Home ଓଡ଼ିଶା ବିଜେଡି ଚାପରେ ଗିରଫ ହେଉନି ହତ୍ୟାକାରୀ କୁନୁପଣ୍ଡା : ଏସପି ଅଫିସ ଘେରାଓ କରିବ ବିଜେପି

ବିଜେଡି ଚାପରେ ଗିରଫ ହେଉନି ହତ୍ୟାକାରୀ କୁନୁପଣ୍ଡା : ଏସପି ଅଫିସ ଘେରାଓ କରିବ ବିଜେପି

108

ବାଲେଶ୍ୱର, ୨ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : ପାରିକୂଳ ତପନ ପାତ୍ର ହତ୍ୟାକଣ୍ଡକୁ ୨ ମାସ ପୂରିବାକୁ ଯାଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବାଲି ମାଫିଆ ବସନ୍ତ ପଣ୍ଡା ଓରଫ୍ କୁନୁପଣ୍ଡା ଓ ତାର ସହଯୋଗୀ ଚୋରା ମଦ ବେପାରୀ ମନୋଜ ଦାଶକୁ କିରଫ କରିବାରେ ପୁଲିସର କାଳକ୍ଷେପଣ ନୀତିକୁ ନେଇ ମୁହଁ ଖୋଲିଛି ସଦର ବିଜେପି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ମାନସ କୁମାର ଦତ୍ତଙ୍କ ସମେତ ପର୍ଶୁରାମ ବେହେରା, ଶିପ୍ରା ବାଜପେୟୀ, ଚନ୍ଦ୍ର ଶେଖର ନନ୍ଦ, ଗୌରାଙ୍ଗ ଦାସ, ସତ୍ୟଜିତ ମିଶ୍ର ପ୍ରମୁଖ ଯୋଗଦେଇ ଜିଲ୍ଳା ବିଜେଡିର ଅପରାଧିକ ଲିଙ୍କ୍ ଓ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସର ନିଷ୍କ୍ରିୟତାକୁ ତୀବ୍ର ସମାଲୋଚନା କରିଛନ୍ତି। ଗତ ଅଗଷ୍ଟ ମାସ ୩ ତାରିଖ ରାତ୍ରି ୯ଟା ବେଳେ ବୁଆଁଳ ପଞ୍ଚାୟତ ଛତ୍ରପୁର ଛକଠାରେ କୁନୁପଣ୍ଡା ଓ ମୋନଜ ଦାଶଙ୍କ ନେତୃତ୍ୱରେ ଅପରାଧୀମାନେ ପାରିକୂଳ ଗ୍ରାମର ଶ୍ରୀଧର ପାତ୍ରଙ୍କ ପୁଅ ତପନ ପାତ୍ର ଓ ମୁରଲୀ ମହାପାତ୍ରଙ୍କ ପୁଅ ପ୍ରିୟବ୍ରତ ମହାପାତ୍ରଙ୍କୁ ଖଣ୍ଡା, ତେଲେଙ୍ଗାକଟୁରୀ, ଭୁଜାଲି ଓ ପିସ୍ତଲରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ତପନ ପାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ପ୍ରିୟବ୍ରତ ମହାପାତ୍ର ପ୍ରଥମେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ଓ ଏବେ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଅଛନ୍ତି। ଏହି ହତ୍ୟାକଣ୍ଡକୁ ନେଇ ସଦର ପୁଲିସ ୨୧୫/୨୦୨୦ ନଂର ମାମଲା ରୁଜୁ ସହ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ବି ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଦ୍ୱୟଙ୍କୁ ଅଦ୍ୟାବଧି ଗିରଫ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି ବିଜେପି କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି। ଏହି ମାମଲାର ତଦନ୍ତକାରୀ ପୁଳିସ ଅଧିକାରୀଙ୍କ ସନ୍ଦେହପୂର୍ଣ୍ଣ କାର୍ଯ୍ୟଧାରା ଏବେ ସମସ୍ତଙ୍କୁ ଆଚମ୍ବିତ କରିଛି। ଦୁଇ ଅପରାଧୀମାନଙ୍କୁ ଏହି ମାମଲାରୁ ଖସାଇଦେବା ପାଇଁ ପୁଲିସ ସହ ଏକ ବଡ ଧରଣର ଅର୍ଥ ଡିଲ କରାଯାଇଥିବା ବିଜେପି