Home Top News ବିଜେପିର ବିପର୍ଯ୍ୟୟର କାରଣ କ’ଣ? କହିଲେ କୂଳ କୁଟୁମ୍ବକୁ ଲାଜ, ନ’କହିଲେ କୂଳ ..

ବିଜେପିର ବିପର୍ଯ୍ୟୟର କାରଣ କ’ଣ? କହିଲେ କୂଳ କୁଟୁମ୍ବକୁ ଲାଜ, ନ’କହିଲେ କୂଳ ..

90

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ୍ ଗ୍ରହଣ ହୋଇଥିବା ସମସ୍ତ ୮୫୧ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷଣା ହୋଇଛି। ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ୭୬୫ଟି ଜୋନରେ ବିଜୟୀ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଏଣେ ରାଜ୍ୟର ଦୁଇ ପ୍ରମୂଖ ବିରୋଧୀ ଦଳ ମଧ୍ୟରୁ କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ମାତ୍ର ୪୨ଟି ଜୋନ‌ରେ ବିଜୟୀ ହୋଇପାରିଛି। ସେହିଭଳି ଦେଶର ସର୍ବପୁରାତନ ଜାତୀୟ ରାଜନୈତିକ ଦଳ କଂ‌ଗ୍ରେସ ମାତ୍ର ୩୭ଟି ଆସନରେ ସୀମିତ ରହିଛି। ସ୍ବାଧୀନ ପ୍ରାର୍ଥୀ ୩ଟି ଓ ଅନ୍ୟାନ୍ୟ ଦଳ ୪ଟି ଜୋନରେ ବିଜୟୀ ହୋଇଛନ୍ତି। ଶାସକ ବିଜୁ ଜନତା ଦଳ ପ୍ରାୟ ୯୦% ଭୋଟ୍ ପାଇଛି। ୨୦୧୭ ତୁଳନାରେ ବିଜେଡିର ଭୋଟ୍ ହାର ପ୍ରାୟ ୫୦% ବଢ଼ିଛି। ଯେତେବେଳେ କି ୨୦୧୭ ତୁଳନାରେ ଚଳିତ ଥର ବିଜେପିର ଭୋଟ୍ ହାର ଖସି ପ୍ରାୟ ୩୦% ରହିଛି। ସୂଚନାଯୋଗ୍ୟ ଯେ, ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୭୩ଟି ଜୋନରେ ବିଜୟ ଲାଭ କରିଥିବା ବେଳେ ବିଜେପି ୨୯୭ ଏବଂ କଂଗ୍ରେସ ୬୦ ଜୋନରେ ବିଜୟୀ ହୋଇଥିଲେ। ଏଣୁ ଚଳିତ ନିର୍ବାଚନରେ ସବୁଠାରୁ ବଡ଼ କ୍ଷତି ସହିଛି ବିଜେପି। ଗତ ଥର ଠାରୁ ବିଜେପି ୨୫୫ ଜୋନ୍ କମ୍ ପାଇଛି। ଏ’ସବୁ ଜୋନ୍ ବିଜେଡି ହାତକୁ ଚାଲିଯାଇଛି। ସେହିଭଳି କଂଗ୍ରେସ ଗତ ଥର ୬୦ ଜୋନ୍ ପାଇଥିବା ବେଳେ ଏଥର ପାଇଛି ୩୭। କଂଗ୍ରେସର ପାଖାପାଖି ଅଧା ଜୋନ୍ ଛଡ଼ାଇ ନେଇଛି ବିଜେଡି। ୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ଯଥାକ୍ରମ‌େ ୬୫୪, ୩୬ ଓ ୧୨୮ ଜୋନ୍ ହାସଲ କରିଥିଲେ। ଚଳିତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରଦର୍ଶନ ଆଗରେ ଏହି ଦୁଇ ଦଳର ପ୍ରଦର୍ଶନ ଫିକା ପଡ଼ିଯାଇଛି। କଂଗ୍ରେସର ପ୍ରଦର୍ଶନ ଭଲ ହେବ ନାହିଁ ବୋଲି ପୂର୍ବରୁ ରାଜନୈତିକ ପଣ୍ଡିତମାନେ ଆକଳନ କରିଥିଲେ। କିନ୍ତୁ ବିଜେପିର ଏପରି ଦୂରାବସ୍ଥା ହେବ ବୋଲି ଜଣାନଥିଲା।ଚୂଡ଼ାନ୍ତ ଫଳାଫଳ ଅନୁସ‌ାରେ ଅନୁଗୁଳରେ ବିଜେଡି ୨୭, ବିଜେପି ୧, ବାଲେଶ୍ୱରରେ ବିଜେଡି ୩୯, ବିଜେପି ୪, କଂଗ୍ରେସ ୨, ବରଗଡ଼ରେ ବିଜେଡି ୨୬, ବିଜେପି ୭, ଭଦ୍ରକରେ ବିଜେଡି ୨୮, ବଲାଙ୍ଗୀରରୁ ବିଜେଡି ୨୬, ବିଜେପି ୪ , କଂଗ୍ରେସ ୪, ବୌଦ୍ଧ ଜିଲ୍ଲାରେ ବିଜେଡି ୭, ବିଜେପି ୨, କଟକରେ ବିଜେଡି ୪୫, ବିଜେପି ୧, ଦେବଗଡ଼ରେ ବିଜେଡି ୭ ଢେଙ୍କାନାଳରେ ବିଜେଡି ୨୬, ବିଜେପି ୧, ଗଜପତିରୁ ବିଜେଡି ୧୧, ବିଜେପି ୧, କଂଗ୍ରେସ ୨ ଗଞ୍ଜାମରେ ବିଜେଡି ୬୭, ବିଜେପି ୨ ଜଗତସିଂହପୁରରେ ବିଜେଡି ୨୫, କଂଗ୍ରେସ ୧, ଯାଜପୁରରେ ବିଜେଡି ୩୯, ଝାରସୁଗୁଡ଼ାରୁ ବିଜେଡି ୯, କଳାହାଣ୍ଡିରେ ବିଜେଡି ୩୩, ବିଜେପି ୨, କଂଗ୍ରେସ ୧, କନ୍ଧମାଳରେ ବିଜେଡି ୧୩, ବିଜେପି ୨, କଂଗ୍ରେସ ୩, କେନ୍ଦ୍ରାପଡ଼ାରେ ବିଜେଡି ୩୧, ବିଜେପି ୧, କେଉଁଝରରେ ବିଜେଡି ୩୩, ବିଜେପି ୩, ଖୋର୍ଦ୍ଧାରେ ବିଜେଡି ୨୮, ବିଜେପି ୨, କୋରାପୁଟରୁ ବିଜେଡି ୧୬, କଂଗ୍ରେସ ୧୨ ଓ ସ୍ବାଧୀନ ୧ଟି, ମାଲକାନଗିରିରେ ବିଜେଡି ୧୨, କଂଗ୍ରେସ ୩, ମୟୁରଭଞ୍ଜରେ ବିଜେଡି ୫୩, ଜେଏମଏମ୍ ୩ , ନବରଙ୍ଗପୁରରେ ବିଜେଡି ୨୪, କଂଗ୍ରେସ ୧, ସ୍ବାଧୀନ ୧, ନୟାଗଡ଼ରେ ବିଜେଡି ୨୨, ବିଜେପି ୧, ସ୍ବାଧୀନ ୧, ନୂଆପଡ଼ାରେ ବିଜେଡି ୧୨, ବିଜେପି ୧, କଂଗ୍ରେସ ୧, ପୁରୀରେ ବିଜେଡି ୩୦, ବିଜେପି ୩, ରାୟଗଡ଼ାରେ ବିଜେଡି ୧୬, କଂଗ୍ରେସ ୬, ସମ୍ୱଲପୁରରେ ବିଜେଡି ୧୬, ବିଜେପି ୨, ସୋନପୁରରେ ବିଜେଡି ୧୧, ବିଜେପି ୧ , କଂଗ୍ରେସ ୧, ସୁନ୍ଦରଗଡ଼ରେ ବିଜେଡି ୩୩, ବିଜେପି ୧ ଓ ସିପିଆଇ ୧ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି।ତେବେ, ବିଜେପିର ଏପରି ଶୋଚନୀୟ ପରାଜୟ ପଛର କାରଣ କ’ଣ ରହିଛି? ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ କହିଛନ୍ତି, ଦୁଇ ତିନି ଦିନ ଭିତରେ ଦଳ ଏହାର ସମୀକ୍ଷା କରିବ। ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଘୋଷଣା ହୋଇଥିବା ଫଳାଫଳକୁ ଆମେ ନମ୍ରତାର ସହ ସ୍ୱୀକାର କରୁଛୁ। ପଞ୍ଚାୟତ ନିର୍ବାଚନରେ ସିଟ୍ ସଂଖ୍ୟା କମିଥିଲେ ମଧ୍ୟ ଦଳ ପ୍ରତି ଜନସମର୍ଥନ କମିନାହିଁ। ଦଳ ଉପରେ ଭରସା କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି। ପଞ୍ଚାୟତ ନିର୍ବାଚନରେ ମିଳିଥିବା ଫଳାଫଳକୁ ଆମେ ଗୁରୁତ୍ୱର ସହ ସମୀକ୍ଷା କରିବୁ। ଦଳର