Home ଜିଲ୍ଲା ପରିକ୍ରମା ଶ୍ରମ ଆଇନ୍ ସଂଶୋଧନ ପୁନଃ କ୍ରୀତଦାସ ପ୍ରଥା ପ୍ରଚଳନ : ଏଆଇଟିୟୁସି ପକ୍ଷରୁ କେନ୍ଦ୍ର ସରକାରଙ୍କ...

ଶ୍ରମ ଆଇନ୍ ସଂଶୋଧନ ପୁନଃ କ୍ରୀତଦାସ ପ୍ରଥା ପ୍ରଚଳନ : ଏଆଇଟିୟୁସି ପକ୍ଷରୁ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ବିରୋଧ

85

ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ସଂଶୋଧନକୁ ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀସଂଘ ଡିଫେନ୍‌ସ କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ୍ ଓ ନ୍ୟାସନାଲ ହକର ଫେଡେରେଶନ୍ ପକ୍ଷରୁ ମିଳିତ ଭାବେ ଆଜି ପ୍ରତିବାଦ କରାଯାଇଛି। ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଏଆଇଟିୟୁସିର ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ, ଡିଫେନ୍ସ କଣ୍ଟ୍ରାକ୍ଟରର୍ସ ୱାର୍କର୍ସ ୟୁନିୟନର ନାରାୟଣ ପାଣିଗ୍ରାହୀ, ପୂର୍ଣ୍ଣ ଦାସ, ଏସାକ୍ ଅଲି ସାହା, ଏଆଇଟିୟୁସିର ରାଜ୍ୟ ପରିଷଦ ସଦସ୍ୟ ପ୍ରତିଭା ପାଲ୍‌, ନିଖିଳ ଓଡ଼ିଶା ଅଙ୍ଗନୱାର୍ଡ଼ି କର୍ମୀସଂଘର ନିର୍ବାସିନୀ ପ୍ରଧାନ, ନ୍ୟାସନାଲ୍ ହକର ଫେଡେରେଶନ୍ ଏବଂ ଓଡ଼ିଶା ପଥ ବିକ୍ରେତା ସଂଘର ଆବିଦ ଖାନ୍‌, ମୋହିନୀ ମୋହନ ପରିଡ଼ା, ରାମଚନ୍ଦ୍ର ପରିଡ଼ା, ଟିପିରୀ ସିଂ, ଅଭିରାମ ବାରିକ, ଦୀନବନ୍ଧୁ ସାହୁ, ରାଜେଶ ପଣ୍ଡା, ରିକ୍ସା ଚାଳକ ସଂଘର ସେକ୍ ସଲ୍ଲାଉଦ୍ଦିନ୍‌, କୃଷକ ନେତା ଅନୁଜ ମହାପାତ୍ର, ସୁରଜିତ୍ ପୋଥାଳ, ଆଇନଜୀବୀ ଅବଦୁଲ ରଫିକ୍ ଓ ମନୋଜ ନାୟକ ପ୍ରମୁଖ ଯୋଗଦେଇ ପୁଞ୍ଜିପତି ଓ ଶିଳ୍ପପତିଙ୍କ ସ୍ୱାର୍ଥରକ୍ଷାରେ ସରକାରଙ୍କ ଦେଶର ଶ୍ରମ ଆଇନ୍ ସଂଶୋଧନକୁ ତୀବ୍ର ସମାଲୋଚନା କରିଥିଲେ। ନିର୍ବାଚନରେ ଦଳୀୟ ପାଣ୍ଠି ପାଇଁ କେନ୍ଦ୍ରର ମୋଦି ସରକାର ଦେଶର ମହାରତ୍ନ, ନବରତ୍ନ ଓ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ କମ୍ପାନୀମାନଙ୍କ ପାଦତଳେ ସମର୍ପଣ କଲେଣି। କୋଭିଡ଼୍ ନିୟନ୍ତ୍ରଣ ପରିବର୍ତ୍ତେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଶାସକ ଦଳ ବିଧାୟକଙ୍କୁ ଖରିଦ କରି ବିଜେପି ସରକାର ଗଠନରେ ବ୍ୟସ୍ତ ରହି ମଧ୍ୟପ୍ରଦେଶରେ କ୍ଷମତା ହାତେଇ ସାରିବା ପରେ ସଂସଦକୁ ବିଶ୍ୱାସକୁ ନନେଇ କରୋନା ଆଳରେ ହଠାତ୍ ଗୋଟିଏ ଦିନ ଜନତା କର୍ଫ୍ୟୁ, ୨୫ ମାର୍ଚ୍ଚ ଶୂନ୍ୟ ଘଣ୍ଟାରୁ ପ୍ରଥମେ ୨୧ ଦିନ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କରି ଦେଶର ସାମାଜିକ, ଅର୍ଥନୈତିକ ବ୍ୟବସ୍ଥାକୁ ଧ୍ୱସ୍ତ କରି ଏ ପର୍ଯ୍ୟନ୍ତ କଟକଣା ବଳବତ୍ତର ରଖି ଦେଶ ଅର୍ଥନୀତିକୁ ରସାତଳଗାମୀ କରାଇଲେ। ଦେଶର ଅର୍ଥନୀତି, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଶିଳ୍ପ, ବାଣିଜ୍ୟ ପ୍ରଭୃତି ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡ଼ିଥିବା ବେଳେ ଶ୍ରମିକ, କୃଷକ, ଛାତ୍ର, ଯୁବ ଓ ମହିଳାଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଚାଲି ଯାଇଛି। ସଂଶୋଧିତ ଶ୍ରମ ଆଇନ୍ ପ୍ରତ୍ୟାହାର ନହେଲେ ଏହି ଜନବିରୋଧୀ ମୋଦି ସରକାର ହଟାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଆହୁରି ତେଜିଆନ୍ କରିବାକୁ ବକ୍ତାମାନେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ୪ ଗୋଟି ଶ୍ରମକୋର୍ଡ଼ ଆଳରେ ୪୪ ଗୋଟି ଶ୍ରମ ଆଇନକୁ ସଂଶୋଧନ କରି ଦେଶରେ କ୍ରୀତଦାସ ପ୍ରଥା ପୁନଃପ୍ରଚଳନ ଉଦ୍ୟମରୁ ସରକାର ନିବୃତ ନହେଲେ ଆଗାମୀ ଦିନରେ ସର୍ବଭାରତୀୟ ସ୍ତରରେ ଶ୍ରମିକ ଆନ୍ଦୋଳନ ଅଧିକରୁ ଅଧିକ ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.