Home ଓଡ଼ିଶା ୨୧ ରୁ ୨୧ ଲୋକସଭା ଏବଂ ବିଜେପିର ମିଶନ ୧୨୦:ମରୀଚିକା ନୁହେଁ ତ’ ?

୨୧ ରୁ ୨୧ ଲୋକସଭା ଏବଂ ବିଜେପିର ମିଶନ ୧୨୦:ମରୀଚିକା ନୁହେଁ ତ’ ?

1317

ଭୁବନେଶ୍ୱର:ନବୀନ ପଟ୍ଟନାୟକ ୨୧ ରୁ ୨୧ ଲୋକସଭା ଆସନ ଜିତିବା କହିବା ପରେ ଏବେ ଭାଜପା ମଧ୍ୟ ସେଇ କଥା କହୁଛି।ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମିଶନ ୧୨୦ ଫର୍ମୁଲା ଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ସିନା ଟିକେ ଅଲଗା ଗଣିତ ରହୁଛି (୭୮),କିନ୍ତୁ ଆମେ ୨୧ ରୁ ୨୧ ଆସନ ଜିତିବୁ ବୋଲି ଚିତ୍କାର କରି କହୁଛନ୍ତି ଧର୍ମେନ୍ଦ୍ର।କିନ୍ତୁ କିପରି?ଆଶା ମରୀଚିକା ହେବନି ତ’?

ବ୍ରହ୍ମପୁର ଆସନ ପାଇଁ ଭୃଗୁ ବକ୍ସିପାତ୍ରଙ୍କ ନାମ ଘୋଷଣା ହେବା କ୍ଷଣି ହିଁ ବ୍ରହ୍ମପୁରରେ ବିଜେପି ହାତ ଟେକି ଦେଇଛି ବୋଲି ଜଣା ପଡ଼ିଯାଇଛି।ଅନ୍ୟ ଦଳରୁ ଆମଦାନୀ କରିବା ନୀତି ଯଦି କରିବାର ଥିଲା, ତାହା ବୋଧେ ବ୍ରହ୍ମପୁର ଲୋକସଭା ଆସନ ପାଇଁ ଆଗ କରିବାର ଥିଲା।ଏଠି ବିଜେପି ବୋଲି କିଛି ନାହିଁ।ନ’ହେଲେ ଦଳ ଅନାଦି ସାହୁଙ୍କ ପରି ବ୍ୟକ୍ତିଙ୍କୁ ଆଣି ଏଠୁ ପାର୍ଥି କରିବାର ଥିଲା।କିନ୍ତୁ ବ୍ରହ୍ମପୁରରେ ଖାତା ଖତିୟାନ ନ’ ଥିବା ଜଣେ ଦୁର୍ବଳ ପାର୍ଥି ଭୃଗୁ ବକ୍ସିପାତ୍ରଙ୍କୁ ଦଳ ଆଣି ଏଠି ପାର୍ଥି କଲା।ତାଙ୍କୁ ଏଠି କେହି ଜାଣନ୍ତି ନାହିଁ।କେବଳ ବିଜେପି ଦଳ ଭିତରେ ସେ ସାଙ୍ଗଠନିକ ଦାୟିତ୍ୱରେ ଥିବା କାରଣରୁ ନିଜ ଦଳୀୟ ଲୋକ କିଛି କିଛି ଜାଣନ୍ତି।ଯେଉଁ ଦଳ ବୋଲି ବ୍ରହ୍ମପୁରରେ କିଛି ନାହିଁ।

