Home Top News ଓଡ଼ିଶାରେ ପାଠାଗାର ଆନ୍ଦୋଳନ

ଓଡ଼ିଶାରେ ପାଠାଗାର ଆନ୍ଦୋଳନ

34

ବିଭିନ୍ନ ଓ ବହୁ ପୁସ୍ତକ ସମାହାରରେ ଗଚ୍ଛିତ ପୁସ୍ତକର ପୃଷ୍ଠଭୂମୀକୁ ପାଠାଗାର କୁହାଯାଏ। ଯେଉଁଠି ପାଠକ ପାଠିକାମାନେ ମନବୁତାବକ ଓ ନିଜ ମନ ପସନ୍ଦର ପୁସ୍ତକ ପଢିବାର ସୁବିଧା ସୁଯୋଗ ପାଇଥାନ୍ତି। ଶିକ୍ଷା ପ୍ରାପ୍ତିର ମୂଳ ଉପାଦାନ ହେଲା ପୁସ୍ତକ ପଠନ। ଯାହାକି ପାଠାଗାରରୁ ଜଣେ ପୁସ୍ତକ ସଂଗ୍ରହ କରି ନିଜ ମଧ୍ୟରେ ଥିବା ସନ୍ନିବେଶିତ ଚିନ୍ତା, ଚେତନା, ସାମାଜିକ ଚଳଣୀର ଭାବଧାରାକୁ ପରିପ୍ରକାଶ ହେବାର ଏକ ବୃହତ୍ ମାଧ୍ୟମ ବୋଲି କୁହାଯାଏ। ଏହାକୁ ହୃଦବୋଧ କରି ପାରିଥିଲେ ପାଠାଗାର ଆନ୍ଦୋଳନର ସର୍ବାଗ୍ରେ ଥିବା ଚିନ୍ତାନାୟକ ନୟାଗଡ଼ର ଲିଙ୍ଗରାଜ ମିଶ୍ର ବୋଲି କୁହାଯାଏ। ସ୍ୱାଧୀନତା ପୂର୍ବ ସମୟରୁ ଓଡ଼ିଶାରେ କେତେକ ମଠ, ମନ୍ଦିର ଓ ସାଧୁସନ୍ୟାସୀମାନେ ପାଠାଗାର କରିଥିବା ଜଣାଯାଏ। ମାତ୍ର ସର୍ବସାଧାରଣଙ୍କ ପାଇଁ ପାଠାଗାର ପ୍ରତିଷ୍ଠା କରି ଶିକ୍ଷାକୁ ସର୍ବତ୍ର ପହଂଚାଇବାର ଉଦ୍ୟମହିଁ ନୟାଗଡ଼ରୁ ଆରମ୍ଭ ହୋଇଥିବା କୁହାଯାଏ। ଯାହାକି ପରିବର୍ତ୍ତୀ ସମୟରେ ପାଠାଗାର ଆନ୍ଦୋଳନ ଏକ ବୃହତ୍ ରୂପ ଧାରଣ କରିଥିଲା। ଏବେ ଯେତେ ଯେଉଁଠି ପାଠାଗାର ଥାଉନା କାହିଁକି ବିଭିନ୍ନ ଦିଗରୁ ବିଚାର କଲେ ଜଣାପଡେଯେ, ସବୁର ମୂଳଉତ୍ସ ହେଲା ନୟାଗଡ଼ ପାଠାଗାର ଆନ୍ଦୋଳନ। ପାଠାଗାର ଆନ୍ଦୋଳନ ପାଇଁ ସର୍ବାଗ୍ରେ ନୟାଗଡ଼ ଗଡ଼ଜାତର ଶରଣକୁଳ ଥାନା ଅନ୍ତର୍ଗତ କଜଳାଇପଲ୍ଲୀର ଲିଙ୍ଗରାଜ ମିଶ୍ରଙ୍କ ନାମ ଆଗକୁ ଆସେ। ସେ ୧୯୧୦ ମସିହାରେ ଜନ୍ମ ଗ୍ରହଣ କରି ୧୯୫୮ ମସିହାରେ ଇହଲୀଳା ସମ୍ବରଣ କରିଥିଲେ। ଯାହା ଜଣାପଡ଼େ ବ୍ରହ୍ମପୁର ଠାରେ ୧୯୩୩ ମସିହାରେ ସ୍ୱର୍ଗତ ଲକ୍ଷ୍ମୀ ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପାଠାଗାର ସଭାରେ ଯୋଗଦେଇ ଲିଙ୍ଗରାଜ ମିଶ୍ର ଓ ଶରଣକୁଳ ଭିକାରୀପଡ଼ାର ଦଣ୍ଡପାଣି ମିଶ୍ର (ଯିଏକି ଧରିତ୍ରୀ ସମ୍ବାଦପତ୍ରର ସମ୍ପାଦକ ଥିଲେ) ଫେରିଲାବେଳେ ଉଭୟେ ଆଲୋଚନା କରି ଲୋକନାଥ ମିଶ୍ରଙ୍କ ସହଯୋଗରେ ୧୯୩୫ ମସିହାରେ କଜଳେଇପଲ୍ଲୀ ଠାରେ ସରସ୍ୱତୀ ପୂଜାରେ ସରସ୍ୱତୀ ପାଠାଗାର ନାମକ ଏକ ଲାଇବ୍ରେରୀ ପ୍ରତିଷ୍ଠା କଲେ। ଏହି ଲାଇବ୍ରେରୀ ଗ୍ରାମର ମହେଶ୍ୱର ରଥଙ୍କ ବସାଘରେ ଆରମ୍ଭ ହେଲା ଏବଂ ଧାନ ଅମଳ ସମୟରେ ଧାନ କଳେଇ ସଂଗ୍ରହ ସହ ମୁଠିଭିକ୍ଷା କରାଯାଇ ଲାଇବ୍ରେରୀର କଳେବର ବୃଦ୍ଧି କରାଗଲା। ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ସହଯୋଗରେ ଗାଁମୁଣ୍ଡ ଠାକୁରାଣୀଙ୍କ ମଣ୍ଡପ ଠାରେ ଏକ ଚାଳଘର କରାଯାଇ ସେଠାକୁ ଲାଇବ୍ରେରୀକୁ ଉଠାଇ ନିଆଗଲା। ଲାଇବ୍ରେରୀ ପାଇଁ ଚାଳଘର ନିରାପଦ ନଥିବାରୁ ପକ୍କାଗୃହ ନିର୍ମାଣ ପାଇଁ ଲିଙ୍ଗରାଜ ମିଶ୍ର ତତ୍କାଳୀନ ନୟାଗଡ଼ର ରାଜାସାହେବ କୃଷ୍ଣଚନ୍ଦ୍ର ସିଂହ ମାନଧାତାଙ୍କୁ ସାକ୍ଷାତ କରି ପାଣ୍ଠିର ବ୍ୟବସ୍ଥା ପାଇଁ ଆବେଦନ କଲେ। ରାଜାସାହେବ ଏଥିପାଇଁ ଏଳହଜାର ଟଙ୍କା ମଞ୍ଜୁର କଲେ। ଗ୍ରାମବାସୀଙ୍କ ସହଯୋଗରେ ଏକ ପକ୍କା ଗୃହ ନିର୍ମାଣ ହେଲା। ଏହି ଲାଇବ୍ରେରୀ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାରୁ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କଲା। ୧୯୩୯ ମସିହା ବେଳକୁ ଏହାର ଖ୍ୟାତି ବଢି ନୟାଗଡ଼ ରାଜ୍ୟର ବିଶିଷ୍ଟ ଲୋକମାନଙ୍କୁ ବେଶୀ ପ୍ରଭାବିତ କଲା। ନୟାଗଡ଼ ରାଜ୍ୟର ପ୍ରାୟ ୯୦ଟି ଗ୍ରାମରେ ଛୋଟବଡ଼ ପାଠାଗାର ସ୍ଥାପନ ହେଲା। ସୌଭାଗ୍ୟବଶତଃ ରାଜା କୃଷ୍ଣଚନ୍ଦ୍ର ସିଂହ ମାନଧାତାଙ୍କ ଠାରୁ ଶ୍ରୀ ମିଶ୍ର ବିଶ୍ୱାସ ଓ ଅନୁଗ୍ରହ ଲାଭ କରିଲେ। ପ୍ରଥମେ କୃଷ୍ଣଚନ୍ଦ୍ର କ୍ଳବ ସ୍ଥାପନ ହେଲା ଓ ପରେ ପରେ ଉଭୟଙ୍କ ଭିତରେ ଆଲୋଚନା ହୋଇ ରାଣୀ ସୌଭାଗ୍ୟ ମଞ୍ଜରୀଙ୍କ ନାମ ଅନୁସାରେ ୧୯୪୧ ମସିହା ବେଳକୁ ନୟାଗଡ଼ ଠାରେ ସୌଭାଗ୍ୟ ମଞ୍ଜରୀ ପାଠାଗାର ସ୍ଥାପନା ପାଇଁ ସହମତି ହେଲା। ନୟାଗଡ଼ ସୌଭାଗ୍ୟ ମଞ୍ଜରୀ ପାଠାଗାର ଗଢି ଉଠିଲା। ପୁସ୍ତକ କ୍ରୟପାଇଁ ରାଜା ୩୫ ହଜାର ଟଙ୍କା ଅନୁଦାନ ଦେଲେ। ଲିଙ୍ଗରାଜ ମିଶ୍ର ଓ ଦଣ୍ଡପାଣି ମିଶ୍ର ଏହି ୩୫ ହଜାର ଟଙ୍କାରେ ପୁସ୍ତକ କ୍ରୟ କଲେ ଏବଂ ରାଜାସାହେବ କୃଷ୍ଣଚନ୍ଦ୍ର ସିଂହ ମାନ୍‌ଧାତା ଲାଇବ୍ରେରୀଆନ୍ ଭାବେ ସଦାଶିବ ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦେଲେ। ୧୯୪୯ ମସିହାରେ ସୌଭାଗ୍ୟ ମଞ୍ଜରୀ ଲାଇବ୍ରେରୀ ଆନୁକୂଲ୍ୟରେ ଏକ ପାଠାଗାର ସମ୍ମିଳନୀ ନୟାଗଡ଼ ଠାରେ ଅନୁଷ୍ଠିତ ହେଲା। ଏହି ସମ୍ମିଳନୀକୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କୁ ମୁଖ୍ୟ ଅତିଥିଭାବେ ନିମନ୍ତ୍ରଣ କରାଯାଇଥିଲା। ଉଲ୍ଲେଖଯୋଗ୍ୟଯେ, ସ୍ୱାଧୀନତା ଆନ୍ଦୋଳନ ପୂର୍ବରୁ ହରେକୃଷ୍ଣ ମହତାବ ଓ ଲିଙ୍ଗରାଜ ମିଶ୍ରଙ୍କର ସମ୍ପର୍କ ନିବିଡ଼ ଥିଲା। ଉଭୟେ ଉଭୟଙ୍କର ପରିପୂରକ ପରି କାର୍ଯ୍ୟ କରୁଥିଲେ। ଶୁଣାଯାଏ ଇଂରେଜ ସରକାରଙ୍କ ଠାରୁ ଲୁଚିବା ପାଇଁ ମହତାବ ସେତେବେଳେ ଲିଙ୍ଗରାଜ ମିଶ୍ରଙ୍କ ବାସଭବନ କଜଳେଇପଲ୍ଲୀକୁ ବହୁବାର ଆସିଛନ୍ତି। ଲିଙ୍ଗରାଜ ମିଶ୍ରଙ୍କୁ ଡ.ମହତାବ ଲିଙ୍ଗାନା ଡାକୁଥିବା ଏବଂ ଡ.ମହତାବଙ୍କୁ ଶ୍ରୀମିଶ୍ର ତାଙ୍କ ଆଟୁରେ ଲୁଚାଇ ରହୁଥିଲେ ବୋଲି କୁହାଯାଏ। ତେବେ ନୟାଗଡ଼ରେ ଯେଉଁ ପାଠାଗାର ସମ୍ମିଳନୀ ହେଲା ସେଥିରେ ମୁଖ୍ୟବକ୍ତାଭାବେ ପଣ୍ଡିତ ଲିଙ୍ଗରାଜ ମିଶ୍ର, ଡ.ପ୍ରାଣକୃଷ୍ଣ ପରିଜା, ପଦ୍ମଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ ଯୋଗଦେଇ ଏପରି ଏକ ପ୍ରୟାସକୁ ଭୂୟଂସୀ ପ୍ରଶଂସା କଲେ। ବହୁ ଆଲେଚାନା ତର୍ଜମା ପରେ ଉପସ୍ଥିତ ଅତିଥି ଲିଙ୍ଗରାଜ ମିଶ୍ର, ଦଣ୍ଡପାଣି ମିଶ୍ର, ଶ୍ରୀନିବାସ ଓ ଆଉକେତେକଙ୍କୁ ନେଇ ଉତ୍କଳ ଲାଇବ୍ରେରୀ ଆସୋସିଏସନ ନାମରେ ଏକ ଅନୁଷ୍ଠାନ ଗଢାଗଲା। ଏହି ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ହେଲା ନୟାଗଡ଼ ସୌଭାଗ୍ୟ ମଞ୍ଜରୀ ଲାଇବ୍ରେରୀ। ଏହାରି ମାଧ୍ୟମରେ ପାଠାଗାର ଆନ୍ଦୋଳନ ଚାଲିଲା। ଏହି ଆନ୍ଦୋଳନ ଜୋରଦାର ହେବା ପରେ ଓଡ଼ିଶାରେ ଏକ ଲାଇବ୍ରେରୀ ଅର୍ଗାନାଇଜର ପଦ ସୃଷ୍ଟିକରି ଲିଙ୍ଗରାଜ ମିଶ୍ରଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦିଆଗଲା। ଉତ୍କଳ ଲାଇବ୍ରେରୀର ପ୍ରତିନିଧି ଭାବେ ନୟାଗଡ଼ର ଦଣ୍ଡପାଣି ମିଶ୍ର, ଶ୍ରୀଧର ଦାଶ, ନରସିଂହ ପଟ୍ଟନାୟକ ଓ ଲିଙ୍ଗରାଜ ମିଶ୍ର ପ୍ରଭୃତି ଦେଶର ବିଭିନ୍ନ ସ୍ଥାନକୁ ଯାଇ ପାଠାଗାର ସମ୍ମିଳନୀରେ ଯୋଗଦେଇ ଅଭିଜ୍ଞତା ଅର୍ଜନ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ଆନ୍ଦୋଳନ କରି ଲିଙ୍ଗରାଜ ମିଶ୍ରଙ୍କ ଚେଷ୍ଟା ଓ ନିଷ୍ଠା ପାଇ ଉତ୍କଳ ପାଠାଗାର ଆନ୍ଦୋଳନ ଜାଗି ଉଠିଲା। ସେତେବେଳକୁ ନୟାଗଡ଼ର ଦେୱାନ ଥିଲେ ମୁଭିମୋଗଲ ପ୍ରଶାନ୍ତ ନନ୍ଦଙ୍କ ପୂଜ୍ୟପିତା ଜନାର୍ଦ୍ଦନ ନନ୍ଦ। ତାଙ୍କଠାରୁ ପ୍ରଶାସନିକ ଅନୁମୋଦନ ପାଇ ଲିଙ୍ଗରାଜ ମିଶ୍ର ସୌଭାଗ୍ୟ ମଞ୍ଜରୀ ଲାଇବ୍ରେରୀକୁ ଆନ୍ତର୍ଜାତୀକ ପାଠାଗାର ଅନ୍ଦୋଳନ ଉତ୍କଳୀୟ କେନ୍ଦ୍ରବିନ୍ଦୁରେ ପରିଣତ କରିଥିଲେ। ସ୍ୱାଧୀନତା ପରେ ଉତ୍କଳ ଲାଇବ୍ରେରୀ ଅନୁଷ୍ଠାନଟି କ୍ରମଶଃ ସ୍ଥାଣୁ ହେବା ପରେ ବହୁ ଲାଇବ୍ରେରୀ ସଂଘ ଗଢି ଉଠିଲା। ତଥାପି ଅଲ୍ ଇଣ୍ଡିଆ ଲାଇବ୍ରେରୀ ଆସୋସିଏସନରେ ଏବେବି ସୌଭାଗ୍ୟ ମଞ୍ଜରୀ ଲାଇବ୍ରେରୀଟି ବଂଚିଛି।। ଯାହାକି ୟୁନେସ୍କୋ ତରଫରୁ ପାଠାଗାର ସମ୍ବନ୍ଧୀୟ ଚିଠିପତ୍ର ଉତ୍କଳ ଲାଇବ୍ରେରୀ ନାମରେ ସୌଭାଗ୍ୟ ମଞ୍ଜରୀ ଲାଇବ୍ରେରୀକୁ ଆସୁଛି। ସୌଭାଗ୍ୟ ମଞ୍ଜରୀ ଲାଇବ୍ରେରୀକୁ କେନ୍ଦ୍ରସ୍ଥଳ ଭୁବନେଶ୍ୱରକୁ ଉଠାଇ ନିଆଯାଇ ଷ୍ଟେଟ୍ ଲାଇବ୍ରେରୀ ହାତରେ ରଖିବାକୁ ଚେଷ୍ଟା ହୋଇଛି। ଏହାର ସ୍ଥିତି ମଧ୍ୟ ସଠିକ୍ ଭାବେ ଜଣାପଡ଼ୁନାହିଁ।। ଏବେ କିନ୍ତୁ ଲାଇବ୍ରେରୀକୁ ଉପଯୁକ୍ତ ମର୍ଯ୍ୟାଦା ଦେବାରେ ସେ ମାନସିକତା ଆଉ ନାହିଁ। ତେବେ ସରକାରୀ ଓ ବେସରକାରୀ ସ୍ତରରେ ପରିଚାଳିତ ହଜାର ହଜାର ପାଠାଗାରଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏଯେ, ସେଗୁଡ଼ିକର ମୂଳଉତ୍ସ ହେଲା ନୟାଗଡ଼ ପାଠାଗାର ଆନ୍ଦୋଳନ ଓ ସେସମୟରୁ ପ୍ରତିଷ୍ଠିତ ଉତ୍କଳ ଲାଇବ୍ରେରୀ ଆସୋସିଏସନ। ପାଠାଗାରକୁ ଅଧିକ କ୍ରିୟାଶୀଳ ତଥା ଏହାର ବିକାଶ ପାଇଁ ସବୁରି ଉଦ୍ୟମ ହେବା ଆବଶ୍ୟକ।

– ସୁରେନ୍ଦ୍ର ନାଥ ପ୍ରଧାନ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.