Home Top News ଆନ୍ତର୍ଜାତିକ ମାତୃଭାଷା ଦିବସ (୨୧ ଫେବୃଆରୀ ଉପଲକ୍ଷେ) ମାତୃଭାଷାରେ ପ୍ରାଥମିକ ଶିକ୍ଷାର ମହତ୍ୱ

ଆନ୍ତର୍ଜାତିକ ମାତୃଭାଷା ଦିବସ (୨୧ ଫେବୃଆରୀ ଉପଲକ୍ଷେ) ମାତୃଭାଷାରେ ପ୍ରାଥମିକ ଶିକ୍ଷାର ମହତ୍ୱ

32

– ଡ.ସମନ୍ୱୟ ନନ୍ଦ

ଆଜି ହେଉଛି ଆନ୍ତର୍ଜାତିକ ମାତୃଭାଷା ଦିବସ। ଏହି ଅବସରରେ ମାତୃଭାଷାରେ ପ୍ରାଥମିକ ଶିକ୍ଷାର ମହତ୍ୱ କଣ ରହିଛି ସେ ବିଷୟରେ ଆଲୋଚନା କରିବା। ଅନେକ ବୈଜ୍ଞାନିକ ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି ଯେ ଛୋଟ ପିଲା ମାନଙ୍କୁ ମାତୃଭାଷାରେ ଶିକ୍ଷା ଦେଲେ ସେମାନଙ୍କର ସଠିକ ବୌଦ୍ଧିକ ବିକାଶ ହୋଇଥାଏ ଓ ସେମାନଙ୍କର ବିଚାର- ଚିନ୍ତନ କରିବାର କ୍ଷମତା ବୃଦ୍ଧି ହୋଇଥାଏ। କୌଣସି ପ୍ରତିଷ୍ଠିତ ବୈଜ୍ଞାନିକ ହୁଅନ୍ତୁ ବା ଅନ୍ୟ କେହି ବ୍ୟକ୍ତି ଯିଏ କୌଣସି ପ୍ରକାର ମୌଳିକ କାମ କରିଥାନ୍ତି ସେମାନେ ନିଜର ମାତୃଭାଷାରେ ହିଁ ପ୍ରାଥମିକ ଶିକ୍ଷା ହାସଲ କରିଥିବାର ଦେଖିବାକୁ ମିଳେ। ବିଦେଶୀ ଭାଷାରେ ପ୍ରାଥମିକ ଶ୍ରେଣୀରୁ ପଢିଲେ ପିଲା ମାନଙ୍କର ଭାବିବାର କ୍ଷମତା ଶେଷ ହୋଇ ଯାଏ ଓ ସେମାନେ ଘୋଷା ହୋଇ ଯାଇଥାନ୍ତି। ଏହା ଦ୍ୱାରା ସେମାନଙ୍କର ଚିନ୍ତନ କରିବାର କ୍ଷମତା ଶେଷ ହୋଇ ଯାଇଥାଏ। ଫଳରେ ସେମାନେ ପରୀକ୍ଷାରେ ଅଧିକ ନମ୍ବର ତ ଆଣି ପାରନ୍ତି ହେଲେ କୌଣସି ପ୍ରକାର ମୌଳିକ କାମ କରିବା ତାଙ୍କ ଦ୍ୱାରା ସମ୍ଭବ ହୁଏ ନାହିଁ।

ଦେଶର ଅନ୍ୟତମ ମନିଷୀ ମହାତ୍ମା ଗାନ୍ଧୀ କହିଥିଲ ଯେ – ମୋର ସୁବିଚାରିତ ମତ ହେଉଛି ଯେ ଯେଭଳି ଭାବେ ଇଂରାଜୀ ଭାଷାର ଶିକ୍ଷା ଆମ ଦେଶରେ ଦିଅ।।ଯାଉଛି, ତାହା ଇଂରାଜୀ ପଢି ଲେଖି ପାରୁଥିବା ଭାରତୀୟ ମାନଙ୍କର ଦୁର୍ବଳୀକରଣ କରିଛି। ଏହା ଭାରତୀୟ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ସ୍ନାୟବିକ ଶକ୍ତି ଉପରେ ଜବରଦସ୍ତ ପ୍ରଭାବ ପକାଇଛି। ଏହା ଆମକୁ ନକଲ କରୁଥିବା ବ୍ୟକ୍ତିରେ ପରିଣତ କରି ଦେଇଛି। ଅନୁବାଦକ ମାନଙ୍କର ସମୁହ ଉତ୍ପନ୍ନ କରି କୌଣସି ଦେଶ ରାଷ୍ଟ୍ର ହୋଇପାରିବ ନାହିଁ। (ୟଙ୍ଗ ଇଣ୍ଡିଆ, ୨୭-୪.୧୯୨୧ )