କନ୍ଧମାଳ କଥା ଦେଖନ୍ତୁ।ଏଠି ଅଚ୍ୟୁତ ସାମନ୍ତଙ୍କ ପରି ଲୋକ ବିଜେଡିର ପାର୍ଥି।ବିଜେପି ପାର୍ଥି କଲା ଐର ଖାରବେଳ ସ୍ୱାଇଁଙ୍କୁ।ଖାରବେଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଅସନ୍ତୁଷ୍ଟ ହୋଇ ବିଜେପିଠାରୁ ଦୂରେଇ ରହିଥିଲେ।ତାଙ୍କୁ ବାଲେଶ୍ୱର ବଦଳରେ କନ୍ଧମାଳରେ ଆଣି ପାର୍ଥି କରାଗଲା।ଏଠି ବି ଅନ୍ୟ ଦଳରୁ ଆମଦାନୀ ନୀତି କରି ହେଇଥାଆନ୍ତା।ନ’ ହେଲେ ସଙ୍ଗଠନ ଭିତର କଥା କହିଲେ ଅଶୋକ ସାହୁଙ୍କୁ ପାର୍ଥି କରି ପାରି ଥାଆନ୍ତା ଦଳ।ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ ସଙ୍ଗଠିତ ଆନ୍ଦୋଳନରେ କନ୍ଧମାଳରେ ଅଶୋକ ସାହୁଙ୍କର ପ୍ରମୂଖ ଭୂମିକା ଥିଲା।କିନ୍ତୁ,ବାଲେଶ୍ୱର ଛାଡ଼ି ଖାରବେଳ ଆସି ଲଢ଼ିବେ କନ୍ଧମାଳରୁ?

ବାଲେଶ୍ୱର ସ୍ଥାନରେ ଖାରବେଳଙ୍କୁ ନେଇ କନ୍ଧମାଳରେ ଥୁଆଗଲା।ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ପାର୍ଥି କରାଗଲା।ପ୍ରତାପ ଚାହୁଁଥିଲେ ନୀଳଗିରିରୁ ବିଧାନସଭା ଲଢ଼ିବା ପାଇଁ।ସେଥିପାଇଁ ସେ ନୀଳଗିରିରେ ସଙ୍ଗଠନ କରି ଆସିଥିଲେ।କିନ୍ତୁ ଶୃଙ୍ଖଳିତ ସଦସ୍ୟ ଭାବରେ ସେ ଦଳୀୟ ନିଷ୍ପତିକୁ ମାନି ନେଲେ।ନୀଳଗିରି ବିଧାନସଭା ପାଇଁ ଜଣେ ଯୋଗ୍ୟା ପାର୍ଥିନୀ ସୁଷମା ବିଶ୍ୱାଳଙ୍କୁ ଦଳ ହରାଇଲା।ବିଜେଡି ନେଇଗଲା।ପୂର୍ବରୁ ବାଲେଶ୍ୱର ପାଇଁ ପ୍ରଭାରୀ ଥିବା ରାଜ୍ୟ ଉପସଭାପତି ସମୀର ମହାନ୍ତି ସବୁ ବିଗାଡ଼ି ଦେଇଛନ୍ତି।ମଦନ ମୋହନ ଦତ୍ତ,ସନ୍ତୋଷ ଖଟୁଆ,ବିପିନ ଦାସ ଆଦିଙ୍କ ମଧ୍ୟରେ ଗଣିତ ଭୁଲ କରିଦେଇ କଳି ମଞ୍ଜି ପୋତିଦେଇ ଆସିଛନ୍ତି।ପରିଣାମ ଆଜି ସନ୍ତୋଷ ଖଟୁଆ ଦେଖାଇଦେଲେ।ସେହିପରି ନିକଟବର୍ତ୍ତୀ ଭଦ୍ରକ ସଂସଦୀୟ କ୍ଷେତ୍ର ସଂରକ୍ଷିତ ଆସନ ହୋଇଥିବାରୁ ଦଳକୁ ସହଜରେ ପାର୍ଥି ମିଳିଲା ନାହିଁ।ଭଦ୍ରକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଭଦ୍ରକ, ଭଣ୍ଡାରପୋଖରୀ, ବାସୁଦେବପୁର ଆଦି ସ୍ଥାନରେ ପାର୍ଥି ଚୟନକୁ ନେଇ ଅସନ୍ତୋଷ ରହିଛି।ଭଣ୍ଡାରପୋଖରୀ ପାଇଁ ପୂର୍ବତନ ରାଜ୍ୟ ସଙ୍ଗଠନ ସମ୍ପାଦକ ପଞ୍ଚାନନ ରାଉତ ଆଗ୍ରହୀ ଥିଲେ।ତାଙ୍କର ଟିକେଟ କଟିଗଲା।ସେ ଅସନ୍ତୁଷ୍ଟ।ଭଦ୍ରକରେ ନାରୀ ନେତ୍ରୀ ମନସ୍ମିତା ଖୁଣ୍ଟିଆଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଗଲା।ସେହିପରି ବାସୁଦେବପୁରରେ କଂଗ୍ରେସରୁ ଆସିଥିବା ମାଧବାନନ୍ଦ ମଲ୍ଲିକଙ୍କୁ ଟିକେଟ ମିଳିବା ନେଇ ଦୀନବନ୍ଧୁ ପତିଙ୍କ ସମର୍ଥକ ଅସନ୍ତୁଷ୍ଟ।ସେମାନେ ଜିଲ୍ଲା କାର୍ଯ୍ୟାଳୟରେ ଏ’ନେଇ ତାଲା ପକାଇ ଦେଇଥିଲେ।ଏ’ ସବୁ ଅସନ୍ତୋଷ,ବିରୋଧ ଭିତରେ ଭଦ୍ରକ ସଂସଦୀୟ ଆସନ ପାଇଁ ଆଶା କରିବା କେତେ ଦୂର ସଫଳ ହେବ?

