Home ଓଡ଼ିଶା ଜାତୀୟ ଶିକ୍ଷା ନୀତି ଶିକ୍ଷା ସଂସ୍କାରକୁ ନୂଆ ଦିଗ୍‌ଦର୍ଶନ ଓ ନୂତନ ବଳ ଦେବ: ପ୍ରଧାନମନ୍ତ୍ରୀ

ଜାତୀୟ ଶିକ୍ଷା ନୀତି ଶିକ୍ଷା ସଂସ୍କାରକୁ ନୂଆ ଦିଗ୍‌ଦର୍ଶନ ଓ ନୂତନ ବଳ ଦେବ: ପ୍ରଧାନମନ୍ତ୍ରୀ

47

ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
– ଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାରରେ ଭିତ୍ତିଭୂମି ସୃଷ୍ଟି ଏବଂ ଢାଞ୍ଚାଗତ ପରିବର୍ତ୍ତନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି: ପ୍ରଧାନମନ୍ତ୍ରୀ

– ଦେଶରେ ଶିକ୍ଷାର ପ୍ରତ୍ୟେକ ସ୍ତରରେ ଝିଅମାନଙ୍କର ମୋଟ ନାମଲେଖା ହାର ପୁଅମାନଙ୍କଠାରୁ ଅଧିକ: ପ୍ରଧାନମନ୍ତ୍ରୀ

– ଦକ୍ଷତା ଅର୍ଜନ, ପୁନଃ ଦକ୍ଷତା ଲାଭ ଏବଂ ଦକ୍ଷତାର ନିରନ୍ତର ବିକାଶ ସମୟର ଆହ୍ୱାନ: ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ଆଜି ଉଦବୋଧନ ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ସମାବର୍ତ୍ତନ ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହୀଶୂର ବିଶ୍ୱବିଦ୍ୟାଳୟ ପ୍ରାଚୀନ ଭାରତର ମହାନ୍‌ ଶିକ୍ଷା ବ୍ୟବସ୍ଥାର ଏକ ପ୍ରମୁଖ କେନ୍ଦ୍ର। ଏହା ଭବିଷ୍ୟତ ଭାରତର ଆଶା ଆକାଂକ୍ଷା ଓ ଦକ୍ଷତାର ପ୍ରତୀକଭାବେ ରାଜଶ୍ରୀ ନଲୱାଡି କୃଷ୍ଣରାଜ ୱାଡିୟାର ଏବଂ ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରାୟାଜୀଙ୍କ ଲକ୍ଷ୍ୟ ପୂରଣରେ ସଫଳ ହୋଇଛି। ଏହି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଥିବା ଭାରତରତ୍ନ ଡ- ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଭଳି ମହାନ୍‌ ଶିକ୍ଷାବିତଙ୍କ ସ୍ମୃତିଚାରଣ ଏହି ଅବସରରେ ପ୍ରଧାନମନ୍ତ୍ରୀ କରିଛନ୍ତି।

ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜୀବନର ପ୍ରତ୍ୟେକ ସ୍ତରରେ ଶିକ୍ଷା ମାଧ୍ୟମରେ ସେମାନେ ଅର୍ଜନ କରିଥିବା ଜ୍ଞାନକୁ ଉପଯୋଗ କରିବା ଉଚିତ। ବାସ୍ତବ ଜୀବନକୁ ଏକ ମହାନ୍‌ ବିଶ୍ୱବିଦ୍ୟାଳୟଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରେ ଜ୍ଞାନର ବିନିଯୋଗ ପାଇଁ ଅନେକ ପନ୍ଥା ଓ ଶିକ୍ଷା ମିଳିଥାଏ। ମହାନ୍‌ କନ୍ନଡ ଚିନ୍ତକ ତଥା ଲେଖକ ରାମସ୍ୱାମୀ ଆୟେଙ୍ଗାରଜୀଙ୍କ ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଜୀବନର ଜଟିଳ ମୁହୂର୍ତ୍ତରେ ଶିକ୍ଷା ଆଲୋକ ପ୍ରଦାନ କରିଥାଏ।’