୧୯୨୧ ମସିହାରେ ମହାତ୍ମା ଗାନ୍ଧୀ ଏହା କହିଥିଲେ। ୧୯୪୬ ମସିହାରେ ମହାତ୍ମା ଗାନ୍ଧୀ କଣ କହିଥିଲେ ତାହା ଉପରେ ନଜର ପକାଇବା ଆବଶ୍ୟକ। ସେ କହିଥିଲେ – ଆଜି ଇଂରାଜୀ ନିର୍ବିବାଦୀୟ ଭାବେ ବିଶ୍ୱ ଭାଷା ଅଟେ। ତେଣୁ ମୁଁ ଏହାକୁ ବିଦ୍ୟାଳୟ ସ୍ତରରେ ନୁହେଁ ବରଂ ବିଶ୍ୱ ବିଦ୍ୟାଳୟ ସ୍ତରର ପାଠ୍ୟକ୍ରମରେ ବୈକଳ୍ପିକ ଭାଷା ଭାବେ ଦ୍ୱିତୀୟ ସ୍ଥାନରେ ରଖିବି। ଏହି ଭାଷା କିଛି ବଛା ବଛା ଲୋକଙ୍କ ପାଇଁ ତ ହୋଇ ପାରେ ହେଲେ ଲକ୍ଷ ଲକ୍ଷ ଲୋକଙ୍କର ପାଇଁ ନୁହେଁ। ଏହା ଆମର ମାନସିକ ଦାସତା ଯେ ଆମେ ଭାବୁଛୁ ଇଂରାଜୀ ବିନା ଆମର କାମ ଚଳି ପାରିବ ନାହିଁ। ଏହି ପରାଜୟବାଦର ମୁଁ କଦାପି ସମର୍ଥନ କରି ପାରିବି ନାହିଁ। (ୟଙ୍ଗ ଇଣ୍ଡିଆ, ୨୫-୮.୧୯୪୬ )

ମହାତ୍ମା ଗାନ୍ଧୀ ଭାରତୀୟତାର ପ୍ରବଳ ସମର୍ଥକ ଥିଲେ। ତାଙ୍କର ସ୍ପଷ୍ଟ ମତ ଥିଲା ଯେ ପିଲା ମାନଙ୍କୁ ତାଙ୍କର ମାତୃଭାଷାରେ ପଢାଇଲେ ତାଙ୍କର ସଠିକ ବ୍ୟକ୍ତିତ୍ୱ ବିକାଶ ହୋଇ ପାରିବ। ସେମାନଙ୍କ ମଧ୍ୟରେ ଥିବା ସୃଜନଶୀଳତାର ସଠିକ ବିକାଶ ହୋଇ ପାରିବ। ଯଦି ସେମାନଙ୍କୁ ମାତୃଭାଷାରେ ପଢା ନ ଯାଇ କୌଣସି ବିଦେଶୀ ଭାଷାରେ ପାଠ ପଢାଯାଏ ତେବେ ସେମାନଙ୍କର ସମସ୍ତ ଶକ୍ତି ବିଦେଶୀ ଅକ୍ଷର, ବିଦେଶୀ ଶବ୍ଦ, ଭାଷା ଆଦିରେ ଲାଗିବ। ସେମାନଙ୍କ ମଧ୍ୟରେ ଥିବା ସୃଜନଶୀଳତାର ବିକାଶ ଦିଗରେ ତାଙ୍କର ଶକ୍ତିର ବ୍ୟବହାର ହେବ ନାହିଁ। ସେମାନଙ୍କର ଚିନ୍ତା କରିବାର ଶକ୍ତି ଶେଷ ହୋଇ ଯିବ।

ମହାତ୍ମା ଗାନ୍ଧୀ କାହିଁକି ଅନେକ ମହାପୁରୁଷ ମଧ୍ୟ ଏହି କଥାକୁ କହିଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ପ୍ରାଥମିକ ସ୍ତରରେ ପିଲା ମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ପରିବର୍ତେ ବିଦେଶୀ ଇଂରାଜୀ ଭାଷାରେ ଶିକ୍ଷା ଦାନ କରିବାର ପ୍ରଚଳନ ବଢିବାରେ ଲାଗିଛି। ଏହାର କାରଣ ହେଲା ସରକାରଙ୍କ ଦ୍ୱାରା ଇଂରାଜୀ ଭାଷାରେ କାମ – ଦାମ କରିବା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ। ସରକାରଙ୍କୁ ମଧ୍ୟ ବିଭିନ୍ନ କାମ ଭାରତୀୟ ଭାଷା ମାନଙ୍କରେ କରିବା ଉଚିତ।

