହାଣ୍ଡିଆ’। ପାହାଡ ପର୍ବତ ଜଙ୍ଗଲ ସଂପଦ ପରିପୂର୍ଣ୍ଣ କେନ୍ଦୁଝର ଜିଲା ସାଧାରଣତଃ ଆଦିବାସୀ ଅଧ୍ୟୁଷିତ ଅଂଚଳ ଭାବେ ପରିଗଣିତ ହେଉଥିବାବେଳେ, ପ୍ରାୟତଃ ପ୍ରତ୍ୟେକ ଆଦିବାସୀ ପରିବାରରେ ‘ହାଣ୍ଡିଆ’ ପ୍ରସ୍ତୁତ କରାଯାଇଥାଏ। ସହର ବଜାର ଅଂଚଳରେ ପ୍ରାୟତଃ ଆଦିବାସୀ ପରିବାର ଗୁଡିକର ଉପସ୍ଥିତି କମ ରହିଥାଏ। ତାହା ସତ୍ୱେ ମଧ୍ୟ ଏହି ସଂପ୍ରଦାୟର କେବଳ ଶିକ୍ଷିତ ପରିବାର ନୁହେଁ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ମଧ୍ୟ ‘ହାଣ୍ଡିଆ’ ପ୍ରତି ବେଶ ଦୁର୍ବଳତା ରହିଛି ଏବଂ ସେମାନେ ବି ହାଣ୍ଡିଆ କୁ ପ୍ରସ୍ତୁତ କରି ଖାଦ୍ୟ ଭାବେ ଗ୍ରହଣ କରୁଥିବା ଜଣା ପଡିଛି। ଆଦିବାସୀମାନଙ୍କ ପାରମ୍ପାରିକ ଉତ୍ସବ, ଅନୁଷ୍ଠାନ ଗୁଡିକରେ ମଧ୍ୟ ‘ହାଣ୍ଡିଆ’କୁ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରାଯାଇଥାଏ। କେଉଁ ଆବାହମାନ କାଳରୁ ‘ହାଣ୍ଡିଆ’ ଆଦିବାସୀଙ୍କର ପାରମ୍ପାରିକ ଖାଦ୍ୟରେ ସାମିଲ ହୋଇଥିବା ବେଳେ, ଏବେ ମଧ୍ୟ ‘ହାଣ୍ଡିଆ’ ର ସ୍ଥାନ ବଜାୟ ରହିଛି। ଜଙ୍ଗଲାଚଂଳରେ ବସବାସ କରୁଥିବା ଆଦିବାସୀ ମାନଙ୍କର ପ୍ରମୁଖ ଖାଦ୍ୟ ଭାବେ ‘ହାଣ୍ଡିଆ’ ହିଁ ବ୍ୟବହାର ହୋଇଥାଏ। ହାଣ୍ଡିଆ ପ୍ରସ୍ତୁତିରେ ଔଷଧିୟ ଗଛର ଚେର ବ୍ୟବହାର କରାଯାଉଥିବାରୁ ‘ହାଣ୍ଡିଆ’ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ ବୋଲି ସିଲିସୁଆଁ, ଅସୁକୀ, କୁଞ୍ଜରଡିହି, ଧନୁର୍ଜୟପୁର, କଣ୍ଡରାପଶି, ତେଲିଅର୍ଶଳା, ରେଙ୍ଗାଳବେଡା, ନୁଣଗାଡିଆ, ବ୍ରାହ୍ମଣୀଝରୀ, ହାତୀଦରୀ ପ୍ରଭୃତି ଆଦିବାସୀ ଅଧ୍ୟୁଷିତ ଅଂଚଳର ବାସିନ୍ଦା ମତ ଦେଇଅନ୍ତି।

ହାଣ୍ଡିଆ ପ୍ରସ୍ତୁତ ନିମନ୍ତେ ପ୍ରଥମତଃ ଚାଉଳ ନିଆଯାଇଥାଏ। ଏବଂ ତାପରେ ସେହି ଚାଉଳ ପରିମାଣ ର ୩ ଗୁଣ ପାଣି ମିଶାଯାଇ ଭାତ ରନ୍ଧାଯାଏ। ଭାତ ହାଣ୍ଡିରୁ ପାଣି ଶୁଖିବା ପର୍ଯ୍ୟନ୍ତ ଚୁଲିରେ ହାଣ୍ଡିକୁ ବସାଯାଇଥାଏ। ଏହା ପରେ ଭାତକୁ ଆଣି ସଫା ଚଟେଇରେ ଥଣ୍ଡା କରିବା ପୂର୍ବକ ଶୁଖାଇ ଦିଆଯାଏ।

ଜଙ୍ଗଲରୁ ସଂଗ୍ରହ କରାଯାଇଥିବା ଔଷଧିୟ ଗୁଣ୍ମର ଚେର ପତାଳ ଗରୁଡ, ମୂଷାକାନୀ, ଅଗ୍ନିଝାଳ, ବଣ କଖାରୁ, ବଣ କୁନ୍ଦୁରୀ, ଚଣ୍ଡାଳ ଚେର ଆଦିକୁ ସଂଗ୍ରହ କରି ଶୁଖାଇ ଗୁଣ୍ଡ କରି ରଖାଯାଇଥାଏ। ଅରୁଆ ଚାଉଳରେ ଚୂନା ପ୍ରସ୍ତୁତ କରି ଆବଶ୍ୟକ ପରିମାଣ ଉକ୍ତ ଔଷଧିୟ ଚେର ଗୁଣ୍ଡକୁ ଚୂନା ସହିତ ମିଶାଇ ପାଣିରେ ଭିଜାଇ ଚୋଟ ଛୋଟ ଗୋଲି ତିଆରି କରି ଖରାରେ ଶୁଖାଇ ରଖାଯାଇଥାଏ। ଏହାକୁ ‘ମଳିଖା ବା ରାନୁ’ କୁହାଯାଏ। ଥଣ୍ଡା କରି ଶୁଖାଇ ଥିବା ଭାତରେ ଆବଶ୍ୟକ ପରିମାଣ ମଳିଖା ବା ରାନୁ କୁ ମିଶାଇ ଦିଆଯାଏ। ଏହା ପରେ ଭାତ ମିଶା ମଳିଖାକୁ ପାଣି ଢାଳି ଏକ ଡେକଚିରେ ଘୋଡାଇ ୩ ଦିନ ପର୍ଯ୍ୟନ୍ତ ରଖି ଦିଆଯାଏ। ଏହାପରେ ‘ହାଣ୍ଡିଆ’ ପ୍ରସ୍ତୁତ ହୋଇଯାଇଥାଏ।

କେନ୍ଦୁଝର ଜିଲ୍ଲାରେ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ହାଣ୍ଡିଆ ଏବେ ଜିଲ୍ଲାର ଛକ ଜାଗା, ମେଳା ମଉଚ୍ଛବ, ରାସ୍ତାପାର୍ଶ୍ୱ, ସାପ୍ତାହିକ ହାଟ ଗୁଡିକରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥାଏ। ଏବଂ ଶହ ଶହ ଆଦିବାସୀ ପରିବାର ର ଜୀବନ ଜୀବିକା ର ରାହା ପାଲଟିଛି ଏହି ହାଣ୍ଡିଆ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.