Home ଜିଲ୍ଲା ପରିକ୍ରମା ଭଦ୍ରକ ରେଳବାଇ ପୁଲିସ୍‌ର ବଡ ସଫଳତା : କୋଇଲା ମାଫିଆ ସହ ଦୁଇ ଡ୍ରାଇଭର ଗିରଫ,...

ଭଦ୍ରକ ରେଳବାଇ ପୁଲିସ୍‌ର ବଡ ସଫଳତା : କୋଇଲା ମାଫିଆ ସହ ଦୁଇ ଡ୍ରାଇଭର ଗିରଫ, ୩ ଗାଡି ଜବତ

119

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳାହୀରା ଭାବେ ପରିଚିତ କୋଇଲାର ଚୋରା ଚାଲାଣ ଭଦ୍ରକ ଜିଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଧାମରା ବନ୍ଦରରୁ ରେଳପଥ ଦେଇ ଏହି କଳାହୀରା ବିଭିନ୍ନ ରାଜ୍ୟ ଓ ରାଜ୍ୟ ବାହାରକୁ ରପ୍ତାନୀ ହେଉଥିବାବେଳେ ଏହାର ସୁଯୋଗ ନେଉଛନ୍ତି ରେଳଧାରଣା ପାର୍ଶ୍ୱ ଗ୍ରାମର କେତେକ ଅସାଧୁ ଗ୍ରାମବାସୀମାନେ। ଏଥିରେ ସହଯୋଗ କରୁଛନ୍ତି ବହୁ ବଡବଡ କୁଖ୍ୟାତ କୋଇଲା ମାଫିଆମାନେ। ଏ ଦିଗରେ ସେମାନଙ୍କୁ କେତେକ ଥାନାର ଅସାଧୁ କର୍ମଚାରୀମାନେ ସହଯୋଗ କରୁଥିବାର ନଜିର ମଧ୍ୟ ରହିଛି। ବିଗତ ଦିନରେ ଏଥିନେଇ ଜିଲାର ବହୁ ବଡ ବଡ ପୁଲିସ୍ ଅଧିକାରୀଙ୍କ ନାମ ଚର୍ଚ୍ଚାକୁ ଆସିଥିବାବେଳେ ଜନୈକ ଅବସରପ୍ରାପ୍ତ ଜିଲା ଆରକ୍ଷୀ ଅଧିକ୍ଷକ (ଯେକି ଅବସର ପରେ ଧାମରା ବନ୍ଦରର ଚୋରା କୋଇଲା ବନ୍ଦ ଦିଗରେ ସିକ୍ୟୁରିଟି ଅଧିକାରୀ ଭାବେ ଅବସ୍ଥାପିତ ଥିଲେ) ସଂପୃକ୍ତ ଥିବାର ଜଣାପଡିବା ପରେ ତାଙ୍କୁ ଉକ୍ତ ଚାକିରୀ ହରାଇବାକୁ ପଡିଥିଲା। ଏଥିସହ ଏହି କୋଇଲା ମାଫିଆଙ୍କ ସହ ସଂପୃକ୍ତ ରହିଆସିଥିବା ପ୍ରାୟ ୧୨ ଜଣ ପୁଲିସ୍ କର୍ମଚାରୀଙ୍କୁ କଳା ତାଲିକାଭୁକ୍ତ କରାଯାଇ ବଦଳି କରାଯାଇଥିଲା। ତେବେ ଏହି କୋଇଲା ଚୋରା ଚାଲାଣ ହ୍ରାସ ପାଇବା ପରିବର୍ତ୍ତେ ବଢିବାରେ ଲାଗିଛି। ମଝିରେ ମଝିରେ ପୁଲିସ୍ ଏମାନଙ୍କୁ ଧରୁଥିଲେ ମଧ୍ୟ ସୁଧୁରୁନାହାଁନ୍ତି ମାଫିଆମାନେ। ତେବେ ଆଜି ଏକ କୋଇଲା ମାଫିଆ ସହ ୩ଟି ଗାଡି ଭଦ୍ରକ ରେଳବାଇ ପୁଲିସ୍ ହାତରେ ଧରାପଡିଛି। ଏଥିନେଇ ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଧାମରା ରେଳପଥରେ ଟ୍ରେନ୍ ଯୋଗେ ଆସୁଥିବା କୋଇଲାକୁ ଚୋରି କରି ଏହି ମାଫିଆ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଥିଲା। କୌଣସି ସୂତ୍ରରୁ ଖବର ପାଇ ଭଦ୍ରକ ରେଳବାଇ ପୁଲିସ୍ (ଆରପିଏଫ୍‌) ଏକ ଜାଲ ବିଛାଇଥିଲା। ଏବଂ ଆଜି ଚୋରା କୋଇଲା ବୋଝେଇ ଏକ ୧୨ ଚକିଆ, ୪୦୭ ଟ୍ରକ୍ ସହ ପିକ୍‌ଅପ୍ ଭ୍ୟାନ୍ ଯାଉଥିବାବେଳେ ଭଦ୍ରକ ରେଳବାଇ ପୁଲିସ୍‌, ସିଆଇବି ଯାଜପୁର ଓ ଏସ୍‌ଟିଏଫ୍ ମିଳିତ ଭାବେ ଚଢାଉ କରି ଏହାକୁ ଜବତ କରିଥିଲେ। ଏହି ଚଢାଉରେ ଯାଜପୁର ଟାଉନ୍‌ର ରମେଶ ଚନ୍ଦ୍ର ବିଶ୍ୱାଳ, ନିଶିତ କୁମାର ଦତ୍ତ ଓ ସୂର୍ଯ୍ୟକାନ୍ତ ଘଡେଇ ଗିରଫ ହୋଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.