Home Top News ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

57

ଭୁବନେଶ୍ୱର ୧-୧ (ଓଡ଼ିଆ ପୁଅ) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଧାମ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରରନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖି ଦାବି କରିଛନ୍ତି। ଏହି ପ୍ରସ୍ତାବିତ ବିମାନ ବନ୍ଦର ପାଇଁ ପୁରୀରେ ରାଜ୍ୟ ସରକାର ଜମି ଚିହ୍ନଟ କରିଛନ୍ତି ଏବଂ ଏହା ଯେପରି ରେକର୍ଡ଼ ସମୟ ମଧ୍ୟରେ ସଂପୂର୍ଣ୍ଣ ହେବ, ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଏହି ବିମାନ ବନ୍ଦରକୁ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନାମରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀ, ହିନ୍ଦୁମାନଙ୍କର ପବିତ୍ର ୪ ଧାମ ମଧ୍ୟରୁ ଅନ୍ୟତମ ଏବଂ ସାରା ବିଶ୍ୱର କୋଣ ଅନୁକୋଣରୁ ଯାତ୍ରୀମାନେ ପ୍ରତିଦିନ ଏଠାକୁ ଆସିଥାନ୍ତି । ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମସ୍ତଙ୍କର ଆକର୍ଷଣର କେନ୍ଦ୍ର। ଦେଶ ବିଦେଶରୁ ଯାତ୍ରୀମାନେ ଆସି ରଥଯାତ୍ରା ପାଇଁ ପୁରୀରେ ସମବେତ ହୋଇଥାନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ବିଶ୍ୱର ୧୯୨ଟି ଦେଶରେ ବଡ଼ ସମାରୋହ ସହକାରର ପାଳିତ ହୋଇଥାଏ। ତେଣୁ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରାଗଲେ, ବିଦେଶରୁ ଯାତ୍ରୀମାନେ ସୁବିଧାରେ ପହଞ୍ଚିପାରିବେ ଏବଂ ତା ସହିତ ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ଆହୁରି ପ୍ରଚାର ପ୍ରସାର ଘଟିବ।

ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠା ସପକ୍ଷରେ ଦୃଢ ଯୁକ୍ତି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀ ଠାରୁ ମାତ୍ର ୩୫ କିଲୋମିଟର ଦୂରରେ UNESCO ବିଶ୍ୱ ଐତିହୟ ସ୍ଥଳ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କ ରହିଛି। ପୁରୀ-କୋଣାର୍କ ରାସ୍ତାରେ ରାମଚଣ୍ଡୀ-ଚନ୍ଦ୍ରଭାଗା ବେଳାଭୂମି ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟକମାନଙ୍କ ପାଇଁ ଏକ ଅନନ୍ୟ ଅନୁଭବ। ସେହିପରି ପୁରୀ ମଧ୍ୟ ଚିଲିକା ଓ ଭିତରକନିକା ଜାତୀୟ ଉଦ୍ୟାନ ପରି ଦୁଇ ଦୁଇଟି Ramsar site ସହିତ ସିଧାସଳଖ ସଂଯୁକ୍ତ। ଏହି ଦୁଇଟି ସ୍ଥାନରେ ଆନ୍ତର୍ଜାତୀୟ ପରିବେଶ ପର୍ଯ୍ୟଟନ ପାଇଁ ଭରପୁର ସୁଯୋଗ ରହିଛି। ନିକଟରେ ପର୍ଯ୍ୟଟକ ମାନଙ୍କୁ ପୁରୀ ବେଳାଭୂମିରର ଏକ ଅନନ୍ୟ ଅନୁଭୂତି ଦେବା ପାଇଁ Blue Flag Beach ଭାବରେ ବିକଶିତ କରାଯାଇଛି। ଧଉଳି, ରତ୍ନଗିରି ଓ ଉଦୟଗିରି ପରି ପ୍ରସିଦ୍ଧ ବୌଦ୍ଧ ଐତିହ୍ୟ ସ୍ଥଳ ମଧ୍ୟ ପୁରୀର ଅତି ନିକଟରର ଅବସ୍ଥିତ ଏବଂ ଏଠାକୁ ସାରା ବିଶ୍ୱରୁ ବୌଦ୍ଧ ପର୍ଯ୍ୟଟକମାନେ ଆସିଥାନ୍ତି।

ପୁରୀର ବେଳାଭୂମି ଓ ସୁଦୀର୍ଘ ଉପକୂଳ ଅର୍ଥନୈତିକ କାର୍ଯ୍ୟକ୍ରମ ସହିତ ସ୍ୱାସ୍ଥ୍ୟ, ଆଧ୍ୟାତ୍ମିକ ତଥା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିପାରିବ। ଉପକୂଳ ଜାତୀୟ ରାଜପଥ ପୁରୀ ଉପକୂଳ ଦେଇ ଯାଉଛି ଏବଂ ଏହା ପାରାଦୀପ ପୋର୍ଟ ଓ ଅସ୍ତରଂଗ ପୋର୍ଟ ସହିତ ମଧ୍ୟ ସଂଯୁକ୍ତ। ତେଣୁ ଏହି କରିଡୋରରେ ଅର୍ଥନୈତିକ ବିକାଶର ବିପୁଳ କ୍ଷମତା ରହିଛି।

ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ପର୍ଯ୍ୟଟନ ତଥା ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ପୁରୀରେ ଥିବା ବିପୁଳ ସୁବିଧାର ଉପଯୋଗ ପାଇଁ ଏହି ଆନ୍ତର୍ଜାତିକ ବିମାନ ବନ୍ଦର ବିଶେଷ ଭାବରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିବା ସହିତ ପୁରୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଏକ ପ୍ରାଥମିକତା ପ୍ରକଳ୍ପ ଭାବରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରରାଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.