Home ଜିଲ୍ଲା ପରିକ୍ରମା ଆଖୁଆପଦା କେନ୍ଦ୍ରୀୟ ‘ବନ୍ୟା ପୂର୍ବାନୁମାନ’ କକ୍ଷ ଚଳାଉଛନ୍ତି ୨ ଠିକା କର୍ମଚାରୀ, ବନ୍ୟା ନିୟନ୍ତ୍ରଣ ପାଇଁ...

ଆଖୁଆପଦା କେନ୍ଦ୍ରୀୟ ‘ବନ୍ୟା ପୂର୍ବାନୁମାନ’ କକ୍ଷ ଚଳାଉଛନ୍ତି ୨ ଠିକା କର୍ମଚାରୀ, ବନ୍ୟା ନିୟନ୍ତ୍ରଣ ପାଇଁ ମିଳୁନି ସହଯୋଗ, ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ନୀରବଦ୍ରଷ୍ଟା

60

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଖୁଆପଦାରେ ଥିବା କେନ୍ଦ୍ରୀୟ ‘ବନ୍ୟା ପୂର୍ବାନୁମାନ କକ୍ଷ’ ୨ ଜଣ ଠିକା କର୍ମଚାରୀଙ୍କ ପରିଚାଳିତ ହେଉଥିବାରୁ ଅଧୋଗତି ଦେଖାଦେଇଛି । ଦୈନିକ ମାତ୍ର ଏକଘଣ୍ଟା ପାଇଁ କକ୍ଷ ଖୋଲାରଖି ଛୁ ମାରୁଛନ୍ତି । ଏହି କକ୍ଷ ବନ୍ୟା ନିୟନ୍ତ୍ରଣ ପାଇଁ ସ୍ଥାନୀୟ ଜଳସମ୍ପଦ କାର୍ଯ୍ୟାଳୟକୁ ସହଯୋଗ କରୁନାହିଁ । ଫଳରେ ଆଖୁଆପଦା ଜଳସମ୍ପଦ କାର୍ଯ୍ୟାଳୟ ସମସ୍ୟାର ସମ୍ମୁଖିନ ହୋଇଛି । ଗତ ୩ ବର୍ଷ ଧରି ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ବେଳେ ସ୍ଥାନୀୟ ଜଳସମ୍ପଦ ଅଧିକ୍ଷଣ ଯନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି । ୧୯୬୧ ମସିହାରେ ‘ବନ୍ୟା ପୂର୍ବାନୁମାନ କକ୍ଷ’ ଆଖୁଆପଦା ଠାରେ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଅଧିନ ପୂର୍ବାଂଚଳ ଡିଭିଜନ ଅନ୍ତର୍ଗତ ବୈତରଣୀ ଉପଖଣ୍ଡ ଦ୍ୱାରା ଆଖୁଆପଦା ‘ବନ୍ୟା ପୂର୍ବାନୁମାନ’ କାର୍ଯ୍ୟାଳୟ ପରିଚାଳନା କରାଯାଉଛି । ଏହି କାର୍ଯ୍ୟାଳୟ ପରିସରରେ ନିଜସ୍ୱ ଦୈନିକ ବର୍ଷାଜଳ ପରିମାପକ ଯନ୍ତ୍ର ଓ ଉଚ୍ଚଶକ୍ତି ସମ୍ପନ୍ନ ବେତାର ବ୍ୟବସ୍ଥା ରଖାଯାଇଥିଲା । ବୈତରଣୀର ଉପରମୁଣ୍ଡ ଚମ୍ପୁଆ, କେଉଁଝର, ସ୍ୱାମୀପାଟଣା, ଠାକୁରମୁଣ୍ଡା, ଆନନ୍ଦପୁର ଆଦି ସ୍ଥାନରେ ଏହାର ଶାଖା କାର୍ଯ୍ୟାଳୟ ମଧ୍ୟ ସ୍ଥାପନା କରାଯାଇ ବେତାର ସଂଯୁକ୍ତ କରାଯାଇଥିଲା । ସକାଳ ୮ଟା ରୁ ପରଦିନ ସକାଳ ୮ ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡରେ ବର୍ଷା ପରିମାଣ ଆଖୁଆପଦା କାର୍ଯ୍ୟାଳୟକୁ ବେତାର ଯୋଗେ ଆସୁଥିଲା । ବର୍ଷା ପରିମାଣ କେନ୍ଦ୍ର ସରକାରଙ୍କ ଜଳଶକ୍ତି ଉପନିର୍ଦ୍ଦେଶକ ଓ ଆଖୁଆପଦା ରାଜ୍ୟ ଜଳସମ୍ପଦ କାର୍ଯ୍ୟାଳୟକୁ ଦିନ ୯ଟା ସୁଦ୍ଧା ଯୋଗାଇ ଦିଆଯାଉଥିଲା ।

