ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅଭିଯାନ

ପୁରୀ, ୨୩/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ୱିତୀୟ ବର୍ଷ ପାଇର୍ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୨୩ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ରାଜସ୍ଥାନର ଆଜମିର ଓ ପୁଷ୍କର ଯାତ୍ରା କରିଛନ୍ତି। ଏଥିପାଇଁ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ସମ୍ମୁଖରେ ବରିଷ୍ଠ ନାଗରିକମାନଙ୍କର ଭିଡ ଜମିଥିଲା। ତୀର୍ଥଯାତ୍ରାରେ ଯାଉଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ସ୍ପଷ୍ଟ ବାରି ହୋଇ ପଡୁଥିଲା। ଏଭଳି ଏକ ମହତ୍ କାର୍ଯ୍ୟ ପାଇଁ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଦୁଇଟି ବସ ଯୋଗେ ପୁରୀରୁ ୧୨୩ଜଣ ବରିଷ୍ଠ ପୁରୁଷ ଓ ମହିଳା ଭୁବନେଶ୍ୱର ଯାତ୍ରା କରିଥିଲେ। ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ବ କରିଥିଲେ। ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ପ୍ରଧାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅପରାହ୍ନ ୫ଟା ସମୟରେ ଏହି ନାଗରିକମାନେ ଟ୍ରେନ୍ ଯୋଗେ ପୁଷ୍କର ଯାତ୍ରା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ରେଳ ଷ୍ଟେସନରେ ଏହି ଯାତ୍ରା ଶୁଭାରମ୍ଭ କରିଛନ୍ତି। ଆସନ୍ତା ୩୦ତାରିଖରେ ନାଗରିକମାନେ ତୀର୍ଥଯାତ୍ରାରୁ ଫେରିବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *