Home ଜିଲ୍ଲା ପରିକ୍ରମା ଧାନର କଟନି ଛଟନିକୁ ନେଇ ସମବାୟ ସମିତି ଓ କୃଷକ ମହାସଭା ମୁହାଁ ମୁହଁ, ଥାନାରେ...

ଧାନର କଟନି ଛଟନିକୁ ନେଇ ସମବାୟ ସମିତି ଓ କୃଷକ ମହାସଭା ମୁହାଁ ମୁହଁ, ଥାନାରେ ଦୁଇଟି ପୃଥକ ଏତଲା

47

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଜାମଯୋଡ଼ି ସେବା ସମବାୟ ସମିତି ଧାନ କ୍ରୟ କରିବା ବେଳେ ଚାଷୀଙ୍କ ଧାନ କଟନି ଛଟନି ପ୍ରସଂଗକୁ ନେଇ ସମବାୟ ସମିତିର ସଭାପତି, ସମ୍ପାଦକ ଓ ବୋର୍ଡ଼ ସଦସ୍ୟଙ୍କ ସହିତ ଅଖିଳ ଭାରତ କୃଷକ ମହାସଭାର କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ପୀରହାଟ ଥାନାରେ ଉଭୟ ପକ୍ଷରୁ ଦୁଇଟି ପୃଥକ ଏତଲା ଦାଖଲ କରାଯାଇଛି। ତେବେ ପୁଲିସ ଏହି ଘଟଣାରେ ତଦନ୍ତ ଚଳାଇଥିବା ଜଣାପଡ଼ିଛି। କୃଷକ ମହାସଭା ପକ୍ଷରୁ ବିଦ୍ୟାଧର ଜେନା ଓ ଅନ୍ୟମାନେ ଦେଇଥିବା ଅଭିଯୋଗରୁ ଜଣାପଡ଼ିଛି ଯେ, ସେମାନେ ଜାନୁଆରୀ ୧୦ ତାରିଖ ଦିନ ସମବାୟ ସମିତିରେ ଅଭାବି ଧାନବିକ୍ରି ସହିତ କୁଇଣ୍ଟାଲ ପିଛା ୭କି.ଗ୍ରା. ଧାନ କାଟି ଚାଷୀଙ୍କୁ ଠକୁଥିବାରୁ ସମବାୟ ସମିତି ଆଗରେ ଧାରଣାରେ ବସିଥିଲେ। ପରେ ଏହି ଖବର ପାଇ ସମବାୟ ସମିତିର କର୍ମକର୍ତ୍ତାମାନେ ଆସି ଧାରଣାରେ ବସିବା କଥା ପଚାରିବା ସହିତ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସେହିପରି ସମବାୟ ସମିତିର ସଭାପତି, ସମ୍ପାଦକ ଓ ବୋର୍ଡ଼ ସଦସ୍ୟଙ୍କ ଅଭିଯୋଗରୁ ଜଣାପଡ଼ିଛି ଯେ, ଅଖିଳ ଭାରତ କୃଷକ ମହାସଭାର ଜଣେ କର୍ମକର୍ତ୍ତା ୫୦ କୁଇଣ୍ଟାଲ ଧାନ ବିକିବାକୁ କହି ଚିଠା ଦିଅ ବୋଲି କହି ଦୁର୍ବ୍ୟବହାର କରି ଗାଳିଗୁଲଜ କରିଥିଲେ। ଫଳରେ କୃଷକ ମହାସଭାର କର୍ମକର୍ତ୍ତାଙ୍କ ଦୌରାତ୍ମ୍ୟ ଦେଖି ଧାନ ବିକ୍ରି କରିବାକୁ ଆସିଥିବା ଚାଷୀମାନେ ସେମାନେ ନିଜ ଧାନକୁ ନେଇ ଘରକୁ ଫେରି ଯାଇଥିବା ବେଳେ ମିଲ୍‌ରୁ ଅଖାବସ୍ତା ନେଇ ଧାନ ନେବାକୁ ଆସିଥିବା ଟ୍ରକ ମଧ୍ୟ ଫେରି ଯାଇଥିଲା। କୌଣସି କାରଣ ନଥାଇ ମନ୍ଦ ଉଦ୍ଦେଶ୍ୟ ରଖି କୃଷକ ମହାସଭା କର୍ମକର୍ତ୍ତମାନେ ଏପରି ଘଟଣା ଘଟାଇବା ଆଗାମୀ ଦିନରେ ଚାଷୀ ଓ ସେମାନଙ୍କ ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସମବାୟ ସମିତି ପକ୍ଷରୁ ଏତଲାରେ ଦର୍ଶାଯାଇଛି। ତେବେ ପୀରହାଟ ଥାନା ଅଧିକାରୀ ଗୟାଧର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯାଉଛି, ତଦନ୍ତ ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.