ସେ କହିଛନ୍ତି ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ ପାଇଁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ନିରନ୍ତର ଉଦ୍ୟମ ଅବ୍ୟାହତ ରହିଛି। ଏବେ ଭିତ୍ତିଭୂମି ସୃଷ୍ଟି ଏବଂ ଢାଞ୍ଚାଗତ ସଂସ୍କାର ଉପରେ ଶିକ୍ଷା ବ୍ୟବସ୍ଥାରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି। ଭାରତକୁ ବିଶ୍ୱର ଉଚ୍ଚଶିକ୍ଷାର ଏକ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରୟାସ ଚାଲିଛି। ଏହା ଫଳରେ ଆମ ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ ପ୍ରତିଯୋଗିତା ପାଇଁ ଅଧିକ ଦକ୍ଷ ଓ ସକ୍ଷମ କରିବାକୁ ଉଦ୍ୟମ କରାଯାଉଛି। ଶିକ୍ଷା କ୍ଷେତ୍ରରେ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ସଂସ୍କାର ଆଣିବା ପାଇଁ ସରକାର ଚେଷ୍ଟିତ ଅଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ୨୦୧୪ ସୁଦ୍ଧା ଦେଶରେ ମାତ୍ର ୧୬ଟି ଆଇଆଇଟି ଥିଲା। ଗତ ୬ ବର୍ଷ ମଧ୍ୟରେ ହାରହାରି ପ୍ରତିବର୍ଷ ଦେଶରେ ଗୋଟିଏ ଗୋଟିଏ ନୂଆ ଆଇଆଇଟି ପ୍ରତିଷ୍ଠା କରାଯାଉଛି। ସେଥିମଧ୍ୟରୁ କର୍ଣ୍ଣାଟକର ଧାରୱାଡ ଅନ୍ୟତମ। ସେ ଆହୁରି କହିଥିଲେ ଯେ ୨୦୧୪ ବେଳକୁ ଦେଶରେ ୯ଟି ଆଇଆଇଆଇଟି, ୧୩ଟି ଆଇଆଇଏମ୍‌ ଓ ୭ଟି ଏମ୍ସ ଥିଲା। ୨୦୧୪ରୁ ୫ ବର୍ଷ ମଧ୍ୟରେ ଦେଶରେ ୧୬ଟି ଆଇଆଇଆଇଟି, ୭ଟି ଆଇଆଇଏମ୍‌, ୮ଟି ଏମ୍ସ ପ୍ରତିଷ୍ଠା କରାଯାଇଛି କିମ୍ବା ନିର୍ମାଣାଧୀ ଅବସ୍ଥାରେ ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୫-୬ ବର୍ଷ ମଧ୍ୟରେ ଉଚ୍ଚଶିକ୍ଷାରେ କରାଯାଇଥିବା ଉଦ୍ୟମ କେବଳ ନୂଆ ନୂଆ ଉଚ୍ଚତର ଶିକ୍ଷାନୁଷ୍ଠାନ ଖୋଲିବାରେ ସୀମିତ ରହିନାହିଁ। ଏହି ସମୟ ମଧ୍ୟରେ ଏହିସବୁ ଅନୁଷ୍ଠାନର ପରିଚାଳନାରେ ସଂସ୍କାର କରାଯାଇ ଲିଙ୍ଗଗତ ସମତାରକ୍ଷା ଓ ସାମାଜିକ ସମାବେଶିତାକୁ ସୁନିଶ୍ଚିତ କରାଯାଇଛି। ଏହିସବୁ ପ୍ରତିଷ୍ଠାନକୁ ଅଧିକ ସ୍ୱୟଂଶାସନ ପ୍ରଦାନ ସହ ନିଜର ଆବଶ୍ୟକତା ଅନୁସାରେ ସେମାନେ ଯେପରି ସ୍ୱଚ୍ଛନ୍ଦରେ କାର୍ଯ୍ୟ କରିପାରିବେ ସେଥିପାଇଁ ସମସ୍ତ ବିଷୟ ନିଶ୍ଚିତ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଆଇଆଇଏମ୍‌ ନିୟମ ମାଧ୍ୟମରେ ଦେଶର ସବୁ ଆଇଆଇଏମ୍‌କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି। ଜାତୀୟ ମେଡିକାଲ ଆୟୋଗ ସୃଷ୍ଟି କରାଯିବା ସହ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସ ହୋଇଛି। ହୋମିଓପ୍ୟାଥି ଓ ଅନ୍ୟାନ୍ୟ ଭାରତୀୟ ଚିକିତ୍ସା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଦୁଇଟି ଆଇନ ମଧ୍ୟ ପ୍ରସ୍ତୁତ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଶିକ୍ଷାର ପ୍ରତ୍ୟେକ ସ୍ତରରେ ଝିଅମାନଙ୍କର ମୋଟ ନାମଲେଖା ଅନୁପାତ ବଢିଛି ଏବଂ ଏହି ହାର ପୁଅମାନଙ୍କ ତୁଳନାରେ ଅଧିକ। ଏହା ଆନନ୍ଦର ବିଷୟ। ଏହି ସଫଳତାରେ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ଯେ ନୂଆ ଜାତୀୟ ଶିକ୍ଷା ନୀତି ସମଗ୍ର ଶିକ୍ଷା ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିବାକୁ ଯଥେଷ୍ଟ ପ୍ରୋତ୍ସାହନ ଯୋଗାଇବ।

ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ବହୁମୁଖୀ ଏବଂ ବିବିଧ ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ। ଆମ ଯୁବ ସମାଜକୁ ନମନୀୟ ଓ ସହଜରେ ଆପଣାଇ ହେଉଥିବା ଶିକ୍ଷା ସୁବିଧା ପ୍ରଦାନ କରି ଉପଯୁକ୍ତ ପ୍ରତିଯୋଗିତା ନିମନ୍ତେ ଯୋଗ୍ୟ କରିବା ଏହାର ଲକ୍ଷ୍ୟ। ଏହାଛଡା ଦକ୍ଷତା ଅର୍ଜନ, ପୁନଃ ଦକ୍ଷତା ଲାଭ ଓ ଦକ୍ଷତାର ନିରନ୍ତର ବିକାଶ ବର୍ତ୍ତମାନ ସମୟର ବଡ ଆବଶ୍ୟକତା। ଏ ସମସ୍ତ ବିଷୟ ଉପରେ ନୂଆ ଶିକ୍ଷାନୀତି ଅଗ୍ରାଧିକାର ଦେଇଛି।

ମହୀଶୂର ବିଶ୍ୱବିଦ୍ୟାଳୟ ଦେଶର ଅନ୍ୟତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଏହା ନୂଆ ସମୟର ଆବଶ୍ୟକତାକୁ ଦେଖି ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି। ଇନ୍‌କ୍ୟୁବେସନ ସେଣ୍ଟର, ଟେକ୍ନୋଲଜି ବିକାଶ କେନ୍ଦ୍ର, ଉଦ୍ୟୋଗ ଓ ଶିକ୍ଷାବିତ୍‌ ସଂପର୍କ ରକ୍ଷା ଏବଂ ଆନ୍ତଃବିଷୟକ ଗବେଷଣା ଆଦି କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ଗୁରୁତ୍ୱ ଦେବାକୁ ସେ ମତ ଦେଇଛନ୍ତି। ଏହାଛଡା ସ୍ଥାନୀୟ ସଂସ୍କୃତି, କଳା, ବୈଶ୍ୱିକ ତଥା ସମସାମୟିକ ପ୍ରସଙ୍ଗ ଓ ଅନ୍ୟାନ୍ୟ ସାମାଜିକ ବିଷୟ ଉପରେ ଏହି ବିଶ୍ୱବିଦ୍ୟାଳୟ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ସେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜର ବ୍ୟକ୍ତିଗତ ଦକ୍ଷତା ଓ ସାମର୍ଥ୍ୟ ବଳରେ ଉତ୍କର୍ଷ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.