Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

114

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ – ୨୦୨୧ ପାଳନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋବିଡ଼-୧୯ କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ନିଷ୍ପତି ନିଆଯାଇଥିଲା । ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୂନ ପରିବେଷଣ କରାଯିବ । ସକାଳ ୭ଟା ୩୦ ମିନିଟ ସୁଦ୍ଧା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କୋଭିଡ଼ ନିୟମ ଅନୁପାଳନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରାଯିବ । ସକାଳ ୮ଘଟିକା ୩୦ ମିନିଟ ସମୟରେ ନେହେରୁ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ମୁଖ୍ୟଅତିଥି ପତାକା ଉତ୍ତୋଳନ କରିବେ । ସେଠାରେ କେବଳ ପୁଲିସ ବାହିନୀ ଉପସ୍ଥିତ ରହିବେ । ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଏନ୍‌ସିସି କ୍ୟାଡେଟ ଏଥିରେ ଭାଗ ନେବେ ନାହିଁ । ସ୍ୱରାଷ୍ଟ୍ର ବିଭାଗର ମାର୍ଗଦର୍ଶିକା ଅନୁଯାୟୀ କୋଭିଡ଼ ଯୋଦ୍ଧାଙ୍କ ସମେତ ସୀମିତ ସଂଖ୍ୟକ ଅତିଥିଙ୍କୁ ଏହି ସମାରୋହକୁ ଆମନ୍ତ୍ରିତ କରାଯିବ । କିଛି କୋଭିଡ଼ ଯୋଦ୍ଧାଙ୍କୁ ଏହି ଅବସରରେ ସମ୍ମାନିତ କରିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଅନ୍ୟ ଦର୍ଶକଙ୍କୁ ପଡ଼ିଆ ମଧ୍ୟକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । କୋବିଡ଼ କଟକଣା ଅନୁଯାୟୀ ପଡ଼ିଆ ମଧ୍ୟରେ ସାମାଜିକ ଦୂରତ୍ୱ ପାଳନ କରାଯିବା ସହିତ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍‌ଲାଇନ ଯୋଗେ ପ୍ରବନ୍ଧ, କୁଇଜ ପ୍ରତିଯୋଗିତା ଆୟୋଜନ କରିବା ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ସେହିପରି ବ୍ଳକ ଓ ପଞ୍ଚାୟତ ସ୍ତରରେ ରାଜ୍ୟ ସ୍ୱରାଷ୍ଟ୍ର ବିଭାଗର ମାର୍ଗଦର୍ଶିକା ଅନୁପାଳନ କରି ସାଧାଣତନ୍ତ୍ର ଦିବସ ପାଳନ କରାଯିବ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ଅରୁଣ କୁମାର ମହାପାତ୍ର, ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କ ସମେତ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ ଓ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.