Home ଜିଲ୍ଲା ପରିକ୍ରମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ପାଲଟିଛି ଡେଞ୍ଜର ଜୋନ : କର୍ମଚାରୀ କରୋନା ଆକ୍ରାନ୍ତ ହେବା...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ପାଲଟିଛି ଡେଞ୍ଜର ଜୋନ : କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ଆତଙ୍କରେ ଡାକ୍ତର, ନର୍ସ, ରୋଗୀ : ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟଶୈଳୀ ପାଇଁ ସାଧାଣରେ ତୀବ୍ର ଅସନ୍ତୋଷ

160

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀକୁ ନେଇ ସବୁଠି ଆତଙ୍କ। ସରକାର କରୋନାର ମୁକାବିଲା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବା ସହ ସତର୍କତା ଅବଲମ୍ବନ କରିବା ସହିତ ଏଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିଚାଲିଛନ୍ତି। ସପ୍ତାହରେ ଶନିବାର ଓ ରବିବାର ରେଡ ଜୋନ୍ ଭାବେ ପରିଗଣିତ ଭଦ୍ରକ ଜିଲ୍ଲା ସମ୍ପୂର୍ଣ୍ଣ ସର୍ଟଡାଉନ୍ ରହୁଛି। ସମସ୍ତ ଧର୍ମାନୁଷ୍ଠାନ ବନ୍ଦ। ସମସ୍ତ ପ୍ରକାର ସମାଜିକ, ରାଜନୈତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ ଲାଗିଛି। ମାସ୍କ ଓ ସାମାଜିକ ଦୂରତ୍ୱ ରକ୍ଷା ଭଳି ପ୍ରସଙ୍ଗରେ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। ଏପରିପ୍ରେକ୍ଷୀରେ ଜନୈକ କରୋନା ଆକ୍ରାନ୍ତଙ୍କୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଯେପରି ଦାୟୀତ୍ୱହୀନ ଆଚରଣ ପ୍ରଦର୍ଶନ କରିଛି ତାହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ସାଢ଼େ ତିନି ମାସ ଧରି ଲକଡାଉନ୍, ସଟ୍ଡାଉନ୍ ଓ ଅନ୍ଲକ୍ର କଠୋର ନିୟମ ମଧ୍ୟରେ ଅଣନିଶ୍ୱାସୀ ହୋଇପଡ଼ିଥିବା ଜିଲ୍ଲାବାସୀଙ୍କୁ ଏହା ଯେତିକି ଆତଙ୍କିତ କରିଛି, ତା’ଠାରୁ ଅଧିକ ଉତ୍କ୍ଷୀପ୍ତ କରିଛି। ପ୍ରଶାସନିକ ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାରୁ ଗତକାଲି ନୂଆ ୧୧ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୦ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ହୋଇଥିବାବେଳେ, ଅନ୍ୟଜଣେ ସ୍ଥାନୀୟ ଯୁବକ। ସଂପୃକ୍ତ ଯୁବକ ବାସୁଦେବପୁର ବ୍ଳକ କମାରଗାଁ ଅଞ୍ଚଳର ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ କମାରଗାଁ ଅଞ୍ଚଳର ଏହି ଯୁବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ବୋଲି ଜଣାପଡ଼ିଛି। ଗତକାଲି ସକାଳେ ତାଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। କୋଭିଡ ହସପିଟାଲକୁ ସ୍ତାନାନ୍ତର ପରେ ସେ କାର୍ଯ୍ୟ କରୁଥିବା ହସପିଟାଲ ମେଡିସିନ ଗୋଦାମକୁ ବିଶୋଧନ କରି ଓ ଏଥିରେ ତାଲା ପକାଇ ଚୁପ୍ ବସିଛି ସ୍ୱାସ୍ଥ୍ୟ ବିଭାଗ। ଗୋଟିଏ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରିବା ସହ କଣ୍ଟାକ୍ଟ ଟ୍ରେସିଂ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିର ଗ୍ରହଣ କରାଯାଇଥାଏ। ବିଶେଷକରି ଗୋଷ୍ଠି ସଂକ୍ରମଣ ଆଶଙ୍କାକୁ ଦୂର କରିବାକୁ ଏପରି ପଦକ୍ଷେପ ନିଆଯାଇଥାଏ। କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ସେପରି