ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୩/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି କମିଟି ବୈଠକ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଚଳିତମାସ ୨୧, ୨୩ ଓ ୨୪ତାରିଖ ଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ କେନ୍ଦ୍ରାପଡା କଲେଜ ପଡିଆରେ କଣ୍ଟିଜେଣ୍ଟ ମାନଙ୍କ ମଧ୍ୟରେ ଅଭ୍ୟାସ ପ୍ୟାରେଡ ଅନୁଷ୍ଠିତ ହେବ। ଦଲଗତ ଦେଶଭକ୍ତି ନୃତ୍ୟଦଳ ଚୟନ ୨୧ତାରିଖ ଦିନ ୧୦ଟାରେ ସେହି କଲେଜ ପଡିଆରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେବ। ସାଧାରଣତନ୍ତ୍ର ଦିବସ ଦିନ ସକାଳ ୭ଟାରେ ସମସ୍ତ ସରକାରୀ, ବେସରକାରି ଓ ଘରୋଇ କୋଠାବାଡି ମାନଙ୍କରେ ଜାତୀୟ ପତକା ଉତ୍ତୋଳନ ହେବ। ୨୬ତାରିଖ ସାଦାରଣତନ୍ତ୍ର ଦିବସ ଦିନ ସକାଳ ୮ଟାରେ କଲେଜ ପଡିଆରେ ରିଜର୍ଭ ଇନିସପେକ୍ଟରଙ୍କ ତତ୍ୱାବଧାନରେ ପ୍ୟାରେଡ ଅନୁଷ୍ଠିତ ହେବ। ସେଦିନ ମୁଖ୍ୟ ଅତିଥି ପ୍ୟାରେଡ ଅଭିବାଦନ ଗ୍ରହଣ ପରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପରେ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରିବେ। ଏହାପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ ଓ ବାରିମୂଳ ଉପ କାରାଗାରରେ କଏଦୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ। ଏହି ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଜିଲ୍ଲ୍ା ଶିକ୍ଷା ଅଧିକାରୀ ଆୟୋଜନ କରାଇ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କ ତାଲିକା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ୨୫ତାରିଖ ମଧ୍ୟରେ ପ୍ରଦାନ କରିବେ। ସେଦିନ ଅପରାହ୍ନ ୩ଟାରେ କେନ୍ଦ୍ରାପଡା ଟାଉନ ହାଇସ୍କୁଲ ପଡିଆରେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ଦ୍ୱାରା ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବା ସହ ପ୍ୟାରେଡ ପଡିଆରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଅଗ୍ରଣୀ ରୂପରେଖ ସମ୍ପର୍କରେ ଏକ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା। ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ, ଡିଆରଡିଏର ଅତିରିକ୍ତ ପିଡି ସଞ୍ଜୟ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *