Home Top News ପଦମର୍ଯ୍ୟଦା ହରାଉଛନ୍ତି ଲେଖାଶ୍ରୀ: ଚାଲୁଣି କହୁଛି ଛୁଞ୍ଚିକୁ ..

ପଦମର୍ଯ୍ୟଦା ହରାଉଛନ୍ତି ଲେଖାଶ୍ରୀ: ଚାଲୁଣି କହୁଛି ଛୁଞ୍ଚିକୁ ..

80

ଭୁବନେଶ୍ୱର: ବିଜେପି ଓଡ଼ିଶାର ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ନିଜ ପଦମର୍ଯ୍ୟଦାର ମାନ ରଖୁ ନାହାଁନ୍ତି। ତାଙ୍କ ଆଚରଣ ଏବଂ ଉଚ୍ଚାରଣ ଜଣେ ତଳ ସ୍ତରର ସାଧାରଣ କର୍ମୀଙ୍କର ପରି ଅନୁଭବ ହେଉଛି। ଅନେକ ସମୟରେ ସେ ନିଜର ବାକ୍ ସଞ୍ଜମତା ହରେଇ ଦେବା ପରି ଅନୁଭବ ହେଉଛି। କେତେବେଳେ ପୁରୀ କୁଆଡ଼େ କୋଲକତାରେ ବୋଲି ଲୋକେ ଭାବନ୍ତି, ସମ୍ବିତ ପାତ୍ର ପୁରୀରୁ ପାର୍ଥି ହେବା ପରେ ଲୋକେ ଜାଣିଲେ ପୁରୀ ଓଡ଼ିଶାରେ ବୋଲି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ତ’ କେତେବେଳେ ବିଜେଡି ନେତା ସସ୍ମିତ ପାତ୍ର ବିଜେପି ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ଵରୀଙ୍କୁ ମିଛ କହୁଥିବାକୁ ନେଇ କହିବାକୁ ବ୍ୟକ୍ତିଗତ ଭାବେ ମହିଳାଙ୍କ ଉପରେ ଅପଶଦ୍ଦ ପ୍ରୟୋଗ କରି ବିଜେପି ପ୍ରଭାରୀଙ୍କୁ ମିଛୁଆ ଆକ୍ଷେପ କରିବା ରାଜନୈତିକ ସୌଜନ୍ୟତା ଦୃଷ୍ଟିରୁ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି କହି ଏକା ସାଙ୍ଗରେ ରାଜ୍ୟ ସରକାରଙ୍କୁ ଅଭ୍ୟାସଗତ ମିଛୁଆ ବୋଲି କହୁଛନ୍ତି ଲେଖାଶ୍ରୀ। ବିଜେପି ରାଜ୍ୟ ପ୍ରଭାରୀ ଯଦି ଜଣେ ମହିଳା, ତେବେ ତାଙ୍କୁ ମିଛୁଆ କହିବା ଜଣେ ମହିଳାଙ୍କ ଉପରେ ଅପଶଦ୍ଦ ପ୍ରୟୋଗ କରିବା ବୋଲି କୁହାଯିବ? କିନ୍ତୁ, ଜଣେ ମହିଳା ନେତ୍ରୀ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ କହିବା, ଏପରିକି ଜଲ୍ହାଦ ବୋଲି କହିବା କ’ଣ କଥା ମାର୍ଧୁଯ୍ୟ? କେବଳ ଯେ ମିଛୁଆ କିମ୍ବା ଜଲ୍ହାଦ ବୋଲି ନୁହେଁ, ଲେଖାଶ୍ରୀ ଯେବେ ରାଜ୍ୟ ସରକାରଙ୍କୁ ଆକ୍ଷେପ କରି କୁହନ୍ତି ଗୁଡ଼ାଏ ଅପଶବ୍ଦ କୁହନ୍ତି, ସବୁ ସୀମା ଉଲଘଂନ କରିଦିଅନ୍ତି। ନବୀନ ସରକାରକୁ ମିଛୁଆ ରାଧୁଆ ସରକାର, ନିକମା ସରକାର, ଅପାରଗ, ଦୁର୍ନିତଗସ୍ତ ସରକାର, ଜଲ୍ହାଦ ଏପରିକି ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ପରୋକ୍ଷରେ କଟାକ୍ଷ କରିବା ସହ ଅତୀତରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଦାମ ରାଉତଙ୍କୁ ଶ୍ରୀଖଣ୍ଡୀ ଆଦି ଭଳି ଅନେକ ଅରୁଚିକର ମନ୍ତବ୍ୟ ଦେଇ ସାରିଛନ୍ତି ଲେଖାଶ୍ରୀ। ମହାଭାରତରେ ଶିଖଣ୍ଡି ଏକ କିନ୍ନର ଚରିତ୍ର। ଖାଣ୍ଟି ସରଳ ଭାଷାରେ ଶିଖଣ୍ଡି ଜଣେ ନଂପୁସୁକ। ତେଣୁ ଶିଖଣ୍ଡି ସହ କାହାରିକୁ ତୁଳନା କରିବା ଅର୍ଥ ତାଙ୍କୁ ନଂପୁସୁକ ଆଖ୍ୟା ଦେବା। ବିଜେପି ନେତ୍ରୀ ଲେଖାଶ୍ରୀ ତାଙ୍କ ବାପା ବୟସର ବରିଷ୍ଠ ନେତା ଦାମ ରାଉତଙ୍କୁ ଶିଖଣ୍ଡି କହି ନଂପୁସୁକର ଆଖ୍ୟା ଦେଇଥିଲେ। ଅବଶ୍ୟ ପରେ ସେହି ଶ୍ରୀଖଣ୍ଡୀ ବୋଧେ ବିଜେପିରେ ଯୋଗଦେଇ ପଦ୍ମ ପୋଖରୀରେ ବୁଡ଼ ପକାଇ ପୁରୁଷତ୍ୱ ପ୍ରାପ୍ତି କରିଥିଲେ!

ସେହିପରି ପରୀ ତଦନ୍ତ ଘଟଣାରେ ଏସ୍ଆଇଟି ମୂଖ୍ୟ ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ୍ କରିବାକୁ ଯାଇ ଓଡ଼ିଶା ପରିବହନ ନିଗମରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅପମାନିତ କରିଥିଲେ ଲେଖାଶ୍ରୀ। ଯଦି ଅରୁଣ ବୋଥ୍ରା ଏଡ଼େ ଦକ୍ଷ ଅଫିସର ଥିଲେ, ତାହେଲେ ତାଙ୍କୁ ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍ଆରଟିସି)ରେ ଟାୟାର ଗଣିବା ପାଇଁକି କାହିଁକି ରାଜ୍ୟ ସରକାର ପଠାଇଥିଲେ? ଯେତେବେଳେ ଓଡ଼ିଶାରେ ମହିଳାଙ୍କ ଉପରେ ଦୁଷ୍କର୍ମ ଦେଶରେ ସର୍ବପ୍ରଥମରେ ପହଞ୍ଚିଲାଣି ସେତେବେଳେ ଇଏ ଦକ୍ଷ ଅଫିସର ମହିଳାଙ୍କ ଦୁଷ୍କର୍ମକାରୀଙ୍କୁ ଖୋଜିବାର ଆବଶ୍ୟକତା ଥିଲା, ନାଁ ଓଏସ୍ଆରଟିସିରେ ବସିକରି ଟାୟାର ଗଣିବାର ଆବଶ୍ୟକତା ଥିଲା ବୋଲି ଲେଖାଶ୍ରୀ କହିଥିଲେ। ଅରୁଣ ବୋଥ୍ରାଙ୍କୁ ଆକ୍ଷେପ କରିବାକୁ ଯାଇ, ଟାୟାର ଗଣିବା କଥା କହି ପୂରା ଓଏସ୍ଆରଟିସିରେ କାର୍ଯ୍ୟରତ ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ବିଭାଗକୁ ଅପମାନିତ କରିଥିଲେ ଲେଖାଶ୍ରୀ। ବୋଧେ ପରିବହନ ବିଭାଗକୁ ଏକ ମୂଲ୍ୟହୀନ ଏବଂ ଅପାରଗ ବିଭାଗ ବୋଲି ଭାବନ୍ତି ଲେଖାଶ୍ରୀ। ଏବେ ସେହିପରି ଇଞ୍ଜିନିୟରିଂ ଏବଂ ମେଡିକାଲ୍ କଲେଜରେ ସରକାରୀ ସ୍କୁଲ ଏବଂ କଲେଜ ଗୁଡ଼ିକରେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ପରେ ତାକୁ ବିରୋଧ କରିବାକୁ ଯାଇ ଅତି ତଳକୁ ଖସି ଯାଇଛନ୍ତି ଲେଖାଶ୍ରୀ। ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏ’ ନେଇ ଏକ ଟ୍ୱିଟ୍ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ୍ କରି ପ୍ରଣବ ପ୍ରକାଶ ଟ୍ୱିଟ୍ କରିଥିଲେ, “ଆମ ମୁଖ୍ୟମନ୍ତ୍ରୀ ଚାହାଁନ୍ତି, ଆମର ମା’ ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ। ଆପଣ କ’ଣ ଚାହାଁନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ? ଆମ ମା’ ଓ ଭଉଣୀମାନେ ଆଜିବି ଚମତ୍କାର ରୋଷେଇ କରନ୍ତି। ସୁଯୋଗ ମିଳିଲେ ସେମାନେ ଦେଶ ମଧ୍ୟ ଚଳାଇ ପାରିବେ।” ଯାହାପରେ ବିଜେପି, ବିଜେଡି ଭିତରେ ଆରମ୍ଭ ହୋଇଯାଇଥିଲା ଟ୍ୱିଟର ଲଢ଼େଇ। ଆଉ କାହା କଥା ହୋଇଥିଲେ ଚଳି ଥାଆନ୍ତା, ଏପରିକି ମୋଦି କି ଶାହାଙ୍କୁ ଆକ୍ଷେପ କରି ଲେଖିଥିଲେ ଚଳିଥାଆନ୍ତା। କିନ୍ତୁ ପ୍ରଣବ ପ୍ରକାଶ ଯେ ସିଧା ଧର୍ମେନ୍ଦ୍ରଙ୍କୁ ଆକ୍ଷେପ କରି ଲେଖିଛନ୍ତି। ଚଳାଇବା ଅସମ୍ଭବ! ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟ୍ ଉପରେ ବିଜେପିର ନେତାନେତ୍ରୀ ସବୁ ଜବାବ୍ ଦେଇ ଚାଲିଲେ। ଏଥିରେ ଲେଖାଶ୍ରୀ ବା ପଛରେ ରହିବେ କେମିତି? ସେ ତ’ ଟାର୍ଗେଟ୍ କରିବାରେ ସବୁବେଳେ ଆଗରେ ରୁହନ୍ତି। ଏଠି ବି ଆଗରେ ରହି ପ୍ରଣବଙ୍କ ଟ୍ୱିଟର ଜବାବ ଦେଇ ଲେଖାଶ୍ରୀ ଲେଖିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଚାରିକାନ୍ଥ ଭିତରେ ବାନ୍ଧି ଓଡ଼ିଶାର ମା, ଭଉଣୀ, ଶିଶୁଙ୍କୁ ବଳତ୍କାର, ହତ୍ୟା ଓ ତସ୍କରୀ ଭଳି ରାକେଟ ଚଲାଇଛନ୍ତି। ଆପଣଙ୍କ ଦଳର ମା’ ଓ ଉଭଣୀଙ୍କୁ ସଂସଦ ଓ ବିଧାନସଭାରେ ବି ମୁହଁରେ ତୁଣ୍ଡିବାନ୍ଧି ରଖିଛନ୍ତି। ବିଜେପି ଭଳି ମହିଳାଙ୍କୁ ଶାସନର କ୍ଷମତା କେନ୍ଦ୍ରରେ ରଖନ୍ତୁ। ତା’ ପରେ ମହିଳା ସଶକ୍ତିକରଣ କଥା କହିବେ ବୋଲି କହି ଆକ୍ଷେପ କରିଥିଲେ ଲେଖାଶ୍ରୀ। ସେହିପରି ରାଜ୍ୟ କ୍ୟାବିନେଟର ସେହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇ କିଛି ବିଜେଡି ନେତା ନେତ୍ରୀ ଟ୍ୱିଟ୍ କରିଥିଲେ। ଏହାର ଜବାବ୍ ଦେବାକୁ ଯାଇ ଅତି ତଳକୁ ଖସି ଏମାନଙ୍କୁ ମେଣ୍ଢା ଆଉ ଶିଆଳ ବୋଲି କହିଛନ୍ତି ଲେଖାଶ୍ରୀ। ସେ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେହି ଟ୍ୱିଟ୍ ଗୁଡ଼ିକୁ ପୋଷ୍ଟ୍ କରି ଲେଖିଛନ୍ତି, “ଗେଣ୍ଡା ଦଳିଆଙ୍କ ପଲେ ମେଣ୍ଢା। ଭକୁଆଙ୍କ ପରି ଗୋଟିଏ ସ୍ୱରରେ ପହରିକିଆ ଶିଆଳ ଭଳି ହୋ କେ ହୋ ହେଉଛନ୍ତି। ତଣ୍ଟି ପଡ଼ିଗଲେ ବି ଲୋକେ ଆଉ ଭୁଆଁ ବୁଲିବେ ନାହିଁ। ମିଛୁଆ ରାଧୁଆର କାଳ ସରି ଆସିଲାଣି।” ଯଦି ମୁଖ୍ୟମନ୍ତ୍ରୀର କୌଣସି କଥାକୁ ତାଙ୍କ ଦଳର ନେତାନେତ୍ରୀ ପ୍ରଚାର କରାଇବାକୁ ନେଇ, ଭକୁଆଙ୍କ ପରି ଗୋଟିଏ ସ୍ୱରରେ ପହରିକିଆ ଶିଆଳ ଭଳି ହୋ କେ ହୋ ହେଉଛନ୍ତି ବୋଲି ଲେଖାଶ୍ରୀ ଭାବୁଛନ୍ତି, ତେବେ କେନ୍ଦ୍ର ସରକାରଙ୍କର ଯେ କୌଣସି ବିଭାଗର ଯେ କୌଣସି ଯୋଜନାର ଓଡ଼ିଶା ପ୍ରତି ରହୁଥିବା ଉପଲବ୍ଧି ଉପରେ ଓଡ଼ିଶା ବିଜେପିର ନେତାନେତ୍ରୀ ଯେଉଁ ଭିଡ଼ିଟାଣି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରେୟ ଦେଇ ପ୍ରଚାର କରୁଛନ୍ତି, ସେମାନଙ୍କୁ ଏଠି କ’ଣ କୁହାଯିବ ଭକୁଆ, ଶିଆଳ ନାଁ ଆଉ କ’ଣ? ଚାଲୁଣି କହୁଛି, ଛୁଞ୍ଚିକୁ ତୋ ..

ପାଟିରୁ କଥା ବାହାରିଲା ମାନେ କଣ୍ଟା ବାଡ଼ରେ ଲୁଗା ପକାଇ କଳି କଲା ପରି ଲେଖାଶ୍ରୀ ନିଜର ହିତାହିତ ଜ୍ଞାନ ହରାଇ ସବୁବେଳେ ଏହିପରି ଅଶାଳୀନ ଶବ୍ଦ ବ୍ୟବହାର କରି ନିଜକୁ ଜଣେ ଅଭ୍ୟାସଗତ ଅଶାଳୀନ ଶବ୍ଦ ବ୍ୟବହାରକାରୀ ନେତ୍ରୀର ପରିଚୟ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମିଛର ସୌଦାଗର, ମିଛୁଆ ରାଧୁଆ, ଜହ୍ଲାଦ କହିବା, ବାପା ବୟସର ଜଣେ ନେତାଙ୍କୁ ଶ୍ରୀଖଣ୍ଡୀ ଅର୍ଥାତ୍ ପରୋକ୍ଷରେ ନଂପୁଶୁକ ବୋଲି କହିବା, ଶଙ୍ଖ ଚିହ୍ନକୁ ଗେଣ୍ଡା ଚିହ୍ନ ଭାବରେ ଚିତ୍ରିତ କରି ବିଜେଡିକୁ ଗେଣ୍ଡା ଦଳ ବୋଲି କହିବା, ବିଜେଡି ନେତାନେତ୍ରୀଙ୍କୁ ଭକୁଆ, ମେଣ୍ଢା, ଶିଆଳ ବୋଲି କହି ସେମାନେ ହୋ କେ ହୋ .. ହେଉଛନ୍ତି ବୋଲି କହିବା କ’ଣ ବିଜେପି ଭଳି ଏକ ଜାତୀୟ ଦଳର ରାଜ୍ୟ ସାଧାରଣ ସମ୍ପାଦିକାଙ୍କ ତୁଣ୍ଡରେ ଶୋଭା ପାଉଛି କି? ଏପରି ଶବ୍ଦ, ଏପରି ଆକ୍ଷେପ ହୁଏତ ତଳ ସ୍ତରର କେହି କର୍ମୀର ସ୍ୱର ହୋଇପାରେ। କିନ୍ତୁ, ଜଣେ ମହିଳା ନେତ୍ରୀ ଯିଏ କି ଜଣେ ରାଜ୍ୟ ସାଧାରଣ ସମ୍ପାଦିକା ତାଙ୍କ ତୁଣ୍ଡରେ ଏ’ ସ୍ୱର କ’ଣ ଶୋଭା ପାଉଛି କି ନେଇ ନିଜେ ବିଜେପି ଭିତରେ ଥିବା ଦାୟିତ୍ୱବାନ, ସଚେତନ ନେତାନେତ୍ରୀ ମାନେ ତର୍ଜମା କରିବା ଉଚିତ୍। ଏବେ ଏଣେ ରାଜ୍ୟ ବିଜେପିରେ ଲେଖାଶ୍ରୀଙ୍କର ପାୱାର ଏବେ ବହୁତ ବଢ଼ିଯାଇଛି। ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱୀକୃତିରେ ଏହା ହୋଇଛି ବୋଲି କୁହାଯାଉଛି। ଲେଖାଶ୍ରୀ ଏବେ ରାଜ୍ୟ ସାଧାରଣ ସମ୍ପାଦିକା ଥିଲେ ମଧ୍ୟ ସତେ ଯେପରି ସେ ଏକାଧାରରେ ରାଜ୍ୟ ସଭାପତି, ସାଧାରଣ ସମ୍ପାଦିକା, ପ୍ରତ୍ୟେକଟି ମୋର୍ଚ୍ଚାର ପ୍ରଭାରୀ ଏବଂ ରାଜ୍ୟ ପ୍ରବକ୍ତା ପରି କାମ କରୁଛନ୍ତି। ସବୁ କଥାରେ ହସ୍ତକ୍ଷେପ କରୁଛନ୍ତି ଆଉ ପ୍ରାୟ ଡେଲି ପ୍ରେସ୍ ମିଟ୍ କରୁଛନ୍ତି। ଯେଉଁ କଥା କୁହା ସରିଥିବ ତାକୁ ପୁଣି ସେ ଦୋହରାଇ ପ୍ରେସ୍ ରିଲିଜ୍ କରୁଛନ୍ତି। ସାଙ୍ଗଠନିକ କାମରେ ତାଙ୍କୁ କେବେ ସେମିତି ଦେଖାଯାଏ ନାହିଁ। କିନ୍ତୁ, କେଉଁଠି ଭାଷଣବାଜି କରିବାକୁ ହେଲେ କେବଳ ପ୍ରଚାର ପ୍ରସାର, ଟିଭି, ମିଡିଆ, ଖବରକାଗଜ ଏବଂ ବିଜେପି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଗୁଡ଼ିକରେ ନିଜର ନାମ, ଫଟୋ ଆଉ ଭିଡିଓରେ ସେ ନିଜେ କିପରି ମଣ୍ଡିତ ହୋଇ ରହିବେ ସେ ସେହି ପ୍ରୟାସରେ ରହୁଛନ୍ତି। କିନ୍ତୁ, ଏମିତିରେ କିନ୍ତୁ ଦେଖିବାକୁ ଗଲେ ସୋସିଆଲ୍ ମିଡିଆରେ ସର୍ବାଧିକ ଟ୍ରୋଲ୍ ହେଉଥିବା ନେତାନେତ୍ରୀଙ୍କ ମଧ୍ୟରେ ଲେଖାଶ୍ରୀ ଆଗରେ ଅଛନ୍ତି। ଯେଉଁ କଥା କେହି ନେତାନେତ୍ରୀ କହିଲେ ଲୋକ ଗ୍ରହଣ କରୁଛନ୍ତି, ସେହି ସମାନ କଥା କିନ୍ତୁ ଲେଖାଶ୍ରୀ କହିଲେ କିମ୍ବା ସୋସିଆଲ୍ ମିଡିଆରେ ପୋଷ୍ଟ୍ କଲେ ବିଜେପିକୁ କ’ଣ ଆଉ କେହି ମିଳିଲେନି ବୋଲି କହୁଛନ୍ତି। ବାସ୍ତବରେ କେବଳ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ବିବାଦୀୟ ମନ୍ତବ୍ୟ ଦେଇ ବିଜେପିର ଅନେକ କ୍ଷତି କରାଉଛନ୍ତି ଲେଖାଶ୍ରୀ। ବୁଦ୍ଧିଜୀବୀ ମହଲରେ ଲେଖାଶ୍ରୀଙ୍କ ଏପରି ମନ୍ତବ୍ୟ ସବୁକୁ ନାପସନ୍ଦ କରାଯାଉଛି। ବୋଧେ ଅନ୍ୟକୁ ଆକ୍ଷେପ କରି ଅପଶବ୍ଦ ବ୍ୟବହାର କରିବାର ଲାଇସେନ୍ସ କେବଳ ଲେଖାଶ୍ରୀ ହିଁ ପାଇଛନ୍ତି? ଆଉ ଓଡ଼ିଶା ବିଜେପିରେ ତାଙ୍କୁ ଏ’ ଲାଇସେନ୍ସ କିଏ ପ୍ରଦାନ କରିଛି?
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.