ଏହା ଦ୍ୱାରା ନଦୀର ଜଳସ୍ତର ପରିମାଣ ସମ୍ପର୍କରେ ବନ୍ୟାଜଳ ଆଖୁଆପଦାରେ ପହଞ୍ôଚାର ୬ ଘଣ୍ଟା ପର୍ବରୁ ବିଭାଗ ଅବଗତ ହୋଇ ସତର୍କ ହୋଇଯାଉଥିଲା । ହେଲେ ଏହି କେନ୍ଦ୍ରୀୟ କାର୍ଯ୍ୟାଳୟ ନଦୀ ଉପରମୁଣ୍ଡ ବର୍ଷା ଜଳ ପରିମାଣ ସ୍ଥାନୀୟ ଜଳସମ୍ପଦ କାର୍ଯ୍ୟାଳୟକୁ ଗତ ୩ ବର୍ଷ ଧରି ଆଉ ଦେଉନାହିଁ । ବିଭାଗୀୟ ଯାଜପୁର ଡିଭିଜନ କାର୍ଯ୍ୟାଳୟ ଭୁବନେଶ୍ୱର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦିନ ୨ଟାରେ ପ୍ରାପ୍ତ ହେଉଛି । ଆଖୁଆପଦା ଉପଖଣ୍ଡ କାର୍ଯ୍ୟାଳୟ ଦିନ ୩ଟାରେ ଉପରମୁଣ୍ଡ ବର୍ଷାଜଳ ରିପୋର୍ଟ ମାଗିଯାଚି ପ୍ରାପ୍ତ ହେଉଛି । ଫଳରେ ବନ୍ୟା ନିୟନ୍ତ୍ରଣ ବାଧାପ୍ରାପ୍ତ ହୋଇଛି । ବନ୍ୟା ନିୟନ୍ତ୍ରଣ, ଜଳସେଚନ, ନୌ ପରିବହନ ଓ ପାନୀୟ ଜଳ ଯୋଗାଣ ଆଦି ଲକ୍ଷ୍ୟ ହାସଲ ପାଇଁ ସ୍ଥାପିତ ଏହି କେନ୍ଦ୍ରୀୟ କାର୍ଯ୍ୟାଳୟ ଆରମ୍ଭରୁ ଜଣେ ସହକାରୀ ଯନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ନବେ ଦଶକରେ ଏହି କାର୍ଯ୍ୟାଳୟ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହେବାକୁ ଲାଗିଲା । ୨୦୧୫ ମସିହା ବେଳକୁ କେବଳ ଜଣେ କିରାଣୀ ଏହି କାର୍ଯ୍ୟାଳୟକୁ ଚଳାଉଥିଲେ । ତାଙ୍କ ଅବସର ପରେ ୨ ଜଣ ଠିକା କର୍ମଚାରୀ ଏହି କାର୍ଯ୍ୟାଳୟକୁ ଦୈନିକ ଘଣ୍ଟାଏ ପାଇଁ ଖୋଲା ରଖୁଥିବା ଜଣାଯାଇଛି । ବନ୍ୟାଜଳସ୍ତର ଆକଳନ ବୈତରଣୀ ନଦୀର ଆଖୁଆପଦା ଠାରେ ହୋଇଥାଏ । ଏଠାରେ ବିପଦସଂକେତ ସ୍ତର ୧୭.୮୩ ମିଟର ରଖାଯାଇଛି । ମାତ୍ର ବୈତରଣୀ ନଦୀର ବନ୍ୟା ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ କାର୍ଯ୍ୟାଳୟ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ୱୟର ଅଭାବ ଉତ୍କଟ ସମସ୍ୟା ସୃଷ୍ଟି କରିଛି । ଏହି ସମ୍ବେଦନଶୀଳ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି । ସ୍ଥାନୀୟ ଜଳସମ୍ପଦ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି ବୋଲି ପ୍ରକାଶ କରି ନିଜ ଉପରୁ ଦାଇତ୍ୱ ଖସାଇଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.