ଭୁବନେଶ୍ୱରରେ ଦକ୍ଷ ପାର୍ଥି ଅପରାଜିତା ଷଡ଼ଙ୍ଗୀ।କିନ୍ତୁ, ସେନାପତି ସବୁ ଦୁର୍ବଳ।ଘୋର ଅସନ୍ତୋଷ।ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଖୋର୍ଦ୍ଧା, ଜଟଣୀ, ବେଗୁନିଆ,ଭୁବନେଶ୍ୱର ଏକାମ୍ର,ମଧ୍ୟ ଆଦି ସ୍ଥାନରେ ବିଧାୟକ ପାର୍ଥି ଚୟନକୁ ନେଇ ଘୋର ଅସନ୍ତୋଷ।ଏକାମ୍ରରେ ଆମଦାନୀ ପାର୍ଥି ବାବୁ ସିଂଙ୍କୁ ଟିକେଟ ମିଳିବା ପରେ ଟିକେଟ କଟିଯାଇଥିବା ଅଶାୟୀ ପାର୍ଥି ଅମୀୟ ଦାସଙ୍କ ସମର୍ଥକ ତ’ ରାଜ୍ୟ ମୁଖ୍ୟାଳୟରେ ତାଲା ପକାଇଦେଲେ।ଏହି ସବୁ ସ୍ଥାନରେ କଟିଯାଇଥିବା ଅଶାୟୀ ପାର୍ଥିମାନେ ରାଜ୍ୟ ନେତୃତ୍ୱଙ୍କ ସମେତ ଅପରାଜିତାଙ୍କ ଉପରେ ଖପ୍ପା।ଅପରାଜିତା ଷଡ଼ଙ୍ଗୀ ସେମାନଙ୍କୁ ଟିକେଟ ମିଳିବାର ଆଶ୍ୱାସନା ଦେଇ ପ୍ରତାରଣା କରି ସେମାନଙ୍କୁ ଫିଙ୍ଗି ଦେଇଛନ୍ତି ବୋଲି କହୁଛନ୍ତି।କଟକ ପାର୍ଥି ପ୍ରକାଶ ମିଶ୍ର ବି ଜଣେ ଦକ୍ଷ ପାର୍ଥି।କିନ୍ତୁ ଏଠାରେ ମଧ୍ୟ ଗୋଳିଆ ସ୍ଥିତି।ବାରମ୍ବାର ପରାଜିତ ନୟନ କିଶୋର ମହାନ୍ତିଙ୍କ ପାର୍ଥିତ୍ୱ ସମେତ ବଡ଼ଚଣା, ଆଠଗଡ଼ ଆଦି ସ୍ଥାନରେ ଅସନ୍ତୋଷ।ଟିକେଟ ଘୋଷଣା ପରେ ବାଙ୍କିରେ ବି ଅସନ୍ତୋଷ ହେବ।ତେଣୁ ଏଠି କେବଳ ପ୍ରକାଶ ମିଶ୍ରଙ୍କ ଭାବମୂର୍ତ୍ତି ଏବଂ ମୋଦୀ ଭରଷା।