ଦେଶରେ କାମ କରୁଥିବା ଅନେକ ସଂଗଠନ ମଧ୍ୟ ଦୀର୍ଘ ଦିନ ଧରି ମାତୃଭାଷାରେ ପିଲା ମାନଙ୍କୁ ଶିକ୍ଷା ଦେବା ପାଇଁ ଦାବି କରି ଆସୁଛନ୍ତି। ୨୦୧୫ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନାଗପୁର ଠାରେ ଅନୁଷ୍ଠିତ ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଏ ସମ୍ପର୍କରେ ବିଚାର ଆଲୋଚନା କରାଯାଇ ପ୍ରାଥମିକ ଶିକ୍ଷା ମାତୃଭାଷାରେ ଦେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇ ସରକାରଙ୍କ ନିକଟରେ ଦାବି କରା ଯାଇଥିଲା।

ଏହି ପ୍ରସ୍ତାବରେ କୁହା ଯାଇଥିଲା ଯେ ସ୍ୱାଭାବିକ ଶିକ୍ଷଣ ଓ ସାଂସ୍କୃତିକ ପୋଷଣ ପାଇଁ ଶିକ୍ଷା ବିଶେଷ ରୂପେ ପ୍ରାଥମିକ ଶିକ୍ଷା ମାତୃଭାଷା ଅଥବା ସମ୍ବିଧାନ ସ୍ୱୀକୃତ ପ୍ରାଦେଶିକ ଭାଷା ମାଧ୍ୟମରେ ହେବା ଉଚିତ। ଭାଷା କେବଳ ବାର୍ତ୍ତାର ନୁହଁ ବରଂ ସଂସ୍କୃତି ଓ ସଂସ୍କାରର ମଧ୍ୟ ସମ୍ବାହିକା ଅଟେ। ଭାରତ ଏକ ବହୁଭାଷୀ ଦେଶ। ସମସ୍ତ ଭାରତୀୟ ଭାଷା ସମାନ ରୂପରେ ଆମର ରାଷ୍ଟ୍ରୀୟ ଏବଂ ସାଂସ୍କୃତିକ ଅସ୍ମିତାକୁ ଅଭିବ୍ୟକ୍ତ କରିଥାଏ। ଯଦିଓ ବହୁଭାଷୀ ହେବା ଏକ ଗୁଣ କିନ୍ତୁ ମାତୃଭାଷାରେ ଶିକ୍ଷଣ ବୈଜ୍ଞାନିକ ଦୃଷ୍ଟିରୁ ବ୍ୟକ୍ତିତ୍ୱ ବିକାଶ ପାଇଁ ଆବଶ୍ୟକ ହୋଇଥାଏ। ମାତୃଭାଷାରେ ଶିକ୍ଷିତ ବିଦ୍ୟାର୍ଥୀ ଅନ୍ୟ ଭାଷାକୁ ମଧ୍ୟ ସହଜ ରୂପେ ଗ୍ରହଣ କରି ପାରିଥାଏ। ପ୍ରାରମ୍ଭିକ ଶିକ୍ଷଣ କୌଣସି ବିଦେଶୀ ଭାଷାରେ କରିବା ଦ୍ୱାରା ବ୍ୟକ୍ତି ନିଜର ପରିବେଶ, ପରମ୍ପରା, ସଂସ୍କୃତି, ଜୀବନମୂଲ୍ୟରୁ କଟି ଯାଇଥାଏ ଏବଂ ପୂର୍ବ ପୁରୁଷଙ୍କ ଠାରୁ ପ୍ରାପ୍ତ ହୋଇଥିବା ଜ୍ଞାନ, ଶାସ୍ତ୍ର, ସାହିତ୍ୟ ଆଦିରୁ ଅନଭିଜ୍ଞ ହୋଇ ନିଜର ପରିଚୟ ହଜାଇ ଦେଇଥାଏ।