ତ୍ରୁଟିକୁ ସୁଧାରିବା ପାଇଁ ଚେଷ୍ଟା କରିବୁ। କଣ କଣ ଭୁଲ ହେଲା ତାହାର ନିଖୁଣ ତର୍ଜମା କରି ଏ’ ଦିଗରେ ଆଗାମୀ ଦିନର ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରାଯିବ। ଦଳ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବ ବୋଲି ସମୀର ମହାନ୍ତି କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇବା ସହ ଆମ ଦଳର ନିର୍ବାଚିତ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଉଛି। ଓଡ଼ିଶାର ୬୩ ଲକ୍ଷ ୨୩ ହଜାର ୭୪୬ ଭୋଟର ତଥା ମୋଟ୍ ୩୦.୦୭ ପ୍ରତିଶତ ମତଦାତା ଆମ ଦଳକୁ ସେମାନଙ୍କର ସମର୍ଥନ ଜଣାଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି। ନିର୍ବାଚନ ଗଣତନ୍ତ୍ରରେ ଏକ ନିରନ୍ତର ପ୍ରକ୍ରିୟା। ଆମ ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ଭାରତକୁ ଗୁରୁତ୍ୱ ତଥା ଗରିବ କଲ୍ୟାଣ ଯୋଜନାର ସର୍ବାଧିକ ଲାଭ ଓଡ଼ିଶାକୁ ଆସୁଛି। ଆମେ ଆମର ସଂଗଠନକୁ ସୁଦୃଢ଼ କରିବା ସହ “ସବକା ସାଥ- ସବକା ବିକାଶ”କୁ ମୂଳମନ୍ତ୍ର କରିଥିବା ମୋଦି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକଙ୍କ ପାଖକୁ ନେବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବୁ।ତେବେ, ବାସ୍ତବ କଥା ହେଲା ଚଳିତ ପଞ୍ଚାୟତ ନିର୍ବାଚନ ଫଳାଫଳ ବିଜେପିର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ମନୋବଳକୁ ଭାଙ୍ଗି ଦେଇଛି। ରାଜ୍ୟ ବିଜେପିର ତୁଙ୍ଗ ନେତୃତ୍ୱଙ୍କ ଅପାରଗତା କାରଣରୁ ବିଜେପିର ଏପରି ଶୋଚନୀୟ ସ୍ଥିତି ହେଲା ବୋଲି ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ଅନୁଭବ କରୁଛନ୍ତି। ବିଜେପିର ଏପରି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ମୁଖ୍ୟତଃ ନିଜକୁ ଓଡ଼ିଶା ବିଜେପିର ମୁଣ୍ଡିଆଳ ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରବର ଷ୍ଟାମ୍ପ ସଭାପତି ବୋଲାଉଥିବା ସମୀର ମହାନ୍ତିଙ୍କ ସମେତ ରାଜ୍ୟ କାର୍ଯ୍ୟକାରୀ ସଭାପତି ଭଳି ଆଚରଣ ପ୍ରଦର୍ଶନ କରୁଥିବା ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ଗୋଲକ ମହାପାତ୍ର ଆଦିଙ୍କୁ ଦୋଷାରୋପ କରୁଛନ୍ତି। ଏପରିକି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ବିଜେପିରୁ ଦୂରେଇ ରଖିବା, ସମୀର ମହାନ୍ତିଙ୍କୁ ସଭାପତି ପଦରୁ ହଟାଯିବା ସମେତ ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ଭୃଗୁ ବକ୍ସିପାତ୍ର, କାଳିନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଠାକୁର ରଞ୍ଜିତ ଦାସ ଆଦିଙ୍କ ପରି ୱାର୍ଡ ମେମ୍ବରଟିଏ ଜିତିବାର କ୍ଷମତା ରଖିନଥିବା ନେତାନେତ୍ରୀ ମାନଙ୍କୁ ସାଙ୍ଗଠନିକ ପଦବୀରୁ ହଟାଯାଇ ଦୃଢ଼ ସାଙ୍ଗଠନିକ କ୍ଷମତା ରଖିଥିବା ନେତୃତ୍ୱ ମାନଙ୍କୁ ସାଙ୍ଗଠନିକ ଦାୟିତ୍ୱ ଦିଆଯାଉ ବୋଲି ତୃଣମୂଳ ସ୍ତରରୁ ଦାବୀ ଉଠୁଛି। ବାସ୍ତବରେ ରାଜ୍ୟ ବିଜେପିରେ ବଡ଼ ବଡ଼ ସାଙ୍ଗଠନିକ ଦାୟିତ୍ୱ ମାଡ଼ି ବସିଥିବା ନେତୃତ୍ୱଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ନିଜ ନିଜ ଅଞ୍ଚଳରେ ଦଳକୁ ସଫଳତା ଦେଇପାରି ନାହାଁନ୍ତି। କେବଳ ରାଜ୍ୟ କାର୍ଯ୍ୟଳୟରେ ବସି ପ୍ରେସ୍ ବାର୍ତ୍ତା ଦେବା, ପାର୍ଟି ପଇସାରେ ଯାତ୍ରା ଷ୍ଟାଇଲରେ ଭିଡିଓ କରି ନିଜ ନିଜର ପ୍ରଚାର କରାଇବା, ନିଜକୁ ନିଜେ ଗୋଟେ ବଡ଼ ନେତୃତ୍ୱ ଭାବି ଲୋକେ ଏମାନଙ୍କୁ ଚିହ୍ନି ନଥିବା ସ୍ଥାନରେ ଯାଇ ଖୋଲା ଜିପରେ ବସି ରୋର୍ଡ- ସୋ କରାଇବା କାମରେ ନିଜକୁ ନିୟୋଜିତ କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଗୃହ ଜିଲ୍ଲାରେ ଲଜ୍ଜାଜନକ ପ୍ରଦର୍ଶନ ଧର୍ମେନ୍ଦ୍ରଙ୍କ ଛବିକୁ ମଳିନ କରିଦେଇଛି। ଧର୍ମେନ୍ଦ୍ର ଏବେ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ୱରେ ବ୍ୟସ୍ତ ରହିଥିବା କାରଣରୁ ଓଡ଼ିଶାରେ ସମୟ ଦେଇପାରି ନଥିବା ବେଳେ, ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦଳା ଠାକୁର ପ୍ରଧାନ ନିଜ ଗୃହ ଜିଲ୍ଲାରେ ଚଳିତ ନିର୍ବାଚନରେ ନିଜକୁ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିଥିଲେ। ଯାହାର କି କିଛି ମୂଲ୍ୟ ରହିଲା ନାହିଁ। ନିଜ ଜୋନ୍ ମଧ୍ୟ ବଞ୍ଚାଇ ପାରିଲେନି ପ୍ରଧାନ ଦମ୍ପତ୍ତି। ଏସବୁ କହିଲେ, କୂଳ କୁଟୁମ୍ବକୁ ଲାଜ କିନ୍ତୁ, ନକହିଲେ କୂଳ ଭାସି ଯାଉଛି। ଏପରି ସ୍ଥିତିରେ ଏବେ ପୁଣି ଅର୍ବାନ୍ ନିର୍ବାଚନ ହେବାକୁ ଯାଉଛି। ଅର୍ବାନ୍ ନିର୍ବାଚନରେ ବିଜେପି ସ୍ଥିତି କିଛି ସୁଧାରି ପାରିବ କି ସ୍ଥିତି ଆହୁରୀ ଦୟନୀୟ ହେବ ତାହା ସମୟ କହିବ।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.