ପଶ୍ଚିମ ଓଡ଼ିଶାର କଥା ଦେଖିଲେ ସ୍ଥିତି ଭଲ ଥାଇ ଆହୁରି ମଜଭୁତ କରିବା ଯୋଜନାରେ ନବୀନ ପଟ୍ଟନାୟକ ନିଜ ଆସନ ହିଞ୍ଜିଳି ବାଦେ ବିଜେପୁରରୁ ପାର୍ଥି ହେଲେ।ନବୀନ ତେଣେ ଏଣ୍ଟ୍ରି ମାରିବା ବେଳେ ବିଜେପି ପ୍ରଥମେ ଜଣେ ନିର୍ବାଚିତ ବିଧାୟକ ଦିଲ୍ଲୀପ ରାୟଙ୍କୁ ହରାଇଲା।ତା’ ସହ ବିଜୟ ମହାପାତ୍ର ଏବଂ ଏବେ ଜଣେ ସଂଘ କ୍ୟାଡର ବରିଷ୍ଠ ନେତା ସୁବାସ ଚୌହାନଙ୍କୁ ମଧ୍ୟ ହରାଇଲା।ଏମାନେ ସବୁ ଦଳ ଛାଡ଼ି ଗଲେ ନାହିଁ।ଏମାନଙ୍କୁ ସବୁ ଦଳ ଛାଡ଼ିବାକୁ ପରୋକ୍ଷରେ ବ୍ୟବସ୍ଥା କରି ଦିଆଗଲା।

ଓଡ଼ିଶାରୁ ଏକ ମାତ୍ର ନିର୍ବାଚିତ ବିଜେପି ସାଂସଦ ହେଲେ ସୁନ୍ଦରଗଡ଼ରୁ ଜୁଏଲ ଓରାମ।କିନ୍ତୁ ଏବେ ତାଙ୍କ ଆସନ ଟଳମଳ।ଦିଲ୍ଲୀପ ରାୟଙ୍କ କାରଣରୁ ହିଁ ଜୁଏଲ ବା ବିଜେପି ସୁନ୍ଦରଗଡ଼ରେ ବିଜୟର ସ୍ୱାଦ ଚାଖି ପାରିଛି ବୋଲି କୁହାଯାଏ।ଆଜି ଦିଲ୍ଲୀପ ଆଉ ସାଙ୍ଗରେ ନାହାଁନ୍ତି।ବିଜେପିର କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରୋକ୍ଷରେ ଆକ୍ଷେପ କରି ଦିଲ୍ଲୀପ ବିଜେପି ଛାଡ଼ିଲେ।ଅସହାୟ, ଅପାରଗ ଜୁଏଲ କିଛି କରି ପାରିଲେ ନାହିଁ।ଦିଲ୍ଲୀପ ତ’ ଗଲେ ଗଲେ,କିନ୍ତୁ ରାଉରକେଲାରେ ସୁପର ସ୍ପେସିୟାଲିଷ୍ଟ ହସ୍ପିଟାଲ ଏବଂ ଦୂତୀୟ ବ୍ରାହ୍ମଣୀ ପ୍ରସଙ୍ଗ କଥା ଉଠାଇ ଏବଂ ସେହି କାରଣରୁ ଦଳ ତଥା ବିଧାୟକ ପଦ ଛାଡ଼ି ଲୋକଙ୍କ ମଧ୍ୟରେ ଆଉ ଅଧିକ ପ୍ରିୟ ହୋଇ ଯାଇଛନ୍ତି।ପାର୍ଟି ନୁହେଁ,ମାଟିକୁ ଭଲ ପାଉଥିବା ନେତାଟିଏର ଛବି ଛାଡ଼ି ଦେଇଛନ୍ତି।ପରୋକ୍ଷରେ ଏହା ସଂପୃକ୍ତ ଅଞ୍ଚଳରେ ବିଜେପି ଏବଂ ଜୁଏଲଙ୍କ ପ୍ରତି ଖରାପ ଧାରଣା ସୃଷ୍ଟି କରିଛି।