ମହାମନା ମାଲବୀୟ, ମହାତ୍ମା ଗାନ୍ଧୀ, ରବୀନ୍ଦ୍ର ନାଥ ଠାକୁର, ଶ୍ରୀମାଁ, ଡ.ଭୀମରାଓ ଆମ୍ବେଡକର, ଡ.ରାଧାକୃଷ୍ଣନ ଭଳି ଚିନ୍ତକଙ୍କ ଠାରୁ ଆରମ୍ଭ କରି ଚନ୍ଦ୍ରଶେଖଫ ଭେଙ୍କଟରମନ, ପ୍ରଫୁଲ୍ଲ ଚନ୍ଦ୍ର ରାୟ, ଜଗଦୀଶ ଚନ୍ଦ୍ର ବସୁ, ଭଳି ବୈଜ୍ଞାନିକ ମାନେ, ଶିକ୍ଷାବିଦ ତଥା ମନୋବୈଜ୍ଞାନିକ ମାନେ ମାତୃଭାଷାରେ ଶିକ୍ଷଣକୁ ହିଁ ନୈସର୍ଗିକ ଓ ବୈଜ୍ଞାନିକ ବୋଲି କହିଛନ୍ତି। ବିଭିନ୍ନ ସମୟରେ ଗଠିତ ଶିକ୍ଷା କମିଶନ ରାଧାକୃଷ୍ଣନ କମିଶନ, କୋଠାରୀ କମିଶନ ଆଦି ସମସ୍ତେ ମାତୃଭାଷାରେ ହିଁ ଶିକ୍ଷା ଦେବାକୁ ସୁପାରିଶ କରିଛନ୍ତି।

ଜଣେ ବିଦ୍ୱାନ ସଂକ୍ରାନ୍ତ ସାନୁ ଏ ସମ୍ପର୍କରେ ଏକ ଚର୍ଚିତ ପୁସ୍ତକ ରଚନା କରିଛନ୍ତି। ଏହି ପୁସ୍ତକର ନାମ ହେଲା ‘ଇଂଲିଶ ମିଡିୟମ ମିଥ’ ‘ଅଥବା ଇଂରାଜୀ ମାଧ୍ୟମର ଭ୍ରମ ଜାଲ’। ଏହି ପୁସ୍ତକରେ ଲେଖକ ତଥ୍ୟାତ୍ମକ ଭାବେ ପ୍ରମାଣିତ କରିଛନ୍ତି ଯେ ବିଶ୍ୱର ବିକଶିତ ଦେଶ ମାନେ ସେମାନଙ୍କର ନିଜ ଭାଷାରେ ପିଲା ମାନଙ୍କୁ ପାଠ ପଢାଇଥାନ୍ତି। ଅର୍ଥାତ ପ୍ରକାରାନ୍ତରରେ କହିବାକୁ ଗଲେ ସେମାନେ ନିଜ ଭାଷାରେ ପାଠ ପଢାଉଥିବାରୁ ସେଠାକାର ପିଲା ମାନଙ୍କର ମେଧାର ସଠିକ ବ୍ୟବହାର ହୁଏ ଓ ସେମାନେ ବିକଶିତ ହୋଇ ପାରନ୍ତି। ଅପର ପକ୍ଷରେ ବିଶ୍ୱରେ ଯେଉଁ ମାନେ ଅବିକଶିତ ଦେଶ ସେମାନେ ବିଦେଶୀ ମାଧ୍ୟମରେ ପାଠ ପଢା କରାଇଥାନ୍ତି। ଉକ୍ତ ଦେଶର ମେଧା ବିଦେଶୀ ଭାଷାର ବୋଝ ତଳେ ରହି ଯାଏ। ଫଳରେ ସେମାନେ ନୂଆ ଓ ମୌଳିକ କିଛି କରି ପାରନ୍ତି ନାହିଁ। ତେଣୁ ସେମାନେ ଅବିକଶିତ ହୋଇ ପଛରେ ରହି ଯାଇଛନ୍ତି।

ଜାତୀୟ ଶିକ୍ଷା ନୀତି -୨୦୨୦ରେ ପ୍ରାଥମିକ ଶିକ୍ଷା ମାତୃଭାଷାରେ ଦେବା ପାଇଁ ପ୍ରସ୍ତାବ ରହିଛି। ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ତେବେ ଏହାର କିପରି ସଠିକ ଭାବେ କ୍ରିୟାନ୍ୱୟନ ହେବ ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ। ଭାରତରେ ଏକ ଇଂରାଜୀ ସମର୍ଥକ ଲବି ରହିଛି ଯାହା ଏପରି କୌଣସି କାମକୁ ସଠିକ କ୍ରିୟାନ୍ୱୟନ କରିବାକୁ ଦେବ ନାହିଁ ଓ ଏହାକୁ ବିଫଳ କରାଇବାକୁ ଚେଷ୍ଟା କରିବ।। ତେଣୁ ଏ ବିଷୟରେ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରିବାର ଆବଶ୍ୟକତା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.