Home ଜିଲ୍ଲା ପରିକ୍ରମା ଠକେଇର ନୂଆ ତରିକା : ଗ୍ରାହକଙ୍କୁ ଶୋଷୁଛି ଟାଟା ପାୱାର

ଠକେଇର ନୂଆ ତରିକା : ଗ୍ରାହକଙ୍କୁ ଶୋଷୁଛି ଟାଟା ପାୱାର

173

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟାଟା ପାୱାର ଦାୟିତ୍ୱ ନେଉ ନେଉ ଗ୍ରାହକଙ୍କୁ ଶୋଷଣ କରିବା ଆରମ୍ଭ କଲାଣି । ତେବେ ନୂଆ ତରିକାରେ ସଂପୃକ୍ତ କଂପାନୀ ଠକିବା ଆରମ୍ଭ କରିଥିବାବେଳେ ଏହାକୁ ନେଇ ଗ୍ରାହକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନୁସନ୍ଧାନରୁ ଜଣାପଡିଛି, ଗତ ମାଇ ମାସ ମିଟର ରିଡର ବିଲ୍ କରିଥିଲେ । ଠିକ୍ ମାସକ ପରେ ପୁଣି ବିଲ୍ ହେବା କଥା । କିନ୍ତୁ ଜୁନ୍ ମାସରେ ୪ ଦିନ ବିଳମ୍ବରେ ବିଲ୍ ହେଲା । ଫଳରେ ଏହି ୪ ଦିନରେ ୬୦ ୟୁନିଟ୍ ଅଧିକ ବିଲ୍ ହୋଇଥିବା ବେଳେ ସ୍ଲାବ୍ ଅନୁଯାୟୀ ୟୁନିଟ୍ ପିଛା ୬ ଟଙ୍କା ୨୦ ପଇସା ଲାଗୁ ହେଲା । ଯଦି ଠିକ୍ ସମୟରେ ବିଲ୍ ହୋଇଥାନ୍ତା, ପ୍ରଥମ ସ୍ଲାବ୍ ଅନୁସାରେ ୧୭୮ ଟଙ୍କା ଦେବାକୁ ପଡିଥାନ୍ତା । କିନ୍ତୁ ଏବେ ଦେବାକୁ ପଡିବ ୩୮୨ ଟଙ୍କା ଅର୍ଥାତ୍ ୧୯୪ ଟଙ୍କା ଅଧିକ । ଏହାବ୍ୟତୀତ ଅତିରିକ୍ତ ସିକ୍ୟୁରିଟି ବାବଦରେ ମଧ୍ୟ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି । ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଉ ନେଉ ଏପରି ଶୋଷିବା ଆରମ୍ଭ କରିଦେଲାଣି ବୋଲି ଭଦ୍ରକ ପୌରାଞ୍ଚଳ ୬ ନଂ ୱାର୍ଡର ବରିଷ୍ଠ ନାଗରିକ ସନ୍ତୋଷ ସାମଲ ଅଭିଯୋଗ କରିଛନ୍ତି । କେବଳ ଜଣେ ନୁହଁନ୍ତି, ପୌରାଞ୍ଚଳରର ହଜାର ହଜାର ଉପଭୋକ୍ତାଙ୍କୁ ଏହିପରି ବୋକା ବନାଉଛି ଟାଟା ପାୱାର । ଏନେଇ କେତେକ ଉପଭୋକ୍ତା ଖାଉଟି ଅଦାଲତର ଆଶ୍ରୟ ନେବାକୁ ସ୍ଥିର କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗତ ୨ ମାସ ତଳୁ ବିଦ୍ୟୁତ୍ ବିତରଣ ଦାୟିତ୍ୱ ଟାଟା ପାୱାର (ଯିପିଏନ୍‌ଓଡିଏଲ୍‌) ହାତରେ ନ୍ୟସ୍ତ ହୋଇଛି । ଟାଟା ପାୱାର ବିତରଣ ଦାୟିତ୍ୱ ନେବା ପରେ ଆଶା କରାଯାଉଥିଲା । ଉପଭୋକ୍ତାଙ୍କୁ ଉତ୍ତମ ଗ୍ରାହକ ସେବା ମିଳିବ । କିନ୍ତୁ ଏହି କଂପାନୀ ଏବେ ଉପଭୋକ୍ତାଙ୍କୁ ନିରାଶ କରିଛି । ପ୍ରଥମତଃ ୟୁନିଟ୍ ପିଛା ୩୦ ପଇସା ଦର ବୃଦ୍ଧି ଘଟିଥିବା ବେଳେ ନିୟମିତ ବିଦ୍ୟୁତ୍ କାଟ ଜନ ଅସନ୍ତୋଷ ବଢାଇଛି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ।