ବରଗଡ଼ କଥା ଦେଖିଲେ ବିଜେପିର ଯୋଜନା ପ୍ରତି ସନ୍ଦେହ ସୃଷ୍ଟି ହୁଏ।ଦଳୀୟ ନିଷ୍ପତି ଏଠି ଜଣେ ଦଳର ପ୍ରମୁଖ ନେତାଙ୍କୁ କନ୍ଦାଇ ଦେଲା।ସୁବାସ ଚୌହାନ କାନ୍ଦି କାନ୍ଦି ଦଳ ଛାଡ଼ିଲେ।ଧର୍ମେନ୍ଦ୍ର ପ୍ରଧାନ ଏବଂ କୁଚକ୍ରି ଗୋଷ୍ଠୀକୁ ଦାୟୀ କରିଦେଇ ଗଲେ।ଏହା ସଙ୍ଗଠନ ଭିତରେ ଏବେ ଖୁବ୍ ଆଲୋଚନା ହେଉଛି।ଯାହା ତ’ କଲେ କଲେ,ସୁବାସ ଚୌହାନଙ୍କଠି ହାତ ମାରିବାର ନ’ଥିଲା ବୋଲି ଆଲୋଚନା ହେଉଛି।ଯେଉଁ ସଙ୍ଗଠନର କାର୍ଯ୍ୟକର୍ତ୍ତା କଂଗ୍ରେସ,ବିଜେଡି ବିରୋଧରେ ସୋସିଆଲ ମିଡିଆରେ ପ୍ରଚାର କରି ଆସୁଥିଲେ ଏବେ ସେହି ସବୁ ଆକାଉଣ୍ଟ ଗୁଡ଼ାକରେ ଧର୍ମେନ୍ଦ୍ରଙ୍କ ଏକଛତ୍ରବାଦ ନୀତିକୁ ସମାଲୋଚନା କରାଯାଉଛି।ଏବେ ସୁବାସ ଚୌହାନ ବିଜେଡିରେ ଯୋଗଦେଲେ।

ବରଗଡ଼ରେ ସୁବାସ ଚୌହାନ ୩.୭୨ ଲକ୍ଷ ଭୋଟ୍ ପାଇଥିବାବେଳେ ବିଜେଡି ପ୍ରାର୍ଥୀଙ୍କଠୁ ମାତ୍ର ୧୧ହଜାର ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ।ସେ ବରଗଡ଼ରୁ ମୁଖ୍ୟ ଦାବିଦାର ଥିବାବେଳେ ଦଳ ତାଙ୍କୁ ଟିକେଟ୍ ନଦେଇ ସମ୍ବଲପୁରରୁ ସୁରେଶ ପୂଜାରୀଙ୍କୁ ଆଣି ବରଗଡ଼ରେ ପାର୍ଥି କରାଇଲା।ଗୋଟିଏ ଭାଇର ଭାଗ ଛଡ଼େଇ ଆଉ ଜଣେ ଭାଇଙ୍କୁ ଦିଆଗଲା।ଯେତେବେଳେ କି ସମ୍ବଲପୁର ଲୋକସଭା ଆସନରେ ସୁରେଶ ପୂଜାରୀ ମାତ୍ର ୩୦,୫୭୬ ଭୋଟ୍ ବ୍ୟବଧାନରେ ବିଜେଡିର ନଗେନ୍ଦ୍ର ପ୍ରଧାନଙ୍କଠୁ ପରାଜିତ ହୋଇଥିଲେ।ସୁରେଶ ପୂଜାରୀ ୨୦୧୪ ନିର୍ବାଚନରେ ୩ଲକ୍ଷ ୨୮ହଜାର ଭୋଟ୍ ପାଇଥିଲେ ଓ ଦୀର୍ଘ ବର୍ଷ ଧରି ସମ୍ବଲପୁରରେ ସାଂଗଠନିକ କାର୍ଯ୍ୟ କରୁଥିଲେ।ସମ୍ବଲପୁରରେ ଦେବଗଡ଼ ବିଧାୟକ ନିତେଶ ଗଙ୍ଗଦେବଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଛି।ଏବେ ବରଗଡ଼ ଗଲା,ସମ୍ବଲପୁର ବି ଗଲା।ସେହିପରି କଳହାଣ୍ଡି ଆସନରୁ ପ୍ରଦୀପ୍ତ କୁମାର ନାଏକ ୫୬,୩୪୭ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେଡିର ଅର୍କ କେଶରୀ ଦେଓଙ୍କଠୁ ପରାଜିତ ହୋଇଥିଲେ।ପ୍ରଦୀପ୍ତ ୨୦୧୪ ନିର୍ବାଚନରେ ୩ଲକ୍ଷ ୧୪ହଜାର ଭୋଟ୍ ପାଇଥିଲେ ଓ କଳାହାଣ୍ଡି ଲୋକସଭା ପାଇଁ ନିଜକୁ ପ୍ରସ୍ତୁତ କରିଥିବାବେଳେ ତାଙ୍କୁ ଭବାନୀପାଟଣା ବିଧାନସଭାରୁ ପ୍ରାର୍ଥୀ କରାଯାଇଛି।ତାଙ୍କ ସ୍ଥାନରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ କଳାହାଣ୍ଡି ଲୋକସଭାରୁ ପ୍ରାର୍ଥୀ କରାଯାଇଛି।ଯାହାକୁ ନେଇ କଳାହାଣ୍ଡି ବିଜେପି ସଙ୍ଗଠନରେ ଅସନ୍ତୋଷ ରହିଛି।

