Home ଓଡ଼ିଶା ରାଜସ୍ବରୁ ୨୭ଲକ୍ଷ ୫୦ହଜାର ଟଙ୍କାର ପୋଲ କାମରେ ଲାଗୁନାହିଁ, ୮୪ ପରିବାରଙ୍କ ସାହା ଭରଷା ହିଁ...

ରାଜସ୍ବରୁ ୨୭ଲକ୍ଷ ୫୦ହଜାର ଟଙ୍କାର ପୋଲ କାମରେ ଲାଗୁନାହିଁ, ୮୪ ପରିବାରଙ୍କ ସାହା ଭରଷା ହିଁ କାଠପୋଲ

73

ହରିଚନ୍ଦନପୁର,ତା ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)ସରକାରଙ୍କ ଅନୁଦାନରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେବି ସମ୍ପୂର୍ଣ୍ଣ ହୋଇପାରୁନାହିଁ ବଗିରା ନଦୀର ପୋଲ ନିର୍ମାଣ କାର୍ଯ୍ୟ, ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି ୮୪ ପରିବାରର ୬୫୦ ଭୋଟର । ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ପଞ୍ଚାୟତର ଶୁଆକାଠି ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମ ନିକଟରେ ଥିବା ବଗିରା ନଦୀ ଉପରେ ରାଜସ୍ବରୁ ୨୭ଲକ୍ଷ ୫୦ହଜାର ଟଙ୍କାର ବ୍ୟୟ ବରାଦରେ ନିର୍ମିତ ହୋଇଥିବା ପୋଲ ଓ ଆପ୍ରୋଚ୍ ରାସ୍ତା ଲୋକଙ୍କ କାମରେ ଲାଗୁନାହିଁ । ଲକ୍ଷାଧିକ ଟଙ୍କାରେ ପୋଲ ନିର୍ମାଣ ହୋଇଥିବା ବେଳେ ଗ୍ରାମବାସୀଙ୍କ ପାଇଁ ସାହା ଭରଷା ପାଲଟିଛି କାଠ ପୋଲ । ଗ୍ରାମର ଲୋକମାନେ ଦୀର୍ଘବର୍ଷ ଧରି ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ବାରମ୍ବାର ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଗୁହାରି ଜଣାଥିଲେ । ଦୀର୍ଘବର୍ଷ ପ୍ରତିକ୍ଷା ପରେ ୨୦୧୩ ମସିହାରେ ଉକ୍ତ ନଦୀର ପୋଲ ନିର୍ମାଣ ନିମନ୍ତେ ରାଜସ୍ବରୁ ୧୫ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ହୋଇଥିଲା । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାର ଅଧାପାନ୍ତରିଆରେ ପୋଲ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ କରି ଅନୁଦାନର ବଳକା ଟଙ୍କାଙ୍କୁ ହରିଲୁଟ୍ କରିନେଇଥିଲେ । ଯାତାୟାତରେ ଅସୁବିଧା ନେଇ ଗ୍ରାମର ଲୋକମାନେ ପୁଣି ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ବାରମ୍ବାର ମୌଖିକ ସହ ଲିଖିତ ଅଭିଯୋଗ କରିଥିଲେ । ବାରମ୍ବାର ଅଭିଯୋଗ ପରେ ୨୦୧୬ ମସିହାରେ ପୁଣି ଉକ୍ତ ଅଧାପାନ୍ତରିଆ ପୋଲ ଉପରେ ରାଜସ୍ବରୁ ୧୨ଲକ୍ଷ ୫୦ହଜାର ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଗଲା । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀ ସଲାସୁତୁରାରେ କିଛି ମାତ୍ରାରେ କାର୍ଯ୍ୟ କରି ଅନୁଦାନର ଅବଶିଷ୍ଟାଂଶ ଟଙ୍କାକୁ ହରିଲୁଟ୍ କରିନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସବୁଠାରୁ ବଡ଼ କଥା ପ୍ରଶାସନର ଅବହେଳା ଯୋଗୁଁ ଶୁଆକାଠି ଗ୍ରାମର ଲୋକମାନେ ଗୌଣିଘଷା, ଭଗାମୁଣ୍ଡା ଓ ଶଗଡପଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଦେଇ ୩୦ କିଲୋମିଟର ଅତିକ୍ରମ କରି ଟାଙ୍ଗିରିଆପାଳ ପଞ୍ଚାୟତକୁ ବିଭିନ୍ନ କାର୍ଯ୍ୟରେ ଯାଇଥାନ୍ତି । ଗ୍ରାମର ୬୫୦ ଭୋଟରଙ୍କ ମଧ୍ୟରୁ ୧୬୦ଜଣ ୩୦କିଲୋମିଟର ଅତିକ୍ରମ କରି ଟାଙ୍ଗିରିଆପାଳ ଗ୍ରାମ ପଞ୍ଚାୟତ ଉପରେ ନିର୍ଭର କରୁଥିବା ବେଳେ ୪୪ଜଣ ୫କିଲୋମିଟର ଅତିକ୍ରମ କରି ଗୌଣିଘଷା ଗ୍ରାମ ପଞ୍ଚାୟତରୁ ରାସନ୍ ସାମଗ୍ରୀ ସଂଗ୍ରହ କରିଥାନ୍ତି, ଏବଂ ଅବଶିଷ୍ଟାଂଶ ଭୋଟର ୧୦କିଲୋମିଟର ଅତିକ୍ରମ କରି ରେବଣାପଳାଶପାଳ ଗ୍ରାମ ପଞ୍ଚାୟତରୁ ରାସନ୍ ସାମଗ୍ରୀ ସଂଗ୍ରହ କରିଥାନ୍ତି । ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଗ୍ରାମର ସମସ୍ତ ହିତାଧିକାରୀ ରେବଣାପଳାଶପାଳ ଗ୍ରାମ ପଞ୍ଚାୟତ ଉପରେ ନିର୍ଭର କରିଥାନ୍ତି । ଏହି ରାସ୍ତାର ଅବସ୍ଥା ଅତି ଶୋଚନୀୟ ଓ ପୋଲଟି ଅଧାପନ୍ତରିଆ ହୋଇ ରହିଥିବା ନେଇ ଏଠାକାର ଲୋକମାନେ ପ୍ରତିବର୍ଷ ବର୍ଷା ଦିନେ ଯାତାୟତରେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଉନାହିଁ । ପ୍ରତିବର୍ଷ ବର୍ଷାଋତୁରେ ଏହି ନଦୀରେ ଅଚାନକ ବଢ଼ି ବା ଜଳର ସ୍ରୋତ କାରଣରୁ ଲୋକଙ୍କ ହସ୍ତରେ ନିର୍ମିତ କାଠ ପୋଲଟି ଭାଙ୍ଗିଯାଏ । ଫଳରେ ଗୌଣିଘଷା ଠାରୁ ଶୁଆକାଠି, ମସିଣାଯୋଡି, ବରେଇଗୋଡା, ବାଙ୍ଗୁରୁଶୁଣି, ରେବଣାପଳାଶପାଳ ଭଳି ବିଭିନ୍ନ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉକ୍ତ ଅଧାପନ୍ତରିଆ ପୋଲଟିକୁ ସମ୍ପୂର୍ଣ୍ଣ କରାଇବାକୁ ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.