Home ଓଡ଼ିଶା ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଗଠିତ ବନ୍ୟା ଅନୁସନ୍ଧାନକାରୀ କମିଟିର ସଦସ୍ୟ ପ୍ରସାଦ ହରିଚନ୍ଦନଙ୍କ...

ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଗଠିତ ବନ୍ୟା ଅନୁସନ୍ଧାନକାରୀ କମିଟିର ସଦସ୍ୟ ପ୍ରସାଦ ହରିଚନ୍ଦନଙ୍କ ପୁରୀ ଜିଲ୍ଲାର ବିଭିନ୍ନ ବନ୍ୟାଚଂଳ ଗସ୍ତ ଓ କ୍ଷୟକ୍ଷତିର ଅନୁସନ୍ଧାନ

50

ଭୁବନେଶ୍ୱର, ୧୦/୦୯ (ଓଡ଼ିଆ ପୁଅ) – ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତିର ଅନୁସନ୍ଧାନ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଗଠିତ ବନ୍ୟା ଅନୁସନ୍ଧାନକାରୀ କମିଟିର ଅନ୍ୟତମ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ଗତ ୬ ଓ ୮ ତାରିଖ ଦିନ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମିୟ କୁମାର ପଟ୍ଟନାୟକ, କାକଟପୁରର କଂଗ୍ରେସ ନେତା ବିଶ୍ୱ ଭୂଷଣ ଦାସ, ନିମାପଡାର ଦିଲ୍ଲୀପ କୁମାର ନାୟକ, ପିପିଲି ଅଜିତ୍ କୁମାର ମଙ୍ଗରାଜ ଜିଲ୍ଲାର ନିମାପଡା, ଅସ୍ତରଙ୍ଗ, କାକଟପୁର, ଗୋପ, ପିପିଲି, ଡେଲାଙ୍ଗ ଓ ଏହା ପୂର୍ବରୁ କଣାସ, ସତ୍ୟବାଦୀ ବ୍ଳକର ବିଭିନ୍ନ ବନ୍ୟାଚଂଳର ପଂଚାୟତଗୁଡ଼ିକୁ ଗସ୍ତକରିବା ସହ ପାଣି ଘେରରେ ଥିବା ବିପନ୍ନ ଲୋକମାନଙ୍କ ସହିତ ଆଲୋଚନାକରି ଫେରିବାପରେ ପ୍ରଶାସନ ତରଫରୁ ଆବଶ୍ୟକ ପରିମାଣର ରିଲିଫ୍ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇ ନ ଥିବା ହେତୁ କ୍ଷୋଭ ପ୍ରକାଶ କରିଥିଲେ। ବ୍ରହ୍ମଗିରୀ ଓ ପୁରୀ ସଦର ବ୍ଳକ ଅଂଚଳର ବନ୍ୟାସ୍ଥିତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯାଇଛି। ଶ୍ରୀ ହରିଚନ୍ଦନଙ୍କ ଗସ୍ତ ସମୟରେ ପିପିଲି ବ୍ଳକର ବାଜପେୟୀ ଛକଠାରେ ୯୦ରୁ ଉର୍ଦ୍ଧ୍ୱ ପରିବାରର ମହିଳାମାନେ ରାଜରାସ୍ତାକୁ ଆସି ରିଲିଫ୍ ସହାୟତା ଯୋଗାଇ ଦିଆଯାଇ ନଥିବା ହେତୁ ଗଭୀର ଉଦ୍‌ବେଗ ପ୍ରକାଶ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ସାମଗ୍ରୀ ବଣ୍ଟନର ପ୍ରକୃତ ଚେହେରା ଏଥିରୁ ବେଶ୍ ବାରି ହୋଇ ପଡ଼ିଛି ବୋଲି ଜାଣିବାକୁ ପାଇଥିଲେ। ବିଭିନ୍ନ ସ୍ଥାନରେ ନଦୀବନ୍ଧ ସୁଦୃଢ଼ୀକରଣ କରା ନ ଯିବା, ବନ୍ୟା ଜଳ ନିଷ୍କାସନ ପାଇଁ ସ୍ଥାୟୀ ପ୍ରତିକାର କରାଯାଉ ନ ଥିବା ଯୋଗୁଁ ଅନେକ ସ୍ଥାନରେ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହେଉଛି ବୋଲି ସେ ଅନୁଭବ କରିଥିଲେ। ଅସ୍ତରଙ୍ଗ ବ୍ଳକର ଦ୍ୱୀପାଂଚଳ ତାଳଦା ପଂଚାୟତକୁ ଗମନାଗମନ ପାଇଁ ବିଜୁ ସେତୁ ବ୍ରିଜ୍ ଦୀର୍ଘ ୭ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭ ଦିଆଯାଇ ଅଧାହୋଇ ପଡ଼ିଥିବାରୁ ଉକ୍ତ ବ୍ଳକଠାରୁ ତାଳଦା ପଂଚାୟତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛି। ଫଳରେ ଦଶ ହଜାରରୁ ଉର୍ଦ୍ଧ୍ୱଲୋକ ଏଥିପାଇଁ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲାର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଛି। ଆଉ ଖରିଫ୍ ଫସଲ ଉତ୍ପାଦନ ହେବା ସମ୍ଭବ ନୁହେଁ। ବହୁ ଗାଁରେ ପାଣି ପଶି ମାଟିକାନ୍ଥଗୁଡ଼ିକ ଭାଙ୍ଗି ପଡ଼ିଛି। ବହୁ ସ୍ଥାନରେ ପିଇବା ପାଣିଠାରୁ ଆରମ୍ଭକରି ରିଲିଫ୍ ସହାୟତା ଯୋଗାଇ ଦିଆଯାଇ ନାହିଁ। ଦଳୀୟ ଭିତିରେ ରିଲିଫ୍ ସାମଗ୍ରୀ ବଂଟନ କରାଯାଉଥିବା ଅଭିଯୋଗ ଆସିଛି। ବିଭିନ୍ନ ବ୍ଳକ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ସଠିକ୍ ଆକଳନ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଆଶାନୁରୂପକ ଭାବରେ କରାଯାଉ ନାହିଁ। ଖୋଲା ଆକାଶ ତଳେ ଖରା ବର୍ଷାରେ ବହୁ ଅସହାୟ ଲୋକ ପାଣି ଘେରରେ ରହିଛନ୍ତି। ପଲିଥିନ୍ ଖଣ୍ଡିଏ ମଧ୍ୟ ବହୁ ଗରୀବଲୋକଙ୍କୁ ଯୋଗାଇ ଦିଆଯାଉ ନାହିଁ। ଏହି ସବୁ ସମସ୍ୟାକୁ ବନ୍ୟା ପରିଭ୍ରମଣ ସମୟରେ ଅନୁଧ୍ୟାନ କରିବାପରେ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ତୁରନ୍ତ ବିପନ୍ନଙ୍କୁ ସହାୟତା, ବାସ୍ତବ କ୍ଷୟକ୍ଷତିର ସଠିକ୍ ଆକଳନ, ଘରଭଙ୍ଗା ସହାୟତା, ଖରିଫ୍ ଫସଲ କ୍ଷତି ଭରଣା ପାଇଁ ଗତ ଖରିଫ୍ ଚାଷର କୃଷିଋଣ ଛାଡ଼, ପ୍ରତି ଏକର ପିଚ୍ଛା ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ, ବିନା ସୁଧରେ ରବି ଚାଷ ପାଇଁ ଋଣ ଯୋଗାଣ, ମାଗଣା ବିହନ ଓ ପନିପରିବା ମିନିକିଟ୍ସ ଯୋଗାଣ, କ୍ଷୟକ୍ଷତିର ବୀମା ସହାୟତା, ଗୋଖାଦ୍ୟ ଯୋଗାଣ, ସଂକ୍ରମଣ ରୋଗର ପ୍ରତିକାର ପାଇଁ ବ୍ୟବସ୍ଥା, ତାଳଦା ବ୍ରିଜ୍‌ର କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ୫୦ କେଜି ଚାଉଳ ଓ ୫୦୦ଟଙ୍କା ବାଛ ବିଚାର ନ କରି ବନ୍ୟାଘେରରେ ଥିବା ସମସ୍ତ ଲୋକଙ୍କୁ ତୁରନ୍ତ ଯୋଗାଇ ଦେବାକୁ ପ୍ରତିନିଧି ମଣ୍ଡଳୀ ଦୃଢ଼ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.