୨୦୧୪ ମସିହା ନିର୍ବାଚନରେ ବିଜେପି ପ୍ରାର୍ଥୀମାନେ ଯେଉଁ ସବୁ ଆସନରେ ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ହାରିଥିଲେ ସେଗୁଡ଼ିକରେ ଦଳୀୟ ପ୍ରାର୍ଥୀଙ୍କୁ ପୁନର୍ବାର ପାର୍ଥି କରାଯାଇଛି।ବଲାଙ୍ଗିରରେ ସଙ୍ଗୀତା ସିଂହଦେଓ ୧.୦୪ ଲକ୍ଷ ଭୋଟରେ ପରାଜିତ ହୋଇଥିବାବେଳେ ଢେଙ୍କାନାଳରେ ରୁଦ୍ର ପାଣି ୧.୩୭ ଲକ୍ଷ ଭୋଟରେ ବିଜେଡି ପ୍ରାର୍ଥୀଙ୍କଠୁ ପରାଜିତ ହୋଇଥିଲେ।ସେହିପରି ବାଲେଶ୍ୱର ଲୋକସଭା ଆସନରେ ପ୍ରତାପ ଷଡ଼ଙ୍ଗୀ ୧.୪୧ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ ହୋଇ ନୀଳଗିରି ଉପରେ ଫୋକସ କରିଥିଲେ।କିନ୍ତୁ ତାଙ୍କୁ ସେଠାରୁ କାଢ଼ି ନେଇ ପୁଣି ଥରେ ବାଲେଶ୍ୱର ଦିଆଯାଇଛି।

ତେଣୁ ଓଡ଼ିଶାରେ ଅମିତ ଶାହାଙ୍କ ମିଶନ ୧୨୦+ ଲକ୍ଷ୍ୟ ଏବଂ ଏବେ ଧର୍ମେନ୍ଦ୍ରଙ୍କର ୨୧ ରୁ ୨୧ କଥା ଦିବା ସ୍ୱପ୍ନ ପରି ଲାଗୁଛି।କିଛି ଦିନ ତଳେ ଖୁବ୍ ଉତ୍ସାହୀ ଥିବା ରାଜ୍ୟ ସାରା ବିଜେପି କାର୍ଯ୍ୟକର୍ତ୍ତାମାନେ ଏବେ ସନ୍ଦିହାନ ହୋଇ ପଡ଼ିଛନ୍ତି।ଟିକେଟ ବଣ୍ଟନରେ ଅନିୟମିତତାକୁ ନେଇ ରାଜ୍ୟ ନେତୃତ୍ୱଙ୍କ ଉପରେ ରାଜ୍ୟ ସାରା କାର୍ଯ୍ୟକର୍ତ୍ତା ଅସନ୍ତୁଷ୍ଟ ହୋଇ ପଡ଼ିଛନ୍ତି।ଏଣେ ମାତୃ ସଙ୍ଗଠନ ଆରଏସଏସ ଏବେ ପିତାମହ ଭୀଷ୍ମ ପାଲଟି ଯାଇଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.