କିଛି ନକରି ଜିଲ୍ଲା ଚିକିତ୍ସାଳୟର ଶତାଧିକ କର୍ମଚାରୀଙ୍କ ସମେତ ଏଠାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ବିପଦ ମୁହଁକୁ ଠେଲି ଦେଇଛି ବୋଲି ଅଭିଯୋଗ ହୋଇଛି। ତଥ୍ୟ ଅନୁଯାୟୀ ସଂପୃକ୍ତ ଆକ୍ରାନ୍ତ ରଜ ପର୍ବ ପାଇଁ ନିଜ ଗାଁକୁ ଯାଇ ୧୪ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିଥିଲେ। ୧୭ତାରିଖ କାର୍ଯ୍ୟରେ ଯୋଗଦେଲେ। ଷ୍ଟକ୍ ରେଜିଷ୍ଟରରେ ତଥ୍ୟ ଦେଇ ବିଭିନ୍ନ ୱାର୍ଡ଼କୁ ଔଷଧ ଯୋଗାଇବା ତାଙ୍କର କାମ। ଏହାବ୍ୟତୀତ ମେଡିକାଲକୁ କୁକୁର, ବିଲୁଆ କାମୁଡ଼ିଥିବା ରୋଗୀଙ୍କ ସମେତ ଇନସୁଲିନ୍ ପରି ଇଂଜେକସନ୍ ନିୟମିତ ଦେଇଥାନ୍ତି। ତେବେ ମେଡିସିନ ଷ୍ଟୋର ଥିବା ବିଲଡିଂର ତଳ ମହଲାରେ ଏକ୍ସ-ରେ, ଏଡ଼ିଏମଓଙ୍କ କାର୍ଯ୍ୟାଳୟ, ଚର୍ମ ବିଭାଗ, ଦନ୍ତବିଭାଗ ସହିତ ନିଦାନ ବିଭାଗ ଓ ଆଉ କିଛି କାର୍ଯ୍ୟାଳୟ ରହିଛି। ତେଣୁ ସ୍ୱାଭାବିକ୍ ଭାବରେ ଏହି ବିଲଡିଂକୁ ସିଲ୍ କରିବା କଥା ଓ ଯେଉଁମାନଙ୍କ ସଂସ୍ପର୍ଶରେ ସେ ଆସିଥିବେ ସେମାନଙ୍କୁ କ୍ୱାରାଣ୍ଟାଇନ୍ ପଠାଯିବା କଥା। କିନ୍ତୁ ୧୭ ତାରିଖରୁ ୨୦ତାରିଖ ସକାଳ ପର୍ଯ୍ୟନ୍ତ ଏହି ଆକ୍ରାନ୍ତ କେତେ ଜଣଙ୍କ ସହିତ ସଂସ୍ପର୍ଶରେ ଆସିଛନ୍ତି ତାହାର କୌଣସି ବିବରଣୀ ଏପର୍ଯ୍ୟନ୍ତ ସଂଗ୍ରହ କରାଯାଇନାହିଁ। କେବଳ ଉକ୍ତ ମେଡିସିନ ଷ୍ଟୋରରେ ତାଲା ପକାଇ ନୀରବ ବସିଛି ପ୍ରଶାସନ। ଫଳରେ ଏହି ବିଭାଗରେ କାର୍ଯ୍ୟରତ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ, ଡ଼ାକ୍ତର, ନର୍ସ, ଟେକନିସିଆନ, ଅନ୍ୟାନ୍ୟ କର୍ମଚାରୀ, ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଭୟଭୀତ ଅବସ୍ଥାରେ ରହିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀଙ୍କ ଏପରି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ସେମାନେ ଏବେ ବିପଦରେ ଅଛନ୍ତି ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ବହୁ ଭୟାତୁର ସ୍ୱାସ୍ଥ୍ୟ କର୍ମଚାରୀ କହିଛନ୍ତି। ଏହାବ୍ୟତୀତ ବିଭାଗୀୟ ଅଧିକାରୀଙ୍କ ଏପରି କାର୍ଯ୍ୟ ଗୋଷ୍ଠି ସଂକ୍ରମଣ ପାଇଁ ବାଟ ଫିଟାଇବ ବୋଲି ମତପ୍ରକାଶ ପାଇଛି। ତେବେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରଦୀପ ଖୁଣ୍ଟିଆ ଏହି କଥାକୁ ବେଶ ହାଲୁକା ଭାବେ ନେଇଛନ୍ତି। ଆମେ ମେଡିସିନ ଷ୍ଟୋର ସିଲ କରିଛୁ। ଉକ୍ତ ବିଲଡିଂକୁ ବିଶୋଧନ କରାଯାଇଛି। ଏମିତିରେ କର୍ମଚାରୀଙ୍କ ସ୍ୱାବ୍ ପରୀକ୍ଷା ହେଉଛି। ତଥାପି ଆକ୍ରାନ୍ତ ଯେଉଁମାନଙ୍କ ସହ ମିଶିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଡ଼ିଲେ ସ୍ୱାବ୍ ପରୀକ୍ଷା କରାଯିବ ବୋଲି ଡ଼ାକ୍ତର ଖୁଣ୍ଟିଆ କହିଛନ୍ତି। ତେବେ ସ୍ୱାସ୍ଥ୍ୟ ବିଭାଗର ଏପରି କାର୍ଯ୍ୟକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କରୋନା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକାଂଶ ରୋଗୀ ଡରରେ ଆସୁନଥିବାରୁ ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଥିବାବେଳେ, ଏହି ଘଟଣା ସହରରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିଗାଡ଼ିଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.