Home ଓଡ଼ିଶା ଭାରତୀୟ କ୍ରିକେଟ ଦଳରେ ନୟାଗଡ଼ର ଓଡ଼ିଆ ପୁଅ ରାଜେଶ

ଭାରତୀୟ କ୍ରିକେଟ ଦଳରେ ନୟାଗଡ଼ର ଓଡ଼ିଆ ପୁଅ ରାଜେଶ

195

ନୟାଗଡ଼, ୮ା୯(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇ ନୟାଗଡଜିଲ୍ଲା ପାଇଁ ଗୌରବ ଆଣିଥିବା ଯୁବ କ୍ରିକେଟର ରାଜେଶ ଏବେ ସବୁରି ମୁହଁରେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ତାଙ୍କୁ ନେଇ ଏବେ ସବୁଠାରେ ଚର୍ଚ୍ଚା। ଓଡ଼ିଶାର ଦ୍ରୁତ ବୋଲର ଭାବେ ପ୍ରଥମ କରି ଭାରତୀୟ କ୍ରିକେଟ ଦଳରେ ଦେବାଶିଷ ମହାନ୍ତି ସାମିଲ ହେବା ପରେ ନୟାଗଡ଼ର ରାଜେଶ ଦ୍ରୁତ ବୋଲର ଭାବେ ଆଉ ଏକ ନୂଆ ଆଶା ସଂଚାର କରିଛନ୍ତି। ସେ ଏବେ ବାଂଲାଦେଶରେ ହେବାକୁ ଥିବା ୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ପ୍ରତିଯୋଗିତାରେ ଭାରତୀୟ କ୍ରିକେଟ ଦଳରେ ଯୁବ ଫାଷ୍ଟ ବୋଲର ଭାବେ ସ୍ଥାନ ପାଇଛନ୍ତି। ରାଜେଶ ହେଉଛନ୍ତି ନୟାଗଡ଼ ଜିଲ୍ଲା ନୟାଗଡ଼ ବ୍ଳକ ମୁଥାଗାଡ଼ିଆ ପଂଚାୟତ ତୁଳସୀପୁର ଗ୍ରାମର କିଶୋର ଚନ୍ଦ୍ର ମହାନ୍ତି ଓ ମନୋରମା ମହାନ୍ତିଙ୍କ ସୁଯୋଗ୍ୟ ସନ୍ତାନ। ରାଜେଶ ନିଜ ମାମୁଁଘର ଜଟଣୀ ବାରିମୂଳରେ ରହି ପାଠ ପଢୁଥିବାବେଳେ କ୍ରିକେଟ ଖେଳ ପ୍ରତି ମନୋନିବେଶ କରିଥିଲେ। ସେତେବେଳେ ବିଭିନ୍ନ କ୍ରିକେଟ ଖେଳ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷର କରିଥିବାବେଳେ ସ୍ଥାନୀୟ ରାମେଶ୍ୱର କ୍ରିକେଟ କ୍ଲବର କୋଚ୍ ଦୀପକ ମଙ୍ଗରାଜଙ୍କ ଠାରୁ ନିୟମିତ ଭାବେ ପ୍ରଶିକ୍ଷଣ ନେଉଥିଲେ। ରାଜେଶ ୨୦୧୨ ମସିହାରୁ ୧୬ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ କ୍ରିକେଟ ଦଳରେ ଖେଳି ନୟାଗଡ଼ ଜିଲାପାଇଁ ପ୍ରଥମେ ପରିଚୟ ସୃଷ୍ଟି କରିଥିଲେ। ତା’ପରେ ୧୬ବର୍ଷରୁ କମ୍ ବିଜୟ ମର୍ଚ୍ଚାଂଟ ଟ୍ରଫି ଓ ୧୯ବର୍ଷରୁ କମ୍ କୁଚବିହାର ଟ୍ରଫିରେ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ୨୦୧୬-୧୭ ଓ ୨୦୧୭-୧୮ ସିଜିନରେ ୧୯ ବର୍ଷରୁ କମ୍ କୁଚବିହାର ଟ୍ରଫିରେ ନିଜର ଟ୍ୟାଲେଂଟ ଦେଖାଇ ଜାତୀୟ ଜୁନିୟର ମନୋନୟନକାରୀଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲେ। ତାଙ୍କର ଉନ୍ନତ ପ୍ରଦର୍ଶନ ଯୋଗୁଁ ତାଙ୍କୁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ପାଇଁ ମନୋନୀତ କରାଯାଇଥିଲା। ଜାତୀୟ ଏକାଡେମୀର ମନୋନୟନକାରୀ ରାଜେଶଙ୍କ ପ୍ରତିଭାଙ୍କୁ ଜୁନିୟର ମନୋନୟନକାରୀ ସଦସ୍ୟ ବଲବୀର ସିଂହ ସିନ୍ଧୁ ପରଖିଥିଲେ। ରାଜେଶଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ଲାଗି ଜାତୀୟ କ୍ରିକେଟ ଦଳରେ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି। ରାଜେଶ ଭାରତୀୟ କ୍ରିକେଟ ଦଳରେ ସାମିଲ ହୋଇ ନୟାଗଡ଼ ପାଇଁ ସୁନାମ ଆଣିଥିବା ନୟାଗଡ଼ ଜିଲ୍ଲାର କ୍ରିକେଟପ୍ରେମୀ ରାଜେଶଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.