ଏହା ସତ୍ୱେ ଜିଲାରେ ଚାଲିଛି ଅଘୋଷିତ ବିଦ୍ୟୁତ୍ କାଟ୍ । ମରାମତି ଓ ରକ୍ଷଣାବେକ୍ଷଣ ନାଁରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ କାଟ୍ ହେଉଛି । କିନ୍ତୁ ସମସ୍ତ ଉପଭୋକ୍ତାଙ୍କ ମୋବାଇଲ୍‌କୁ ଏ ସଂପର୍କିତ ସୂଚନା ଆସୁନାହିଁ । ସେହିପରି ତ୍ରୁଟିପୂର୍ଣ୍ଣ ଓ ବିଳମ୍ବରେ ବିଦ୍ୟୁତ୍ ବିଲ୍ ଆସିବା, ନିମ୍ନମାନର ବିଦ୍ୟୁତ୍ ସେବା ଯୋଗାଇବା ଆରମ୍ଭରୁ ନିୟମିତ ପ୍ରକ୍ରିୟା ପାଲଟିଛି । ତେବେ ସଂପୃକ୍ତ ବିତରଣକାରୀ ସଂସ୍ଥାର ଏପରି ମନମାନୀ ବିରୋଧରେ ତୀବ୍ର ଜନ ଅସନ୍ତୋଷ ରହୁଥିଲେ ମଧ୍ୟ ଜନସାଧାରଣଙ୍କ ଟିକସରେ ଇନଭର୍ଟର ଓ ଡିଜି ସେଟ୍ ଦ୍ୱାରା କୃତ୍ରିମ ବିଦ୍ୟୁତ୍ ସେବା ପାଉଥିବା ଜିଲାର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଓ ରାଜନେତାମାନେ ସଂପୃକ୍ତ ସଂସ୍ଥାର ଜନବିରୋଧୀ କାର୍ଯ୍ୟକଳାପ ପ୍ରତି ନୀରବତା ଅବଲମ୍ବନ କରୁଛନ୍ତି । ପରୋକ୍ଷରେ ଏହା ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ସୁହାଉଛି । ତେବେ ବିଭାଗୀୟ ସୂଚନା ଅନୁସାରେ ଭଦ୍ରକର ୨ଟି ଡିଭିଜନରେ ରହିଛନ୍ତି ୧ ଲକ୍ଷ ୮୪ ହଜାରରୁ ଅଧିକ ଉପଭୋକ୍ତା । ସେମାନଙ୍କ ମଧ୍ୟରୁ ପୌରାଞ୍ଚଳରେ ପାଖାପାଖି ୪୫ ହଜାର ଉପଭୋକ୍ତା ଥିବା ବେଳେ ଅବଶିଷ୍ଟ ରହିଛନ୍ତି ଗ୍ରାମାଞ୍ଚଳରେ । ଯଦି ପୌରାଞ୍ଚଳରେ ଟାଟା ପାୱାର ଏହି ଢଙ୍ଗରେ ଉପଭୋକ୍ତାଙ୍କୁ ଲୁଟୁଛି । ତେବେ ଗ୍ରାମାଞ୍ଚଳର ଉପଭୋକ୍ତାଙ୍କୁ କିପରି ଶୋଷଣ କରୁଥିବ, ତାହା ସହଜରେ ଅନୁମେୟ । ଉପଯୁକ୍ତ ବିଦ୍ୟୁତ୍ ସେବା ପାଇଁ ଉଭୟ କଂପାନୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି । ତେବେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଏହି ବିଳମ୍ବିତ ବିଲିଂ ପ୍ରକ୍ରିୟାକୁ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବାବେଳେ ଏହି ସମସ୍ୟା ପ୍ରତି ଯତ୍ନବାନ ହେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.