Home ଜିଲ୍ଲା ପରିକ୍ରମା ଆଉଟ୍‌ସୋର୍ସିଂ ସଂସ୍ଥାଙ୍କ ମେରୀରାୟ ଶାସନ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସାମାଜିକ ନିରାପତ୍ତା ବିପନ୍ନ

ଆଉଟ୍‌ସୋର୍ସିଂ ସଂସ୍ଥାଙ୍କ ମେରୀରାୟ ଶାସନ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସାମାଜିକ ନିରାପତ୍ତା ବିପନ୍ନ

25

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ନିୟିମତ ନିଯୁକ୍ତି ପ୍ରାୟତଃ ନାହିଁ । ସବୁଠି ଚାଲିଛି ଆଉଟ ସୋର୍ସିଂ ସଂସ୍ଥାମାନଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ନିଯୁକ୍ତି । ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଘରୋଇ କ୍ଷେତ୍ର ପର୍ଯ୍ୟନ୍ତ ୮୦ ପ୍ରତିଶତ କର୍ମଚାରୀ ହେଉଛନ୍ତି ଚୁକ୍ତିଭିତ୍ତିକ । ଅତ୍ୟନ୍ତ ଅସହାୟ ଭାବେ ସେମାନେ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ମୁହୂର୍ତ୍ତରେ ଚାକିରି ଚାଲିଯିବାର ଭୟ । ଠିକ ଏହି ସମୟରେ ଅଧିକାଂଶ ଆଉଟ ସୋର୍ସିଂ ସଂସ୍ଥା ନିଯୁକ୍ତି ଦେଇଥିବା ଏସମସ୍ତ କର୍ମଚାରୀଙ୍କୁ ନିୟମିତ ଭାବେ ଶୋଷଣ କରି ଚାଲିଛନ୍ତି । ସେମାନଙ୍କ ସାମାଜିକ ନିରାପତ୍ତା ସମ୍ପୂର୍ଣ୍ଣ ଭାବେ ବିପନ୍ନ ହୋଇ ପଡ଼ିଛି । ରାଜ୍ୟ ସରକାରଙ୍କ ଦ୍ୱାରା କେତେକ ସର୍ତ୍ତରେ ନିଯୁକ୍ତି ଦେବାକୁ ଏସମସ୍ତ ସଂସ୍ଥା କ୍ଷମତାପ୍ରାପ୍ତ ହୋଇଥିଲେହେଁ ସେମାନେ ସମସ୍ତ ସର୍ତ୍ତାବଳୀକୁ ଖୋଲାଖୋଲି ଉଲଂଘନ କରି ଚାଲିଛନ୍ତି । କିନ୍ତୁ ଏପ୍ରକାର ଶୋଷଣ ବିରୋଧରେ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁ ନାହାନ୍ତି ଏସମସ୍ତ କର୍ମଚାରୀ । ଅପରପକ୍ଷେ ରାଜ୍ୟ ସରକାର ଏପରି ଶୋଷଣକୁ ଦେଖି ମଧ୍ୟ ନିରବ ରହୁଛନ୍ତି । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଂପାଦକ ମନୋଜ ବସନ୍ତ ରାୟଙ୍କ ତଥ୍ୟ ଅନୁଯାୟୀ ଜିଲ୍ଲାରେ ଏବେ ସରକାରୀ ଓ ବେସରକାରୀ କ୍ଷେତ୍ରରେ ୧୫ହଜାରରୁ ଉର୍ଦ୍ଧ୍ୱ ଚୁକ୍ତିଭିତ୍ତିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । କେବଳ ଧାମରା ବନ୍ଦରରେ ଏହି ସଂଖ୍ୟା ୫ହଜାରରୁ ଉର୍ଦ୍ଧ୍ୱ ହେବ ଯେଉଁମାନେକି ଠିକାଦାରଙ୍କ ଅଧିନରେ କାର୍ଯ୍ୟରତ ଅଛନ୍ତି ।

ସେହିପରି ଅନ୍ୟ ସମସ୍ତ ଘରୋଇ କ୍ଷେତ୍ର ସମେତ ସରକାରୀ କ୍ଷେତ୍ରରେ ମଧ୍ୟ ୭୦ରୁ ୮୦ ପ୍ରତିଶତ କର୍ମଚାରୀ ଚୁକ୍ତିଭିତ୍ତିକ । ହୁଏତ ଆଗାମୀ ଦିନରେ କେବଳ ସରକାରୀ ଅଧିକାରୀଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ କର୍ମଚାରୀ ଚୁକ୍ତିଭିତ୍ତିକ ହୋଇଯିବେ । ଅନୁରୂପ ମତପୋଷଣ କରିଛନ୍ତି ସିପିଆଇ-ଏମଏଲ ନେତା ସମର ବଳ ଓ ସିଆଇଟିୟୁ ନେତା ଦିବ୍ୟ ସିଂହ ନାୟକ । ତେବେ ଦିନକୁ ଦିନ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦୁର୍ଦ୍ଦଶା ବଢ଼ିବରେ ଲାଗିଛି । ସେମାନେ ସରକାରଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି । କାରଣ ବାରମ୍ବାର ଠିକା ସଂସ୍ଥା ବଦଳୁଛନ୍ତି । ୫ବର୍ଷପୂର୍ବରୁ ଯେଉଁ ସଂସ୍ଥା ବଦଳିଗଲା ଏହା ଅଧିନରେ କାର୍ଯ୍ୟରତ କର୍ମଚାରୀ ଗ୍ରାଚ୍ୟୁଇଟିରୁ ବଞ୍ଚିତ ହେଉଛନ୍ତି । ସେହିପରି ସଂପୃକ୍ତ ସଂସ୍ଥାଗୁଡ଼ିକ କର୍ମଚାରୀଙ୍କ ଇପିଏଫ ଓ ଇଏସଆଇ ବାବଦରେ ନିୟମିତ ଟଙ୍କା କାଟୁଛନ୍ତି । କିନ୍ତୁ ଏହାକୁ ଜମା କରୁନାହାନ୍ତି । ଏପରିକି ମାସରେ ୨୫ ଦିନ କାମ କରିଥିବା କର୍ମଚାରୀ ମୋଟ ୪ରୁ ୫ଦିନ କାମ କରିଥିବା କାଗଜପତ୍ରରେ ଦର୍ଶାଉଛନ୍ତି । ସରକାରଙ୍କ ନିର୍ଦ୍ଧାରିତ ମଜୁରୀ ମଧ୍ୟ ସେମାନଙ୍କୁ ମିଳୁ ନାହିଁ । ମୋଟାମୋଟି ଭାବରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମାନ କାମକୁ ସମାନ ଦରମା ନିତୀ ପ୍ରହସନରେ ପରିଣତ ହୋଇଛି । ଯାହର ଉଦାହରଣ ଭଦ୍ରକ ପୌରପାଳିକା ଠାରୁ ଆରମ୍ଭ କରି ଜିଲ୍ଲା ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି । ତେଣୁ ଆଉଟ ସୋର୍ସିଂ ସଂସ୍ଥାଙ୍କ ଶୋଷଣ ବିରୁଦ୍ଧରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଭଦ୍ରକ ଜିଲ୍ଲାର ଏପ୍ରକାର ଶୋଷଣକୁ ରୋକିବା ପାଇଁ ପ୍ରଶାନିକ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.