ନେତାମାନେ ଅଭିଯୋଗ ଉଠାଇଛନ୍ତି। ଗତ ତିନିଦିନ ତଳେ ଜିଲ୍ଲା ବିଜେଡି ସଭାପତିଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅପରାଧୀ ଶ୍ରୀ ପଣ୍ଡା ଯୋଗଦେବା ଏବଂ ବ୍ଲକ ଅଫିସରେ ଖୋଲାଖୋଲି ଭାବେ ଧମକପୂର୍ଣ୍ଣ ଗାଳିଗୁଲଜ କରିବା ଘଟଣା ପୁଲିସ ଏବଂ ଏବଂ ଅପରାଧୀଙ୍କ ମଧୁଚନ୍ଦ୍ରିକାକୁ ସ୍ପଷ୍ଟ କରିଛି। ପୁଲିସ ଅପରାଧୀର ସଂସ୍ପର୍ଶରେ ରହି, ତାକୁ ଗିରଫ କରି ନପାରିବା ଏବଂ ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଇବା, ନାକ ଅଗରେ ଚଷମା ରଖି, ଚଷମା ଖୋଜିଲା ପରି ଲାଗୁଛି ବୋଲି ବିଜେପି ପକ୍ଷରୁ ଅରୋପ ହୋଇଛି। ସବୁ ଜାଣି ନ ଜାଣିବାର ଅଭିନୟ କରି ପୁଲିସ ଅଭିଯୁକ୍ତ ଦ୍ୱୟଙ୍କର ପତ୍ତା ମିଳୁନାହିଁ ବେଲି କହୁଛି। ଅଭଯୁକ୍ତ କୁନୁପଣ୍ଡା ଓ ମନୋଜ ଦାଶ ବୁଆଁଳ ପଞ୍ଚାୟତ ସମେତ ୨୫ନଂ ଜିଲ୍ଲା ପରିଷଦ ଜୋନର ନଗ୍ରମ, ଓଲନ୍ଦା ସାରଗାଁ, ସିନ୍ଧିଆ, ବଇଁଚା, ଗୋପୀନାଥପୁର ଆଦି ପଞ୍ଚାୟତରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିଲେ। ଏହି ସମୟରେ କୁନୁ ପଣ୍ଡାଙ୍କୁ ସଦର ବ୍ଲକ ବିଜେଡି ସଭାପତି ଭାବେ ଅଧିତିଷ୍ଟ କରାଇବା ଯୋଗୁଁ ସେ ତା’ର ଅପରାଧ ସାମ୍ରାଜ୍ୟକୁ ଶକ୍ତିଶାଳୀ କରି ରାଜନୈତିକ ବିରୋଧୀଙ୍କୁ ରାସ୍ତାରୁ ହଟାଇବାର ଯୋଜନା କଲା। ଉକ୍ତ ଘଟଣାର କିଛିଦିନ ଆଗରୁ ହତ୍ୟାକାଣ୍ଡର ଶିକାର ହୋଇଥିବା ତପନ ପାତ୍ର ସହ କୁନୁ ପଣ୍ଡାଙ୍କର ଯୁକ୍ତିତର୍କ ହୋଇଥିଲା ଓ ସେଥିରେ ଶ୍ରୀ ପଣ୍ଡା ନିଜକୁ ଅପମାନ ବୋଧ କରିଥିଲେ। ତେଣୁ ତପନ ପାତ୍ରଙ୍କୁ ରାସ୍ତାରୁ ହଟାଇବାକୁ ଚୋରା ମଦ ବେପାରୀ ମନୋଜ ଦାଶ ସହ ମିଶି କରିଥିବା ଯୋଜନା କାର୍ଯ୍ୟକାରୀ କରିଥିଲା। ମାତ୍ର ପୁଲିସ ସବୁ ଜାଣି ମଧ୍ୟ ବିଜେଡି ଜିଲ୍ଲା ସଭାପତିଙ୍କ ଚାପରେ ସେମାନଙ୍କୁ ଗିରଫ କରୁନାହିଁ। ଏମିତିକି ଉପ ନିର୍ବାଚନ ପୂର୍ବରୁ ବ୍ଲକ ବିଜେଡି ସଭାପତି ଅଭିଯୁକ୍ତ କୁନୁପଣ୍ଡାକୁ ଗିରଫ କଲେ ନିର୍ବାଚନରେ ତାର କୁପ୍ରଭାବ ପଡିବ ବୋଲି ତାକୁ ଏହି ମାମଲାରୁ ଖସାଇବା ପାଇଁ ପୁଲିସ ଉଦ୍ୟମ କରୁଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ତେବେ ପାରିକୂଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଓ ମାଷ୍ଟରମାଇଣ୍ଡ ଦ୍ୱୟଙ୍କୁ ଯଥାଶୀଘ୍ର ମୁଖ୍ୟ ଗିରଫ କରା ନ ଗଲେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଏସ-ପି- ଅଫିସ ଘେରାଓ କରିବ ବୋଲି ବିଜେପି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଏହି ପ୍ରେସ ମିଟ୍‌ରେ ବିଜେପିର ବହୁ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.