Home କେନ୍ଦୁଝର ସୁସ୍ଥ ସମାଜ ଗଠନରେ ମହିଳାମାନଙ୍କ ଅବଦାନ ଅତୁଳନୀୟ

ସୁସ୍ଥ ସମାଜ ଗଠନରେ ମହିଳାମାନଙ୍କ ଅବଦାନ ଅତୁଳନୀୟ

141

କେନ୍ଦୁଝର, ୮-୩ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ସୌଜନ୍ୟରେ ମାର୍ଚ୍ଚ ୦୮ତାରିଖ ଗୁରୁବାର ଦିନ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଶିଷ ଠାକ୍ରେ ପତାକା ହଲାଇ ଏକ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ସହର ପରିକ୍ରମା କରି ମହିଳାମାନଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ସ୍ଳୋଗାନ୍ ଏବଂ ପ୍ଲାକାର୍ଡ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। ପରେ ପରେ ଡିଆର୍ ଡିଏ ସମ୍ମିଳନୀ କକ୍ଷଠାରେ ଏକ ମନୋଜ୍ଞ ପରିବେଶରେ ଆୟୋଜିତ ସମାରୋହକୁ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରମୀତୀ କମଳିନୀ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ ଘାଟନ କରିଥିଲେ। ଉଦ୍ ବୋଧନ ଛଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ସୁସ୍ଥ ସମାଜ ଗଠନରେ ମହିଳାମାନଙ୍କ ଅବଦାନ ଅତୁଳନୀୟ ବୋଲି କହିବା ସହିତ ଏ ଦିଗରେ ସେମାନେ ଅଗ୍ରଣୀ ଭୂମିକା ନିଭାଇବାକୁ ଆହ୍ୱାନ ଜଣାଇଥିଲେ। ସମାଜର ତଥା ଦେଶର ବିକାଶ କ୍ଷେତ୍ରରେ ମହିଳାମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିବା ସହିତ ପ୍ରତ୍ୟେକ ମହିଳା ବିକାଶର ସୂତ୍ରଧର ସାଜିବାକୁ ପରାମର୍ଶ ଦେଇଥିଲେ। ଯୁଗେ ଯୁଗେ ମହିଳାମାନେ କିପରି ସମାଜରେ ବନ୍ଦନୀୟା ତାହା ଅବତାରଣା କରି ଅଧୁନା ମହିଳାମାନେ ନିଜସ୍ୱ ପ୍ରତିଭା, ଅଧ୍ୟବସାୟ ଓ ଦୃଢ ଇଛାଶକ୍ତି ବଳରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଶୀର୍ଷକ ପାଲଟିଛନ୍ତି ବୋଲି କହିଥିଲେ। ଏଣୁ ମହିଳାମାନେ ନିରାଶା, ହତାଶା ଭାବ ପରିହାର କରି ନିଜ ଭିତରେ ଥିବା ପ୍ରତିଭା ପ୍ରଦର୍ଶନ କରି ସମାଜର ହିତ ସାଧନ ନିମନ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଜଣାଇଥିଲେ। ସମାରୋହରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ ନିଜ ଅଭିଭାଷଣରେ ମହିଳାମାନଙ୍କୁ ଦୟା, କ୍ଷମା, ସେବା, ତ୍ୟାଗ ଓ ମମତାର ମୂର୍ତିମନ୍ତ ପ୍ରତୀକ ଭାବେ ଅଭିହିତ କରି ସେମାନେ ପୁରାଣ ଯୁଗରୁ କିପରି ସମାଜରେ ସମ୍ମାନନୀୟା ଓ ଆଦରଣୀୟା ହୋଇଥିଲେ ଏବଂ ମଧ୍ୟଯୁଗୀୟ ସମାଜରେ ସେମାନେ କିପରି ବିଭିନ୍ନ କ୍ଷେତ୍ରରେ ଅବହେଳିତା ଓ ନିର୍ଯ୍ୟାତିତା ହେଉଥିଲେ ସେ ସମ୍ପର୍କରେ ଅବତାରଣା କରିଥିଲେ। ବର୍ତମାନ ସମୟ ବଦଳିଛି ଏବଂ ମହିଳାମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି। ତଥାପି ଏବେ ମଧ୍ୟ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିର୍ଯାତିତା ହେଉଛନ୍ତି। ଘରୋଇ ହିଂସାର ଶିକାର ହେଉଛନ୍ତି ଯାହାକି ଲଜ୍ଜାଜନକ ଏବଂ ନିନ୍ଦନୀୟ। ଏଣୁ ଘରୋଇ ହିଂସାରୁ ମହିଳାମାନଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ ଦ୍ୱାରା ଆଇନ୍ କାନୁନ୍ ପ୍ରଣୟନ ହୋଇଛି ଏବଂ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଦିଗରେ ସମସ୍ତେ ସଚେତନ ହେଲେ ମହିଳାମାନେ ନିଜର ସ୍ୱାଭିମାନ ଓ ଅଧିକାର ବଜାୟ ରଖି ସମାଜ ଓ ଦେଶର ପ୍ରଗତି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ପାରିବେ ବୋଲି କହିଥିଲେ। ଆନ୍ତର୍ଜାତୀୟ ମହିଳା ଦିବସ ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ ସମାଜ ଓ ଦେଶ ଗଠନରେ ସେମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ମହିଳାମାନଙ୍କର ବିକାଶ ହେଲେ ଦେଶର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରଧାନ ମତବ୍ୟକ୍ତ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଅହଲ୍ୟା ଧଳ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ସମ୍ଭାଷଣ କରି ଆର୍ନ୍ତଜାତୀୟ ମହିଳା ଦିବସ ପାଳନର ଉଦ୍ଦେଶ୍ୟ, ଆଭିମୁଖ୍ୟ ଏବଂ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ ଓ ସମାରୋହ ପରିଚାଳନା କରିଥିଲେ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଦୟାନିଧି ସାହୁ ଏହି ସମାରୋହରେ ଗ୍ରାମ୍ୟ ପରିମଳ ଓ ସ୍ୱଚ୍ଛ ଭାରତ ଅଭିଯାନରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଅଭିବ୍ୟକ୍ତି ରଖି ଏଦିଗରେ ସେମାନେ ସମସ୍ତଙ୍କ ପାଇଁ ଆଦର୍ଶ ହେବାକୁ ଆହ୍ୱାନ ଜଣାଇଥିଲେ। ଏହି ସମାରୋହରେ ଅଧିବକ୍ତା ସଙ୍ଗୀତା ସିଂ ଯୁୁବତୀ ଚାଲାଣ ଭଳି ସ୍ପର୍ଶକାତର ପ୍ରସଙ୍ଗ ଉପରେ ଆଲୋକପାତ କରି ଏହାର ନିରାକରଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଲ୍ ସିସି ମେମ୍ବର ସେବତୀ ସିଂ ନିଜ ବକ୍ତବ୍ୟରେ ଅନେକ କ୍ଷେତ୍ରରେ କର୍ମଜୀବୀ ମହିଳାମାନେ କିପରି ଯୌନ ନିର୍ଯାତନାର ଶିକାର ହେଉଛନ୍ତି ଏବଂ ଏପରି ଘୃଣ୍ୟ କାର୍ଯ୍ୟର କିପରି ନିରାକରଣ କରାଯାଇପାରିବ ସେ ସମ୍ପର୍କରେ ମତାମତ ଉପସ୍ଥାପନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବାଙ୍ଗନା ବାରିକ୍ ଶିଶୁ ବିବାହ ଏବଂ ଶିଶୁ ସୁରକ୍ଷା ସମ୍ପର୍କରେ ଅବତାରଣା କରିଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀମତୀ ସତ୍ୟପ୍ରିୟଦର୍ଶିନୀ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଘଟଗାଁ ବ୍ଲକ୍ ର ମା”ତାରିଣୀ ସ୍ୱଂୟ ସହାୟକ ଗୋଷ୍ଠୀ, ଝୁମ୍ପୁରା ବ୍ଲକ୍ ର ମା”ରଞ୍ଜଇଶୁଣି ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ଯୋଡ଼ା ବ୍ଲକ୍ ର ମା”ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଶ୍ରେଷ୍ଠ ସ୍ୱଂୟ ସହାୟକ ଗୋଷ୍ଠୀ ଭାବେ ୧୫ହଜାର ଟଙ୍କା ଲେଖାଏଁ ଅର୍ଥରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା। ସମ୍ପୂର୍ଣ୍ଣ ପରିମଳ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସଦର ବ୍ଲକ୍ ର ମୋଟିଭେଟର ସୁରତି ଘଣା, ବୀଣାପାଣି ବେହେରା ଏବଂ ରୀନା ପାତ୍ରଙ୍କୁ ୨ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଏତଦ୍ ବ୍ୟତୀତ ଜିଲ୍ଲାର ୧୪ଟି ବ୍ଲକ୍ ର ୧୪ଜଣ ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତା, ଅଙ୍ଗନୱାଡି କର୍ମୀ ଓ ସହକର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତା, ମହିଳା ସରପଂଚ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ମନିଟରିଂ ଆଣ୍ଡ୍ ଇଭାଲ୍ୟୁସନ୍ ମ୍ୟାନେଜର ଗାୟତ୍ରୀ ଦେବୀ, ପରିସଂଖ୍ୟାନ ସହାୟକ ବଳରାମ କବି, ବରିଷ୍ଠ କିରାଣୀ ମନୋଜ କୁମାର ଓଝା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.